Sachidananda Kar

Romance

3  

Sachidananda Kar

Romance

ଆନନ୍ଦର ଠିକଣା

ଆନନ୍ଦର ଠିକଣା

3 mins
145



         ଏବେ ପ୍ରାୟ ସବୁଦିନ ସକାଳେ ଆମେ ଦୁହେଁ ଏକାଠି ବସି ଚାହା ପିଉଛୁ।ସେଦିନର ଖବରକାଗଜ ବସି ପଢୁଛୁ।ଏହି ସମୟରେ ଆମର ଗପିବାକୁ ଥାଏ ଢେର୍ ଗପ।ଆମେ ଗପସପ ବି ହେଉଛୁ। 

         - ' ଆଚ୍ଛା, କହିବକି ତମେ ମୋ ଠାରୁ କ'ଣ ପାଇଲ?' ଦିନେ କାହିଁକି କେଜାଣି ମୋତେ ଏମିତି ପ୍ରଶ୍ନ ପଚାରିଲେ ସେ। 

         ପ୍ରାୟ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ତାଙ୍କ ସହିତ ସାଥୀ ହୋଇ କାଟିଛି।କିଛି ପାଇନାହିଁ ନା କ'ଣ?ଯଦି ତାଙ୍କ ଠାରୁ କିଛି ପାଇନାହିଁ ମୋ ସହିତ ସେ ଅଛନ୍ତି କେମିତି?ତାଙ୍କ ପ୍ରଶ୍ନ ପରେ ମୁଁ ଏମିତି ପ୍ରଶ୍ନ ସବୁ ପଚାରିଲି ମୋ ନିଜକୁ। 

         ପ୍ରଶ୍ନ ପଚାରି ଦେଇ ସେ ହସୁଥିଲେ ମୁର୍କି ମୁର୍କି।ମୁଁ ତାଙ୍କୁ କହିଲି - ' ଦେହ,ମନ,ହୃଦୟ - ଏସବୁ ତ ମୁଁ ତମ ଠାରୁ ପାଇଲି।ତମ ଛଡ଼ା ଆଉ କିଏ ଦେଲା କି ମତେ ଏସବୁ?ଆଜି ଏ ବୟସରେ ବି ଏସବୁ ମୁଁ ତମ ଠାରୁ ପାଉଛି। ' 

          - ' କହିବ କି କ'ଣ ଦେଇଛି ମୁଁ ତମକୁ? ' ସେ ପୁଣି ପଚାରିଲେ। 

          ମୁଁ କହିଲି - ' ମତେ ଆକାଶର ଜହ୍ନ ଦେଇଛ ତମେ।ଦେଇଛ ପୁଣି କେତେ କେତେ ସ୍ବପ୍ନ।ଗୋଟେ ନିଆରା ସୁଖର ସମୁଦ୍ର ବି ମତେ ଦେଇଛ ତମେ।ଆବେଗ,ଉତ୍ସାହ, ଅଧିକ କାମ କରିବାକୁ ସ୍ପୃହା - ଏସବୁ ତ ମତେ ଦେଇଛ ତମେ।ସବୁଠୁ ବଡ଼ କଥା ହେଲା ସବୁ ତମେ ମତେ ଯାଚି ଦେଇଛ।ମୋ ପାଇଁ ଏସବୁ ସଜାଡି ରଖିଛ ସବୁବେଳେ। ' 

          ସେ ଚୁପି ଚୁପି ହସିଲେ।ଆଉ କିଛି ପଚାରିଲେ ନାହିଁ।ଏବେ ମୁଁ ତାଙ୍କୁ କିଛି ପଚାରିବାକୁ ଚାହିଁଲି।ପଚାରିଲି - ' ହେଲେ ମୁଁ ତମକୁ କ'ଣ ଦେଲି? ' 

          - ' କିଛି ଦେଲନାହିଁ ବୋଲି ଭାବୁଛ କି?ଶଦ୍ଦ ଦେଲ,କବିତା ଦେଲ,ସୁଖ ଦେଲ,ନିଦ ଦେଲ।ଆପଣା ଇଚ୍ଛାରେ ଜନ୍ମ ଜନ୍ମ ପାଇଁ ସାଥୀଟିଏ ହେଲ।ଆଉ ଅଧିକ କ'ଣ ଦେଇଥାନ୍ତ ଯେ? ' 

          - ' କିଛି ପାଇଲ ତମେ ମୋ ଠାରୁ? ' ମୁଁ ପୁଣି ପଚାରିଲି। 

          - ' ଗୋଟେ ଜୀବନ ପାଇଲି।ପାଇଲି ଗୋଟେ ନାରୀ ଜୀବନର ସର୍ବବୃହତ୍ ଆବଶ୍ୟକତା।ସ୍ନେହ, ଶ୍ରଦ୍ଧା, ଭଲପାଇବା - କେଉଁଥିରେ ତ ଊଣା କରିନ ତମେ।ଆଉ ଗୋଟିଏ କଥା ପାଇବି ନିଶ୍ଚୟ ଯଦି ତମ ଆଗରୁ ଦୁନିଆରେ ଆଖି ବୁଜେ - ତମ କାନ୍ଧ। ' ସେ କହିଲେ। 

