Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Panchanan Jena

Drama Others

4.0  

Panchanan Jena

Drama Others

ଆମ ପରିବାର

ଆମ ପରିବାର

8 mins
171


    " ବାହାଘର ୧୮ ବର୍ଷ ପରେ ବି ଝର୍କା ପଟେ ଭୋଦୁଅ ଜହ୍ମକୁ ଚାହିଁ କାହା କଥା ଭାବୁଛଟି ? ଜେଜେମା - ଜେଜେବାପା ତ ଗଲେଣି ଆରପାରିକୁ କେବେଠୁଁ । ତୁମେ ପରା ନିଜେ କୁହ ! ଭଲ ପାଉଥିବା ଲୋକମାନେ ହିଁ ଶୀଘ୍ର ଛାଡ଼ି ପଳାନ୍ତି "I ଶ୍ରୀମତୀ ସ୍ଵାତୀ ସୁହାନୀ ସାମଲ (ସୁନୀ ) ଶୋଇବା ଘରକୁ ପଶୁ ପଶୁ, ରାତ୍ରୀ ଭୋଜନ ପରବର୍ତ୍ତୀ କାମ ସମାପ୍ତ କରି ଆସୁ ଆସୁ ,ପଣତ କାନୀରେ ଗଣ୍ଡ-ମୁଣ୍ଡ ପ୍ରଦେଶରେ ଘିମିରି ଭ୍ରମ ସୃଷ୍ଟିକାରୀ ସ୍ଵେଦ ବିନ୍ଦୁକୁ ସରାଗରେ ପୋଛୁ ପୋଛୁ , ତୁଣ୍ଡ - କମାଣରୁ କିଛି କ୍ଷେପଣାସ୍ତ ଫିଙ୍ଗିଦେଲେ ।

ଶ୍ରୀଯୁକ୍ତ ରାଧାବଲ୍ଲଭ ସାମଲ ( ରାଧା ) ବାବୁ ପଲଙ୍କରେ ଅନନ୍ତଶୟନ ଶେଷନାଗ ମୁଦ୍ରାରେ ଶୋଇ ପୂର୍ଣ୍ଣିମାର ଚାନ୍ଦକୁ ଦେଖୁ ତ ନଥାନ୍ତି , ବରଂ ଆକଣ୍ଠ ପିଇଯାଉଥାନ୍ତି ରଜତ ଧବଳ କୌମୁଦୀର କାମୁକ ମାଦକଭରା ଚନ୍ଦ୍ରିକାକୁ ଅଞ୍ଜୁଳା ଅଞ୍ଜୁଳା ମନଭରି ସାଂଗ ସନ୍ତୋଷ ରଥ ବାହାଘରେ ବିୟର ବୋତଲ ଖାଲି କଲା ପରି ।

କିଛି ଉତ୍ତର- ପ୍ରତ୍ୟୁତ୍ତର ନ ପାଇ ସ୍ତ୍ରୀ ସୁନୀର ତୁଣ୍ଡ-କମାଣ ବୋଫର୍ସ-ରାଫେଲ ଭଳିଆ ଯୁଦ୍ଧମୂଖୀ ମୁଦ୍ରାରେ ଅବତୀର୍ଣ୍ଣା ହେଲେ ।" ମୁଁ ଜାଣେ ପରା ! ତୁମେ ଭଲ ଚାହୁଁଥିଲ ଉର୍ବଶୀ- ମେନକା- ମାଧୁରୀ-ରଚନା ଭଳିଆ । ଆଉ ମୁଁ ଗୋଲ ମୋଟୁଲ ମୋଟେଇ ପେଟେଇ ତୁମ ବେକରେ ଜବରଦସ୍ତିଆ ଛନ୍ଦି ରହିଛି । ତୁମ ମନର ମାନସୀ ସେହି ବାଣୀବିହାର ବେଳର ମହିୟସୀ କଳାନାଗୁଣୀକୁ ଆଜି ବି ତୁମେ ଜହ୍ନ ରାଇଜରେ ଖୋଜୁଛ । ମୁଁ ଜାଣେ ! ମୁଁ ଭଲ କି ଜାଣେ ! "--- କହୁ କହୁ କଇଁ କଇଁ ଅଶ୍ରୁ ସଜଳ ମୁଦ୍ରାରେ ବୀପରୀତ ପଟକୁ ଗଡ଼ି ପଡ଼ିଲେ ।

