ଆସନ୍ନ ମୃତ୍ୟୁର ଅନ୍ତରାଳେ
ଆସନ୍ନ ମୃତ୍ୟୁର ଅନ୍ତରାଳେ


ଚତୁର୍ଦିଗେ ଘନଘନ ଅନ୍ଧକାର,ଦୂର ଦୂର ଯାଏଁ ନା ଅଛି କୌଣସି ଜନବସତିର ମିଞ୍ଜି ମିଞ୍ଜି ଆଲୁଅ ନା ପଡିଛି ଚନ୍ଦ୍ରକିରଣ, ଏକେବାରେ ପରିବେଶଟା ଶାନ୍ତ ଧୀର ଏବଂ ନିସ୍ତବ୍ଦ ଗମ୍ଭୀର. ଜାଣିହେଉନାହିଁ କେଉଁ ସ୍ଥାନ ଏହା! ଏପରି ଅଦ୍ଭୁତ ଅମାମୟ ସ୍ଥାନ ଏ ପୃଥିବୀରେ ଥାଇପାରେ ତାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଭୀତିପ୍ରଦ.
ସେଇ ଅନ୍ଧକାରାଛନ୍ନ ନିଶାର୍ଦ୍ଧରେ ଜଣେ କିନ୍ତୁ ଖୁବ ଖୁସି, ବହୁଦିନର ଆବଦ୍ଧ କୋଠରୀରେ ରହି ଅସହାୟ ତୃଷାର୍ତ୍ତ ପରି ଛଟ ଛଟ ଡାକୁଥିବା ବ୍ୟକ୍ତିଟି ଖୋଲା ଆକାଶେ ଦୂର ଦୂରାନ୍ତ ଉଡ଼ିବୁଲୁଥିବା ପକ୍ଷୀଟେ ପରି ମୁକ୍ତ. ସମସ୍ତ ବନ୍ଧନ, ପରିଜନ ରୁ ମିଳିଯାଇଛି ଚିର ମୁକ୍ତି. ନୀରବତାର ଝଙ୍କାର ଆଣିଦେଉଥାଏ ଅପୂର୍ବ ଏକ ପୁଲକ. ହେଇପରେ କାହାକୁ କଷ୍ଟ ହେଇପାରେ କାହା ବିରହରେ ଦୁଃଖ ଯନ୍ତ୍ରଣା, କିନ୍ତୁ ନିଜର କଷ୍ଟ ନିଜର କ୍ଳେଶ ନିଜର ରୁଦ୍ଧ କାରାଗାରରେ ଥିବା ଆସାମୀ ପରି ଜୀବନ ଠୁଁ ଚାଲି ଆସୁଥାଏ ଦୁରକୁ ବହୁ ଦୁରକୁ. ଅତିକ୍ରମ କରିଯାଉଥାଏ ସେଇ ନିର୍ଜନ ନିରବ ଓ କଳା ମଚମଚ ମାର୍ଗ.
ବ୍ୟକ୍ତିଟି କାନ୍ଧରେ ଥାଏ ଦୁଇଟି ମୁଣି, ଗୋଟେ ବାମ କାନ୍ଧରେ ଥିବା ବେଳେ ଅନ୍ୟଟି ଡାହାଣ କାନ୍ଧରେ ଥାଏ. ଦୁଇ ମୁଣିକୁ ଦୁଇ କାନ୍ଧେ ଲଦି ସେ ଆଗେଇ ଚାଲିଥାଏ ଅଜଣା ଏକ ଗନ୍ତବ୍ୟ ଅଭିମୁଖେ.