          ମୁଁ କହିଲି - ' ଏତେ ବର୍ଷ ସାଙ୍ଗ ହୋଇ କାଟିଲେ।ହେଲେ ବେଳେବେଳେ ମତେ କାହିଁକି ଲାଗୁଛି ମୁଁ ତମକୁ ଜାଣିନି କି ଚିହ୍ନିନି।ଆହୁରି ଅନେକ ବାକି ଅଛି।ତମେ ମଧ୍ୟ ମତେ ଜାଣିନ କି ଚିହ୍ନିନ।ତମ ପାଇଁ ଆହୁରି ବାକି ଅଛି। ଏହା କ'ଣ ସତ ନୁହେଁ? ' 

          ସେ କହିଲେ - ' ସବୁବେଳେ ତମ ଭିତରେ ଥାଏ।ତଥାପି ମତେ କାହିଁକି ବେଳେବେଳେ ସେମିତି ଲାଗେ।ବେଳେବେଳେ ଏମିତି ଲାଗେ କି ବୋଧହୁଏ ତମକୁ ଜାଣିବାର ଆବଶ୍ୟକତା ମୋ ପାଇଁ ଆଉ ନାହିଁ।ତମ କଥା ତମେ ଭଲ କହିପାରିବ। ' 

          ମୁଁ କହିଲି - ' ତମେ ମତେ ଯେତିକି ଚିହ୍ନିଛ ଜାଣିଛ,ବୋଧହୁଏ ମୁଁ ମୋ ନିଜକୁ ସେତିକି ଚିହ୍ନିନି କି ଜାଣିନି।ମୋ କଥା ଆଉ କ'ଣ କହିବି?ଆବେଗ,ଭାବନା,ସମ୍ମୋହନ ଦେଇ ତମେ ତ ତିଆରି କରିଛ ମତେ।ତମକୁ ଜାଣି ପାରିବିନି କେମିତି?ତମେ ପାଖରେ ଥିଲେ ଆକାଶ ମତେ ଛୋଟ ଦିଶେ।ତମ ମଧୁର ନିଃଶ୍ବାସରେ ଶଦ୍ଦ ସବୁ ଅର୍ଥହୀନ ହୋଇଯାଏ ପରା।ତମେ ତ ସବୁବେଳେ ଅଦୃଶ୍ୟ ସତ୍ତାଟିଏ ହୋଇ ମୋ ଚାରିପାଖରେ ଘୂରୁଥାଅ। ' 

          ସେ କହିଲେ - ' ଆଉ ଗୋଟିଏ ଅନୁଭବକୁ ମୁଁ ଏଠି ସାଥୀ କରି ବଞ୍ଚୁଛି।ସବୁବେଳେ ମୁଁ ତମକୁ ହିଁ ଖୋଜୁଛି।ତମେ କ'ଣ ସେମିତି ସବୁବେଳେ ଖୋଜୁଥାଅ ମତେ? ' 

           ମୁଁ କହିଲି - ' ଖୋଜୁ ନ ଥିଲେ ତମକୁ ପାଇଥାନ୍ତି କେମିତି?ଏ ଜନ୍ମ ନୁହେଁ, ଜନ୍ମ ପରେ ଜନ୍ମ ମୁଁ ଏମିତି ଖୋଜୁଥିବି ତମକୁ।ତମେ ଯେଉଁଠି ବି ଥାଅ ନିଶ୍ଚୟ ଖୋଜୁଥିବ ମତେ।ଆମେ ଦୁହେଁ ପରା ଗୋଟିଏ ଆତ୍ମା।କେହି କାହାକୁ ଛାଡି ରହିପାରିବା କ'ଣ? ' 

           ସେ ମୁର୍କି ମୁର୍କି ହସିଲେ ମୋ କଥାଶେଷରେ।କହିଲେ - ' ଏଇ ଖୋଜାଖୋଜି ତ ସଂସାରର ଆନନ୍ଦ - ସ୍ବର୍ଗୀୟ ଆନନ୍ଦ।ଆମ ପାଇଁ ଏମିତି ସାରାକାଳ ରହିଥାଉ ଇଏ। ' 

          ତାଙ୍କର ଏଇ କଥା ପରେ ମୁଁ କେବଳ ଛୋଟିଆ 'ହୁଁ'ଟିଏ ମାରି ଚୁପ୍ ରହିଲି। 

          ବାହାରେ ସରି ଆସୁଥିଲା ସକାଳର ଆୟୁଷ।ଧୀରେ ଧୀରେ ବଢୁଥିଲା ଦିନର ଶଦ୍ଦମାନଙ୍କର କୋଳାହଳ।


Rate this content
Log in

Similar oriya story from Romance