ହାଏ ରେ ଜୀବନ ! କ୍ଷଣ କ୍ଷଣ କେ ଆନ । ସୁନୀ ଦେବୀ ଟିକିଏ ଆଗରୁ କିଚେନ୍ ଭିତରେ କେତେ ଆଇଁସିଆ - ଫାଣ୍ଟାସି କଥା ଭାବୁଥିଲେ କାରଣ ପୁଅ ଝିଅ ମୋବାଇଲ୍ କଳି- ତକରାଳ ଖଣ୍ଡଯୁଦ୍ଧ ଭିତରେ ଆର ଘରେ ଶୋଇ ପଡିଥିଲେ । ମନେ ମନେ ମୁରୁକି ଉଠିଥିବା ଫୁଲ ପରି ଚହଟି ଉଠିଥିବା କାମନା ବାସନା ଶେଷରେ ଲୋତକ ବର୍ଷଣ ପର୍ବରେ ଶେଷ ହେବାର ଥିଲା ଜାଣିଥିଲା କି'ଏ କି ?

ରାଧା ବାବୁଙ୍କ ମାନସିକ ଅବସ୍ଥା ଜହ୍ନ ରାତିରେ ଲୁଚି ଛପି ଯାତ୍ରା- ଅପେରା ଦେଖି ଯିବା ବେଳେ ପାଦ ଗୋବର ଉପରେ ପଡ଼ିଗଲେ ମନ- ମୁଁହର ଅବସ୍ଥା ପରି । 

ପୁଣି ଭାବିଲେ କୋଉ ସ୍ତ୍ରୀଲୋକ କେବେ ସବୁ କଥା ବୁଝେ ଯେ, ପ୍ରେୟସୀ ସୁନୀ ବୁଝିବ ପ୍ରେମର ଅନୁଭବ ପ୍ରେମର ସିହରଣ ଯେ ପ୍ରେମାନୁଭୂତିଠାରୁ ଶହେ ଗୁଣ ତୀବ୍ର , ହଜାରେ ଗୁଣ ସ୍ଥାୟୀ ? 

ବେଳେ ବେଳେ ପୁରୁଷ ସାରା ଜୀବନ ସେହି ମଧୁର।ନୁଭବକୁ ଅମୃତମୟ ଲଗନକୁ ହିଁ ମନେ ରଖିଥାଏ ଅନ୍ତରତଳ ଅନନ୍ତମନର ସାତତାଳ ସ୍ମୃତି ଫରୁଆରେ , ମନେ ପକଉଥାଏ ଭିଜୁଥାଏ ଜୀବନ ସାରା । ଜଣା-ଅଜଣା, କୁହା- ଅକୁହା- ଦେଖା- ଅଦେଖା, ହସ- କାନ୍ଦ, ତେଲ-ଲୁଣର ଦୁନିଆ ଭିତରେ ସେହି ସୁନେଲି ରଙ୍ଗୋତ୍ସବକୁ ମନେ ପକେଇ ସେହି ସ୍ୱର୍ଗୀୟ ସୁଧାର ପାଦୋଦକକୁ ଠାକୁର ଭୋଗ ପରି ପାଇ ଜିଇଁ ଯାଏ ।

ବେକାରି ଲୋକ କି ? ଘର ବୁଡ଼ି ଆଣ୍ଠୁଏ ପାଣି , ପେଲି ଚାଲିଛି କଥା କାହାଣି । ମଥାରେ ଠୁକି ଦେଲେ ବାଁ ପାପୁଲିକୁ ରାଧା ବାବୁ। ରହିଯା ବେ ।

 ମାନସୀ ପ୍ରେୟସୀ ବିଦୁଷୀ ରୂପସୀ ସୁନୀ ଆମର ଋଷିଛି । ମାନଭଞ୍ଜନ କରିବାକୁ କିଛି କଳା କୌଶଳ କରିବାକୁ ହେବ । ମାନ ଅଭିମାନର ଅସଲି ଚେରକୁ ବାହାର କରିବାକୁ ହେବ ବଂଶୀଧର ଦେବକୀକୁମାର ଯଶେ।ଦାଦୁଲାର କୃଷ୍ଣ ଯେପରି ରାଧାରାଣୀର ମାନ-ଭଞ୍ଜନ ମନୋରଞ୍ଜନ କରୁଥିଲେ । ମାନ-ଗୁମାନ କରିବା ଜାୟା-କାନ୍ତା ମାନଙ୍କର ଗହଣା । ମାତ୍ର ଆଜି ଅଧିକ ଭାବୁକତା - ଭାବପ୍ରବଣତା ଯୋଗୁଁ ମାନିନୀ ନାୟିକାର କୋମଳ ମନ-ବୈତରଣୀରେ ଶ୍ରାବଣର ଧାରା । ଅତି ଲେମ୍ବୁ ଚିପୁଡିଲେ ପିତା । ଅତି ସର୍ବତ୍ର ଗହିର୍ତମ୍ ।

