Rabinarayan Senapati

Drama Others

4.6  

Rabinarayan Senapati

Drama Others

ଆଦିଗନ୍ତ ଅନ୍ଧକାର

ଆଦିଗନ୍ତ ଅନ୍ଧକାର

17 mins
429



(ଏହା ଏକ ରାଜନୈତିକ ଗଳ୍ପ। ଚୁଡାମଣି, ବିକ୍ରମ ଓ ଅବିନାଶ, ଏ ତିନି ସାଥୀ ଭିନ୍ନ ଭିନ୍ନ ପରିସ୍ଥିତିର ପ୍ରତୀକ। ଲେଖକ ପ୍ରଥମ ପୁରୁଷ ବିକ୍ରମ ଭାବେ ଲେଖିଥିଲେ ମଧ୍ୟ, ସେ ବିକ୍ରମ କିମ୍ବା ଚୁଡାମଣି କିମ୍ବା ଅବିନାଶ ନୁହେଁ, ସେ ଲେଖକ ମାତ୍ର। ଗଳ୍ପଟି ସମାଲୋଚନାର ଅପେକ୍ଷା କରେ ଓ ସେପାଇଁ ଲେଖକ ବିବ୍ରତ ନୁହେଁ କାରଣ ସେ ଜାଣେ ଏ ସମାଜରେ ଏ ତିନି ଚରିତ୍ର ଭରପୁର ରହିଛନ୍ତି, ଏଣୁ ଗପଟି ଅବାନ୍ତର ନୁହେଁ।)


ଚୁଡାମଣି ଆମ ଶ୍ରେଣୀ ସାଥୀ। ସେ ଟିକେ ଅଲଗା ପ୍ରକାରର, କେହି କେହି କହନ୍ତି ଆଡ ବାଇଆ। ତା ସହ ଦେଖାହେଲା ଅନେକ ବର୍ଷ ପରେ, ପଥ ପ୍ରଶସ୍ତିକରଣ ଦାଢରୁ ବଞ୍ଚି ଯାଇଥିବା ଏକ ବରଗଛମୂଳେ। 


- ଆରେ ଚୁଡା, ଚିହ୍ନି ପାରୁଛୁ, କହିଲୁ ଦେଖି ମୁଁ କିଏ?

- ତୁ ମତେ ଚିହ୍ନିଲୁ, ମୁଁ ତୋତେ ଚିହ୍ନିପାରିବି ନାହିଁ ବିକ୍ରମ?

- ଆଉ, କେମିତି କଣ ଚାଲିଛି? କେଉଁଠି ଚାକିରି?

- ଚାକିରି ଆଉ ନାହିଁରେ। ଛାଡି ଦେଲି।

- ଛାଡିଦେଲୁ? କରୁଛୁ କଣ? 

- ରାଜନୀତି। 

- କେଉଁ ଦଳରୁ?

- ଦଳବିହୀନ।

- ସେଇଟା କେମିତି?

- ଏଇ ଯେମିତି ଆନ୍ନା ହଜାରେ। ଦଳୀୟ ରାଜନୀତି ନାହିଁ କିନ୍ତୁ ସରକାର ବଦଳାଇଦେଲେ।

- କିନ୍ତୁ ତୋ ସଂସାର କେମିତି ଚଳୁଛି? 

- ସଂସାର? ବାପା ମାଆ ଆରପାରିରେ। ମୋ ପାଖରେ ରହୁଥିବା ଭଣଜାଟି ଏବେ ନିଜଗୋଡରେ ଠିଆ ହେଲାଣି। ପେନସନ ବି ମିଳୁଛି। ଆଉ ତୋ ଖବର?

- ଖବର ଆଉ କଣ? କରୋନା ମାଡରେ ଚେପା ହୋଇଯାଇଛୁ, କାମ କାମ ଓ କାମ। ପୁଣି ଓମିକ୍ରନ ଧମକାଇଲାଣି। ତୁ ଚାକିରି ଛାଡିନୁ ଯେ ନିସ୍ତାର ପାଇଯାଇଛୁ।


ସେ ଯେମିତି ଏହି କଥା ପଦକୁ ଅପେକ୍ଷା କରିଥିଲା ତା କଲେଜ ବେଳର ଲଢୁଆ ସ୍ଥିତିକୁ ଫେରିଯିବା ପାଇଁ।


- ତୋର ବା ମୋର ଅବା ଅନ୍ୟ କାହାର ଅସୁବିଧା ହେଲେ ଚିନ୍ତା କିଏ କରୁଛି? କେନ୍ଦ୍ର ନା ରାଜ୍ୟ ସରକାର? କରୋନା ତ ଦୁଇ ବର୍ଷ ହେଲା ହେଲାଣି। ଟଙ୍କା ବି ଉଡୁଛି। କେତେ କାମରେ ଓ କେତେ ଅକାମରେ ଯାଉଛି? କେତେ ଦୁନ୍ନୀତି ହେଉଛି? ଏ ଦେଶଟା ଆଗକୁ ଯିବାର ପ୍ରଶ୍ନ ଉଠୁନି। ସମସ୍ତଙ୍କ ଠାରୁ ନାନା ଉପାୟରେ ଆଦାୟ କରାଯାଉଛି କର ଓ ସେ ଅର୍ଥକୁ ଦୁନ୍ନୀତିଗ୍ରସ୍ତ ଲୋକମାନଙ୍କ ହାତରେ ଟେକିଦିଆଯାଉଛି, ଏଇଆ ତ ଚାଲିଛି।


ମୁଁ ଭାବିଲି, ଆଛା ତାହେଲେ ଏ ସେହି ଚୁଡାମଣି ଯେ କରୋନା ସମୟରେ ଅସହ୍ୟ ଯନ୍ତ୍ରଣାରେ ଶହ ଶହ ମାଇଲ ପାଦଚଲା ମଣିଷ ମାନଙ୍କୁ ନାନା ଉପାୟରେ ସାହାଯ୍ୟ କରୁଛି। ବହୁତ ସମୟରେ ଆମେ ବିଶ୍ବାସ କରିପାରୁନା ଯେ ତୁମ ଆମ ମଧ୍ୟରୁ ଲୋକଟିଏ ନିଆରା କାମ କରେ ବୋଲି। ମନେହୁଏ ଏ ଦେବଦୂତମାନେ ଭିନ୍ନ ଗ୍ରହର ମଣିଷ। 


ମୋତେ ଲାଗିଲା ଚୁଡା ଏବେ ଖୁବ୍ ଗପିବ। କେତେ କେତେ ପ୍ରକାର କଥା କହିବ। ଯେଉଁଥିପାଇଁ ସେ ଆଡବାଇଆ ଉପାଧି ପାଇଥିଲା।


 କଲେଜ ବେଳର କଥା।


ନାଁଟି ତାହାର ଚୁଡାମଣି, ପ୍ରାତଃ ଭୋଜନ ନିଏ ଚୁଡା କଦଳୀ, ସବୁଦିନ। ବଜାରକୁ ଯାଇ ବାଛି ବାଛି ଆଣେ ଜାଆଁଳା କଦଳୀ। ଦୁଇଟିକୁ ହିସାବ ହେବ ଏକ, ଶସ୍ତା ହୋଇଯିବ। କଦଳୀ ଦୋକାନୀ ଜାଣିଗଲେ ତାକୁ। ସେ ଗଲେ ଧରାଇ ଦିଅନ୍ତି ପୁଳାଏ ଯୋଡା କଦଳୀ। ପିଲାଏ ତାକୁ କହନ୍ତି, ଚୁଡା'ର ଖାଲି ଜାଆଁଳା ଛୁଆ ହେବେ। କିନ୍ତୁ ସେ ତାହେଲେ କୁଆଁରା ରହିଯାଇଛି! ନିର୍ଦ୍ଦିଷ୍ଟ ଝିଅସାଥୀଟିଏ ତାକୁ ବାହାହେବ ବୋଲି ଆମେ ଭାବୁଥିଲୁ କିନ୍ତୁ କ୍ରମେ ସେମାନେ ପରସ୍ପର ଦୂରେଇଗଲେ। ଚୁଡା ଗୋଠଛଡା, ବୋଧେ ଝିଅସାଙ୍ଗଟିର ଭରସା ତୁଟିଗଲା?


ଚୁଡା ଦ୍ବିପ୍ରହର ଭଳି ରାତିରେ ଭାତ ଖାଏ, ପରୀକ୍ଷା ସମୟରେ ମଧ୍ୟ। ସେ କହେ ରୁଟି ଖାଇବା ଦେଶଦ୍ରୋହ। କହିବ କଣ ନା; ଓଡ଼ିଶାର ଚାଷୀମାନେ କଣ ଗହମ ଫଳାଉଛନ୍ତି? ଆମକୁ ଶିଖାଇ ବୁଝାଇ ଶସ୍ତା ଦେଖେଇ ଗହମ ଖୋଉଛନ୍ତି ଅଥଚ ଆମ ଚାଷୀ ଧାନର ମୂଲ ପାଉନି। 


ତାକୁ ଯଦି କୁହାଯାଏ ଓଡ଼ିଶା ଗୋଟେ ଦେଶ କି, ଗହମ କଣ ବିଦେଶରୁ ଆସେ? ସେ ବୁଝାଇ ଦିଏ ଓଲଟା; ପଞ୍ଜାବ ହରିୟାଣା ଚାଷୀ ଏତେ ଧନୀ ଓଡିଶାରେ କାହିଁକି ଏତେ ଗରିବ? ସେ ଭାବେ, ଲୋକେ ରୁଟି ଖାଉଛନ୍ତି ବୋଲି। 


ଆମେ ସବୁ ଜାଣୁ, ତାଙ୍କର ଚାଷ ବହୁତ। ବୋଧହୁଏ ତାଙ୍କ ଧାନ ଚାଉଳ ବିକ୍ରି ଟିକ୍ରି ସମସ୍ୟା ସହ ସେ ଅତି ଜଡିତ।


