(୮)* ବୀର ଛତ୍ରପତି ଶିବାଜୀ *
(୮)* ବୀର ଛତ୍ରପତି ଶିବାଜୀ *
ଭାରତୀୟ ଇତିହାସ ଖୁବ୍ ଘଟଣା ବହୁଳ। ଅନେକ ମହାନ ଚରିତ୍ର କୁ ନେଇ ଏହା ରୁଦ୍ଧିମନ୍ତ । ଯଦି ସେମାନଙ୍କ ର କୈାଣସି ମହତ୍ତ୍ଵ ନଥାନ୍ତା ତେବେ ବର୍ତ୍ତମାନ ସେମାନଙ୍କୁ କେବେ ବାରମ୍ବାର ମନେ ପକାଇ ଗର୍ବିତ ହୋଇ ନଥାନ୍ତା । ସେହିପରି ଏକ ଐତିହାସିକ ଚରିତ୍ର ମହାନ୍ ମରାଠା ଯୋଦ୍ଧା "ଛତ୍ରପତି ଶିବାଜୀ ମହାରାଜ" । ନିଜର ଅଦ୍ଭୁତ ପରାକ୍ରମ ଏବଂ ରାଜ୍ୟ ପରିଚାଳନା ପାଇଁ ଏ ଭାରତବର୍ଷ ସଦେବ ତାଙ୍କୁ ସମ୍ମାନ ର ସହ ସ୍ମରଣ କରୁଥିବ ।
ଷୋହଳଶ ଶତାବ୍ଦୀରେ ଶିବାଜୀ ଏକ ମରାଠା ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । କିଛି ଇତିହାସକାର ତାଙ୍କର ଜନ୍ମ ୧୬୨୭ କହୁଥିବା ବେଳେ କିଛି ୧୬୩୦ ବୋଲି ମତପ୍ରକାଶ କରନ୍ତି । ସେ ଯାହା ହେଉ, ସମସ୍ତେ ଏଥିରେ କିନ୍ତୁ ଏକମତ ଯେ ଶିବାଜୀ ପିତା ସାହାଜୀ ଭୋସଲେ ଏବଂ ମାତା ଜୀଜିବାଈଙ୍କର ସାହସୀ ସୁପୁତ୍ର ଥିଲେ, ଯିଏ ହିନ୍ଦ୍ ସ୍ବରାଜ ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଥିଲେ ।
ଶିବାଜୀ ଙ୍କ ପିତା ଥିଲେ ଶାସକ ଆଦିଲ ଶାହାର ଅଧିନରେ ଜଣେ ବୀର ସେନା ନାୟକ । ତେଣୁ ଘର ଠାରୁ ସେ ସବୁବେଳେ ଦୂରରେ ହିଁ ରହୁଥିଲେ । ଶିବାଜୀଙ୍କ ବାଲ୍ୟକାଳ ତାଙ୍କ ମା' ଜୀଜାବାଈଙ୍କ ସଂସ୍ପର୍ଶରେ ହିଁ ବିତିଥିଲା । ତାଙ୍କରି ପ୍ରେରଣାରେ ସେ ରାମ, କୃଷ୍ଣ ପରି ଆଦର୍ଶ ଚରିତ୍ର ଦ୍ଵାରା ପ୍ରଭାବିତ ହୋଇ , ଆଜୀବନ ଜଣେ ଉଦାର ହିନ୍ଦୁ ଶାସକ ଭାବେ ଗୈାରବ ପୂର୍ଣ୍ଣ ଇତିହାସ ରଚିଯାଇଛନ୍ତି ।
