STORYMIRROR

Sachidananda Kar

Romance

3  

Sachidananda Kar

Romance

ଆସ ବର୍ଷାରେ ଭିଜିବା

ଆସ ବର୍ଷାରେ ଭିଜିବା

2 mins
169


          ବାହାରେ ବର୍ଷା ଛେଚୁଥିଲା। 


         ଓଃ!କି ବର୍ଷା ସେ!କାହିଁକି ଏତେ ଉଲଗ୍ନ!ଆଦୌ ବୁଝି ହେଉ ନ ଥିଲା ତା' କଥା। 


         ଠିଆ ଠିଆ ଗଛମାନଙ୍କୁ ଅସ୍ଥିର କରୁଥିଲା ପବନ।ପତ୍ର ସବୁ ବିନ୍ଦୁ ବିନ୍ଦୁ ମେଘ ଟୋପାରେ ଗୋଟା ଭିଜୁଥିଲେ;ସତେ ପୂରଣ କରୁଥିଲେ କୁଆଁରୀ ମନର କଅଁଳ ଇଚ୍ଛା। 


         ମାଟି ଦେହର ଅଗଣାରେ ଝଲସି ଉଠୁଥିଲା ସୁଖର ଚିକିମିକି ଆଲୁଅ।କେତେ ଦିନରୁ ସେ ଶୋଷିଲା ଥିଲା କେଜାଣି!ଏଇ ବର୍ଷା ଧାରାକୁ ସମ୍ପାତି ରଖିବାକୁ ଗୋଟେ ସଂପୂର୍ଣ୍ଣ ସମର୍ପଣ ଭାବ ନେଇ ପ୍ରେମପୂର୍ଣ୍ଣ ପ୍ରୟାସ କରୁଥିଲା ସେ।ଆତ୍ମସ୍ଥ କରୁଥିଲା ମେଘର ଗାଢ ଚୁମ୍ବନକୁ;ସତେ ଯେପରି ପ୍ରଥମ କରି ଚୁମ୍ବନ ଖାଉଥିଲା ସେ। 


         ଅସହ୍ୟ ତୃଷାରେ ଆକ୍ରାନ୍ତ ହୋଇ ମୋ ଏକଲା କୋଠରୀ ଭିତରେ ଏକଲା ଛଟପଟ ହେଉଥିଲି ମୁଁ।ମୋ ଦେହ ଝାଳରେ କଣ୍ଟ କଣ୍ଟ ହେଉଥିଲା।କରେଣ୍ଟ ନ ଥିବାରୁ ଆହୁରି ଅଧିକ ଲାଗୁଥିଲା। 


         ଓଃ!ଆଜି କ'ଣ ଏତେ ଗୁଳୁଗୁଳି!ସାରା ଦେହ ମୋର ଖୋଜୁଥିଲା ଶୀତଳ ସ୍ପର୍ଶ।ମନ ଚାହୁଁଥିଲା ଉଲଗ୍ନ ହୋଇ ଯାଇ ବର୍ଷାରେ ନାଚିବାକୁ।ହେଲେ ସେପରି କରି ପାରିବିନି ଭାବିଲି।ଦେହର କିଛି ଅଂଶକୁ ଖୋଲା କରିଦେଇ ଝର୍କା ପାଖକୁ ଚାଲି ଆସି ବର୍ଷା ବିନ୍ଦୁ ସଂଗ୍ରହ କରିବାରେ ଲାଗିଲି।ନେଇ ଦେହସାରା ସଜେଇଲି।ହେଲେ ହାୟ!ଦେହରୁ ଝାଳ ମରୁ ନ ଥିଲା ଆଦୌ। 


         ଏ ଝାଳ ସେ ଝାଳ ନ ଥିଲା।ମୋ ଦେହସାରା ଟକ୍ ମକ୍ ହୋଇ ଫୁଟୁଥିଲା ଉତ୍ତପ୍ତ କାମନା।ଝର୍କାରୁ ଦେଖୁଥିଲି ବର୍ଷାର ନାଚକୁ।ମୋ ଭିତରେ କାମନା ସବୁ ଧୀରେ ଧୀରେ ବଢିବାରେ ଲାଗିଥିଲେ।ଦେହ ଭରା ଭରା ଲାଗୁଥିଲା। 


          ଏତେବେଳେ ପାଖରେ ପ୍ରୀତମ୍ ଥିଲେ କେମିତି ହୋଇଥାନ୍ତା! 