ସେ ପୁଣି କହେ, ମଧୁବାବୁ ଯେବେ ଉତ୍କଳ ସମ୍ମିଳନୀର ନେତୃତ୍ୱ ନେଉଥିଲେ, ଯେବେ ଓଡ଼ିଆ ନବଜାଗରଣ କଥା କହୁଥିଲେ, ଜାତୀୟ ରାଜନୀତିକୁ ତ୍ୟାଗ କରି ରାଜ୍ୟର ସ୍ବାର୍ଥ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ କଥା କହୁଥିଲେ, ସେ କଣ ସଂକୀର୍ଣ୍ଣମନା ଥିଲେ। ବୁଝେଇ ସୁଝେଇ ଓଡିଆଙ୍କୁ ସମସ୍ତେ ଚିପିକି ରଖିବା ଯୋଜନାରେ, ଆଉ ଓଡ଼ିଆ ଡେଉଁଛି ବିଶ୍ବପ୍ରେମରେ, ତା ଦିଅଁ ଜଗତ ନାଥ।


ଏସବୁ ଆମକୁ ଭଲ ଲାଗୁନଥିଲା, ମନେ ହେଉଥିଲା ଚୁଡା ସତରେ ବଡ ସଂକୀର୍ଣ୍ଣମନା। କିନ୍ତୁ ସେହି ଚୁଡାର ଭିନ୍ନରୂପ ମଧ୍ୟ ଆମେ ଦେଖୁ। କଲେଜ ପିଲା ପ୍ରାୟତଃ ବିନାଟିକେଟରେ ରେଳଯାତ୍ରା କରୁଥିଲା ବେଳେ ସେ କିନ୍ତୁ ସେମିତି କରେନା କେବେ। ସମସ୍ତଙ୍କୁ ଠକ, ଚୋର ଓ ଦେଶଦ୍ରୋହୀ କହେ। ସେ କହେ, ଭାରତୀୟ ମାନେ ସଚ୍ଚୋଟ ଓ କର୍ମଠ ହେଲେ ଆଉ କିଛି କରିବା ଦରକାର ନାହିଁ; ଦେଶ ଛାଆଁକୁ ଉନ୍ନତ ହୋଇଯିବ। 


ବଦଖର୍ଚ୍ଚ କରୁଥିବା ସାଙ୍ଗ ମାନଙ୍କୁ ସେ ବିରକ୍ତ ହୁଏ। ସେ ଭାବେ ନିଜ ବାପାଙ୍କୁ ଠକୁଥିବା ଏ ପିଲାଏ ଭବିଷ୍ୟତରେ ସୁନାଗରିକ ହେବା ସମ୍ଭବ ହେବ କେମିତି?


ତା'ର ସେମିତି ବେଶୀ ସାଙ୍ଗ ନଥାନ୍ତି, ସେ ମେଳାପି ନୁହେଁ। ତାକୁ ଏକଥା କହିଲେ ସେ ଭୁରୁଡି ମାରେ। କହେ ଭାରୀ ସାଙ୍ଗମେଳ ଦେଖାଉଛ ପୁଣି ନିଜ ବହିପତ୍ର, ନୋଟବୁକ୍ ଲୁଚାଇ ରଖୁଛ କିଆଁ? ଭିତରେ ଭିତରେ ନିଜ ସ୍ବାର୍ଥ କଥା ଚିନ୍ତା କରୁଛ କାହିଁକି?


ଚୁଡା ନିଜେ ସେମିତି ନୁହେଁ, କଣଟିକେ ପଢିଲେ ଅବା ଜାଣିଲେ ଅନ୍ୟ ସାଙ୍ଗ ମାନଙ୍କୁ କହେ, ଯେଉଁ ତଥ୍ୟକୁ ସେ ଗୁରୁତ୍ୱପୂର୍ଣ୍ଣ ଭାବେ। ତା ଜ୍ଞାନ ଆଉ କାହା ଜ୍ଞାନର ପ୍ରତିଦ୍ବନ୍ଦୀ ବୋଲି ସେ ବିଚାରେ ନାହିଁ। 


ସେ କହେ; ଛାଡ ଛାଡ, ସାଙ୍ଗ ହୋଇ ସିଗ୍ରେଟ ପିଇବାକୁ, ସିନେମା ଯିବାକୁ ବହୁ ଜଣ ସାଙ୍ଗ ମିଳିବେ, କିନ୍ତୁ କଲେଜ ଛକରେ ମାଡ ଖାଉଥିଲେ କାହାରି ଦେଖା ମିଳିବ ନାହିଁ। 


ପ୍ରକୃତରେ ଏଭଳି ବିପଦ ସମୟରେ, ଝଗଡାଝାଣ୍ଟିରେ ସେ ଆଗରେ ଥାଏ। ଥରେ ଏକ ବାହାର ଗୁଣ୍ଡା ହତିଆର ଧରି ଛାତ୍ରାବାସରେ ପଶିଥିଲା। ସମସ୍ତେ ଯିଏ ଯେଉଁଆଡେ ଲୁଚିଲେ। ଗୁଣ୍ଡା ତୂଳନାରେ ଚୁଡାମଣି ଦୁର୍ବଳ ହେଲେ ମଧ୍ୟ ଆଗକୁ ବାହାରିଲା। ହଠାତ ଗୋଟେ କାଠ ଚୌକି ଟେକି ଦେଲା ତା ମୁଣ୍ଡରେ କଚାଡି, ଅସ୍ତ୍ର ଛିଟିକି ପଡିଲା। ପିଲାଏ ଏଣିକି କାବୁ କରିନେଲେ। 


ମୋ ମନରେ ଦ୍ବନ୍ଦ୍ବ ହୁଏ, ପ୍ରକୃତରେ ଚୁଡାମଣିକୁ ଭଲ କୁହାଯିବ ନା ମନ୍ଦ?


ଚୁଡାମଣିର ଆଉଏକ ବ୍ୟବହାର ଆଦୌ ଭଲଲାଗେନାହିଁ। ଅଣଓଡ଼ିଆ ଛାତ୍ରଛାତ୍ରଛାତ୍ରୀଙ୍କ ପ୍ରତି ତାହାର ବିଦ୍ବେଶ ଭାବ ରହିଥାଏ। ସେ ଭାବେ ସେମାନେ ଆମ ପିଲାଙ୍କ ସିଟ୍ ମାଡି ବସିଛନ୍ତି। ଆମେ ଯଦି କହିବୁ, ତୁ ଏକଥା କହିବା ଠିକ୍ ନୁହେଁ, ମେଧା ବଳରେ ସେମାନେ ଆସିଛନ୍ତି, ସେ କହିବ, ପୁଅ ଯଦି ମେଧାବୀ ନହେଲା ତାହେଲେ କଣ ପରପୁଅକୁ ପଢାଖର୍ଚ୍ଚ ଦେଉଛି କିଏ?


ନା ସେ, ନା ଆମେସବୁ ଭାବି ପାରୁଥିଲୁ ଯେ ଏକ ସଂଘୀୟ ବ୍ୟବସ୍ଥାରେ ସମସ୍ତଙ୍କୁ ସମାନ ସୁବିଧା ମିଳୁଛି। ଓଡ଼ିଆ ମଧ୍ୟ ଅନ୍ୟ ରାଜ୍ୟ ମାନଙ୍କରେ ପଢୁଛି। 


ପ୍ରଥମ ବର୍ଷର କଥା। ଦୁଇଜଣ ଉପର ଶ୍ରେଣୀର ଛାତ୍ର ତାକୁ ରାଗିଂ ନାମରେ କାମ ଧରାଇଦେଲେ, ସେମାନଙ୍କ ପ୍ରାକ୍ଟିକାଲ ରେକର୍ଡ ପ୍ରସ୍ତୁତ କରିବାକୁ। ସେତେବେଳକୁ ପ୍ରଥମ ବର୍ଷ ପିଲାଙ୍କୁ ଛାତ୍ରାବାସର କୌଣସି ପ୍ରକୋଷ୍ଠ ମିଳିନଥାଏ। ଆମେ, ଓଡ଼ିଶାର ଅନେକ ଜିଲ୍ଲାର ପିଲାଏ ଗୋଟେ ହଲରେ ଚଟାଣରେ ବିଛଣା ପାରି ରହୁଥାଉ। ଚୁଡାମଣି, ବରିଷ୍ଠ ସେ ଦୁଇଛାତ୍ରଙ୍କ କାମ ଆଦୌ କଲାନାହିଁ। କାମ କରିବନାହିଁ ବୋଲି କହିଲା ନାହିଁ ମଧ୍ୟ। ସେମାନଙ୍କ ହାତରେ ଆଉ ସମୟ ନଥାଏ। ଭୀଷଣ ବିରକ୍ତ ହେଲେ ସେମାନେ। କଣପାଇଁ ଲେଖିଲୁ ନାହିଁ ପଚାରିଲେ।


ଚୁଡାର ଭାରି ସାହସ। ଓଲଟେଇ କହିଲା, କଣପାଇଁ ସେ ଲେଖିଥାନ୍ତା ଯେ?


 ଲେଖିବୁ ନାହିଁ ଯଦି କହିଲୁ ନାହିଁ କାହିଁକି? ସେମାନେ ଉତ୍ୟକ୍ତ ହୋଇ କହିଲେ।

 

ଚୁଡା କହିଲା, କଣପାଇଁ କହିଥାନ୍ତି? ଆପଣମାନେ ଜବରଦସ୍ତି ଥୋଇଦେଇ ଗଲେ, ମୋର ମତ ନେଇକି ଦେଇଥିଲେ କି? ମୁଁ ସେ ଖାତାକୁ ଜଗିଛି, ସୁରକ୍ଷିତ ରଖିଛି ସେତିକି ବଡକଥା। ମୁଁ ନୂଆକରି ଆସିଛି, ନୂଆପାଠ, ପାଠାଗାରକୁ ଯାଉଛି, ପ୍ରକୋଷ୍ଠ ମିଳିନାହିଁ; ଆମ ଅସୁବିଧା ବାବଦରେ କଣ ଭାବିଛନ୍ତି ଆପଣମାନେ। ତାଛଡା ଆପଣ ମାନଙ୍କ ଏ ଅନ୍ୟାୟ କାମପାଇଁ ପାନେ ପାଇବା ଦରକାର ଥିଲା।


