Satyabati Swain

Romance Tragedy

2.4  

Satyabati Swain

Romance Tragedy

ଆଖି ବହି

ଆଖି ବହି

7 mins
290


"ସେ" କହୁଥିଲା ସାର୍ ଲଙ୍ଗ୍ ଡ୍ରାଇଭିଂରେ ଯିବା।


ମୁଁ କହୁଥିଲି ହଁ।


ଯାଉଥିଲୁ ଅନେକ ଅନେକ ଦୂର୍।ସେ ମୋ ପାଖେ ବସି ଗପର ପେଡି ଖୋଳୁଥିଲା।ହସି ହସି ଗଡି ଯାଉଥିଲା।ବାଡେଇ ହୋଇ ଯାଉଥିଲା ବି ବାର୍ ବାର୍।


ମୋତେ ଟିକେ ଡ୍ରାଇଭିଂ ଶିକ୍ଷାଇ ଦିଅନ୍ତୁ କହି ମୋ ହାତ ଉପରେ ଷ୍ଟିୟରିଙ୍ଗ୍ ଆଡକୁ ଢଳି ପଡୁଥିଲା।


ମୋତେ ଖୁସି ଲାଗୁଥିଲା।


ସେ କହୁଥିଲା ସାର୍ ଛୁଟି ପରେ ମଲ୍ ଯିବା ସପିଙ୍ଗ୍ କରିବା।


ମୁଁ କହୁଥିଲି ହଁ।


ଯାଉଥିଲୁ ।ସେ କିଣୁଥିଲା ଅନେକ ଜିନିଷ।ନିଅଁଣ୍ଟ ହେଉଥିଲା ତାର ଟଙ୍କା ପେମେଣ୍ଟ କରିବାକୁ।ମୁଁ ଦେଇ ଦେଉଥିଲି।


ସେ କହୁଥିଲା ସାର୍ ଯିବା ଜନତା ମୈଦାନ,ଇଣ୍ଟରନ୍ୟାସନାଲ୍ ମେଳା ପଡିଛି।


ଯାଉଥିଲୁ,କିଛି ଫାଷ୍ଟ ଫୁଟ ଓ କୋଲଡ଼ ଡ୍ରିଙ୍କସ୍ ନେଉଥିଲୁ।


ଆଶ୍ଚର୍ଯ୍ୟ..ଆଦୌ ନ ଖାଉଥିବା ଗୁପ୍ଚୁପ ମୁଁ ତା କଥାରେ ଖାଉଥିଲି!


ମୋତେ ଆନନ୍ଦ ଦେଲା ତା ସହ ଉହୁ... ଆହା..ହୋଇ ଗୁପ୍ଚୁପ ଖାଇବା।


ସାର୍ !ଛୁଟିରେ ଯିବା କି ଉଟି??


ଦେଖିବା....


ନୋ ସାରରର୍ ......ଯିବା,ପ୍ଲିଜ଼।


ଏତେ ଦୂର୍ ଯିବାକୁ ହେଲେ,ଛୁଟି ନେବା ଦରକାର।ତୁମେ ଏବେ ଟ୍ରେନିଂରେ।ମୋତେ ଛୁଟି ମିଳି ଯାଇପାରେ ।କିନ୍ତୁ ତୁମକୁ ମିଳିବା ଅସମ୍ଭବ।ଏଇ ତିନି ମାସ ତୁମ ଟ୍ୟାଲେଣ୍ଟ୍ ଦେଖିବେ କମ୍ପାନୀ ବସ୍।ଯେତେ ଭଲ କରିବ ସେତେ ଶୀଘ୍ର ତୁମକୁ ଭଲ ପାହ୍ୟା ମିଳିବ।ଆଉ ଟିକେ ପରିଶ୍ରମ କଲେ ପ୍ରମୋସନ ଥୁଆ।ଫୋକ୍ସ କର ଏଥିରେ।ଇଆଡ ସିଆଡେ ମୁଣ୍ଡ ଘୁରାଅନି।


କିନ୍ତୁ ସାରରରର..


