ଆମ ଗାଁ କେତେ ଭଲ
ଆମ ଗାଁ କେତେ ଭଲ
ସୋମନାଥବାବୁଙ୍କର ଦୁଇଟି ଝିଅ. ଦୁଇଭଉଣୀଙ୍କ ଭିତରେ କେବେ କଳିକଜିଆ ନଥାଏ ବରଂ ଦୁଇଭଉଣୀ ଦୁଇ ସାଙ୍ଗ ପରି ଚଳନ୍ତି. ବଡ଼ଝିଅ ବେବିନାକୁ ବାହା କରିଦେଲା ପରେ ରୁବିନା ଏକୁଟିଆ ହୋଇଯାଇଥାଏ. ବାପା ବୁଝାନ୍ତି ଦେଖ ମାଆ ତୋ ଅପା ପାଇଁ ଭଲ ପ୍ରସ୍ତାବ ମିଳିଲା ତ ବାହା କରିଦେଲି କିନ୍ତୁ ବଡ଼ଘରେ ବାହା ଦେଇଦେଲେ କଣ ହେବ ଦାଣ୍ଡ ସୁନ୍ଦର ତ ରଖିବାକୁ ହେବ ନା. ତୁ ତେଣୁ ବଡ଼ କଲେଜରେ ପଢିବା ସ୍ବପ୍ନ ମନରୁ କାଢିଦେ. ହସିଦେଲା ରୁବିନା କହିଲା ଆଜିଯାଏଁ ଆମେ ଦୁଇଭଉଣୀ ଯେମିତି ଘରୁ ଶାଗ ପାଖାଳ ଖାଇ, ସାଇକେଲ ନେଇ ସ୍କୁଲ ଯାଉ ମୁଁ ସେମିତି ଆମ ଗାଁରେ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପଢ଼ିବି ବାପା ତୁମେ ବ୍ୟସ୍ତ ହୁଅନି.ସାନଝିଅ ରୁବିନା ଏବର୍ଷ ମାଟ୍ରିକରେ ଦଶ ଜଣଙ୍କ ଭିତରେ ରହିଥିଲେ ମଧ୍ୟ ବଡ଼ଭଉଣୀ ପାଇଁ ଗାଁରେ ଗଢିଉଠିଥିବା ବିଶ୍ୱବିଦ୍ୟାଳୟରେ ପଢିବ କହୁଛି ଶୁଣି ସୋମନାଥବାବୁ ଯେତିକି ଆଶ୍ଵସ୍ତ ସେତିକି ବିବ୍ରତ. ଆଶ୍ଵସ୍ତ ଏଇଥିପାଇଁ କି ବଡ଼ଝିଅର ବାହାଘର ପରେ ତାଙ୍କ ଜି. ପି. ଏଫ ଖୋଳ ହୋଇଯାଇଛି ସେଥିରେପୁଣି ଆଉ ଗୋଟେ ବର୍ଷ ପରେ ତାଙ୍କୁ ଅବସର ନେବାକୁ ହେବ. ସାନଝିଅର ପଢ଼ାପଢି ସହିତ ତାର ମଧ୍ୟ ବାହାଘର ହେବାକୁ ଅଛି ତ ଘରୁ ଖାଇ ପିଇ ଘର ପାଖରେ ପଢିବା ତାଙ୍କ ପାଇଁ ନିଶ୍ଚୟ ସୌଭାଗ୍ୟର କଥା କିନ୍ତୁ ଝିଅଟା ଭଲ ନମ୍ବର ରଖି ମିଡ଼ିଆ ଆଗରେ କହିଥିଲା ଡାକ୍ତର ହେବାର ଇଛା ଅଛି. ତା ସ୍ବପ୍ନକୁ ମାରିଦେଇ ସୋମନାଥବାବୁ କଷ୍ଟ ପାଇ ଭାବୁଥିଲେ ଅନ୍ତତଃ ବଡ଼ କଲେଜରେ ପଢିବା ସହ ବଡ଼ସହରରେ ରହିଥିଲେ ଆଖି ଫିଟିଥାଆନ୍ତା ଝିଅଟାର. ତା ଜ୍ଞାନର ପରିସୀମା ସଙ୍ଗେ ଉପଯୁକ୍ତ କ୍ଷେତ୍ରଫଳ ଯୋଗେଇବାକୁ ହାରିଯାଉଥିଲା ବେଳେ ବାପା ସୋମନାଥ ଚିନ୍ତା କରୁଥିଲେ ସ୍ନାନ ପୂର୍ଣ୍ଣମୀ ବୋଝ ଯିବ ବଡ଼ ଝିଅ ଘରକୁ. ଦରମା ଗଣ୍ଡାକରେ ଏତେସବୁ ଜିନିଷର କିଣାବିକା ସାଙ୍ଗକୁ ସାନଝିଅର ନାମ ଲେଖା ଅଛି. ଏସବୁ ଚିନ୍ତାକରି ସୋଫାରେ ଆଉଜି ପଡ଼ିଥିବା ବେଳେ ସ୍ତ୍ରୀ ମୋନିକା ବଢ଼ାଇ ଦେଲେ ଗରମ ଗରମ ଧୂଆଁ ଉଠୁଥିବା ଚା କପଟି. କେମିତି ଏତେସବୁ ମନ ଜାଣନ୍ତି କେଜାଣି ଏ ସ୍ତ୍ରୀ ଲୋକ ମାନେ?