 ଚୁଡା ପାଖରୁ ଏମିତି ଉତ୍ତର ଶୁଣିବା ପରେ ଉପର ଶ୍ରେଣୀର ପିଲାଏ ସଂଘବଦ୍ଧ ଭାବେ ଚୁଡାକୁ ତାଗିଦ କରିବାକୁ ଆସିଲେ। ଚୁଡା କି ଛାଡେ? କଥା କଲେଜ କର୍ତ୍ତୃପକ୍ଷଙ୍କ ନଜରକୁ ଗଲା। ରାଗିଂ ତୁରନ୍ତ ବନ୍ଦ ହେଲା। ଚୁଡା ଖୁବ୍ ଭଲ ଫୁଟବଲ ଖେଳୁଥିବାରୁ କଲେଜ ଦଳରେ ସାମିଲ ହେଲା ଓ ଉଚ୍ଚଶ୍ରେଣୀ ମାନଙ୍କରେ ତା ପ୍ରତି ସୃଷ୍ଟି ହୋଇଥିବା ବିରକ୍ତ ଭାବ ଦୂର ହୋଇଗଲା। ଆମେ ଆଶ୍ଚର୍ଯ୍ୟ ହେଉ, ଚୁଡା ଏତେ ସାହସୀ କେମିତି! ଚୁଡା କହିଲା, ଆଉ ଏ ଅଣଓଡ଼ିଆ ଛାତ୍ର ଦୁଇଟା ବାହାରୁ ଆସି ସାହସ ଦେଖାଇବେ ଆମକୁ ଅକାରଣେ ଖଟାଇବା ପାଇଁ କିନ୍ତୁ ଆମେ ଡରିଯିବା! ହଁ ସେମାନେ ଓଡ଼ିଆ ହୋଇଥିଲେ କଥା ଅଲଗା, ହୁଏତ ଲେଖି ଦେଇଥାନ୍ତି। 


ତାହାର ଏମିତି ବିଭେଦକାରୀ ଚିନ୍ତାଧାରା ଆଦୌ ଭଲନୁହେଁ ବୋଲି ଆମେସବୁ ବୁଝାଇଲୁ। ସେ ସାମାନ୍ୟ ସଂଯତ ହେଲେ ବି ଅନ୍ତରରେ ପରିବର୍ତ୍ତନ ହୋଇନଥିଲା। କିନ୍ତୁ ଦେଖାଗଲା ଆମ ଶ୍ରେଣୀ ସାଥୀ ମରାଠୀ ଝିଅ ଏଲିନା ଯୋଗେଲକର ସହ ତା'ର ଗଢିଉଠିଲା ବିଶେଷ ବନ୍ଧୁତା। ସେ ତେଣିକି ଆଉ ରାଉ ରାଉ ହେଉନଥିଲା ଅଣଓଡ଼ିଆଙ୍କ ପ୍ରତି।


ଆମେ ଉପରଶ୍ରଣୀକୁ ଗଲାପରେ ତଳପିଲାଙ୍କୁ ସେ କେବେ ରାଗିଂ କରିନି। ନୂଆପିଲାଙ୍କ ଯାବତୀୟ ଅସୁବିଧାକୁ ସେ ସମାଧାନ କରିବାକୁ ଚେଷ୍ଟାକରେ। ଉପର ଶ୍ରେଣୀର ପିଲାଙ୍କ ସହ ତା'ର ଭଲପଡୁନଥିଲା ସିନା, ତଳଶ୍ରେଣୀର ପିଲାଙ୍କର ସେ ଥିଲା ଅତିପ୍ରିୟ ଚୁଡାଭାଇ। ସେମାନଙ୍କ ବଳରେ ସେ ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଗଲା। ସେ ବର୍ଷ ଛାତ୍ର ସଂସଦ ଅନେକ ସମସ୍ୟାର ସମାଧାନ କରିଥିଲା। ବିଶେଷ କରି ପ୍ରଥମବର୍ଷର ଛାତ୍ରଙ୍କୁ ତୁରନ୍ତ ଛାତ୍ରାବାସର ପ୍ରକୋଷ୍ଠ ମିଳିଥିଲା।


ଯେତେବେଳେ ଆମେସବୁ ଉପର ଶ୍ରେଣୀକୁ ଗଲୁ, ପିଲାଏ ଲାଗିପଡିଲେ କେମିତି ଉଚ୍ଚତର ଶିକ୍ଷା ପାଇବେ, କେମିତି ବିଦେଶ ଯିବେ। ଚୁଡାର ସେସବୁକୁ ଧ୍ୟାନ ନଥାଏ। ସେ କହେ, କେମିତି ସେ ଛାଡିଯିବ ନିଜ ଦେଶ, ସରକାର ଏତେ ଖର୍ଚ୍ଚ କରିଛି? ତା ତୁଣ୍ଡରେ ବାଡବତା ନଥାଏ। କହିବ କଣ ନା, ବାହାରକୁ ଯାଇ ଦ୍ବିତୀୟ ଶ୍ରେଣୀ ନାଗରିକ ସେ ହୋଇପାରିବ ନାହିଁ। ଆପଣା ମାଟି ତା'ର ବଳ।


ସେ ତୁରନ୍ତ ଯୋଗଦେଇଥିଲା ରାଜ୍ୟ ସରକାରଙ୍କ ଚାକିରିରେ।


ମୁଁ ଅଳ୍ପସମୟରେ ଏତେକଥା ଭାବିଗଲି। ସେ ଏବେ ଗପିଲା ଓ ମୁଁ ତା କଥା ଶୁଣିବାକୁ ଧର୍ଯ୍ୟ ଜୁଟାଇଲି। ଏ ତ ପୁରୁଣା କଥା।


- ହଁ ବିକ୍ରମ, ଦେଶଟା ବରବାଦ ହୋଇଯାଇଛି। ଆଦ୍ୟ ଚାକିରିରେ ପରିଚୟ ହୋଇଥିଲା ଜଣେ ବୃଦ୍ଧଙ୍କର। ନାମ ତାଙ୍କର ଉଦୟ ଶଙ୍କର ପାଟଯୋଶୀ। ନୂଆପଡା ଜିଲ୍ଲା ଭେଲା ଗ୍ରାମରେ ତାଙ୍କର ଘର। ସେ ଜଣେ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ। ସେ ଆମ ମୂଖ୍ୟ ଅଧିକାରୀଙ୍କ ସହ ଗପୁଥାନ୍ତି ପ୍ରାଞ୍ଜଳ ଇଂରାଜୀରେ, ବଡ ବିଚଳିତ ଭାବେ। ସେବେଳର ସେ ଗ୍ରାଜୁଏଟ, ସ୍ବାଧୀନତା ସଂଗ୍ରାମରେ ଝାସଦେଲେ। ତାଙ୍କ ଦୁଃଖ ହେଲା ସମସ୍ତେ କାହିଁକି ଅସୁଖୀ ଆପଣା କର୍ମରେ। ସମସ୍ତେ ଯଦି ଦୁଃଖରେ ରହିବା ହେଲା ତାହେଲେ କେଉଁ ଲାଭ ଏ ସ୍ବାଧୀନତାରେ। ପୂର୍ବଦିନ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଅସୁଖୀ ଜିଲ୍ଲାପାଳ ତାଙ୍କ କାର୍ଯ୍ୟ ପରିସରକୁ ଆସୁଥିବା ନାନାଦି ପ୍ରତିବନ୍ଧକ କଥା ଖୋଲାମନରେ କହିଥିଲେ। ଜିଲ୍ଲାପାଳ ଯଦି ଦୁଖରେ ଆଉ କାହାକୁ ସେ ଖୋଜିବେ ଯେ ନିଜ କାମରେ ଖୁସି ଥିବେ? ସେ ତାଙ୍କ ନିଜପୁଅ କଥା କହିଲେ, ଯେ ବ୍ୟାଙ୍କ ଅଧିକାରୀ। ପଦ ତ୍ୟାଗ କରି ସ୍ବେଚ୍ଛାସେବୀ ସଂସ୍ଥା କରିବାର ଯୋଜନା କରୁଛନ୍ତି। କଥା କିଛି ମନ୍ଦ ନୁହେଁ କିନ୍ତୁ ଉଦ୍ଦେଶ୍ୟ ମନ୍ଦ; କୁଆଡେ ଅଧିକ ରୋଜଗାର କମ ପରିଶ୍ରମରେ ହେବ। ଏହି ଶେଷକଥାଟି ତାଙ୍କୁ ବିଚଳିତ କରିଛି; କମ କାମରେ ଅଧିକ ରୋଜଗାର ଦେଉଥିବା ବ୍ୟବସ୍ଥାକୁ ସ୍ବେଛାସେବା କୁହାଯାଉଛି ସ୍ବାଧୀନ ଭାରତରେ। କମ କାମରେ ଅଧିକ ରୋଜଗାର ହୋଇଯାଇଛି ନୂଆ ଆଦର୍ଶ। ଉଦୟଜୀ ନିଶ୍ଚିତ ଥିଲେ, ସେଇଠି ମଧ୍ୟ ସୁଖ ମିଳିବ ନାହିଁ। ସୁଖ ନମିଳିବା ଯେମିତି ଅଧୁନା ସମୟର ଅବସ୍ଥା ହୋଇଯାଇଛି, ଜଣେ ଯେଉଁ ପଦ ପଦବୀରେ ଥାଉନା କାହିଁକି। ଏହା ତାଙ୍କୁ ଯେ ପ୍ରକୃତରେ ବାଧୁଛି ତାହା ସ୍ପଷ୍ଟ ଦିଶୁଥିଲା ତାଙ୍କ ଚେହେରାରେ। ଅନ୍ୟଥା ଶାନ୍ତ ଉଦୟଜୀଙ୍କ ହାତ ଥରୁଥିଲା, ରକ୍ତଚାପ ବଢିଯାଇଥିଲା, ଜିଲ୍ଲାପାଳଙ୍କ ଠାରୁ ଫେରିଲାପରେ ଗତ ରାତିରେ ସେ ଶୋଇପାରିଲେ ନାହିଁ।