ନୋ କିନ୍ତୁ ଫିନ୍ତୁ।ଯେଉଁ ପାଇଁ ଏ କମ୍ପାନୀ ଜଏନ୍ କରିଛ,ସେଇଟି ଆଗ ହାସଲ କର।


ଦିନେ ଦିନେ ସେ ଅନୁରୋଧ କରେ ସାର୍ ଆଜି ମୋ ସ୍କୁଟିରେ ଘରକୁ ଯିବା।କାର୍ ଆପଣଙ୍କର ଏଇଠି ଥାଉ।କାଲି ଆସିଲା ବେଳକୁ ମୁଁ ଆପଣଙ୍କୁ ଲିଫ୍ଟରେ ନେଇ ଆସିବି।


ଆସ୍ତେ ଆସ୍ତେ ସେ ମୋତେ ଖୁବ୍ ଭଲ ଲାଗିଲା।ମୋର ନା ଗୁଡା ବି ତା ସାମ୍ନାରେ ହଁ ହୋଇ ଯାଉଥିଲେ।


ସେ 'ଲିପ୍ସା ଅଗସ୍ତି' ମୋ ଆସିଷ୍ଟାଣ୍ଡ।ସପ୍ତମ ବିସ୍ମୟ ଋତୁଟିଏ।


ଲିପ୍ସା ମୋ ଅଣ୍ଡରରେ କାମ କରି ଟ୍ରେନିଂ ନେଉଥିଲା ଜଣେ ଜୁନିଅର ପ୍ରୋଜେକ୍ଟ ପ୍ରୋଗ୍ରାମର ଭାବେ।ତିନି ମାସ ଟ୍ରେନିଂ ନେବା ପରେ ସେ ତା ସର୍ଭିସ ପକ୍କା କରିନେଲା।ତାର ଅତି ଖୋଲା କଥା ମୋତେ ଖୁବ୍ ଭଲ ଲାଗେ।ସେ କିଛି ନ ଭାବି ତା ହାଇୟର ଅଫିସର ସଙ୍ଗେ ଯେମିତି ବ୍ୟବହାର କରେ ମୋତେ ଭାବିଲେ ଲାଗେ କି ତା ସ୍କୃ ଟିକେ ଢିଲା।ନଚେତ ଏମିତି ନୂଆ ନୂଆ ଟ୍ରେନିଂ ପିରିୟଡ଼ରେ ରହି ଏପରି କଥା ବାର୍ତ୍ତା କରେ କିଏ?


ଆସ୍ତେ ଆସ୍ତେ ସେ ମୋ ଭିତରେ ସ୍ଥାନଟିଏ ମାଡିବସିଲା। ତାର ଭୁଲ୍ ଠିକ୍ ସବୁ କାମରେ ମୁଁ ନିରବ ସମ୍ମତି ଦେଲି।ଭାବିଲି ପିଲା ଲୋକ ଆସ୍ତେ ଆସ୍ତେ ସବୁ ଶିଖିଯିବ। ପିଲା ହେଲେ ବି ବହୁତ କିଛି ହେବାର,ଜାଗା କିଣି ନିଜ ପାଇଁ ଘର କରିବା,କାର୍ ଟିଏ କରି ଲଙ୍ଗ୍ ଡ୍ରାଇଭିଂ ରେ ଯିବ ପରି ଗୁଡିଏ ସ୍ବପ୍ନ ହାତ ମୁଠାରେ ରଖିଥିଲା ସେ।ଭଲ ଲାଗେ ତାର ଏତେ ଛୋଟ ଜୀବନରୁ ଏତେ ବଡ଼ ବଡ଼ ଆଶା।ପ୍ରାୟତଃ ସବୁ କାମରେ ମୁଁ ତାକୁ ସାହାଯ୍ୟ କରେ। ଦିନେ ମୋଠାରୁ ବୟସରେ ବଡ଼ ଆମ କଂପାନୀର ବସ୍ ସଙ୍ଗେ ସେ ହେଁ ହେଁ ଫେଁ ଫେଁ ହେବାର ଦେଖି ମୋତେ କାଇଁ ଭଲ ଲାଗିଲା ନାହିଁ।ସେ ମୋରି ଆଗରେ ତାଙ୍କୁ ହାପି ଭାକେଣ୍ଟାଇନ ଡେ ସାର୍ କହି ପାଖକୁ ଲାଗିଗଲା।


ମୋ ଦେହରେ ନିଆଁ ଲାଗିଗଲା ଯେପରି।ମୋ ପାଖକୁ ଆସି ବି ସେଇ ଏକା କଥା କହି ହାଲକା ଆଲିଙ୍ଗନଟିଏ କଲା।ମୋତେ ଖୁ ଚିଡି ମାଇଲା।ଏ କଣ?ମୁଁ ରଡି ଛାଡି କହିଲି।


