ଆହ୍ୱାନ
ଆହ୍ୱାନ
ଜୀବନଟା ଗୋଟେ ସମୁଦ୍ରହି ତ..
ତଟଦେଶରେ ସମୟର ବିସ୍ତିର୍ଣ ବାଲୁକାଶଯ୍ୟାର ଅନ୍ତହୀନ ଅନିଶ୍ଚିତତା ଭିତରେ ଆମେ ଆଗକୁ ଆଗକୁ ପାଦ କାଢି ଜି'ଚାଲିଛେ ...
କେତେବେଳେ କେଉଁ ମୁହୂର୍ତ୍ତରେ ଅଜାଣତରେ ଉତ୍ତାଳ ତରଙ୍ଗଟିଏ ଆମ ପାଦକୁ ଛୁଇଁଚାଲି ଗଲେ ତାରି ଅନୁଭୂତିର ସ୍ମୃତିଟିକକ ହି ଆମ ସାଙ୍ଗେ ରହିଯାଏ l
ଅଣନିଶ୍ୱାସୀ ହୋଇ ମାମୁଲି ମୁକ୍ତା, ମଣି, ମାଣିକ୍ୟ ଛାଡି ଯେଉଁଦିନ ତାକୁହିଁ ଆଶୀର୍ବାଦଭାବି ଆମେ ଗ୍ରହଣ କରିନେବା, ଜୀବନଟି ସତରେ ସାର୍ଥକ ହୋଇଯିବ l
ଆମେରିକାର ମାଇୟାମୀ ଉପକଣ୍ଠରେ ସ୍ୱଚ୍ଛ ଘନନୀଳ ବେଳାଭୂମି ଠାରେ ସାନ୍ଧ୍ୟ ଭ୍ରମଣ କରୁ କରୁ , ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ଜୀବନ ଦର୍ଶନରେ ଭରି ଉଠୁଥିଲା ଲିଲିଙ୍କ ଆତ୍ମା l ସେ ଭାବୁଥିଲେ , ସଫଳତାର ପରିମାପକ କଣ କେବଳ ଭୌତିକ ବାସ୍ତବତା?
ସ୍ପନ୍ଦନ ଏଇ କିଛିଦିନ ହେଲା କହୁଥିଲେ, ଭାରତର ନାଗରିକତ୍ତ୍ୱ ହରାଇ ଚିରଦିନ ଆମେରିକାର ନାଗରିକତ୍ତ୍ୱ ଗ୍ରହଣ କରିନେଇ ଏକ ସଫଳ ଏବଂ ଆରାମଦାୟକ ଜୀବନଶୈଳୀଟିଏନେଇ ଆଗକୁ ଜିଁବାପାଇଁ ହେବ l
ଏଥିପାଇଁ ଲିଲି ରାଜି ତ?
ଆଜିଯାଏ କେବେ ଏକଲା ନିଷ୍ପତ୍ତି ନେଇ ନାହାନ୍ତି ସ୍ପନ୍ଦନ l ସବୁବେଳେ ସ୍ତ୍ରୀଙ୍କ ନିଷ୍ପତ୍ତିକୁ ଶେଷନିଷ୍ପତ୍ତି ରୂପେ ଗ୍ରହଣ କରିନିଅନ୍ତି ସେ l ଏଥିପାଇଁ ଲିଲି ସ୍ୱାମୀ ସ୍ପନ୍ଦନଙ୍କନିକଟରେ ହୃଦୟରୁ କୃତଜ୍ଞ l ଉଭୟ ବୁଝିଚିନ୍ତି ଯାହା ଵି କରନ୍ତି, ପରିଣାମ ସବୁବେଳେ ଭଲ ହି ହୁଏ l
ଲିଲି କିଛି ସମୟ ମାଗିଥିଲେ ଏଥର l
ବାପାଙ୍କୁ ପଚାରିଲେ, ବାପା କହିଲେ,
- ଜ୍ୱାଇଁଙ୍କ କରିଅର କଥା l ତା' ପାରେ, ପିଲାମାନଙ୍କୁ ଭବିଷ୍ୟତରେ ଭଲ ଶିକ୍ଷା ଭଲ ପ୍ରଯୁକ୍ତି ବିଦ୍ୟା ଆଦି ମିଳିବ l ଠିକଅଛି l ତୁମେମାନେ ମୋ କଥା ଚିନ୍ତା କରନି l ମୋ କଥା ବୁଝିବାକୁ ଏଠି ସମସ୍ତେ ଅଛନ୍ତିନା, ବ୍ୟସ୍ତ କାହିଁକି ମା' ?