ବୁଝିଲୁ ବିକ୍ରମ, ତାଙ୍କ କଥା ମୋତେ ମଧ୍ୟ ଆଲୋଡିତ କଲା, ସେ ଯେ ସମ୍ପୂର୍ଣ୍ଣ ସତ୍ୟ କହୁଛନ୍ତି ଏହା ବୁଝିବାକୁ ମୋତେ ଡେରି ଲାଗିଲା ନାହିଁ। ମୁଁ ବୁଝିଗଲି ବ୍ୟବସ୍ଥା ସମ୍ପୂର୍ଣ୍ଣ ଘୁଣଖିଆ ଓ ସେଥିରେ ସମସ୍ତଙ୍କ ପରି ମୁଁ ମଧ୍ୟ ଘାଣ୍ଟିହେବା ନିରାଟ ସତ। ନିର୍ଜୀବ ଚୌକିମାନଙ୍କୁ ଚିପୁଡି ଚିପୁଡି ତହିଁରୁ ଲାଞ୍ଚ ରୂପକ ରସ ସଂଗ୍ରହ କରିବାରେ ସମସ୍ତେ ମାତିଛନ୍ତି। କେଉଁ ଚୌକି କେତେ ରସ ଦେବ ସେକଥା ଚୌକିର ପାହ୍ୟା ନିର୍ଧାରଣ କରୁଛି। ସେଥିରୁ କାଳେ ସୁଖ ମିଳିବ! ଶତକଡା ପଞ୍ଚାନବେ ଭାଗ ହେଲେ ଦୁନ୍ନୀତିଗ୍ରସ୍ତ।


ଚୁଡା କଥା ମୋତେ ଅସହ୍ୟ ଲାଗିଲା। ସତେ ଯେମିତି ସେ କଲେଜ ବେଳର ଆଡବାଇଆ ଯୁବକ। ତଥାପି ମୁଁ କହିଲି ନା ନା ସେମିତି କହନା, ଏହା ସଚ୍ଚୋଟ ଲୋକଙ୍କ ପ୍ରତି ଅନ୍ୟାୟ। ଶତକଡା ପଚାଶ ଭାଗ ଭଲଥିବେ।


ସେ ଆଟ୍ଟହାସ୍ୟ କଲା। ରାସ୍ତା ଦୋହରାକରଣରେ ବିଲୁପ୍ତି ହେବାରୁ ବଞ୍ଚି ଯାଇଥିବା ସେ ବର ଗଛରେ ଆଶ୍ରାକରନ୍ତି ଅସଂଖ୍ୟ ବଗ୍ରପକ୍ଷୀ। ହୁଏତ ଅନ୍ୟ ଗଛ ହଣା ହେଲାପରେ ଏ ପକ୍ଷୀ ମାନଙ୍କ ଅବସ୍ଥା ଠିକ୍ ଆମ ଚୁଡା ଭଳି ବିଦ୍ରୋହୀ। ଚୁଡାର ଅଟ୍ଟହାସ୍ୟରେ କେତୋଟି ପକ୍ଷୀ ଫଡଫାଡ ହୋଇ ଉଡିଗଲେ। କେଉଁ ଏକ ପକ୍ଷୀର ମଳ ଆସି ଚୁଡା ମୁହଁରେ ପଡିଲା, ଚଢେଇ ଧଳା ତାହାର ମଳ ମଧ୍ୟ ଧଳା। ଚୁଡା କପାଳରେ ତିଳକ ଲାଗିଲା। ସେ ବେପରୁଆ ରୁମାଲ ବାହାରକରି ପୋଛିଦେଲା ଓ ଆଉଥରେ ବଡଜୋରରେ ହସି କହିଲା, ଶତକଡା ପଚାଶ କଣ, ଶତକଡା ଦଶଭାଗ ଯଦି ସଚ୍ଚୋଟ ଓ କର୍ମଠ ହୋଇଥାନ୍ତେ, ଦେଶ ଉନ୍ନତି କରିଯାଆନ୍ତା। ତୁ ଜାଣିନୁ ବିକ୍ରମ, ମୁଁ ଯେ କହିଲି ପଞ୍ଚାନବେ ପ୍ରତିଶତ ଠକ, ତାହା ହେଉଛି ଏକ ନିମ୍ନ ପରିସଂଖ୍ୟାନ। କହୁନୁ, ତୋତେ କଣ ଲାଞ୍ଚ ଦେବାକୁ କେବେ ପଡିନି? ତାହେଲେ ତୁ ଦୁନ୍ନୀତିଗ୍ରସ୍ତ ହେଲୁ କି ନାହିଁ?


-ଓ ହୋ! ମୁଁ କହିଲି, - ତାହେଲେ ତ ଅନେଶତ ପ୍ରତିଶତ।


- କେବଳ ସେତିକି ନୁହେଁ ବିକ୍ରମ, ଅପ୍ରିୟ ସତ୍ୟ ହେଲା (ସେ ସ୍ବର ନିମ୍ନ କରି କହିଲା), ତୁ ଯଦି ଆଖି ବୁଜି କହିଦେବୁ ଏକ ଜିଲ୍ଲାର ସବୁଠୁ ବଡ ଦୁନ୍ନୀତିଗ୍ରସ୍ତ ମଣିଷଟି ହେଲେ ଜିଲ୍ଲାପାଳ, ତାହେଲେ କିଛି ଭୁଲ ହେବ କି?


ତା ପ୍ରଶ୍ନର ଉତ୍ତର ଦେବାକୁ ମୋର ସାହସ ନଥିଲା, ଯଦିଓ ଆମ ଦୁଇଙ୍କ ବ୍ୟତୀତ ସେଇଠି କେହି ତୃତୀୟ ବ୍ୟକ୍ତି ନଥିଲେ ଶୁଣିବା ପାଇଁ, ତଥାପି ମୋର ଭୟ ହେଉଥିଲା, ଜିଲ୍ଲାପାଳଙ୍କ ବାବଦରେ ଏମିତି ଭାବନା ରଖିଲେ କେତେବେଳେ ବିପଦ ହେବ। ମୋ ଭୟର ପ୍ରଭାବରୁ କହିଲି, ନାଇଁ ସେମିତି କହିବା ଠିକ୍ ନୁହେଁ। ଅନେକ ଜିଲ୍ଲାପାଳ ଉତ୍ତମ ସେବା ଦେଉଛନ୍ତି, ଜିଲ୍ଲାକୁ ଉନ୍ନତ କରୁଛନ୍ତି।


ସେ ତୁରନ୍ତ ପ୍ରତିବାଦ କଲା, - ଅନେକ ବୋଲି କହନି, ସେମାନଙ୍କ ସଂଖ୍ୟା ଖୁବ୍ କମ। ତା ବ୍ୟତୀତ ଆମେ ଉନ୍ନତି ବୋଲି ଯାହାକୁ କହୁଛନ୍ତି ତାହା ସଂଭାବ୍ୟ ସର୍ବାଧିକ ମାନକ ଉନ୍ନତିଠୁ ଯଥେଷ୍ଟ କମ। ଏକସଙ୍ଗେ ଦୁନ୍ନୀତି ଓ ଉନ୍ନତି ସାଥୀ ହୋଇ ରହିପାରିବେ ନାହିଁ। ସେମାନେ ଅଧିକ ଦୁନ୍ନୀତିଗ୍ରସ୍ତ ବୋଲି ମୁଁ କହୁନି। ରାଜମିସ୍ତ୍ରୀ କିମ୍ବା ମୁଲିଆଟିଏ ଯେତିକି ଗୁଣାତ୍ମକ ଭାବେ ଠକ ପଦାଧିକାରୀ ବି ସେତିକି ଠକ କିନ୍ତୁ ତାଙ୍କ ଚୌକିର ସାମର୍ଥ୍ୟ ଏହାର ପରିମାଣ ଅଧିକ କରାଉଛି। ସେମିତି କହିହେବ ବିଧାୟକ, ସାଂସଦ, ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କଥା। ଯେ ଯେତେ ଉଚ୍ଚରେ ସେ ସେତିକି ଅଧିକ ଦୁନ୍ନୀତି କରିପାରୁଛନ୍ତି।


ଚୁଡା କଥାରେ ମୁଁ ଏବେ ଭୟରେ ଥରିବାକୁ ଲାଗିଲି। ଇଏ ତ ଚାକିରି ଛାଡିଛି ମୋ ଚାକିରି ଯିବ ତା କଥା ଶୁଣୁଛି ବୋଲି। ଚାକିରି ଯାଉ କି ନଯାଉ ଦଳୀୟ ଲୋକ ଶୁଣିଲେ ମୋତେ ପିଟିବେ।  


ମୋ ଅବସ୍ଥା ଦେଖି ତାର ଦୟା ହେଲା। ସେ କହିଲା, ସ୍ବାଧୀନ ଦେଶରେ ଆପଣାର ମତବ୍ୟକ୍ତ କରିବାର ସମ୍ବିଧାନିକ ଅଧିକାର ଥିବା ସତ୍ତ୍ୱେ ଆମେ କେଡେ ଭୟାଳୁ ହୋଇଯାଇଛୁ। ଭୟ ଯେମିତି ଆମର ସହଚର। ଏମିତି ପ୍ରତି କଥାରେ ଭୟକରି ଆମ ଜୀବନ ଚାଲିଯିବ, ଶିଶୁବେଳେ ବାପା ଓ ଶିକ୍ଷକଙ୍କୁ ଭୟ, ଟିକେ ବଡହେଲେ ବଳୁଆ ସାଙ୍ଗକୁ ଭୟ, ଗୁଣ୍ଡାକୁ ଭୟ, ମଦୁଆକୁ ଭୟ, ଆପଣା ଅଫିସର ଅଧିକାରୀଙ୍କୁ ଭୟ, କିରାଣୀଙ୍କୁ ମଧ୍ୟ ଭୟ, ଜନତାଙ୍କୁ ଭୟ, ରାଜନୀତିଆଙ୍କୁ ଭୟ, ସାମ୍ବାଦିକଙ୍କୁ ଭୟ, ଶାସନକୁ ଭୟ ଯେହେତୁ ସହରୀ ନକ୍ସଲ କହି ଭିତରେ ଠୁଙ୍କିବେ, ଭୟ ଭୟ ଭୟ; ଏତେ ସବୁ ଭୟକୁ ଜିତି ହେବ କିରେ? ବରଂ ଭଲ ହେବ ଆପଣା ମନରୁ ଭୟଟାକୁ ଦୂରକୁ ଫିଙ୍ଗିଦେବା। ତୁ ସେମିତି କର, ମୋ ଭଳି ବଡ ଆରାମରେ ରହିବୁ। 


ମୁଁ କହିଲି, - କିନ୍ତୁ ଭୟ ଥିଲେ ଜୟ ମିଳେ। ନୁହେଁ କି ଚୁଡା?