ସେ ହସି ହସି କହିଲା ମଫୁ କି ଆପଣ?ଆଜି ଭାଲେଣ୍ଟାଇନ ଡେ ସମସ୍ତେ ସମସ୍ତଙ୍କୁ ୱଇସ୍ କରୁଛନ୍ତି।ଆପଣଙ୍କ ଦେହରେ ଯାଉନି।ଫୁଟ୍.. ମଘା... କେଉଁଠିକାର।


ତାପରେ ମୁଁ ତା ସଂଗେ କଥା ହେବା ବନ୍ଦ କରିଦେଲି।ବାଜେ ଝିଅଟା,ଫାଇଦା ପାଇଁ କିଛି ବି କରି ପାରେ।ମୋ ପାଖେ ଟ୍ରେନିଂ ନେଉଥିଲା ;ଏଣୁ ମୋ ସହ ସମ୍ପର୍କ ରଖିଥିଲା।ଏବେ ବସ୍ ଙ୍କ ଅଣ୍ଡରରେ ଚାକିରୀ କରୁଛି;ତେଣୁ ତାଙ୍କ ସଂଗେ ଭଲ।ବସ୍ ସଂଗେ ଗପିଲା ବେଳେ ମୋର କଣ ହୋଇଯାଏ।ମୁଁ ସେ ଦୃଶ୍ୟ ନ ଦେଖିବା ପାଇଁ ଉଠି ପଳାଏ ମୋ କ୍ୟାବିନରୁ।


ତାର କିନ୍ତୁ ହୋଲ ନାହିଁ କି ଢୋଲ।ସେ ମୋ ପାଖକୁ ଆସେ,ଗପେ,ହସେ ଓ ଚାଲିଯାଏ।ମୋତେ ଆଗ ପରି ବି ମେଳା ,କେଫ୍ ,ମଲ କି ହୋଟେଲ ବି ଡାକେ ବସ୍ ଙ୍କ ସାଙ୍ଗେ ଗଲା ବେଳେ।ମୁଁ କାମ ବାହାନା କରି ଯାଏନି ସେ ଭାରି ମୁହଁ କରି ଅଭିମାନରେ କୁହେ ହେଉ ସାର୍ କହି ଚାଲିଯାଏ।ବହୁତ କଷ୍ଟ ଦିଏ କିନ୍ତୁ ତାର ଅନୁପସ୍ଥିତ ମୋତେ।


କାର୍ ଡ୍ରାଇଭିଂ କରିବା ଲିପ୍ସାର ପ୍ରଥମ ଲକ୍ଷ୍ୟ ଥିଲା।ଏଣୁ ଚାକିରୀ କରିବାର ତିନି ମାସ ଭିତରର ସେ କାର୍ ଟିଏ ଡାଉନ ପେମେଂଟରେ କିଣି ସାରିଥିଲା।ମୋତେ ହିଁ ତାକୁ ଡ୍ରାଇଭିଂ ଶିଖାଇବାକୁ ପଡିଲା ଅନିଚ୍ଛା ସତ୍ତ୍ୱେ।ଯେତେବେଳେ ମୁଁ ତାକୁ ଗାଡି ଶିଖାଇଲି ତା ଦେହର୍ ବାସ୍ନା ମୁଁ ଆଖି ବୁଜି ଆଘ୍ରାଣ କରିନିଏ।ତା ପ୍ରତି ମୋର ଗୋଟେ ନିଆରା ଆସକ୍ତି ଥିଲା।ଏଇ ଆସକ୍ତିଟି କେତେବେଳେ ଭଲ ପାଇବା ମଞ୍ଜିଟିଏ ମୋ ଭିତରେ ପୋତି ଦେଇଥିଲା ଜଣା ପଡିଲାନି।ମୁଁ ତାକୁ ମନେ ମନେ ଖୁବ୍ ଭଲ ପାଉଥିଲି।ତାକୁ ନେଇ ନିଃଶବ୍ଦେ ମୋ ଭିତରେ ଯୁଦ୍ଧ ବି ଚାଲୁଥିଲା।