ମହାରାଷ୍ଟ୍ରର ପୁନେ ନିକଟରେ ଶିବାଜୀଙ୍କ ଜନ୍ମ ଏବଂ ଲାଳନପାଳନ । ବାଲ୍ୟ କାଳରୁ ମା' ଜୀଜାବାଈ ଏବଂ ଗୁରୁ ଦାଦଜୀ କୋଣ୍ତେଙ୍କ ଶିକ୍ଷା ଦିକ୍ଷା ରୁ ଶିବାଜୀ ଏତେ ପ୍ରଭାବିତ ହୋଇଥିଲେ ଯେ ସହଜରେ ବୁଝି ଯାଇଥିଲେ ଦେଶକୁ ସ୍ବାଧୀନ କରିବା ପାଇଁ ହେଲେ ବ୍ରିଟିଶ ଏବଂ ମୋଗଲ ମାନଙ୍କ ହାତରୁ କଳେ ବଳେ କୈାଶଳେ ଶାସନଭାର ଛଡାଇ ନେବାକୁ ହେବ । ଏଥିପାଇଁ ପ୍ରଥମେ ଏକ ଶକ୍ତିଶାଳୀ ସୈନ୍ୟ ବାହିନୀ ଲୋଡ଼ା । ଯାହା ସାହାଯ୍ୟରେ ସେ ମୋଗଲମାନଙ୍କ ଠାରୁ ଦୂର୍ଗ ସବୁକୁ ଅଧିକାର କରି ପାରିବେ । ସେ ଭଲ ଭାବରେ ଜାଣି ଥିଲେ ଯେ ଥରେ ଦୁର୍ଗ ସବୁକୁ ଅଧିକାର କରି ପାରିଲେ , ତେଣିକି ମୋଗଲ ସାମ୍ରାଜ୍ୟ କୁ ପରାସ୍ତ କରିବା ସହଜ ହୋଇଯିବ ।
ନିଜ କାର୍ଯ୍ୟ ପନ୍ଥାକୁ ରୂପ ଦେବା ନିମନ୍ତେ ପ୍ରଥମେ ସେ ବିଜାପୁର ନିକଟବର୍ତ୍ତୀ ମାଭାଲ ସଂପ୍ରଦାୟର ଲୋକଙ୍କୁ ଏକତ୍ରିତ କରି, ସୈନ୍ୟ ବାହିନୀ ଗଠନ କରିବା ଆରମ୍ଭ କଲେ ।ମାଭାଲ ସଂପ୍ରଦାୟର ଯୁବକ ମାନେ ଖୁବ ପରିଶ୍ରମୀ ଏବଂ ସାହସୀ ଥିଲେ । ଶିବାଜୀ ଙ୍କୁ ସେମାନେ ନିଜର ଆଦର୍ଶ ରୂପେ ଗ୍ରହଣ କରି, ମୋଗଲ ଦୁର୍ଗ ସବୁକୁ ଅଧିକାର କଲେ । ଶିବାଜୀଙ୍କ ର ଏହି କାର୍ଯ୍ୟରେ କ୍ରୋଧିତ ହୋଇ ଆଦିଲ ଶାହା ଶିବାଜୀଙ୍କ ପିତା ଙ୍କୁ ବନ୍ଦୀ କଲା ।ପରେ ୧୬୪୮ ମସିହାରେ ଶିବାଜୀଙ୍କ ସହ ସନ୍ଧି ହେବା ପରେ ସେ ସାହାଜୀ ଭୋସଲେ ଙ୍କୁ ମୁକ୍ତ କଲା । ସେଇ କିଛି ବର୍ଷ ନିଜ କାର୍ଯ୍ୟ କଳାପକୁ ବନ୍ଦ ରଖି ଶିବାଜୀ ସୈନ୍ୟ ବାହିନୀ କୁ ମଜବୁତ କରିବାରେ ଧ୍ୟାନ ଦେଲେ ।
ଛଅ ସାତ ବର୍ଷ ପରେ ଶିବାଜୀ ନିଜ ସୈନ୍ୟ ବାହିନୀ ସହ ଆଦିଲ ଶାହାର ଦୂର୍ଗ ସମୁହକୁ ଆକ୍ରମଣ କରି"ଜାବଲି " ଦୁର୍ଗ କୁ ନିଜ ଅଧିନକୁ ନିଅନ୍ତି । ଏଥିରେ କ୍ରୋଧାନ୍ୱିତ ହୋଇ ଆଦିଲ ଶାହା, ନିଜର ସବୁଠାରୁ ଶକ୍ତିଶାଳୀ ଜେନେରାଲ ଅଫଜଲ ଖାନ୍ କୁ ଯୁଦ୍ଧ ପାଇଁ ପ୍ରେରିତ କରେ । ହେଲେ ସେ ମଧ୍ୟ ଶିବାଜୀ ଙ୍କୁ ପରାସ୍ତ କରି ପାରେ ନାହିଁ ଏବଂ ଶେଷରେ ସନ୍ଧି ପ୍ରସ୍ତାବ ଦିଏ ।