- ଆଦୌ ନୁହେଁ ବିକ୍ରମ, ଭୟମୁକ୍ତ ହେବା ପ୍ରକୃତ ଜୟ। ଥରେ ହୋଇକି ଦେଖ। ବଡ ଶାନ୍ତି ସେ ଭୟମୁକ୍ତ ଅବସ୍ଥା। କଣ ଆଉ ମଣିଷର ଅଛି ଯେ ହରାଇବାର ଭୟ ରଖିବ? ସବୁକିଛି ତ ଉଜୁଡି ଯାଇଛି। ପୁଞ୍ଜିବାଦ ସବୁ ଗ୍ରାସ କରିଦେଇଛି। ଶାସନ ବ୍ୟବସ୍ଥାକୁ ବି ଚେନରେ ବାନ୍ଧି ନଚାଉଛି। ଯେଉଁ ମାଙ୍କଡ ଯେତେ ଅଧିକ ନାଚିପାରୁଛି ସେ ସେତେବଡ ନେତା ହେଉଛି। ଆପଣା ଦେଶରେ ଆମେ ସମସ୍ତେ ଦ୍ବିତୀୟ ଶ୍ରେଣୀ ନାଗରିକ ହୋଇଯାଇଛନ୍ତି। ବରଂ ବିଦେଶ ଯାଇଥିବା ଲୋକେ ଅଧିକ ସ୍ବାଧୀନ। କମ ଭୟରେ ଅଛନ୍ତି।


ମୋର ମନେହେଲା ଚୁଡା ତା କଲେଜ ବେଳ ଭାବନା ଓ ବର୍ତ୍ତମାନର ଭାବନା ମଧ୍ୟରେ ଏକ ସଂଘର୍ଷକୁ ସମ୍ମୁଖୀନ ହେଉଛି। 


ସେ ପୁଣି ଗପିଲା।


- ଦେଖ ବିକ୍ରମ, ଗୋଟେ ଯୋଜନା କମିଶନ କଣ ସବୁ ଗଢିଥିଲା। ଏ ଗଠନରେ ଥିଲା ଦୁନ୍ନୀତି। ଦୁନ୍ନୀତିରୁ ଏସବୁ କମ ଉଧାଇଲା ବା ରୁଗ୍ଣ ହେଲା। ଏବେ ସେଇଟା ହଟିଲା, ହେଲା ନୀତି ଆୟୋଗ, ଏ ଆୟୋଗର ଏକମାତ୍ର କାମ ଦେଶ ବିକିବା। ଗଢିବାରେ ଦୁନ୍ନୀତି ଥିଲା ଏବେ ବିକିବାରେ ସେମିତି ଦୁନ୍ନୀତି ହେବ। ତୁ କହ, କେମିତି ସହି ହେବ ଏକଥା? ଯେଉଁ ରେଳରେ ବସିଲେ ଛାତି ଫୁଲି ଉଠୁଥିଲା ଏହା ମୋର ସମ୍ପତ୍ତି ବୋଲି ସେ ରେଳ ଏବେ ପରପୁଅର ହେବାକୁ ଯାଉଛି। ମୁଁ ଆଉ ଭାବି ପାରିବି କି ମୁଁ ମୋ ନିଜ ଗାଡିରେ ଯାଉଛି ବୋଲି?


- କିନ୍ତୁ ଚୁଡା, ଦେଖିଛୁ ନା କେଡେ ସୁନ୍ଦର ହେଉଛି ଘରୋଇ ରେଳ ଷ୍ଟସନ ସବୁ। ଯେମିତି ପଞ୍ଚତାରକା ହୋଟେଲ।


- ସେକଥା ମୁଁ କହୁନାହିଁ ବିକ୍ରମ, ତୁ ହୋଟେଲ ତାଜରେ ଏକ ସମ୍ମିଳନୀରେ ଯୋଗଦେଲେ ଖୁସି ହେବୁ, ମଜା ବି ନେବୁ କିନ୍ତୁ ସେଇଟା ତୋ ବାପା ସମ୍ପତ୍ତି ବୋଲି ଭାବି ପାରିବୁ କି? ଆଜି ଫର୍ଦ୍ଦ ଫର୍ଦ୍ଦ ଲେଖୁଛନ୍ତି ଏ ବିକ୍ରିବଟା ସପକ୍ଷରେ ଅନେକ ତଥାକଥିତ ବୁଦ୍ଧିଜୀବୀ। ଏହି ବୁଦ୍ଧିଜୀବୀମାନେ ସରକାରୀ ତନ୍ତ୍ରକୁ ତାଙ୍କ ଯୁବାବୟସରୁ ଅଦ୍ୟାବଧି ଠକି ଆସିଛନ୍ତି। ସେବେ ବିନା ଟିକଟରେ ଯାତ୍ରା କରୁଥିଲେ, ପରେ ଛଳବଳେ ଖାଇଲେ ଓ ଏବେ ଶାସନତନ୍ତ୍ରରୁ ଲାଭନେଇ ବିକ୍ରିର ସମର୍ଥନ କରୁଛନ୍ତି।


- କିନ୍ତୁ କ୍ଷତିରେ ଚାଲିବ କେତେଦିନ, ଦିନେ ତ ବୁଡି ଯାଇଥାନ୍ତା। ତା ଅପେକ୍ଷା, ପରିଚାଳନା ଘରୋଇ ହେଲେ ସଂସ୍ଥା ଭଲ ଚାଲିବ, ବହୁଲୋକ ରୋଜଗାର ପାଇବେ, ସୁଖରେ ରହିବେ। ଧରାଯାଉ ଓଟିଏମ; ଯଦି ଏହା ଠିକ ସମୟରେ ବିକ୍ରି ହୋଇଯାଇଥାନ୍ତା ତେବେ କର୍ମଚାରୀ ମାନେ ଦୁଃଖରେ ପଡିନଥାନ୍ତେ। କେତେ ପରିବାର ଉଜୁଡି ଯାଇନଥାନ୍ତା। ସ୍ବାଭିମାନରେ ନା ଏହାକୁ ଚଳାଇହେଲା, ନା ହେଲା ଏହାର ପୁନରୁଦ୍ଧାର। ଏହା କଣ ଭଲ?


- ତୁ ବି ଏଇଆ ଭାବିଲୁ ବିକ୍ରମ? ରେଳ ସରକାରୀ ରହିଲେ କ୍ଷତି ହେବ କାହିଁକି? ଉପଭୋକ୍ତା ଠକିବେ ଓ କର୍ମଚାରୀ ଠକିବେ; ଏଇଥିପାଇଁ ତ? ଉପଭୋକ୍ତା ଓ କର୍ମଚାରୀ ଯଦି ନଠକନ୍ତେ ତାହେଲେ ଲାଭ ହୁଅନ୍ତା, ଏଇଆ ନୁହେଁ କି? ପୁଣି ବିକ୍ରି କରାଇବା ଉଦ୍ଦେଶ୍ୟରେ ଗୋଟିଏ ସଂସ୍ଥାକୁ ପ୍ରଥମେ କ୍ଷତି ଆଡକୁ ଜବରଦସ୍ତ ଠେଲାଯାଇପାରେ। ଉପଗ୍ରହ ଦେଶର, ବିଏସଏନଏଲର ସରକାରୀ ଭିତ୍ତିଭୂମି ଦୃଢ, ତଥାପି ଏହା ବିକ୍ରି ହେବଦିନେ। ତା ପୂର୍ବରୁ ମନପ୍ରାଣ ଦେଇ ଏହାକୁ କ୍ଷତି ଆଡକୁ ଅଡେଇ ନିଆଯିବ। ଚମତ୍କାର ବିକ୍ରମ, ଚମତ୍କାର।


ମୁଁ ଉପଭୋକ୍ତା ଭାବେ ଠକିନାହିଁ କି କର୍ମଚାରୀ ନୁହେଁ। ଏଣୁ କ୍ଷତିର କାରଣ ମୁଁ ନୁହେଁ। ତାହେଲେ ମୋ ସମ୍ପତ୍ତିର ବିକ୍ରି ମୋ ବିନା ଅନୁମତିରେ ହେବ କେମିତି?


- ବିନା ଅନୁମତି କେମିତି? ଏକଶହ ତେତିଶ କୋଟି ଦେଶବାସୀ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ଚୟନ କଲେ, ଦେଶହିତରେ ନାନାପ୍ରକାର ନିଷ୍ପତ୍ତି ନେବାର ଅନୁମତି ଦେଲେ। ସରକାରଙ୍କ ନିଷ୍ପତ୍ତି ବହୁମତର ନିଷ୍ପତ୍ତି। ଆଉ କଣ ପ୍ରତି ମଣିଷକୁ ପଚାରି ପଚାରି ସରକାର ନିର୍ଣ୍ଣୟ ନେବେକି?


- ଆଛା! ତୁ ଯାହା କହୁଛୁ ଠିକ୍ କିନ୍ତୁ ଗଣତନ୍ତ୍ରରେ ବିରୋଧ ମତର ଭୂମିକା ଅଛି କି ନାହିଁ? ତା ବ୍ୟତୀତ ଗଣତନ୍ତ୍ର ଆଉ ସ୍ବାଧୀନ ମତର ପ୍ରୟୋଗଶାଳା ହୋଇ ରହିଛି କି? ଲୋକଙ୍କୁ ମନାଇ, ପଟାଇ, ଆକର୍ଷଣୀୟ ଲୋଭ ଦେଖାଇ, ପରସ୍ପର ବିଭେଦ କରାଇ, ଘୃଣାଭାବ ସୃଷ୍ଟି କରି, ଭୟ ଦେଖାଇ, ସେମାନଙ୍କ ସମ୍ବେଦନକୁ ଭ୍ରମାତ୍ମକ ଉପାୟରେ ଉସୁକାଇ, ଅର୍ଥ ଓ ମଦ ବାଣ୍ଟି ଭୋଟ ନେବା ଗଣତନ୍ତ୍ର ନୁହେଁ କି? ଏସବୁ ପାଇଁ ଖର୍ଚ୍ଚ ହେଉଥିବା ବିଶାଳ ପୁଞ୍ଜି ଯେଉଁମାନେ ନିବେଶ କରିଛନ୍ତି ସେମାନେ କଣ ବୋକା? ସେମାନେ ଛାଡିଦେବେ ସରକାରଙ୍କୁ ତାଙ୍କ ବେପାରରେ ଲାଭ ନକରି? ଯେଉଁ ଜିନିଷର ତିଆରି ଖରାପ ତାହା ଭଲ ଫଳ ଦେବ କେମିତି?