ବିଚାରୀ ସୁନୀଟା । ବହୁତ କରିଛି ଦୀର୍ଘ ୧୮ ବର୍ଷ ହେଲା । ଅଧୁନା ବି ଜାରି ରଖିଛି ସେହି କର୍ମକୁଶଳତା କାର୍ଯ୍ୟତତ୍ପରତ ସହନଶୀଳତା ହସ ହସ ସରଳ ତରଳ ଭାବୁକତା ସହିତ ସ୍ନେହିଳ ବିଦୂଷିତା ତ୍ୟାଗରେ ସେବାରେ ଓ ସର୍ବୋପରି ଘର ଜଞ୍ଜାଳ ମୁଣ୍ଡେଇ ବାରେ ।

ବାପା- ମାମୁଁ ଗୋଟେ ଚାଉଳରେ ଗଢ଼ା କହି ବାହାବେଦିରେ ବସେଇ ଦେଲେ । ମନେ ପଡିଯାଉଛି ସେହି ହାତଗଣ୍ଠି ବେଳର ହୁଳୁହୁଳି ମଝିରେ ମେହେନ୍ଦୀ ତାରକସୀ କମକୂଟ ଚମ୍ପାକଢି ଭଳିଆ ହାତକୁ ପ୍ରଥମେ ଛୁଉଁବାର ସିହରଣ । ସପ୍ତପଦୀ ନେଉଥିବା ବେଳେ ପଦ୍ମଗନ୍ଧର ମହକିତ ସୌରଭ । ଆଉ ଭାବି ପାରିଲେନି ----+---

ଧେତ୍ ! କିଛି ମନକୁ ଆସୁନି । କ'ଣ କରାଯାଇ ପାରେ । ନୀଳକୁ ଫୋନ କଲେ କିଛି ଖୋରାକ ମିଳନ୍ତା । ନା--- ନା--- କେବେ ନୁହଁ ।ନିଜ ଅପାରଗ ପଣିଆର ଡେଙ୍ଗୁରା ଵଜେଇବା ଆଦୌ ସମୀଚୀନ ହେବନି ।

ରାଧା ବାବୁ ମନ୍ଦିର -ମଠ ନ ଗଲେ ବି ପୁରା ନାସ୍ତିକ କହି ହେବନି । ଭଗବତ୍ ବିଶ୍ଵାସୀ । ଧର୍ମ-କର୍ମ ଦାନ- ପୁଣ୍ୟ ଅର୍ପଣ- ତର୍ପଣରେ ଅଗାଧ ରୂଚି । ତେଣୁ ସେହି ବିଶ୍ଵ ନିୟନ୍ତା ନିରାକାର ପରଂବ୍ରହ୍ମଙ୍କୁ ମନେ ମନେ ସୁମରଣା କଲେ ଆଜିର ଏ ଅଶ୍ରୁଳ ସମସ୍ୟାର ଆଶୁ ସମାଧାନ ପାଇଁ । 

ମୌନତା - ମୌନୀ ଅବତାର ବି ବେଳେ ବେଳେ ଆଶିର୍ବାଦର ବାର୍ତ୍ତବହ ହୋଇଯାଏ । ନୀଦ ତ ଗାଏବ । ଉଭାନ ହୋଇ ପଳେଇ ଯାଇଛି କେଉଁ ଅସୀମ ପ୍ରଦେଶକୁ ବୋଧେ ।

ମଝିରେ ମଝିରେ କଡ଼ ଲେଉଟାଇ ବିହଙ୍ଗାବଲୋକନ କରୁଥାନ୍ତି ରାଧା ବାବୁ । ରାତ୍ରୀର ନୀରବତା ବଢି ଚଢି ଚାଲିଥାଏ । ଏତେ ପାଖରେ , ପୁଣି ଏତେ ଦୂରରେ , କୋଟି ଜୋଜନ ଦୂରରେ ଶୋଇଥିବା ଭଳି ଲାଗୁଥାଏ ।

ମ୍ୟାସେଜ୍‌ ଆସିବାର ସାଉଁଣ୍ଡ ହେବାରୁ ହାତ ଅଣ୍ଡାଳିଲେ । ଜାଣି ଜାଣି ଛୁଇଁ ଦେଲେ ଶ୍ରୀମତୀଙ୍କ ମୁକୁଳା ପ୍ରଦେଶକୁ ମୋବାଇଲ୍ ଖୋଜିବାର ସାହାରା ନେଇ । ପରଖି ନେବା ଦରକାର । ମୌସମ ବଦଳିଛି କି ନାହିଁ । ବର୍ଷା ପରେ ଶରତ ଋତୁ ଆସିଛି କି ନାହିଁ ?