ରାତ୍ରି ଭୋଜନ ସମୟରେ ବାପାଙ୍କ କଥା କହିଲେ ଲିଲି l
ସ୍ପନ୍ଦନ ଵି ଷ୍ଟାଟିସ୍ଟିକ୍ସ ଦେଖାଇ କହିଲେ,
- ଶହେ ଚାଳିଶ କୋଟି ଲୋକଙ୍କ ଭିତରୁ ଛ 'କୋଟି ଲୋକ ମାତ୍ର ଟ୍ୟାକ୍ସ ଦେଉଛନ୍ତି l ସେଥିରେ ଦେଶରେ ଉନ୍ନତି କଣ ହେବ ଆବଶ୍ୟକତା କେମିତି ମେଣ୍ଟିବ? ପାଠପଢା ଏବଂ ଚାକିରୀ କ୍ଷେତ୍ରରେ ଯେଉଁଭଳି ପ୍ରତିଯୋଗିତା ହେଲାଣି, ଆମ ଶାଶ୍ୱତ ଆଉ ଶ୍ରାବଣୀ ଯାଇ କରିବେ କ'ଣ?
ଏଇ ଭିତରେ ଶାଶ୍ୱତର ବ୍ୟାଡ଼ମିଣ୍ଟନରେ ଷ୍ଟେଟ ଚମ୍ପିୟନଶିପ କଥା ଶୁଣି ଭଣଜା ଫୋନ କରି ଶୁଭେଚ୍ଛା ଜଣାଇଥାନ୍ତି l ମାମୁଁ ଭଣଜା କିଛି ସମୟ କଥାରେ ମଜ୍ଜି ଯାଇଥିଲେ l ପରେ ପରେ ଶାଶ୍ୱତ ତା ଭାଇ ସହ ଫୋନରେ କଥା ହେଲା l
ବାସନ ରଖାରଖି କରୁ କରୁ ସ୍ପନ୍ଦନ ଵି କିଛି ସାହାଯ୍ୟ କରୁଥାନ୍ତି ଲିଲିଙ୍କୁ l ଲିଲି ପଚାରିଲେ
- କଣ କହୁଛନ୍ତି ଆମ ଗେଲ୍ହା ଭଣଜା?
- କହୁଛି ମାମୁଁ, ଶାଶ୍ୱତ ସେଇଠି ଆମେରିକାରେ କୋଚିଙ୍ଗ ନେଉ l ଏଠିକି ଆସିଲେ ହଜିଯିବ l ଧାଡି ହି ଏତେ ଲମ୍ବା !!
ଫିକ କରି ହସିଦେଲେ ଲିଲି l
ଆଜିକାଲି ସାଙ୍ଗମାନେ ଫେସବୁକରୁ ଦେଖି କାହିଁ ଭାରି ମନେ ପକାଉଛନ୍ତି l ଭଲ ଲାଗେ l ଏଇ ସାଙ୍ଗହେବା ସେ ସ୍କୁଲରେ ଜାଣି ନଥିଲା, ଏକ ମେଧାବୀ ଛାତ୍ରୀ ହିସାବରେ ସବୁବେଳେ ଆଗ ଧାଡିରେ ବସି ବସି ସମସ୍ତଙ୍କୁ ଟପିବାର ଅଭିପ୍ରାୟରେ ନିଜ ପିଲାଦିନ ଚପଳତାକୁ ହଜାଇ ଦେଇଥିଲା କେଉଁ ପଛରେ l
ସାଙ୍ଗ ଫୋନକଲେ ଆଗେ ପଚାରନ୍ତିନି କେମିତି ଅଛୁ? ପ୍ରଥମେ କଉଠି ଅଛୁ? ସଫଳତା ବୋଧହୁଏ ଲୋକଙ୍କୁ ଆକର୍ଷିତ କରେ, କିନ୍ତୁ ତା ପଛର ଗୁପ୍ତ ବ୍ୟଥାକୁ, ଅନିଦ୍ରା ଆଉ ନିଃସଙ୍ଗତାକୁ ଜାଣି ପାରନ୍ତି ନାହିଁ କେହି କାରଣ ସେମାନେ ବୋଧହୁଏ ସାଧାରଣ ଜୀବନର ମିଠାପଣକୁ ଅସ୍ୱାଦନ କରି ଖୁସି ଥାନ୍ତି l