          ଯେତେବେଳେ ତାଙ୍କୁ ଲୋଡିଛି ସେତେବେଳେ ପାଇଛି।କେତେବେଳେ ସେ ମେଘ ହୋଇ ମୋ ପାଇଁ ବର୍ଷି ଯାଇଛନ୍ତି ତ କେତେବେଳେ ପବନ ପାଲଟି ପହଁରି ଯାଇଛନ୍ତି ଦେହସାରା।କେତେବେଳେ ଶୀତଳ ଛୁଆଁରେ ଉତ୍ତପ୍ତ କାମନାମାନଙ୍କୁ ଶାନ୍ତ କରିଛନ୍ତି ତ କେତେବେଳେ ମୃଦୁ ଚୁମ୍ବନରେ ରଙ୍ଗୀନ କରିଛନ୍ତି ମୋ ନରମ ଓଠକୁ। 


          ମୋ ତୃଷିତ ମନ ଧୀରେ ତାଙ୍କ ଆଡକୁ ଚାଲିଗଲା।ମୁଁ ତାଙ୍କୁ ମୋ ପାଖରେ ଖୋଜିଲି। 


          ଏଇ ସହରରେ ବି ରହୁଛନ୍ତି ସେ ଏକା ମୋ ଭଳି।ତାଙ୍କୁ କେତେଥର କହିଲିଣି 'ଚାଲ,ବାହା ହୋଇପଡିବା',ହେଲେ ସେ କ'ଣ ଶୁଣୁଛନ୍ତି ମୋ କଥା! 


          ମନରେ ତାଙ୍କ ପ୍ରତି ପ୍ରୀତିପୂର୍ଣ୍ଣ ବିରକ୍ତି ଆସିଲା।ଏମିତି ଅପେକ୍ଷାରେ ଅପେକ୍ଷାରେ ଆଉ କେତେ ବର୍ଷ କଟିବ କେଜାଣି!ମୁଁ ମନକୁମନ କହିଲି।ଖୁବ୍ ବିରକ୍ତି ଆସୁଥିଲା ମନରେ। 


          ବାହାରେ ବର୍ଷା ଛେଚୁଥିଲା।ମୁଁ ବର୍ଷାମନସ୍କ ହେଉ ହେଉ ତାଙ୍କୁ ଫୋନ୍ ଲଗାଇଲି। 


          - " ଓଃ!କି ବର୍ଷା!ତୁମେ ଏବେ କ'ଣ କରୁଛ,ଡାର୍ଲିଂ? " ମୋ ଫୋନ୍ ରିସିଭ୍ କରୁ କରୁ ସେ କହିଲେ। 


          - " ବର୍ଷା ନା ଛେନାଗୁଡ!ମୁଁ ଏବେ ଝାଳରେ ଭିଜୁଛି। " ମୁଁ ବେଶ୍ ଚିଡା ଚିଡା ସ୍ବରରେ କହିଲି। 


          - " କୋଠରୀ ଭିତରେ ରହି ଝାଳରେ ଭିଜୁଛି କହିଲେ କ'ଣ ହେବ!ବାହାରି ଆସ ବର୍ଷାକୁ।ତୁମ ପରି ଝାଳରେ ଭିଜୁ ଭିଜୁ ମୁଁ ପରା ଚାଲି ଆସିଛି।ଆସ, ବର୍ଷାରେ ଭିଜିବା,ପ୍ରେମରେ ଓଦା ହେବା।ତୁମେ ରହୁଥିବା ଫ୍ଲାଟ୍ ସାମ୍ନାରେ ଏବେ ମୁଁ। " ସେ କହିଲେ। 


         ମୋ ଫ୍ଲାଟ୍ ସାମ୍ନାରେ!ମୁଁ ତରତରରେ ବାଲକୋନୀକୁ ଆସିଲି।ଦେଖିଲି ସତକୁସତ ସେ ବର୍ଷାରେ ଭିଜୁଛନ୍ତି। 


         ପ୍ରେମ ବୋଧେ ଏମିତି ଭିଜିବା!ତାଙ୍କ ପାଖକୁ ଦୌଡି ଆସିବାକୁ ଇଚ୍ଛା କଲି।ହେଲେ ସେତେବେଳକୁ ମୋ ଦେହର ଉତ୍ତପ୍ତ କାମନା ସବୁ ଶାନ୍ତ ପଡି ସାରିଥିଲେ। 


          ପ୍ରିୟ ମଣିଷର ଭଲପାଇବା ସତରେ କେତେ ଶାନ୍ତି ଆଣିଦିଏ! 


          ବର୍ଷାରେ ଭିଜିବାର ଆବଶ୍ୟକତା ଆଉ ନ ଥିଲା।ଦେଖୁଥିଲି ତାଙ୍କ ବର୍ଷା ଭିଜା ଦେହକୁ।ଭିଜୁଥିଲି ପ୍ରେମରେ,ଗୋଟେ ଅପୂର୍ବ ଆନନ୍ଦର ଶିହରଣ।


Rate this content
Log in

Similar oriya story from Romance