ସେଇଥିପାଇଁ ବୋଧେ ସେ ଅନ୍ୟ କାହା ସାଙ୍ଗରେ ମିଶିଲେ,ହସିଲେ,କଫି ପିଇଲେ,ପାର୍କ ଗଲେ ମୁ ଈର୍ଷ୍ୟାନ୍ବିତ ହୋଇଯାଉଥିଲି।କିନ୍ତୁ କହି ପାରୁ ନ ଥିଲି ମୁଁ ତାକୁ ଭଲ ପାଏ। କାରଣ ମୁଁ ବିବାହିତ।ମୋର ଦୁଇ ବର୍ଷର ପୁଅଟିଏ। ଲିପ୍ସା ମୋ ଠାରୁ ଅନେକ ସାନ।ତାକୁ ସତେଇଶ ହେଲା ବେଳକୁ ମୋତେ ପଇଁ ତିରିଶି।ପ୍ରଥମେ ମୁଁ ତାକୁ ମୋ ସାନ ଭଉଣୀ ଦୃଷ୍ଟିରେ ଦେଖୁଥିଲି।କିନ୍ତୁ ସତଚାଳିଶି ବର୍ଷ ବସ୍ ଙ୍କୁ ସେ ଯେଉଁଦିନ କିସ୍ ଟିଏ ଦେଲା ଦେଖିଲି ;ସେଇ ଦିନଠାରୁ ମୋ ଭିତରେ କିଏ ଯେମିତି କହିଲା "ମୁଁ କାହିଁକି ନୁହେଁ"।ଏଣୁ ମନ ଭିତରେ ତା ପ୍ରତି ମୋର ଦୁର୍ବଳତା ଆସିଗଲା। ଏତେ ମୋ ସହ ସେ ମିଶେ, ଅନେକ ଜାଗା ଯାଉ,ବୁଲୁ,ଖାଉ,ପିଉ,ସପିଙ୍ଗ୍ କରୁ;କେବେ କୌଣସି ଦିନ ସେ ତା ସୀମା ଲଂଘେନି ମୋ ପାଖେ।ମୋତେ ଶ୍ରଦ୍ଧା ସହ ସମ୍ମାନ କରେ।ଏଣୁ ମୁଁ ସୀମା ଭିତରେ ରହିବାକୁ ବାଧ୍ୟ ହୁଏ। ତାକୁ ଆମ ଘରକୁ ନିଏ।ମୋ ମିସେସ୍ ଓ ମୋ ପୁଅ ଋଷି ତାକୁ ବହୁତ ଭଲ ପାଆନ୍ତି।ମୋ ମା ତ ତାକୁ ଝିଅ ଝିଅ କହି ପାଣି ପିଏନି।ଆମର କୌଣସି ଭଲ ମନ୍ଦ ହେଲେ ସେ ଘରକୁ ଆସିବ ନିଶ୍ଚିନ୍ତ।ମୋର ବି ଇଚ୍ଛା ସେ ଆମ ଘରକୁ ଆସୁ। ଏଇଟି ଗୋଟେ ପ୍ରକାର ଭଲ ପାଇବା ମୋର।ମୁଁ ତାକୁ ଦେଖିଲେ,ତାର ଉପସ୍ଥିତ ମୋତେ ବେଜାଏ ଖୁସି ଦିଅନ୍ତି।ଭଲ ପାଇବା ତ କେବଳ ଦେହକୁ ନେଇ ହୁଏନି ନା।ମୋ ଭଲ ପାଇବା ସେମିତି ହୋଇ ପାରେ ଦେହାତୀତ।


ଲିପ୍ସା କିନ୍ତୁ ବେଳେବେଳେ କୁହେ ସାର୍ ମୁଁ ଯଦି ପାଞ୍ଚ ବର୍ଷ ତଳୁ ଆପଣଙ୍କ ଜୀବନରେ ଆସିଥାନ୍ତି ଆପଣ ମୋତେ ଭଲ ପାଇଁ ଥାଆନ୍ତେ?


ମୁଁ ବିସ୍ମୟ ହୋଇ ଅନାଏ କ୍ଷଣେ ତା ମୁହଁକୁ। ହସି ଦେଇ କୁହେ କଣ ଲିପ୍ସା ଏବେ ବି ତ ମୁଁ ଭଲ ତୁମକୁ ପାଏ।


ସେ ବ୍ୟସ୍ତ ହୋଇ ପଡି କୁହେ ଓଃ ସାର୍ ମୁଁ ଏ ଭଲ ପାଇବା କଥା କହୁନି ମ..