- ଦେଖ ଚୁଡା, ଏହା କଣ ନୂଆ ହେଲାକି? ଏମିତି ହେଉଥିଲା ବହୁ ଆଗରୁ ଓ ହୋଇ ଚାଲିଛି, ଚାଲିବ ମଧ୍ୟ। ତା ସତ୍ତ୍ୱେ ଦେଶଟା ଚାଲିବ ନା ନାହିଁ? 


- କିଏ ମନା କରୁଛି? ଆଦ୍ୟକାଳରୁ ଗଣତନ୍ତ୍ର ବିଗିଡି ଯାଇଛି। ମୁଁ ଭାବୁଥିଲି ଏହା କେବଳ ଆମ ଦେଶର ସମସ୍ୟା। କିନ୍ତୁ ନୁହେଁ, ଏହା ସବୁ ଦେଶର ସମସ୍ୟା। ଲୋକଙ୍କୁ ନିଜଆଡକୁ ଟାଣିବା ପାଇଁ ଯାବତୀୟ କଳ, ବଳ ଓ କୌଶଳ ଅବଲମ୍ବନ କରିବା ହେଉଛି ଗଣତନ୍ତ୍ରର ସ୍ବରୂପ। ଏଣୁ ଗଣତନ୍ତ୍ର ହିଁ ଏକ ଅବ୍ୟବସ୍ଥା। ମାନବ ସଭ୍ୟତା ଏପର୍ଯ୍ୟନ୍ତ ଅତି କଞ୍ଚା ରହିଯାଇଛି, ପଛୁଆ ରହିଯାଇଛି ଏଣୁ ବିକଳ୍ପ ଆସିନାହିଁ। ଗୋଟାଏ ତ୍ରୁଟିଯୁକ୍ତ ଚୟନ ବ୍ୟବସ୍ଥାକୁ କହୁଛି ସର୍ବଶ୍ରେଷ୍ଠ। ସ୍ବାଧୀନତାର ଆଦ୍ୟକାଳରୁ ଏଇ ଭାରତରେ ଗଣତନ୍ତ୍ର ଚାଲିଛି ଭୁଲବାଟରେ। ଦୁନ୍ନୀତିକୁ ପ୍ରଶ୍ରୟ ଦେଇଛି। ତୁ ଜାଣିଛୁ, ପୂର୍ବତନ ବିଧାୟକ, ଶତାୟୁ, ସ୍ବର୍ଗତ ଡା ଜଗନ୍ନାଥ ଦାସ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, କଣ୍ଟ୍ରୋଲ କୀଳାପୋତେଇ ମାଧ୍ୟମରେ ପ୍ରଥମକରି ଶାସନ ତନ୍ତ୍ର ଦୁନ୍ନୀତିଗ୍ରସ୍ତ ହେଲା। ସରକାରୀ ବିନା ପ୍ରୋତ୍ସାହନରେ ଏହା ସମ୍ଭବ ନଥିଲା। ଦେଶପ୍ରେମରେ ଉବୁଟୁବୁ ଏକ ନବଉନ୍ମେଷୀ ଦେଶ ଏତେ ସହଳ ଦୁନ୍ନୀତିକୁ ଆପଣେଇ ନେଲା। ଏପରିକି ୧୯୫୨ ମସିହାର ନିର୍ବାଚନରେ ଏହି ଓଡିଶାରେ, 'ପ୍ରଲୋଭନ ଓ ଭୟ', ଏ ଉଭୟର ଭରପୁର ବ୍ୟବହାର ହୋଇଥିଲା। ତୁ ମନୋଜଦାସଙ୍କ ଅପହୃତ ଟୋପିର ରହସ୍ୟ ଓ ଆହୁରି କେତେ ଗଳ୍ପରୁ ଅନୁଭବ କରିପାରିବୁ ସ୍ବାଧୀନ ଦେଶର ପ୍ରଭାତ ସମୟ ମଧ୍ୟ କିଭଳି ଘନକୁହୁଡି ଆଛାଦିତ ହୋଇସାରିଥିଲା। ନେତା ମାନଙ୍କ ବିକଳ ଅବସ୍ଥା ଆମେ ସ୍ପଷ୍ଟ ଜାଣିପାରିବା। ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ଅନ୍ଧଦିଗନ୍ତ ପଢିବୁ, ସେ ନିଜେ ରାଜନେତା ଥିଲେ, ଏଣୁ ସେ ଟିକିନିଖି ବୁଝିଥିଲେ ତୁରନ୍ତ ଘୁଣଖିଆ ଏକ ଦେଶର ରାଜନୀତିକୁ। ଏଣୁ ଏହା ଯେ ଆଜି ଘଟିଲା ତାହା ନୁହେଁ। ତଫାତ ଏତିକି, ସେବେଳର ବଡନେତାମାନେ ଅଭିନୟ କରୁଥିଲେ ସେମାନେ ସ୍ବଛ, କିଛି ଜାଣୁନାହାନ୍ତି, ଯାହା ସବୁ ଅନ୍ୟାୟ, ଅନୀତି, ଦୁନ୍ନୀତି ସେମାନଙ୍କ ଅଗୋଚରରେ ହେଉଛି। ସେମାନେ ଯଦି ଜାଣନ୍ତେ ସାବାଡ୍ କରିଦିଅନ୍ତେ; ତେଣିକି ଆପଣା ଦଳର ହୁଅନ୍ତୁ ପଛେ। ସେମାନେ ବିଲେଇ ଭଳି ଆଖିବୁଜି ଦୁଗ୍ଧ ପିଉଥିଲେ। ଆଜି ଆଉ ସେମିତି ନାହିଁ, ଯେଉଁମାନେ ଖୋଲାମେଲା ଖରାପ ହେବେ ସେମାନେ ନେତା ହେବାପାଇଁ ସେତେ ଉତ୍ତମ ବୋଲି ବିଚାର କରାଯିବ। ଲୋକେ କହିବେ ଏ ହେଲା ଅସଲ ନେତା, ଖାଇବ ଓ ଖୁଆଇବ। କୋଟି କୋଟି ଟଙ୍କାର ମାଲିକ ବନିବ, କାହାକୁ ହାଣିବ, କାହା ମୁଣ୍ଡକୁ ଆଉଁସି ଦେଇ ତାକୁ ମଣିଷ କରିଦେବ। ଦଙ୍ଗା ହେଙ୍ଗାମର ଏ ବଡ ଓସ୍ତାଦ ଏଣୁ ଏ ନେତା ହେବାକୁ ପୁରା ଉପଯୁକ୍ତ। ସଙ୍ଗୀନ ଅପରାଧ କରି, ଲୋକେ ଜେଲରେ ରହି ମଧ୍ୟ ଜନମତକୁ କିଣି ପାରୁଛନ୍ତି। ଏପଟେ ଜନତାର ଏହି ଭାବନାକୁ ସେପଟେ ରାଜନୀତିରେ ପୁଞ୍ଜିନିବେଶକାରୀ ମାନଙ୍କ ଭାବନା ବି ତଦ୍ରୃପ। ଏହି ହେଲା ଅସଲ ନେତା। ଏହାକୁ ଚନ୍ଦ୍ରଗୁପ୍ତ କଲେ ଯାଇ ସେମାନେ ଚାଣକ୍ୟ। ଏ ଅବସ୍ଥା ଆଉ ଅନ୍ଧଦିଗନ୍ତ ନୁହେଁ, ମନେହୁଏ, ଆଦିଗନ୍ତ ଅନ୍ଧକାର। ସବୁ ସ୍ତମ୍ଭ ଭୁଶୁଡି ପଡିଛି। ଦୁଇଟା ସ୍ତମ୍ଭ ପ୍ରାରମ୍ଭରୁ ବରବାଦ ହୋଇସାରିଥିଲା ଗୋଟିଏ ଦୁନ୍ନୀତିରେ ଓ ଆଉଗୋଟିଏ ଦୁନ୍ନୀତି ପରିଚାଳନାରେ। ଲୋକଙ୍କ ଭରସା ଥିଲା ନ୍ୟାୟପାଳିକା ଓ ଚତୁର୍ଥ ସ୍ତମ୍ଭ ଉପରେ। ଭୟ ମଧ୍ୟ ଥିଲା। ନ୍ୟାୟପାଳିକା ଉପରେ ଭରସା ଓ ଭୟ କେତେ ଅଛି ଓ କେତେ କମିଛି ତାହା ସ୍ପଷ୍ଟ ହୋଇନାହିଁ। ଆଉକିଛିଦିନ ଲାଗିବ ଏକଥା ପରଦା ଉପରକୁ ଆସିବାକୁ। କିନ୍ତୁ ଚତୁର୍ଥ ସ୍ତମ୍ଭ ଉପରେ ଆଉ କାହାର ଭରସା ନାହିଁ କି ଭୟ ନାହିଁ। କିଏ କେତେ ପ୍ରକାରେ ଦୁଃଶବ୍ଦ ବ୍ୟବହାର କରିବାରେ ଆଉ କୁଣ୍ଠାବୋଧ କରୁନାହାନ୍ତି। ଏମାନଙ୍କ ଏମିତି ପାଇକାରୀ ବାଣିଜ୍ୟ ଏତେ ସହଜରେ ହୋଇଯିବା ଆଶ୍ଚର୍ଯ୍ୟ ଲାଗୁନି ବିକ୍ରମ। ଏ ସ୍ତମ୍ଭଟି ମୂଖ୍ୟତଃ ଥିଲା ବିରୋଧୀ ଭୂମିକାରେ; ଉନ୍ମୋଚନ କରୁଥିଲା ଅନ୍ୟାୟ ଓ ଦୁନ୍ନୀତି। ଏବେ କେବଳ ପ୍ରଶସ୍ତି ଗାନ ଓ ଅଧିକ ପ୍ରଶସ୍ତି ଗାନର ପ୍ରତିଯୋଗିତା।