ମିତୁଲ କହୁଥିଲା,
- ଆରେ ଲିଲି, ତୁ ସ୍କୁଲରେ କଥା ହେଉଥିଲୁ କି ନାହିଁ ଆମେ ଜାଣିନୁ l ତୁ ତ ସବୁବେଳେ ଚୁପଚାପ, ପାଠପଢା ଆଉ ଘର l ତତେ ଚିଡେଇବା ପାଇଁ ମୁଁ ଆଉ ସ୍ୱାତୀ ପରା କେତେ ବଦମାସି କରୁ l ଦିନେ ଡିବେଟ କମ୍ପିଟିସନ ଥିଲା l ତୁ ମଞ୍ଚଉପରେ ଠିଆହୋଇ ନାରୀ ସଶକ୍ତିକରଣ ଉପରେ କହୁଥିଲୁ l ସ୍ୱାତୀ ତୋ ବ୍ୟାଗରେ ଗୋଡି, ପତର ଆଉ ଖଣ୍ଡିଆ ଚପଲ ପୁରେଇ ଦେଇଥିଲା, ଆଉ ମୁଁ ଫଟା ବଲ lନେଇ ଖେଳିଲୁ ଘରେ ? ଲିଲି କୃତ୍ରିମ ରାଗ ଦେଖାଇ କହିଲା,
- ତାହାଲେ ମିତୁଲ ତୁ ଏମିତି କରିଥିଲୁ? ବଦମାସ l ଜାଣିଛୁ , ମୁଁ ଘରେ ବ୍ୟାଗ ଫିଟାଇଲା ବେଳକୁ ଭାଇ ଦେଖି କହିଲା ,
- ତୁ ତ ଗୋଟେଇ ବାଲି, ନିଜେ କରି ଆଉ କିଏ କରିଥିବ କାହିଁ ମିଛ କହୁଛୁ କିଲୋ?
ବୋଉ ବ୍ୟାଗ ସଫା କଲାବେଳେ କେତେ ବିରକ୍ତ ହେଲା l ତୋତେ ତ ମୁଁ ଦେଖୁଛି ରହ l
- ଆସୁନୁ ଭୁବନେଶ୍ୱର ଆ... ମୋତେ ଦେଖେ l ତୁ କ'ଣ ଆଉ ଆସିବୁ ଯେ ଦେଖିବୁ? ହଉ ରହିଲି l
ଭିତରେ ଭିତରେ ମିତୁଲ କଥା କାହିଁ ଘାଣ୍ଟି ଚକଟି ପକାଉଥିଲା l ସେଦିନ ଫୋନ ରଖିଲା ପରେ କାହିଁ କେଜାଣି ଅଜାଣତରେ ଦି ଠୋପା ଲୁହ ଗଡିଆସିଲା ଆଖିରୁ l
ମାସେ ବିତିଗଲା, ଜଣା ପଡିଲାନି l
ତିନି ଥର ରିଙ୍ଗ ହେଲାପରେ ଫୋନ ଉଠେଇଲେ ବାପା l
-ବାପା, ତାହାଲେ ଆମେ ଏଠିକା ପାସପୋର୍ଟ ପାଇଁ ଆପ୍ଲାଏ କରି ଦେଉଛୁ? ପକ୍କା ତ? ତୁମେ ନିଜ ଯତ୍ନ ନେଉଥିବ l ବରାବର ଫୋନ କରି ତୁମ ବ୍ଲଡ଼ ପ୍ରେସର ଆଉ ଅନ୍ୟ ଟେଷ୍ଟ ରିପୋର୍ଟ ବିଷୟରେ ବିସ୍ତୃତ ବିବରଣୀ ଦେଉଥିବ
- ତୁ ଚିନ୍ତା କରନି ମା ' l ମୁଁ ନିଜ ଧ୍ୟାନ ନେଉଛି l ଏଇତ କାଲି ଭାଇ ନେଇ ଡାକ୍ତର ଦେଖେଇ ଚେକଅପ କରେଇଛି
- କାହିଁ ଦେଖାଅ ?