ଭଲ ପାଇବା ତ ଭଲ ପାଇବା।ସେଥିରେ ଏ ସେ କଣ?


ଭଲ ପାଇବା ହୃଦୟରୁ ହୁଏ ହୃଦୟ ଯାଏ।ଏହା ଏକ ଅନୁଭବ।ଆଖି ବୁଜି ଭଲ ପାଇବାକୁ ପିଇ ହୁଏ।ଖୁବ୍ ଗୋଟେ ଉତ୍ତାଳ ଭାଵ ଛୁଏଁ ମନ,ଶରୀର।ହଁ ଏଇଟି ସତ ଭଲ ପାଇବା ସଂଜ୍ଞା ସ୍ୱରୂପ ନିଶ୍ଚିନ୍ତ ଭିନ୍ନ ଭିନ୍ନ ସ୍ଥାନ,କାଳ ପାତ୍ର ହିସାବରେ।


ସେ ତା ଆଖି ନଚାଇ କୁହେ ଆପଣ ହେବେନି ସାର୍।


ମୁଁ ଭିତରେ ସମ୍ପୂର୍ଣ୍ଣ ତରଳି ଯାଇ ଉପରେ ଲୁହା ବୋଲି ଦେଖେଇ ହୁଏ।କାରଣ ମୋର ସ୍ତ୍ରୀ ଅଛି,ସଂସାର ଅଛି,ସେମାନଙ୍କ ସହ ବିଶ୍ବାସଘାତକତା କରି ପାରିବି କି?


କିନ୍ତୁ ମୋ ମନ!ତା ଉପରେ ମୋର ଆୟତ୍ତ ନାହିଁ।ତା ଇଚ୍ଛା ସେ ଯାହାକୁ ଭଲ ପାଇ ପାରେ।ଏଇ ଭଲ ପାଇବା ସତରେ ଗୋଟେ "ଅବୁଝା ବର୍ଣ୍ଣବୋଧ।"


ଏଥି ମଧ୍ୟରେ ମୋର ତିନି ମାସ ପ୍ରମୋସନ ପାଇବା ପାଇଁ ହାଇଦ୍ରାବାଦ ଯିବାକୁ ପଡିଲା।ଗଲା ଦିନ ଲିପ୍ସା ମୋତେ କହିଲା ମୁଁ ଆପଣଙ୍କୁ ବହୁତ ମିସ୍ କରିବି ସାର୍।

ମୁଁ ଟିକେ ସ୍ମାଇଲ ଦେଲି।ମନ କିନ୍ତୁ କହୁଥିଲା ତୁମ ଅପେକ୍ଷା ମୁଁ ଅଧିକ ମିସ୍ କରିବି ତୁମକୁ ଲିପ୍ସା।କିନ୍ତୁ ଓଠ ବାହାରକୁ ଏ କଥା ଆସିଲେ ନାହିଁ ସାମାଜିକତା ଲକ୍ଷ୍ମଣ ଗାର ଡେଇଁ।


ତିନି ମାସ ଭିତରେ ଲିପ୍ସା ପ୍ରାୟତଃ ଫୋନ୍ କରି ମୋ କାମ,ସ୍ୱାସ୍ଥ୍ୟ ବିଶେଷରେ ପଚାରେ।ଆସ୍ତେ ଆସ୍ତେ ଏ ମୋହ ଠାରୁ ଦୁରେଇ ରହିବା ଉଚିତ ମନେ କରି ମୁଁ ସେତେ ପ୍ରଗଳ୍ଭ ହୋଇ ଗପେନି ତା ସହ।ତା ହଜାରେ କଥାର ଉତ୍ତର ହଁ ,ନା ରେ ଦିଏ।