ମାତ୍ର କରେଣ୍ଟ ଲାଗିଗଲେ ଯେମିତି ଛିଞ୍ଚଡ଼ା ହୁଏ , ସେମିତି ତଡିତ ବେଗରେ ବିଦ୍ୟୁତଲୋଚନା ବିଜୁଳି ଆକାଶ ଅଗଣାରେ ଖେଳିଗଲା ପରି ରାଧା ବାବୁ କରେଣ୍ଟଗ୍ରସ୍ତ ହୋଇ ଛିଟିକି ପଡ଼ିଲେ । ରାଗି ପାରିଲେନି ବରଂ ସ୍ମିତହାସ୍ୟର ବକ୍ର ରେଖାଟିଏ ଗାଲ ମଝିରେ ଥିବା ଖାଲ ଯାଗାରେ ହିଲ୍ଲୋଳ ସୃଷ୍ଟି କରୁଥିଲା ।

ପୂର୍ବବତ ଅନନ୍ତଶୟନ ମୁଦ୍ରାକୁ ଫେରି ଆସିଲେ ଓ ମୋବାଇଲ ଖେଳେଇବାକୁ ଲାଗିଲେ । ଗ୍ୟାଲେରୀକୁ ଯାଇ ପୁରୁଣା ଫଟୋ ଆଲ୍‌ ବମ଼ ଦେଖୁ ଦେଖୁ ବାହାଘର ବେଳର କିଛି ଯୁଗ୍ମଛବି ଉପରେ ନଜର ପଡନ୍ତେ ଅତୀତ ଅଗଣା ଫଗୁଣିତ ଛନ୍ଦାୟିତ ମୁଦ୍ରାରେ ଅଭିବାଦନ କରୁଥିଲା । 

ସତରେ ସୁନୀ ଟା ଆମର ସୁନା ନାକୀ ସୁନାପଞ୍ଜୁପରୀ ଭିତରେ ସାଇତା ଦୁହିତା ପରୀ ରାଇଜର ପ୍ରଭାତ ନଳିନୀ ସମ ପଦ୍ମପ୍ରୀୟା ପଦ୍ମନୟନୀ । ନାକକାନ୍ଦୁରୀ ଭଳିଆ ତ ଜମା ଲାଗୁନି । ବରଂ ମୋ' ପ୍ରାଣ ପ୍ରୀୟ। ପ୍ରଣୟିନୀ ପାରିଯାତ ପାନ ମହୁରୀ ।

ଏମିତି ରୋମାଞ୍ଚିତ ଭାବନାରେ ପହଁରୁ ପହଁରୁ ଅନ୍ୟ ଏକ ଦୈତ୍ୟଫଟୋର ଆବିର୍ଭାବ ହୁଅନ୍ତେ ରାଧା ବାବୁ ଆଉ ନିଜକୁ ସମ୍ଭାଳି ପାରିଲେନି । ଅଗତ୍ୟା ମିଛି ମିଛିକା ପଞ୍ଚତନ୍ତ୍ରର କୁମ୍ଭୀରପରି ଶୋଇ ସୁକୁ ସୁକୁ ସୁନୀ କୁ ସେହି ମନଲୋଭା ଯୁଗଳ ବଂଦୀ ଫଟୋ ଫ୍ରେମ୍ ଦେଖେଇବାର ସରାଗରେ ମୋବାଇଲ ବାଁ ହାତରେ ଧରି ପାଖକୁ କିଂଚିତ ଲାଗି ଗଲେ ଓ କୋଳେଇ ନେଲେ । ତା' ପରେ ଯାହା ହେଲା ଦେଖା ହେଲେ କହିବି ।