ପଛକୁ ବୁଲି ଚାହିଁଲେ ବାପା.... ଆରେ ଏ କଣ , ଜ୍ୱାଇଁ, ପିଲାମାନେ ସମସ୍ତେ ଏଠି ?
ହଁ, ଆଉ ଚିନ୍ତା କରନ୍ତୁ ନାହିଁ ବାପା, ଆମେମାନେ ଭାରତ ଅସିଗଲୁ ହଜି ଯିବାପାଇଁ ଆମ ମା ' ବାପା, ଘରଲୋକ, ସାଙ୍ଗ ସାଥି ଆଉ ଆନ୍ତରିକତା ଭିତରେ l
ବାପା ଦିଶୁଥିଲେ ଏକ ବରଗଛ ପରି ଯାହାର ଚେର ଆମ ଭିତରେ ଖୁବ ଦୃଢ଼ଭାବେ ଜଡିତ ଥିଲା l ତାଙ୍କ ଆଶୀର୍ବାଦର ସ୍ପର୍ଶ ଯେମିତି ମହାଦେବଙ୍କ କରୁଣା ମୁଦ୍ରାରେ ଉଠିଥିବା ହସ୍ତ ଆଉ ତାଙ୍କ ହସରେ ଯେମିତି ବରଫାବୃତ୍ତ ହିମାଳୟର ଶୀତଳ ସନ୍ତୋଷ l
ସ୍ପନ୍ଦନ ବାପାଙ୍କ ଚଷମାରେ ଦେଖିଲେ ଲୁହ କେଇ ବୁନ୍ଦା l ତାକୁ ଆଣି ପୋଛିଦେଲେ ନିଜ ଟି ଶର୍ଟ ରେ ଯେଉଁଥିରେ ଥିଲା 100% କଟନ ମେଡ ଇନ ଆମେରିକା ଆଉ ସ୍ନେହର ତନ୍ତୁ l
ଲିଲିଙ୍କୁ ଭାରତ ଫେରି ଆସିଥିବାର ଜାଣି ସ୍କୁଲ ସାଙ୍ଗମାନେ ଏକ ମଲକୁ ଡାକିଥାନ୍ତି l ଏଥର ଗେଟ ଟୁଗେଦର ବେଳେ ସାଙ୍ଗ ମାନଙ୍କ ଭିତରେ ବିଲ ପେ କରିବା ପାଇଁ ପ୍ରବଳ ଉତ୍ସାହ l କିନ୍ତୁ କଥା ବାର୍ତ୍ତା ସରିଲା ପରେ ସାଇଜ୍ୟୋତି କହୁଥାଏ ,
- ଫରେନ ବାଲିକୁ ଏଥର ସୁଯୋଗ ଦିଅ l ମୋଟା ଅଙ୍କର ବିଦେଶୀ ମୁଦ୍ରା ତାଙ୍କ ମୁଣିରେ l ହେଇଲୋ ମୋ ଡ୍ରାଇଭର ଆସିଲାଣି l କିଏ କିଏ ଯିବ ମୋ ଆଡେ ପଳେଇ ଆସ l
ମିତୁଲ କହୁଥିଲା
- ଯାଉନୁ, ଆମ ହ୍ୟାନ୍ସମ ଭାଇଙ୍କୁ ଡ୍ରାଇଭର କରିଦେଲୁ ? ଆମ ଭାଗରେ ପଡ଼ିଥିଲେ ଠାକୁର ଜାଗାରେ ରଖି ପୂଜିଥାନ୍ତୁ l
ହସରେ ଫାଟି ପଡୁଥିଲା ମଲର କ୍ୟାଫେଟେରିଆ ଆଉ ବିଲର ପରିମାଣ ଦେଖି ଡରିଯାଇ ଚାକିରୀ କରିବାକୁ ହେବ ବୋଲି ଭାବୁଥିଲା ଲିଲି l
ଏଇ ସାମାଜିକ ସ୍ଥିତିର କଠୋର ବାସ୍ତବତା ଏବଂ ଭାବ ପ୍ରବଣତାର ମିଠା ଅବାସ୍ତବତା ଉଭୟ ଦୁନିଆକୁ ନେଇ ତ ଆମ ସଂସାର!