ତିନି ମାସ ପରେ ବି ହାଇଦ୍ରାବାଦ କଂପାନୀରେ ମୋର ପୋଷ୍ଟିଂଗ ହେଲା।ଆଉ ଲିପ୍ସା ସହ ମୋର ଦେଖା ସାକ୍ଷାତ ହେବା ସେତେ ସମ୍ଭବ ହେଲା ନାହିଁ।ଈଶ୍ୱରଙ୍କୁ ଧନ୍ୟବାଦ ଦେଲି।ଅନ୍ତତଃ ମୁଁ ରକ୍ଷା ପାଇଗଲି।ନଚେତ ପୁରୁଷ ପୁଅର ମନ,ପୁଣି ଭଲ ଲାଗୁଥିବା ମଣିଷଟିକୁ ପାଖରେ ପାଇଁ ନିଜକୁ କେତେ ସଂଯତ କରି ହୋଇଥାନ୍ତା ପାଦ ଖସି ଯିବାକୁ?ସେଥିରେ ଯଦି ଅପର ପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବ ତୁମ ପାଖେ ସମର୍ପିତ ହୋଇ ଯିବାକୁ? ଓହୋ ବଂଚିଗଲି ଜାଣ।ମୋ ସ୍ତ୍ରୀ ପିଲାଙ୍କୁ ନେଇ ସେଇ ହାଇଦ୍ରାବାଦରେ ରହିଲି।ଏହା ଭିତରେ ଲିପ୍ସାର ଜଣେ ପୋଲିସ୍ ସହ ମ୍ୟାରେଜ ହୋଇ ସାରିଥିଲା।ମୁଁ ବି ଯାଇ ଥିଲି ତା ମ୍ୟାରେଜ ପାର୍ଟିକୁ।ଅବଶ୍ୟ ସେ ଏ ମ୍ୟାରେ ଜରେ ଖୁସି ଥିଲା ପରି ଲାଗୁ ନଥିଲା।ଶୁଖିଲା ହସ ହସୁ ଥିଲା ଯାହା।


ମୋତେ ଚୁପ୍ କି କହିଲା ଆପଣ ଏଇଆ ଚାହୁଁ ଥିଲେ ନା ସାର୍ ମୁଁ ମ୍ୟାରେଜ କରି ଯାଏଁ?


ମୁଁ ହସି ହସି କହିଲି ଝିଅଟିଏ ଜନ୍ମ ନେଇଛ ଯେତେ ବେଳେ ସବୁ ଝିଅ ପରି ପାଠ ପଢିଲ,ବଡ଼ ହେଲ, ଚାକିରୀ କଲ ,ବାହା ହୁଅନ୍ତ ନାହିଁ କି ?ଏଥିରେ କେଉଁ ନୂଆ କଥା ରହିଲା?


ଆପଣ ଖୁସି କି ମୋ ବିବାହରେ .. ସେ ପଚାରିଲା।


ମୁଁ ବେପାରୁଆ ଢଙ୍ଗରେ କହିଲି ହଁ।ମୋର ଜଣେ ସହକର୍ମୀ ମ୍ୟାରେଜ କରୁଛି ଖୁସି ହୁଅନ୍ତିନି କି?


ଆଉ ତୁମେ ଖୁସି ତ?ମୁଁ ପଚାରିଲି।


ଆପଣ, ମୋ ଘର ଲୋକେ ,ସାଙ୍ଗ ସାଥୀ ସମସ୍ତେ ଯେତେବେଳେ ଖୁସି ମୁଁ ଖୁସି ନ ହୋଇ ଯିବି କୁଆଡେ ସାର୍।ବହୁତ ଖୁସି ମୁଁ ଲିପ୍ସା ଉଦାସ ଗଳାରେ କହିଲା।


ଯା ହେଉ ଗଲା ଗୋଟେ ଝାମେଲା।ନଲେ ମରିଥିଲି ମୁଁ।


ତାପରେ ଅଳ୍ପ ବହୁତ କଣ୍ଟାକ୍ଟରେ ମୁଁ ଲିପ୍ସାର ଥାଏ।ବିବାହ ଦୁଇ ବର୍ଷ ପରେ ଝିଅଟିଏ ହେଲା ତାର ଜଣାଇଁଲା ସେ।ସମସ୍ତେ ନିଜ ନିଜ ପରିବାର,ଜୀବନ ଜଞ୍ଜାଳ ମଧ୍ୟରେ ଆଗେଇଲୁ।


ସାତ ବର୍ଷ ପରେ ବାପାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଧରାଧରି କରି ସେଇ ପୁରୁଣା କମ୍ପାନୀକୁ ଫେରି ଆସିଲି।ସେତେବେଳେକୁ ଲିପ୍ସାର ମନାନ୍ତର ହୋଇ ଝିଅକୁ ଧରି ଏକା ରହୁଥାଏ।