ଚାଲିଲା କଥାର ପ୍ରଗଳ୍ଭା ଝରଣା । ବନ୍ଦ ହୋଇଥିବା ବେଳଠାରୁ ଚକ୍ରବୃଦ୍ଧି ହାରରେ ସବୁ ବାହାରିଗଲା । ରାଧା ବାବୁ ଖାଲି ଶୁଣୁଥାନ୍ତି ହଁ ହୁଁ ଦ୍ଵାହି ଦେଇ । ଶେଷରେ ରାତ୍ରୀର ଅଦାଲତ ଏହି ନିଷ୍କର୍ଷରେ ଉପନୀତ ହେଲା ଯେ ଜି-ମେଲ- ଫେସବୁକ୍- ଟୁଇଟର-ଇନଷ୍ଟାଗ୍ରାମ- ଗୋଗୁଲ ପ୍ଲସ୍ ଇତ୍ୟାଦି ସାମାଜିକ ପ୍ଲାଟଫର୍ମରେ ସପରିବାର ରହିବେ । ଅର୍ଥାତ୍ ସୁଭଦ୍ରା ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ପରିବାର ମାନଙ୍କ ପରି ସାମଲ ସପରିବାର ସଂସାର ଡିଜିଟାଲ ହେବାର ସମୟ ଆସିଛି ଯାହା ପାଇଁ ଶ୍ରୀମତୀ ଆଜି ସଧ୍ୟ୍ୟା କାଳୀନ ଆସର ବେଳେ ଘୋର ଲଜ୍ଜିତ ହୋଇଛନ୍ତି ତଥାକଥିତ ଲେଡିଜ୍ କ୍ଲବ ସଭ୍ୟା ସଦସ୍ୟା ସମାଜରେ । 

ସତ କଥା । ନାରୀ କଥା ନାରାୟଣଙ୍କୁ ବି ଅଜଣା । ଗହନ ମନର ଗୋପନ କଥା , ମନ ତଳର ସାଇତା ବ୍ୟଥା ଅକିଞ୍ଜନ ରାଧା ବାବୁ ବା କେମିତି ଆବିଷ୍କାର କରନ୍ତେ କହିଲେ !

ସକାଳୁ ଅଫିସ୍ ଯିବା ବହୁ ପୂର୍ବରୁ ନିଜର- ସହଧର୍ମିଣୀ ସ୍ଵାତୀ ସୁହାନୀ - ଝିଅ କଳିକା ଓ ପୁଅ କୈବଲ୍ୟର ଫଟୋ ଟ୍ୟାଗ୍ କରି , ଘର ଆଗରେ ଶୋଭିତ ଫୁଲ ବଗିଚାର ସତସତିକା ଫଟୋକୁ ବ୍ୟାକ୍ ଗ୍ରାଉଣ୍ଡରେ ଲଗେଇ କ୍ୟାପସନ୍ ରେ - ମୁଁ ଓ ମୋର ପରିବାର - ଲେଖିଦେଉ ପୋଷ୍ଟ କରିଦେଲେ । ଓଁ ସ୍ଵାହା ।

ଆଶ୍ଚର୍ଯ୍ୟ ହେବାର ନାହିଁ, ତୁରନ୍ତ ବନ୍ଧୁ-ବାନ୍ଧବୀ , ସହକର୍ମି- ସହକର୍ମିଣୀ ମାନଙ୍କ ପାଖରୁ ଲାଇକସ୍‌ ତଥା କମେଣ୍ଟସ୍‌ ଆସିବା ଆରମ୍ଭ ହୋଇଗଲା । ରାଧା ବାବୁ ଅଫିସରେ କାର୍ଯ୍ୟବ୍ୟସ୍ତତା ଭିତରେ ବି ବେଳେ ବେଳେ ଫେସ୍‌ବୁକ ଖୋଲି ଦେଖୁଥାନ୍ତି । କମେଣ୍ଟ ଦି ଚାରିଟା ପଢ଼ି ଦିଅନ୍ତି । କେତେକ ଲେଖିଲେ ଅତି ସୁନ୍ଦର -- ଅତୀବ ସୁନ୍ଦର । ଅନ୍ୟ କେହି --- ଏଇ ଆମ ସଂସାର -- ଗୋଟିଏ ଫ୍ରେମରେ ପୂରା ପରିବାର । ମନରେ ଖୁସି ଅସୁମାରୀ କାନ୍ଧରେ ସବାରୀ ।