ଏପରି ଅନେକ ଦୂର ଯିବାପରେ ଚାଲିଚାଲି ହାଲିଆ ହୋଇଯାଇଥାଏ କିନ୍ତୁ ହାର ନ ମାନି ପୁଣି ଚାଲିବାକୁ ଲାଗିଲେ. କିଛି ଦୂର ପରେ ଏକ ଜଳାଶୟ ଥିବାର ଶବ୍ଦ ଶୁଣାଗଲା. ସେହି ଜଳାଶୟ ଅଭିମୁଖେ ଏଥରର ଯାତ୍ରା ଆରମ୍ଭ ହେଲା. ଧୀରେ ଧୀରେ କୌଣସି ଏକ ଉତ୍ସରୁ ଆଲୋକ ସ୍ପଷ୍ଟ ହେବାକୁ ଲାଗିଲା. କ୍ରମାଗତ ଭାବେ ଆଗକୁ ବଢିବା ପରେ ଉଭୟ ଜଳାଶୟ ଓ ଏକ ସ୍ୱୀୟ ଆଲୋକ ଦୃଶ୍ୟମାନ ହେଲା. ଜଳାଶୟଟି ଏକ ବିଶାଳ ନଦୀଟେ ପରି ପ୍ରତୀୟମାନ ହେଉଥିଲା ଯାହାର ସ୍ରୋତ ଖୁବ ପ୍ରଖର ଥିଲା. ନଦୀର କୂଳରେ ଏକ ନୌକାରେ ଥିଲା ଅସଲ ଆଲୋକର ଉତ୍ସ. କିଏଜଣେ ବ୍ୟକ୍ତି ସେଠାରେ କାତ ଧରି ଦଣ୍ଡାୟମାନ ଥିଲେ. ହୁଏତ ସେଇ ନୌକାର ନାଉରିଆ. ବ୍ୟକ୍ତିଟି ଚାଲି ଚାଲି ସେଇ ଅଭିମୁଖେ ଯାଉଥିଲେ, ଯେତେଯେତେ ପାଖକୁ ଯାଉଥିଲେ ଆଲୋକର ଉତ୍ସ ସେତେସେତେ ଉଜ୍ଜ୍ୱଳମୟ ହୋଇଉଠୁଥିଲା.
ଶେଷରେ ବ୍ୟକ୍ତି ସେହି ସ୍ଥାନେ ଯାଇ ପହଞ୍ଚିଲେ, ଯେଉଁଠୁ ଆଖି ବୁଲାଇଆଣିଲେ ଖାଲି ଅକାତ ପାଣି. ବ୍ୟକ୍ତି ଜଣକ ଏଥର ନାଉରିଆ ଭାଇ ପାଖକୁ ଗଲେ, ଯାଇ କହିଲେ, "ନାଉରିଆ ଭାଇ! ମୋତେ ଆର କୂଳକୁ ନେଇଚାଲ, ଯାହା ମୂଲ୍ୟ ଦେବାକୁ ହେବ ମୁଁ ଦେବି. ଏ ମୁଣିରେ ସବୁ ଅର୍ଜିଥିବା ଜିନିଷ ଅଛି. ତେଣୁ ବିନା ଦ୍ଵିଧାରେ କହିପାର".
"ଆଛା! ଯାହା ମାଗିବି ଦେଇପାରିବ?" ସ୍ମିତହସ ଦେଇ ନାଉରିଆ ଭାଇ କହିଲେ.
ହଁ!! ସବୁକିଛି....
କ'ଣ କ'ଣ ରଖିଛ ଟିକେ ଶୁଣେ? ମୋତେ ଦେଇ ତୁମେ ଏହା ପାରି କରିବ... ନାଉରିଆ ଭାଇ ପୁଣି ପ୍ରଶ୍ନକଲେ.
ଏଥର ଉତ୍ତର ଅପେକ୍ଷାରେ ନ ରହି ପୁଣି ଏକ କୌତୂହଳେ ନାଉରିଆ ଭାଇ ପ୍ରଶ୍ନ କଲେ, "କହିଲ କହିଲ, ଏ ମୁଣି ଦୁଇଟାରେ କଣ ନେଇ ଆସିଛ? ".
"ହା ହା! କୋଉଟା କହିବି, ଏଇଟା ନା ସେ'ଟା?, ବାମଟିରେ ଅଛି ଅର୍ଜି ଥିବା ଧନ ସମ୍ପତ୍ତି, ଟଙ୍କା ପଇସା ସବୁକିଛି !! ଆଉ ଏଟା'ରେ ମାନ, ଯଶ, କୀର୍ତ୍ତି, ଖ୍ୟାତି, ସାଉଁଟି ଥିବା ସମ୍ମାନ, ପାଇଥିବା ଭଲପାଇବା ସ୍ନେହ !! ଉଭୟ ପାର୍ଶ୍ୱକୁ ଯଥାକ୍ରମେ ଇଙ୍ଗିତ କରି ବ୍ୟକ୍ତିଟି ଦାମ୍ଭିକତା ସହ କହିଲା.
ନାଉରିଆ ଭାଇ ପୁଣି ସ୍ମିତହସ ଦେଇ କହିଲା, "ଏସବୁ ମୋର କିଛି ଆବଶ୍ୟକ ନୁହେଁ!"