ଏ କଥା ଜାଣିଲା ପରେ ଭାରି କଷ୍ଟ ଲାଗିଲା।ଲିପ୍ସା ମିଷ୍ଟରଟି ଘୋଡା ମଦୁଆ,ପ୍ରତି ରାତିରେ ନୂଆ ଦେହଟିଏ ଆବଶ୍ୟକ ରଖୁଥିବା ପୁରୁଷଟିଏ।ଯାହାକୁ ସହିବା ଲିପ୍ସାର ଅସମ୍ଭବ ଥିଲା।ଅତଏବ ମନ ଫଟା ଫଟିପାଟି ତୁଣ୍ଡ ,ବାଡ଼ିଆ ବାଡ଼ି ଯାଏ ବି କଥା ଯିବାରୁ ଲିପ୍ସା ଝିଅକୁ ଧରି ଏକା ରହୁଛି।ଡିଭୋର୍ସ ନେବ ବୋଲି ଚିନ୍ତା ବି କରିଛି।


ମୋତେ ଦେଖି ଲିପ୍ସା ଭୋ ଭୋ କାନ୍ଦି ପକାଇଲା ମୋ ଛାତିରେ ମୁଣ୍ଡ ଗୁଞ୍ଜି।କହିଲା ଆପଣଙ୍କୁ ଖୋଜିଛି ବହୁତ ସାର୍।ଆପଣଙ୍କ ପରାମର୍ଶ,ଆପଣଙ୍କ ଗାଇଡାନ୍ସ ସବୁ କିଛି।ଆପଣ ଆସିଲେ ଭଲ ହେଲା।କେହି ତ ଜଣେ ମୋର ଆପଣାର ରହିବେ ଏଡ଼େ ବଡ଼ ସହର ଟାରେ।


କେଜାଣି ଭଲ ଲାଗିଲା ନାହିଁ ଲିପ୍ସା ପରି ସୁନ୍ଦର,ସ୍ମାର୍ଟ, ଉଚ୍ଚାଭିଲାଷୀ ଝିଅଟିର ଏପରି ଦୁର୍ଦ୍ଦଶା ଦେଖି।ମୋ ଘରେ ବାପା ଅତିଶୟ।ଅଫିସ୍ ରେ ଲିପ୍ସାର ଉଦାସ ଚେହେରା।ସବୁ ଆଡ଼ର ଦୁଃଖ ମୋତେ ଦୁଇ ପଟୁ ଚିପି ଦେଉଥିଲେ।କଣ କଲେ ଲିପ୍ସା ଜୀବନ ସୁଧୁରି ଯିବ,ଭାବି ଭାବି କୁଳ କିନାରା ପାଉ ନଥିଲି।ଭଲ ଲାଗୁଥିବା ଲୋକର ମନ ଉଣା ଚେହେରା ଅସହ୍ୟ ହୁଏ ପ୍ରତି ମଣିଷକୁ।


ବାପାଙ୍କ ଦେହ ଅଣାୟତ ହେଉଥିଲା।ସେ ଆ ଇ ସି ୟୁ ରେ ଭର୍ତ୍ତୀ ହେଲେ।ଆଠ ଦିନ ପରେ ବାପା ଆମକୁ ଛାଡି ଆର ପାରିକୁ ଚାଲିଗଲେ।ଦୁଃଖ ,ହତାଶ ଭିତରେ ମୁଁ ଅ ଣ ନିଃଶ୍ଵାସୀ ହୋଇଗଲି।ଲିପ୍ସା ଆସି ମୋ ବୋଉ ଓ ସ୍ତ୍ରୀକୁ ଜୀବନ ଦର୍ଶନ ବୁଝାଉଥିଲା।ବୋଉ କହିଲା ଝିଅ ଅନ୍ୟ କେଉଁଠି ଭଡ଼ା ନେଉଛ କାହିଁକି ଆମ ଘରେ ଆସି ରହି ଯା। କିନ୍ତୁ ଲିପ୍ସା ରାଜି ହୋଇ ନଥିଲା।ମୁଁ ବି ଟିକେ କୁନ୍ଥୁ କୁନ୍ଥୁ ହେଉଥିଲେ।ଦୁରରେ ଥାଉ ସେ ଠିକ୍ ଅଛି।ପାଖରେ ରହିଲେ ଅଶାନ୍ତି ସୃଷ୍ଟି ହେବ।ତଥାପି ଲିପ୍ସା ମନ ରଖିବା ପାଇଁ କହିଲି ଆମ ଘରେ ରହିଲେ ତୁମର କଣ ଅସୁବିଧା ହେବ କି?ରହି ଯାଉନ?ମୋ ପୁଅ ଓ ତୁମ ଝିଅ ସାଙ୍ଗ ହୋଇ ଖେଳିବେ।ମୋ ମିସେସ୍ ତୁମ ପରି ସାଙ୍ଗଟିଏ ପାଇଯିବି।ବୋଉ ବି ବାପା ବିନା ଏକୁଟିଆ ହୋଇ ଯାଇଛି।ତୁମ ସହ ସମୟ ବିତେଇ ବୁଝାଇ ନେବ ମନକୁ।