ବେଳ ରତ ରତ । ସନ୍ଧ୍ୟା ଆଗତ ପ୍ରାୟ । ରାଧା ବାବୁ ଅଫିସରୁ ଆସୁ ଆସୁ ଫେସ୍ ବୁକ ଖୋଲି ପ୍ରାଣପ୍ରୀୟ। ସୁନୀକୁ ପାଖରେ ବସେଇ ଦେଖେଇଲେ । ୩୪୫ ଲାଭକସ୍ ଓ ୧୨୩ କମେଣ୍ଟ । କିଛି କମେଣ୍ଟ ଖେଳେଉ ଖେଳେଉ ସାଂଗ ସାହିରୁଲ୍ ହକ୍, ବାଲେଶ୍ଵର ନଜରକୁ ଆସିଲା --- ଚଳଚଞ୍ଚଳ ସପରିବାର ପ୍ରତିବିମ୍ବିତ ପସରା , ମନ ଆଇନାରେ ଝଲସୁ ଭଲପାଇବା ସେ ଶୋକପାସେ।ରା ।"

ଆହୁରି ମିଳିଗଲା ବାଣୀବିହାର ସହପାଠୀ ଧର୍ମାନନ୍ଦ ସାହୁ, ଢେଙ୍କାନାଳରୁ --- ସମସ୍ତଙ୍କୁ ଏକତ୍ର ଦେଖିଲି - ନେତ୍ର ଖୁସିରେ ପୁରି ଗଲା । ଚଲାପଥ ସରସ ସୁନ୍ଦର ମଧୁର ନୁହିଁ ମଧୁରତର ଅମୃତମୟ ପଥର ସୁଖ ସମ୍ଭାର ହେଉ । "

ଉଭୟ କପୋତ-କପୋତୀ ଆଖିରେ ଆଖିରେ ଉଭୟଙ୍କୁ ନିହାରୁ ଥିଲେ । ଲାଗୁଥିଲା ସୁଭଦ୍ରା ଆପାର୍ଟମେଣ୍ଟର ସବୁ ଖୁସି ପେନ୍ଥା ପେନ୍ଥା ହୋଇ ତାଙ୍କ ଫ୍ଲାଟକୁ ଧସେଇ ପସିଆସିଛି । ମନ ମଗଜରେ ମସ୍ତିର ଐନ୍ଦ୍ରଜାଲିକ ଆତୁରତା ଆକୁଳତା ଓ ପରସ୍ପରକୁ ଆବିଷ୍କାର କରିବାର ମେଣ୍ଡୁ ନ ଥିବା ଆଦିମ ଅଭିଲାଷାର ଉଷ୍ମତା ଅଂଗେ ଅଂଗେ ।

ଲାସ୍ୟମୟୀ ସ୍ଵାତୀ ସୁହାନୀକୁ ଆଳିଙ୍ଗନ କରିବାକୁ ଯାଉଥିଲେ ରାଧା ବାବୁ ସରାଗରେ । ଝିଅ କାକଳୀ ପାର୍କରୁ ଖେଳି ଆସୁ ଆସୁ ଧସେଇ ପସି ଆସିଲା ଠିକ୍ ସେତିକି ବେଳେ ଓ କହିଲା -- ବାପା ! ମୋତେ ଦେଖାଅ ! ସାନ ପୁଅ କୈବଲ୍ୟ ବି ଅପାକୁ ପଛକୁ ଟାଣୁ ଟାଣୁ ଦେଖିନେଲା । ଦୁହେଁ ଖୁସି ଖୁସି ଘର ଭିତରକୁ ଦୌଡ଼ି ପଳେଇଲେ ।

ଅଳ୍ପ କେଇ ମିନିଟ ପରେ ଝିଅ କାକଳୀ ଆସି ବାପାଙ୍କୁ କୁଣ୍ଢେଇ ଗେହ୍ଲେଇ ସୋଫାରେ ବସୁ ବସୁ ବାଲ୍ୟ ସୁଲଭ ଚପଲତାରେ କହି ପକେଇଲା। ---- ବାପା ! ବାପା ! ଶୁଣ ! ଶୁଣ ନା ! ତୁମେ ଫେସ୍‌ ବୁକରେ ଲେଖିଛ --- ମୁଁ ଓ ମୋର ପରିବାର । କିନ୍ତୁ ଏଥିରେ ଗାଁରେ ରହୁଥିବା ଜେଜେବାପା- ଜେଜେମା' ତ କାହିଁ ନାହାନ୍ତି ? ସେମାନେ କ'ଣ ଆମ ପରିବାରର ସଦସ୍ୟ ନୁହଁନ୍ତି କି ?