କେବଳ ଦେଶ ନୁହେଁ, ବିଦେଶ ମାଟିରୁ ବି ନେତାଏ ପରିଚାଳନା କରୁଛନ୍ତି ଗଣତନ୍ତ୍ର। ସେଇଠି ଯୋଗାଡଯନ୍ତ୍ର କରି ଆପଣାର ବଡିମା ବଖାଣୁଛନ୍ତି ଓ ବିରୋଧୀଙ୍କ ବିରୁଦ୍ଧରେ ବିଷ ଓକାଳୁଛନ୍ତି, ଇଏ ତାକୁ ସେ ୟାକୁ। ଏମିତି କଲେ ଆମ ଗୋଲାମ ମାନସିକତା ଗ୍ରହଣ କରିନେବ ଅମୁକ ନେତା ଓ ସମୁକ ନେତା ବିଶ୍ବବନ୍ଦିତ। ଆଉ କିଏ କରିପାରୁଛି? ତେଣିକି ସେଠି ମଧ୍ୟ ଭଡାଟିଆଙ୍କ ଅଭାବ ନଥାଉ ପଛେ।


ଚୁଡାମଣିର କଥା, ମୁଁ ଆଉ ଶୁଣିପାରୁନଥିଲି, ମୋ କାନ ଭାଏଁ ଭାଏଁ କରୁଥିଲା। ମୋତେ ବହୁତ ଭୟ ଲାଗୁଥିଲା। ମନେ ହେଉଥିଲା ଉପରେ ବସିଥିବା ବଗମାନଙ୍କ ଗୋଡରେ ଯଦି କିଛି ଗୁଇନ୍ଦା ଉପକରଣ ଲାଗିଥିବ ତାହେଲେ ତ ଚୁଡାକୁ ନକ୍ସଲ ସାବସ୍ତ୍ୟ କରିଦେବେ ଓ ତା ସହିତ ମୁଁ ଶ୍ରୋତା ହିସାବରେ ଜେଲ ଯିବି। ମୁଁ ଛଟପଟ ହେଲି ଖସି ପଳାଇବାକୁ। କିନ୍ତୁ ମୋର ସୌଜନ୍ୟଭାବ ମୋତେ ବିରତ କଲା; ଏତେବର୍ଷ ପରେ ଅଚାନକ ଦେଖାହୋଇଛି ଶ୍ରେଣୀ ସାଥୀ, ଏ ରାସ୍ତା ତିଆରି ପାଇଁ ଟ୍ରାଫିକ ସମସ୍ୟା ନହୋଇଥିଲେ ଆମର ଦେଖା ହୋଇନଥାନ୍ତା। କମ୍ପାନୀ ରାସ୍ତା କରୁଛି କୁଆଡେ ମାଗଣା। କେବଳ ଯାହା କୋଡିଏ ବର୍ଷ ଟୋଲ ସଂଗ୍ରହ କରିବ। ହେଉ, ମଣିଷ ତ ଭଲରାସ୍ତାରେ ଯାଇପାରିବ।


ମୁଁ ସାମାନ୍ୟ ପ୍ରକୃତିସ୍ଥ ହୋଇ ପଚାରିଲି। - ତୁ ଖାଲି ସମସ୍ୟା କହୁଛୁ। ସମାଧାନ କଥା କହ। ଉପାୟ ବତା। 


- ଉପାୟର ଉଦୟ ଦୂରଦିଗବଳୟରେ ହେଲାଣି। ଆଦିଗନ୍ତ ଅନ୍ଧକାର ମଧ୍ୟରେ ସିନ୍ଦୁରା ଫିଟିଲାଣି, ସୂର୍ଯ୍ୟୋଦୟ ଆସନ୍ନ। ପକ୍ଷୀ ଫେରିବା ଆରମ୍ଭ କଲେଣି ବସାକୁ। ନାକଟେକି ସରକାରୀ ଶିକ୍ଷାକୁ, ପୁଅ ବୋହୁ ଘରଛାଡି ଧାଇଁଥିଲେ ସହର। ଏବେ ଫେରିବାର ବେଳ। ସରକାରୀ ଶିକ୍ଷା ଏଡେ ସୁନ୍ଦର ହେବ ଯେ ପିଲାଏ ଫେରିବେ ପାଠ ଦୋକାନ ମାନଙ୍କରୁ। ଫଳେନ ପରିଚୟତେ ବିକ୍ରମ। ସେମିତି ସ୍ବାସ୍ଥ୍ୟ, ସେଇଠି ମଧ୍ୟ ଦୀପ ଜଳିଲାଣି, ଅନ୍ଧକାର ଦୂର ହେଲାଣି। ପୁଞ୍ଜିନିବେଶକୁ ପ୍ରତିହତ କରି ଲୋକେ ଉତ୍ତମ ସରକାର ଗଢିବା ଆରମ୍ଭ କଲେଣି। ଦେଖିବୁ, ଯେମିତି ସବୁ ବଦଳି ଯାଇଥିଲା ପୁଞ୍ଜିବାଦୀଙ୍କ ଚକ୍ରାନ୍ତରେ ସେ ସବୁତକ ଗୋଟି ଗୋଟି ହୋଇ ଫେରିବ। ପୁଣି ମୁଁ ଅନୁଭବ କରିବି ମୋ ଦେଶ ମୋର। କେଇଜଣ ଲୋକ ଏହାକୁ କିଣିନେବେ ବାକିସବୁ ଆପଣା ଘରୁ ବେଘର ହେବେ, ନିଜ ଦେଶରେ ଦ୍ବିତୀୟ ଶ୍ରେଣୀ ନାଗରିକ ହେବେ? ଏହା ଆଦୌ ଚଳିବ ନାହିଁ। ଇନକିଲାବ ଜିନ୍ଦାବାଦ।


- ହେଉ, ଚୁଡା ତୋ ଅଭିଳାଷ ପୂର୍ଣ୍ଣ ହେଉ, ମୋର ତେଣେ ଅନେକ କାମ, ଫୋନରେ କଥାହେବା, ପୁଣି ଦେଖାହେବା କହି ମୁଁ ଚାଲିଆସିଲି।


ଏହାପରେ ମୁଁ ତ ଆଉ ଯୋଗାଯୋଗ ରଖିନଥିଲି, ସେ ଫୋନକଲେ ଉଠାଉନଥିଲି। କିଏ ଏ ଆଡବାଇଆ ବୁଦ୍ଧିରେ ନାଚିବ? ମୋର ବିଶ୍ୱାସ ତା ଫୋନକୁ ପେଗାସସ ନା ଭେଗାସସ ନଜର ରଖିଥିବ। ତା ସହ ସମ୍ପର୍କ ରଖିଲେ ବିପଦ।


ଏହାର କିଛିମାସ ପରେ ଦେଶଦ୍ରୋହ ମାମଲାରେ ଚୁଡା ଗିରଫ ହୋଇଗଲା। ମୋ ଆଖିରୁ ଠପ ଠପ ଲୁହ ଗଡିପଡିଲା। ମୁଁ ଚିତ୍କାର କରିଉଠିଲି ଏହା ଅସତ୍ୟ। ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଲା ସେ କାଳେ ନେପାଳ ସରକାରଙ୍କ ଦଲାଲ ହିସାବରେ ଦେଶବିରୋଧୀ କାମ କରୁଥିଲା। ପ୍ରବକ୍ତାମାନେ ଘଣ୍ଟା ଘଣ୍ଟା ଗପିଲେ ଚୁଡା ବାବଦରେ। ମୋର ଇଛା ହେଉଥିଲା କେଉଁ ଗୋଟେ ଟିଭିରେ କହିବି ଚୁଡା ବିରୁଦ୍ଧରେ ବକୁଥିବା ସମସ୍ତେ ହେଲେ ପିଶାଚ, ନରାଧମ।


ମୁଁ ଚୁଡାର ଭଣଜା ପାଖକୁ ଗଲି। ତାକୁ ସାହସ ଦେଲି। ଆମର ଆଉଜଣେ ସାଥୀ ଅବିନାଶ ଏବେ ଶାସକ ଦଳର ଉଚ୍ଚ ପାହ୍ୟାର ନେତା। ସେ ନାମକରା ଆଇନଜୀବୀ ମଧ୍ୟ। ତା ପାଖକୁ ଗଲୁ।


- ହଇରେ ଅବିନାଶ, ତୁ କଣ ଚିହ୍ନି ନାହୁଁ ଚୁଡାମଣିକୁ। ସେ ଦେଶଦ୍ରୋହୀ? ତାକୁ ନେଇ ଜେଲରେ ପୁରାଇଛ, ତୁମକୁ ଧର୍ମ ସହିବ? ତାକୁ କଣ କେମିତି ବୁଦ୍ଧିକରି ମୁକୁଳେଇବା ବ୍ୟବସ୍ଥା କର। 


- ମୁଁ କଣ କରିବି। ମୁଁ କହିଦେଲେ କଣ ଚୁଡା ତୁଳସୀ ହୋଇଯିବ। ଶହେଥର କହିଲି ତାକୁ ଏମିତି ଉଦ୍ଧତ ନହେବାକୁ, ସରକାରଙ୍କୁ ସମାଲୋଚନା ନକରିବାକୁ; ସେ କଣ ଶୁଣିଲା? ମୋ ପାଖରେ ଆହୁରି ଅଧିକ ଫୁଟାଣି ମାରିବ। ସବୁ ବ୍ୟବସ୍ଥା କରି ଡାକିଲି, ଆ ଆମ ଦଳରେ ମିଶିଯା। ତୁ ଛାତ୍ରସଂଘ ସଭାପତି ଥିଲୁ, ବହୁତ ପ୍ରକାରେ ବୁଦ୍ଧି ଖଟାଇ ସମାଲୋଚନା କରିପାରୁଛୁ। ଆମପାଇଁ ମୂଲ୍ୟବାନ ହେବୁ। ତୋତେ ଅଧିକ ଗୁରୁତ୍ୱ ଦିଆଯିବ। ସେ ଶୁଣିଲା ନାହିଁ। କହିଲା, ଆମଦଳ କୁଆଡେ ଏକ ରାଜନୈତିକ ଦଳନୁହେଁ, ଏକ ଦୁଷ୍ଟଶକ୍ତି। ସାହସ, ଦମ୍ଭ ଓ ଅହମିକାରେ ସେ ଯେମିତି ଜୁଲିୟସ ସିଜରଙ୍କୁ ବି ଟପିଯିବ। ତୁ କଣ ଭାବୁଛୁ ବିକ୍ରମ, ମୋ ମନରେ ତାପାଇଁ ଦୁଃଖ ନାହିଁ। ହେଲେ ମୁଁ କିଛି କରିପାରିବି ନାହିଁ, ଏହା ଅତି ଉପର ମହଲର ନିଷ୍ପତ୍ତି। 


- ଉପର ମହଲ? ତୁ ଓଡ଼ିଶାର ଆଗଧାଡିର ନେତା, ତୁ ଉପର ମହଲର ନୋହୁଁ? ଓଡିଆ ନେତା କଣ କେବଳ ବୋକଚାବୁହା, ଜୀ ହାଁ କରିବା ନେତା? ସବୁକାଳରେ ସବୁଦଳରେ ଓଡିଆ ନେତା ପଛରେ କାହିଁକି? ନେତା ଭାବେ ପଛରେ ଥା କିନ୍ତୁ ଓକିଲ ହିସାବରେ ତ ଆଗରେ। ଆଇନ ବାଟରେ ତା ପାଇଁ ଲଢେଇ କରି ତାକୁ ମୁକୁଳାଇ ଦେ।


- ଆଛା କଥା କହୁଛୁ। ଚୁଡା ପାଇଁ ଲଢିବା ମୋ ପକ୍ଷେ କେବେ ସମ୍ଭବ ହେବ? ରାଷ୍ଟଭକ୍ତିରେ ଭାଇ ବନ୍ଧୁ କୁଟୁମ୍ବର ସ୍ଥାନ କାହିଁ?