ମୁଣ୍ଡ ବିନ୍ଧୁଥିବାରୁ ଚା ଟିକେ ଦରକାର ବୋଲି କହିବା ପୂର୍ବରୁ ମିଳିଯାଉଛି ଖାଲି ଆଜି ନୁହେଁ ବରଂ ବିବାହ ପରଠାରୁ.କେବେ ସ୍ୱାମୀ ବୋଲି ମନ ଜାଣି କି ବୁଝି କିଛି ଦେଇନଥିବା ସ୍ତ୍ରୀ କିନ୍ତୁ ତାଙ୍କ ମନଜାଣି ବୁଝି କାମ କରିଆସିଛନ୍ତି. ପାଖରେ ବସିପଡିଲେ ସ୍ତ୍ରୀ ମୋନିକା. ହାତକୁ ବଢ଼େଇ ଦେଲେ ସରାଗାତଟିଏ କହିଲେ ବାହାଘର ପରଠାରୁ ଯିଏ ଯେତେବେଳେ ଯାହା ଦେଇଛି ଏଇଥିରେ ସାଇତି ରଖିଛି. ଆକୁ ଭାଙ୍ଗି ବଡ଼ଝିଅର ପ୍ରଥମ ପୂର୍ଣ୍ଣମୀ ଭାର ଓ ସାନଝିଅର କଲେଜରେ ନାମ ଲେଖେଇବାକୁ ହୋଇଯିବ ନିଶ୍ଚୟ ଭାବୁଛି. ସାନଝିଅ କହୁଥିଲା ବାପା ଏଥର ପ୍ରଥମ ପୂର୍ଣ୍ଣମୀ ଭାର ନେଇ ଅପା ଘରକୁ ଯିବାର ସୁଯୋଗ ଯେମିତି ହେଲେ ମତେ ଦେବ. ନାହିଁ କରିପାରିଲେ ନାହିଁ ସୋମନାଥ. ପୁଣି ସାନ ଝିଅ କହୁଥିଲା ସେହିଦିନ ତୁମର ଓ ମାଆର ମଧ୍ୟ ବିବାହ ବାର୍ଷିକୀ. ଏଥର କିଛି ନହେଲେ ମାଆକୁ ସୂତାଶାଢ଼ୀ ଖଣ୍ଡେ କିଣିଦେଵ ବାପା. ହଉ ତୁ ବାହାରେ ତେବେ ବହୁତ କିଛି କିଣାକିଣି କରିବାକୁ ଅଛି କହୁଥିଲେ ସୋମନାଥବାବୁ.
ନିର୍ଦ୍ଦିଷ୍ଟ ଦିନ ସାନଝିଅ ରୁବିନା ସକାଳୁ ସକାଳୁ ରେଡ୍ଡୀ ହୋଇ ବାହାରି ପଡିବା ବେଳକୁ ବାପା ଜିନିଷ ପତ୍ର ପ୍ୟାକିଙ୍ଗ କରୁଥିଲେ ତ ମାଆ ମୋନିକା ଝିଅ ମୁଣ୍ଡରେ କଳାଟିପା ଦେଇ ହାତରେ ପିନ୍ଧେଇ ଦେଇଥିଲେ ପ୍ରଭୁ ଜଗନ୍ନାଥଙ୍କ ମନ୍ତୁରା ନାଲିଫିତା ଆଉ କହିଥିଲେ କେବେ ଏ ନାଲିଫିତା ବାହାର କରିବୁନି ହାତରୁ. ତୋ ରାଶି ସହିତ ଏ ନାଲି ରଙ୍ଗର ଜଗନ୍ନାଥଙ୍କ ମନ୍ତୁରା ଫିତାକୁ ବିପଦ ଆପଦରେ ମୁଣ୍ଡରେ ମାରିନେଇ ମୁଣ୍ଡିଆ ମାରିବୁ ଜଗନ୍ନାଥଙ୍କୁ ଦେଖିବୁ ନଜର ହଟିବା ସହ ରିଷ୍ଟ କଟିଯିବ. ବାପା ବସରେ ଚଢେଇ ଦେଇ କୋଉଠି ଓଲ୍ହେଇବାକୁ ହେବ, କାହା ପରେ କୋଉ ଛକ ପଡିବ, ସମୁଦାୟ କେତୋଟି ପ୍ୟାକେଟ ଅଛି ଇତ୍ୟାଦି କହୁ କହୁ ବସ ଛାଡିଦେଲା. ଅପାକୁ ଦେଖିବା ସ୍ୱପ୍ନରେ ବିଭୋର