ବୁଝିଲୁ ଝିଅ ! ମୁଁ ଓ ମୋର ପରିବାର ମାନେ ଆମେ ଚାରିଜଣ । ଦେଖ ! ସୁଭଦ୍ରା ଆପର୍ଟମେଣ୍ଟରେ ଆମେ କେତେଜଣ ଏକାଠି ରହୁଛୁ--- ଚାରିଜଣ । ତେଣୁ ମୁଁ ଏମିତି ଲେଖିଦେଲି ।" --- ଝିଅର ମଥାରେ ସ୍ନେହିଳ ଶ୍ରଦ୍ଧା ସୁମନ -ପରଶ ଦେଇ ରାଧା ବାବୁ ବୁଝେଇ ଦେଲେ ଓ ଷ୍ଟଡି ରୁମ୍ କୁ ହ୍ୟାପି ହ୍ଯାପି କାକଳୀ ଚାଲିଗଲା । 

ପୁଣି ଦମ୍ପତି ଦ୍ୱୟ ମୋବାଇଲ ଖେଳେଇବାରେ କମେଣ୍ଟ ପଢ଼ିବାରେ କଲେକ୍ଟ୍ରି ତାରରେ ଦେହକୁ ଦେହ ଯୋଡି ବସିଥିବା ବଣି ଚଢେଇ ପରି ଲାଗି ରହିଲେ । ପାରଳାଖେମୁଣ୍ଡିରୁ ବାନ୍ଧବୀ ସୁଜାତର ମତାମତ --- .ପୁରା ପରିବାରକୁ ଆମ ପରିବାର ତରଫରୁ ଶୁଭେଚ୍ଛା ଶୁଭକାମନା , ପୂର୍ଣ୍ଣ ହେଉ ପାତ୍ର ,ସୁସ୍ଥ ରହୁ ଗାତ୍ର,ଖୁସି ମିଳୁ ଯତ୍ର ତତ୍ର ସର୍ବତ୍ର , ଶୁଭଙ୍କର ଶୁଭବଂଦନା ।"

ଇସ୍ପାତ ନଗରୀ ରାଉଲକେଲାରୁ ସହୋଦରୀ ଆଶା ଦାଶର ଶବ୍ଦ ବିଳାସ ----

" ଚଲାପଥେ ମିଳୁ ପୁଷ୍ପ ସୁମନ ସୁବାସିତ ମହକ/ ପୂରା ପରିବାରକୁ ମିଳୁ କଳ୍ପିତ ମନୋରଥ ମିଠା ଦସ୍ତକ / ଆପଣା ଅନ୍ତରେ ଶୁଭୁ ତ୍ୟାଗ ସ୍ନେହ ପ୍ରେମର ଜୟ ଜୟ କାର / ହାତ ଧରି ଚାଲୁଥାଅ ଅମୃତପଥେ ଜୀବନରଥେ ବାର ବାର ।"

ଅମାପ ଅସରନ୍ତି ଖୁସି ଗହଣାକୁ ସାଉଁଟୁ ଥାନ୍ତି ଦୁଇପ୍ରାଣୀ । ସାନ ପୁଅ କୈବଲ୍ୟ ଦୈଡ଼ି ଆସିଲା ଓ ବାପାଙ୍କ କାନ୍ଧରେ ଚଢିଗଲା । ମା'ଙ୍କଡ ଭଳିଆ ଝୁଲିବା ଆରମ୍ଭ କରୁ କରୁ ଦେବ ସୁଲଭ ଢଙ୍ଗରେ କହିଲା --- ବାପା ! କାଲି ମୁଁ ବଡ଼ ହେବି । ପୋଲିସ୍‌ ଚାକିରି କରିବି । ବାହା ହେବି । ମୋର ବି ପିଲା ଝିଲା ହେବେ । ଆଉ ସେତେବେଳେ ମୁଁ ଓ ମୋର ପରିବାର ମାନେ --- ତୁମେ ଓ ବୋଉ କ'ଣ ନ ଥିବ ।"

ପାଞ୍ଚ ବର୍ଷର ବକଟେ ପୁଅ କୈବଲ୍ୟ । କହିଲା ଚପଳଛନ୍ଦ ଚପଲାମୀରେ କିନ୍ତୁ ବାପା ରାଧାବଲ୍ଲଭ ବାବୁଙ୍କର- ବୋଉ ସ୍ଵାତୀ ସୁହାନୀ ବାବୁଆଣୀଙ୍କର ହୋସ ଉଡ଼ିଗଲା ।