ସେ ରହସ୍ୟମୟ ହସଟିଏ ମୋତେ ଫିଙ୍ଗି କହିଲା।ଆପଣଙ୍କ ଘରେ ମୋର କିଛି ଅସୁବିଧା ହେବନି ସାର୍।କିନ୍ତୁ ବହୁତ ଅସୁବିଧା ଆପଣଙ୍କର ହେବ।ରହି ପାରିବେ ତ ମୋତେ ପାଖରେ ପାଇ ନିଜକୁ ଆୟତ୍ତ କରି।କିଏ କହିବ ପଶୁ ପ୍ରବୃତ୍ତୀ କେତେବେଳେ ଆପଣଙ୍କୁ ଗ୍ରାସ ନ କରିବ?କାରଣ ମୋର ନଦି ହେବା ଅଭ୍ୟାସ ଟା ଅଛି ନା।ବରଂ ଭଲ ଦୁରେ ରହି ସୁଖ ଦୁଃଖ ବାଣ୍ଟିବା,ଆବଶ୍ୟକ ବେଳେ ପାଖରେ ଠିଆ ହେବା।


ତା ମାନେ....ତୁମେ ....


ସବୁ ବୁଝିଛି ସାର୍।ମୁଁ ପଢ଼ିଛି ଆପଣଙ୍କ" ଆଖି ବହି"।"ଆପଣଙ୍କ ଆଖି ବହିର ପ୍ରତ୍ୟେକ ପୃଷ୍ଠା ମୁଁ ପଢ଼ିଛି ସାର୍ ସାର୍ ।ଏଥିରେ ଆପଣଙ୍କ ଦୋଷ ନାହିଁ।ମୁଁ ବାରବାର ଉପରେ ପଡିବାରୁ ଆପଣ ମୋ ପ୍ରତି ଦୁର୍ବଳ ହେବାକୁ ବାଧ୍ୟ ହୋଇ ଛନ୍ତି।ତଥାପି ସବୁ ସୁଯୋଗ ଦେଲେ ବି ଆପଣ ନିଜ ମର୍ଯ୍ୟାଦା କେବେ ଭୁଲି ନାହାନ୍ତି।


ଆପଣ ମୋତେ ଭଲ ଲାଗନ୍ତି,ଏଇ ଭାବଟି ମୋ ପାଇଁ ଯଥେଷ୍ଟ।ଆପଣଙ୍କ ପ୍ରତି ମୋର ଏବେ ଯଥେଷ୍ଟ ସମ୍ମାନ ବଢି ଯାଇଛି।


ଏଣୁ ମୁଁ ଆପଣଙ୍କ ଘରେ ରହିବା ଅସମ୍ଭବ ସାର୍।


ମୁଁ କାବା ହୋଇଗଲି ଲିପ୍ସାର ସତ୍ୟ ପାଠ ଶୁଣି। ଲିପ୍ସା ଯେ କୋଟି କରେ ଗୋଟିଏ ଝିଅ ମୋତେ ବୁଝିବାକୁ ବାକି ରହିଲା ନାହିଁ।ତା ମୁଣ୍ଡ ଉପରେ ହାତ ଥୋଇ କହିଲି ଖୁସି ରୁହ।ଏ ମର୍ଯଦା ପୁରୁଷ ଟି ତୁମ ସୁଖ ଦୁଃଖରେ ନିଜ ଆତ୍ମୀୟ ସଖା ସୋଦର ପରି ଠିଆ ହେବ ଲିପ୍ସା।



Rate this content
Log in

Similar oriya story from Romance