"ତେବେ ତୁମେ କ'ଣ ନେବ କୁହ! ବହୁତ ଦିନରୁ ମୁକ୍ତ ହୋଇନଥିଲି ଆଜି ବାହାରିଛି, ତେଣୁ ଏକ ସ୍ଥାନରେ ଏତେ ସମୟ ରହିବାକୁ ଇଚ୍ଛା ନାହିଁ, ତୁମେ ଯାହା କହୁଛ କୁହ, ହେଲେ ମୋତେ ଆ'ର କୂଳେ ପହଞ୍ଚାଇଦିଅ", ଏଥର ବ୍ୟକ୍ତିଟି ଅନୁନୟ ସହକାରେ କହିଲେ.
"ନିଶ୍ଚୟ ପାର କରିବି, କିନ୍ତୁ ଗୋଟିଏ ସର୍ତ୍ତ ଅଛି, ତୁମେ ଏ ମୁଣି ଦୁଇଟିକୁ ଏଇଠି ଛାଡି ମୋ ସହ ଯିବ"..
କିନ୍ତୁ !!!
"କୌଣସି କିନ୍ତୁ ପରନ୍ତୁର ପ୍ରଶ୍ନ ଉଠୁନାହିଁ, ତୁମକୁ ଏଇ ଶେଷ ଥର ପାଉଣା ଦେବାକୁ ହେବ, ନହେଲେ ଚିର ଦିନ ଏଇ ଅନ୍ଧକାରେ ରହିଯିବ.. ଅପର କୂଳର ଆଲୋକକୁ ଦୂରରୁ ଥାଇ ଝୁରି ହେବା ଛଡ଼ା ଅନ୍ୟ ଉପାୟ ହରାଇ ବସିବ".. ଏଥର ଉଚ୍ଚ କଣ୍ଠସ୍ୱରରେ ନାଉରିଆ ଭାଇ କହିଲେ, ଏତକ କହୁ କହୁ ମୁଖମଣ୍ଡଳ ତେଜୋଦୀପ୍ତ ହେଇଗଲା.
ହେ ପ୍ରବୀର! ଲାଗୁନାହିଁ ତୁମେ ଜଣେ ସାଧାରଣ ନାଉରୀ, ନା ଏ ଜଳାଶୟ କୌଣସି ସାଧାରଣ ଜଳାଶୟ ! ଦୟାକରି ଶଙ୍କା ମୋଚନ କର!! କାକୁସ୍ଥ ଚିତ୍ତରେ ବ୍ୟକ୍ତିଟି କହିଲେ...
"ସବୁକିଛି ତ୍ୟାଗ କର! ତା' ପରେ ଠିକ ମତେ ଜାଣି ପାରିବ"... ଏତକ ସେଇ ନାଉରୀ କହିଲେ ଅପୂର୍ବ ଏକ ଜ୍ୟୋତି ଖେଳିଗଲା, ଆଉ କିଛି ନା ଅନ୍ଧାର ନା ଆଲୋକ କିଛିର ଅତ୍ତାପତ୍ତା ରହିଲାନାହିଁ.
ଠିକ ଏଇ ସମୟରେ ରୋଗ ଯନ୍ତ୍ରଣା ଭୋଗିଭୋଗି ଜୀର୍ଣ୍ଣ ସ୍ଥାଣୁ ଶରୀରରେ ମରଣାପନ୍ନ ବ୍ୟକ୍ତିଟିର ନିଦ ଭାଙ୍ଗିଗଲା. ହୁଏତ ଏହା କୌଣସି ସ୍ବପ୍ନ ଥିଲା. ଚମକି ଉଠିପଡିଲା, ଦେଖିଲା, ପାଖରେ ଭାଗବତ ପଢ଼ା ହେଉଛି, ଆଖି ବୁଲାଇ ଆଣିଲା ଘରର ଚାରି କାନ୍ଥକୁ ମୁଣ୍ଡ ପାଖେ ଲୋତକ ଗଡାଉଥିବା ଆତ୍ମୀୟଙ୍କୁ.
ବହୁ କଷ୍ଟେ ଦୁଇହାତ ଉପରକୁ କରି ପ୍ରଣାମ କଲା, 'ବାଷ୍ପରୁଦ୍ଧ କଣ୍ଠରୁ ବାହାରିଲା" ନିରାଶ୍ରୟଃ ମାମ ଜଗଦୀଶ ରକ୍ଷଃ".ଏହାହିଁ ଥିଲା ଶେଷ ପଦ. ଚୁଟକରି ପ୍ରାଣବାୟୁ ଟି ଉଡି ଯାଇ ପୁଣି ବସିପଡିଲା ସେଇ ନୌକାରେ... ଅସୀମ ଏକ ଉଜ୍ଜ୍ୱଳ ଗନ୍ତବ୍ୟର ପଥଚାରୀ ହୋଇ..