କିଛି ସମୟ ଚୁପ୍ ଚାପ ରହିଲା ପରିବେଶ । କିଛି କ୍ଷଣ ପରେ ଅଶ୍ରୁଶିକ୍ତ ମୁଖମଣ୍ଡଳରେ ଭାରାକ୍ରାନ୍ତ କୋହମିଶା ଆବାଜରେ ରାଧା ବାବୁ ଧୀମା ଗଳାରେ କହୁଥିଲେ --- ପୁଅ ରେ ! ମୋ ଧନରେ ! ମୋତେ ତୁମେ କ୍ଷମା କରିଦିଅ ! ମୁଁ କେମିତି ଭୁଲିଗଲି ସେହି ମା'- ବାପାଙ୍କୁ ଯାହାଙ୍କ ପାଇଁ ମୁଁ ଦୁନିଆର ଆଲୋକ ଦେଖିଲି ଆଉ ଆଜି ଛାତି ଫୁଲେଇ ବଡ଼ ଦାଣ୍ଡରେ ଡିଣ୍ଡିମ ହାଙ୍କୁଛି ? ମୁଁ ପାଠ ଶାଠ ପଢି ନିଜ ଗୋଡରେ ଛିଡ଼ା ହୋଇପାରିଛି । ମୁଁ ଜଣେ ବୁଝା ସୂଝା ପାରିବ। ଜାଣିବା ସଭ୍ୟ ମଣିଷର ଖ୍ୟାତି ପାଇଛି । ତୁମ ମାନଙ୍କ ପରି ହୀରାନୀଳା ପୁଅ-ଝିଅ ଓ ପ୍ରୀତିଲଗ୍ନା ପତ୍ନୀ ପାଇଛି । ଆଉ ଶେଷରେ ସର୍ବ ଶେଷରେ ମୁଁ ଏତିକି କହିବି ଯେ , ଯାହା ବି ମୋ ପାଖରେ ଅଛି ଆଉ ଯେଉଁ ସବୁ ସୁଖ ସଂପଦ ପାଇଁ ନିଜକୁ ଗର୍ବିତ ମନେ କରୁଛି ସବୁ ତାଙ୍କର ଆଶିର୍ବାଦ ଓ ତ୍ୟାଗ ଦ୍ଵାରା ହିଁ ସମ୍ଭବ ।

ଧିକ୍ ମୋ ଶିକ୍ଷା ! ଶତ ଧିକ୍ ମୋ ବଡ଼ ପଦବୀର ଚାକିରୀ । ଲକ୍ଷ ଧୀକ୍କାର ମୋ ବ୍ୟାଙ୍କ ବାଲାନସ୍ ଓ ଶୀତତାପ ବିଳାସ ବ୍ୟସନ ! ମୁଁ କେମିତି ଭୁଲିଗଲି ସେହି ପରମ କାରୁଣିକ ଜୀବନ୍ତ ପ୍ରତିମା ମୋର ଚଳନ୍ତା ଈଶ୍ଵର ମୋର ମାତୃପିତୃଦେବ ସାକ୍ଷାତ ପରମେଶ୍ଵର । "

ଭୋ ଭୋ କାନ୍ଦୁଥିଲେ ରାଧା ବାବୁ ସାନ ପୁଅ କୈବଲ୍ୟକୁ ଜାବୋଡି ଧରି ଆଉ କହୁଥିଲେ -- ଆମେ ସମସ୍ତେ ଗୋଟିଏ ପରିବାର ।

ଅଧା କାନ୍ଦୁରୀ ସୁନୀ ମ୍ୟାଡାମ ସଂଗେ ସଂଗେ ଫେସବୁକ ତଥା ଅନ୍ୟସବୁ ପ୍ଲାଟଫର୍ମରୁ ଡିଲିଟ୍ କରିଦେଲେ ଫଟୋ ଓ ଗୋଟେ ନୂଆ ଏସନ ରଜବେଳର ଗାଁ ଘର ଦାଣ୍ଡଘରେ ଉଠା ହୋଇଥିବା ଶାଶୁମା' - ବାପାଶ୍ୱଶୁର ସହିତ ଆମ ଚାରିଜଣଙ୍କର କୋଣରେ ବସିଥିବା ଶଙ୍ଖି ବିଲେଇ ଫ୍ରେମିତ ଫଟୋ ଟ୍ୟାଗ୍ କରିଦେଲେ କିନ୍ତୁ କ୍ୟପସନ୍‌ ରେ ଗାରି ଦେଇଥିଲେ --- ଆମ ପରିବାର - ସୁନା ସଂସାର ।


Rate this content
Log in

More oriya story from Panchanan Jena

Similar oriya story from Drama