ରୁବିନା କଣ୍ଡକ୍ଟର ଡାକରେ ଓଲ୍ହେଇ ପଡି ପ୍ୟାକେଟଗୁଡିକ ଗଣୁ ଗଣୁ ଚାହିଁଲା ଏଣିକି ତେଣିକି. ଦିଶୁନଥିଲା ଭିଣୋଇଙ୍କ ଗାଡି କି ଦିଶୁନଥିଲେ ଭିଣୋଇ. ଅପାକୁ ଫୋନକରି ମୁଁ ପହଞ୍ଚି ଗଲିଣି କହି ଫୋନ ରଖୁ ରଖୁ ତା ଆଗରେ ଗାଡିରୁ ଓଲ୍ହେଇଲେ ଜଣେ ପୌଢ଼. ହାତରେ ବାନ୍ଧିଥିବା ନାଲି ଫିତା ଦେଖେଇଲେ ତ ଯନ୍ତ୍ରଚାଳିତ ପରି ରୁବିନା ମଧ୍ୟ ଦେଖେଇଲା ବୋଉ ପିନ୍ଧେଇଦେଇଥିବା ନାଲି ଫିତା ତ ବୟସ୍କ ପୁରୁଷ ଜଣଙ୍କ କହିଲେ ଏ ଲାଇରେ ତୁମେ ନୂଆ କି? ଏତେ ବଡ଼ ବଡ଼ ପ୍ୟାକେଟ କରିବା କଣ ଦରକାର ଥିଲା?ଓଃ ବୁଝିଗଲି ପୋଲିସ ଆଖିରୁ ଧୂଳି ଦେବାକୁ ଏହା ତୁମର ନୂଆ ପ୍ଲାନ ବୋଧେ. ଭଲ ଭଲ ତୁମ ଭଳି ୟଙ୍ଗ ଏନରଜେଟିକ ଝିଅ ଏ ଲାଇନରେ ରହିବା ଉଚିତ. ଲାଇନ, ବଡ଼ପ୍ୟାକେଟ ଏସବୁ କିଛି ବୁଝିପାରୁନଥିବା ବେଳେ ଭିଣୋଇଙ୍କ ସହ ଅପା ପହଞ୍ଚି କହୁଥିଲେ ଏ ରଙ୍ଗରୁଟରେ କାହିଁକି ଓଲ୍ହେଇଲୁ? ଏଠାରେ ବିପଦ ଥାଏ ନା. ବେବିନାକୁ ଦେଖି ଖୁସିରେ ସବୁ ଭୁଲିଯାଇଥିବା ରୁବିନା କହୁଥିଲା ବୋଉ ପରା ଏ ନାଲିଫିତା ବାନ୍ଧିଦେଇଛି ମୋ ହାତରେ କୋଉ ନଜର ମୋ ଉପରେ ପଡିବ ଆଉ? ଏତିକି କହୁ କହୁ ରୁବିନାର ସବୁ ମନେ ପଡିଗଲା ତ ସେ ସବୁ କହିଥିଲା ଅପାକୁ ତ ଅପା ଥରିଉଠିଲା. ଭିଣେଇ କହୁଥିଲେ ଏଠି ନିଶା ପ୍ୟାକେଟ କାରବାର ହୁଏ. ଯା ହେଉ ତୁ ଏଠିକାର ନକ୍ସା ଦେଇଥିଲୁ ବୋଲି ନହେଲେ କଣ ଯେ ହୋଇଥାନ୍ତା ଆଜି. ଡରିଗଲା ରୁବିନା. ଅପା ପାଖରେ ସେଇ କିଛିଦିନ ତାକୁ ସ୍ୱର୍ଗସୁଖ ମିଳିଥିଲା ବେଳେ ଫେରିବା ବେଳେ ତା ନିଜ ହାତରୁ ବୋଉ ଦେଇଥିବା ଜଗନ୍ନାଥଙ୍କ ମନ୍ତୁରା ନାଲିଫିତା ଅପା ବେବିନା ହାତରେ ବାନ୍ଧି ରୁବିନା ଫେରିଥିଲା ଗାଁକୁ. କହିଥିଲା ଆମ ଗାଁ ଖୁବ ଭଲ ଅପା. ମୋର ଆଉ କିଛି ଅସୁବିଧା ହେବନି ହେଲେ ଏ ବଡ଼ ସହରରେ ତୋଠି ନଜର ଲାଗିବା ସ୍ୱାଭାବିକ. ଦେଖିବୁ ହାତରେ ଏ ଫିତା ତୋର ସବୁ ରିଷ୍ଟ କାଟିଦେବ. ବିଚ୍ଛେଦ ଦୁଃଖ ଭିତରେ ଦୁଇ ଭଉଣୀ କାନ୍ଦୁ କାନ୍ଦୁ ହସିଦେଇଥିଲେ ଯେବେ ବେବିନା ଆଖିରୁ କଳା ନେଇ ଟିପା ଦେଉଥିଲା ରୁବିନା ମଥାରେ ।