- ସେ ସିଜର ହେଉକି ନହେଉ, ତୁ ତ ବ୍ରୁଟାସ୍ ଭଳି କଥା କହୁଛୁ। ଭୁଲିଗଲୁ, ଏଇ ଚୁଡା, ଦିନେ ମାଲଗୋଦାମ ଥାନାରୁ ତୋତେ ମୁକୁଳାଇ ଥିଲା! କେଶ୍ ପୁଣି ଯାହା? ଏବେ ମନଇଛା ସଜମାଛରେ ପୋକ ପକାଇ ଜଣେ ଅତି ସତ ମଣିଷକୁ ଦେଶଦ୍ରୋହୀ ସଜାଇ କହୁଛୁ କଣ ନା; ରାଷ୍ଟ୍ରଭକ୍ତି। ତୋ ରାଷ୍ଟ୍ରଭକ୍ତି ଯଦି ପଚାଶ ହୁଏ , ଚୁଡାର ହେବ ଶହେ। 


ଭାବାବେଗରେ କହିଦେଲି ସିନା, ପରମୂହୁର୍ତ୍ତରେ ଲଜ୍ଜିତ ଅନୁଭବ କଲି। କ୍ଷମା ମାଗିଲି। ବଡ ଅନୁନୟ ହୋଇ କହିଲି, - ଦେଖ୍ ଭାଇ, କିଛି ଗୋଟେ ବାଟ ବାହାରକର। ଆମରି ସାଙ୍ଗ, ବିନା ଦୋଷରେ ଜେଲରେ ରହିବା ଶୋଭା ପାଇବ? ସାମାନ୍ୟ ରାଜନୈତିକ ଉଚ୍ଚାକାଂକ୍ଷା ପାଇଁ ତୁ ପଛାଇ ଯା ନା। 


କେଜାଣି କାହିଁକି, ଯେଉଁ ଚୁଡାମଣିକୁ ଗତ କେତେ ମାସ ଧରି ମୁଁ ଲୁଚୁଥିଲି, ବିପଦ ବୋଲି ଭାବୁଥିଲି, ଏବେ ତା ପ୍ରତି ଅନ୍ୟାୟ କିନ୍ତୁ ମୁଁ ଆଦୌ ସହି ପାରୁନଥିଲି। ମୁଁ ଏକରକମ ଅବିନାଶର ହାତଗୋଡ ଧରି ନେହୁରା ହେଲି।


- ରାଜନୈତିକ ମହତ୍ତ୍ୱକାଂକ୍ଷୀ ବ୍ରୁଟାସ୍ ମୁଁ ନୁହେଁ। ମୁଁ କେବଳ ଚାହୁଁଛି ଚୁଡା ପାଇଁ। ସେ ଆମ ଦଳକୁ ଚାଲିଆସୁ। ଆମେ ମିଳି ମଶି ଦେଶ ଓ ରାଜ୍ୟଗଠନରେ ମନଦେବୁ। ତୁ କଣ ଜାଣିନୁ ଆମଦଳରେ ଯୋଗଦେଲେ ମଣିଷର ପରିବର୍ତ୍ତନ ହୋଇଯାଏ, ସେ ଉତ୍ତମ ହେବା ଧାର୍ଯ୍ୟ। ଚୁଡାର ପ୍ରାଧାନ୍ୟ ମୋଠାରୁ ଆଗରେ ରହିବ, ଏକଥା ମଧ୍ୟ ମୁଁ ଜାଣିଛି। ତଥାପି ମୁଁ ତାକୁ ରାଷ୍ଟ୍ରହିତରେ ଆମଦଳକୁ ଆଣିବାକୁ ଚାହୁଁଛି।


ମୁଁ କହିଲି, - ଆଛା ହେଉ, ମୁଁ ତାକୁ ଜେଲରେ ଦେଖାକରି ଏକଥା ବୁଝାଇବି। କେଜାଣି ସେ ରାଜି ହେବ କି ନାହିଁ?


ଆମେ ଯେତେ ମନାଇଲେ ବି ଚୁଡା ରାଜି ହେଲା ନାହିଁ। କହିଲା ଯେ ବରଂ ମୃତ୍ୟୁ ଶ୍ରେୟସ୍କର।


ଆମେ କିନ୍ତୁ ମିଥ୍ୟା କହିଲୁ ଅବିନାଶକୁ, ହଁ ଚୁଡା ଆଉ ଆଦୌ ସମାଲୋଚନା କରିବ ନାହିଁ ଏବଂ ତୁମ ଦଳରେ ଯୋଗ ଦେବ। ଓ ହୋ, ସେ ଆଗେ ବାହାରି ଆସୁ। ସେପଟେ ଚୁଡାକୁ ମଧ୍ୟ ମିଛ କହିଲୁ କି ଆଇନଜୀବୀ ବନ୍ଧୁ ହିସାବରେ ଅବିନାଶ ସାହାଯ୍ୟ କରିବ, ତୁ ଓକଲାତିନାମାରେ ସମ୍ମତି ଦେବୁ, ସହଯୋଗ କରିବୁ। ଏମିତି ଟିକେ ରାଜନୀତି କରିଦେଲୁ ଭଣଜା ଓ ମୁଁ। 


ଭଡାଟିଆ ଟିଭିରେ ଗର୍ଜନ କରୁଥାନ୍ତୁ ଚୁଡା ବିରୁଦ୍ଧରେ, ଏପଟେ ଟିଭି ନଦେଖୁଥିବା ଚୁଡାଅନୁଗାମୀ ମାନେ ମେଳି ବାନ୍ଧୁଥିଲେ। ଗତ ଦୁଇବର୍ଷର କରୋନା କାଳରେ କାୟୋମନବାକ୍ୟରେ ଯେଉଁ ଲୋକଟି ସାହାଯ୍ୟ କରିଥିଲା, ଦିନରାତି ଏକାକାର କରିଥିଲା ତା ପ୍ରତି ଅନ୍ୟାୟକୁ ସହିପାରୁନଥିଲେ ସେହି ଜଡ ଜନତା। ଜେତିକି ଦିନ ଗଡୁଥାଏ ସେତିକି ମଜବୁତ ହେଉଥାଏ ଏ ମେଳି। ଛାଆଁକୁ ବାହାରି ପଡିଲେ ତାଙ୍କ ନେତା। ରାସ୍ତା ଅବରୋଧ କଲେ, ଥାନା ଘେରାଉ କଲେ। ଏମାନଙ୍କ ଚାପଯୋଗୁ ଅବା ଅବିନାଶର ବୁଦ୍ଧି ଯୋଗୁ କହିହେବନି କିନ୍ତୁ ଅଚିରେ ମୁକ୍ତ ହେଲା ଚୁଡାମଣି। ହଜାର ହଜାର ଜଡ ଜନତା ଗଡ ଜିତିବା ପ୍ରାୟ କାନ୍ଧର ବୋହିନେଲେ ତାଙ୍କ ଆଡବାଇଆ ନେତା ଚୁଡାମଣିଙ୍କୁ। ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶର ଏହାଠୁ ଭଲ ବ୍ୟବସ୍ଥା କଣ ଆଉ ଅଧିକ ହୋଇଥାନ୍ତା। ଅବିନାଶ, ଏ ପରିସ୍ଥିତିର ଚାପରେ ଆଉ ସାହସ କଲାନାହିଁ ଚୁଡାକୁ ଦଳକୁ ଡାକିବାକୁ।  


ଉଭୟ ଉଭୟଙ୍କ ବାଟରେ ଆଜି ବିଧାୟକ। ଆଉ ମୁଁ? ମୋର ମନେ ହୋଇଥିଲା, କେହି ନଜାଣନ୍ତୁ ଏ ଘଟଣା ସହ ମୁଁ ଜଡ଼ିତ ହୋଇଥିଲି ବୋଲି। ମୁଁ ଭୟର ଦାସ। ମୋ ନିଜ ସ୍ବାର୍ଥ, ନିଜ ଚାକିରି, ନିଜ ସଙ୍କୁଚିତ ବଳୟ ମଧ୍ୟରେ ବନ୍ଦୀ ମୁଁ ଏକ ସାଧାରଣ ଜୀବ, ସେହି ମୋର ସ୍ବର୍ଗ ସେହି ମୋର ନର୍କ, ଆଦିଗନ୍ତ ଅନ୍ଧକାରରେ ଆପଣାର କମ୍ବଳ ମଧ୍ୟରେ ଉଷୁମରେ ଥିବା ମଣିଷ ମୁଁ। ଦୁଇସାଙ୍ଗ ଦୁଇ ଟାଣୁଆ ବିଧାୟକ ଅଥଚ ମୋ ଦେହ ଥରିଉଠେ ରାଜନୀତି ନାମ ଧରିଲେ। ଏ ବି ଏକ ଆନ୍ଦୋଳନ, ଏଡେଇ ଯିବାର ଆନ୍ଦୋଳନ, ଜଣେ ଭୀରୁର ନୀରବତାର ଇନକିଲାବ' ଜିନ୍ଦାବାଦ, ଜିନ୍ଦାବାଦ।


Rate this content
Log in

Similar oriya story from Drama