ପ୍ରତାପଗଡ ଦୁର୍ଗ ନିକଟରେ ଆଲୋଚନା ହୁଏ ।ଯେଉଁଠି ପ୍ରଥମେ ବିଶ୍ବାସ ଘାତକତା କରି ଅଫଜଲ ଖାନ୍ ଶିବାଜୀ ଙ୍କୁ ଆକ୍ରମଣ କରେ , ଶେଷରେ ଶିବାଜୀଙ୍କ ଦ୍ଵାରା ନିଜେ ବାଘନଖରେ ଆଘାତ ପ୍ରାପ୍ତ ହୋଇ ମୃତ୍ୟୁ ବରଣ କରେ । ପରେ ତା'ର ସେନା ସହ ଭୀଷଣ ଯୁଦ୍ଧ କରି ପ୍ରତାପଗଡ଼ ଦୁର୍ଗ କୁ ଶିବାଜୀ ଅଧିକାର କରି ନିଅନ୍ତି ।
ଏହି ଘଟଣା ପରେ ମୋଗଲ ସାମ୍ରାଜ୍ୟ ଭିତରେ ଶିବାଜୀ ଙ୍କୁ ନେଇ ଭୟବଢେ । ଆଉରଙ୍ଗଜେବ ଶିବାଜୀଙ୍କ ସହ ସନ୍ଧି ଚାହେଁ । କଥା ବାର୍ତ୍ତା ଚାଲିଥାଏ , ଏପଟେ ଗରିଲା ଯୁଦ୍ଧରେ ନିପୁଣ ଶିବାଜୀ , ଗୋଟିଏ ପରେ ଗୋଟିଏ ଦୁର୍ଗ ଅଧିକାର କରୁଥାନ୍ତି । ୧୬୬୦ ସେ ଆଦିଲ ଶାହା ଠାରୁ " "ପନହାଲା " ନାମକ ବିରାଟ ଦୁର୍ଗ କୁ ଛଡେଇ ନିଅନ୍ତି । ଏଥିରେ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ଆଦିଲ ଶାହା ସିଦ୍ଧି ଜୋହର ନାମକ ନିଜର ଜଣେ ଶକ୍ତିଶାଳୀ ଜେନେରାଲ କୁ ଇଂରେଜ ମାନଙ୍କ ଗୋଳାବାରୁଦ ଏବଂ ମୋଗଲ ସେନା ବାହିନୀ ସହ ଶିବାଜୀ ଙ୍କୁ ଯୁଦ୍ଧ କରି ଧରି ଆଣିବା ପାଇଁ ପଠାଏ । ଭୀଷଣ ଯୁଦ୍ଧ ହୁଏ , ଦୁର୍ଗ ପୁଣି ଆଦିଲ ଶାହା ଜିତି ନିଜ । ଶିବାଜୀଙ୍କ ସୈନ୍ୟ ବାହିନୀ ର ପରାଜୟ ହୁଏ ।
୧୬୬୩ରେ ଶିବାଜୀ ଏଘଟଣାର ପ୍ରତିଶୋଧ ସ୍ବରୂପ ,ରାଜାପୁରରେ ଥିବା ଇଂରେଜ ମାନଙ୍କ ଗୋଳାବାରୁଦ କାରଖାନାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦିଅନ୍ତି । ଶିବାଜୀ ଙ୍କ ପରାକ୍ରମ ରେ ବିଚଳିତ ହୋଇ, ଆଉରଙ୍ଗଜେବ ଶେଷରେ ନିଜ କାକା ଶ୍ରେଷ୍ଠ ଖାଁ କୁ ପଠାଏ ଶିବାଜୀଙ୍କୁ ଧରିବା ପାଇଁ । ସେତେବେଳକୁ ମୋଗଲମାନଙ୍କ ବିରୋଧରେ ଶିବାଜୀ ଯୁଦ୍ଧ ଘୋଷଣା କରିଦେଇଥାନ୍ତି । ଏଥର ଯୋଜନା ମୁତାବକ ଶ୍ରେଷ୍ଠ ଖାଁ, ଆଦିଲ ଶାହା ଏବଂ ବ୍ରିଟିଶ ସୈନ୍ୟ ବାହିନୀ ମିଶି , ଶିବାଜୀ ରହୁଥିବା ଲାଲମହଲ କୁ ଆକ୍ରମଣ କରି ନିଜ ଅଧିନକୁ ନେଇ ନିଅନ୍ତି । ଶିବାଜୀ ଏକା ମୁକାବିଲା କରି ନପାରି ସେ ସ୍ଥାନ ପରିତ୍ୟାଗ କରି ବିଜାପୁର ରେ ଆଶ୍ରୟ ନିଅନ୍ତି । ସେଠି ମଧ୍ୟ ତାଙ୍କୁ ଧୋକା ମିଳେ ଏବଂ ସେ ଜଙ୍ଗଲକୁ ପଳାନ୍ତି ।
ସମୟ କ୍ରମେ ପୁଣି ଶିବାଜୀ ଛଦ୍ମବେଶରେ ନିଜ ସୈନ୍ୟ ମାନଙ୍କ ସହ ଲାଲ୍ ମହଲରେ ପଶି ଶ୍ରେଷ୍ଠ ଖାଁ କୁ ଆକ୍ରମଣ କରି କିଲ୍ଲା କୁ ଅଧିକାର କରନ୍ତି ।ଏଥର ନିଷ୍ଠୁର ଶକ୍ତିଶାଳୀ ଜେନେରାଲ ଜୟ ସିଂ ସାହାଯ୍ୟରେ , ଶିବାଜୀଙ୍କୁ ଧରିବା ପାଇଁ ଆଉରଙ୍ଗଜେବ ଯୋଜନା କରେ । ଭୀଷଣ ଯୁଦ୍ଧ ହୁଏ ଦୁହିଁଙ୍କ ମଧ୍ୟରେ । ଅନ୍ତତଃ ୧୬୬୫ ରେ ପୁରିନ୍ଦର ଚୁକ୍ତି ହୁଏ ଏବଂ ଜୟ ସିଂ ର ମଧ୍ୟସ୍ଥତାରେ ଶିବାଜୀ ଆଉରଙ୍ଗଜେବ ସହ ସାକ୍ଷାତ ଆଲୋଚନା କରିବାକୁ ଯାଆନ୍ତି ।ସେଠାରେ ତାଙ୍କୁ ଖୁବ୍ ଅପମାନିତ ହେବାକୁ ପଡ଼େ । ଅଧିକନ୍ତୁ ଆଉରଙ୍ଗଜେବ ତାଙ୍କୁ ନଜର ବନ୍ଦ କରି ନିଏ । ହେଲେ କୈାଶଳ କ୍ରମେ ଶିବାଜୀ ମିଠେଇ ପାଛିଆରେ ବସି ସେଠାରୁ ମୁକୁଳି ଆସନ୍ତି ।
ପରେ ଶିବାଜୀ ମୋଗଲ ମାନଙ୍କୁ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଛନ୍ତି । ତଥାପି ସେମାନେ କେବେ ଶିବାଜୀଙ୍କୁ ଧରିବାରେ ସମର୍ଥ ହୋଇ ନାହାଁନ୍ତି । ଧିରେ ଧିରେ ଶିବାଜୀ ଦାକ୍ଷିଣାତ୍ୟରେ ମଧ୍ୟ ନିଜର ପ୍ରତିପତ୍ତି ବଢ଼ାଇବାରେ ସକ୍ଷମ ହୁଅନ୍ତି ଏବଂ ଭାରତର ଅଧିକାଂଶ ଅଞ୍ଚଳକୁ ନିଜ ଅଧିନରେ ନିଅନ୍ତି ।୧୬୭୪ ରେ ମୋଗଲ ଯୁଗରେ ,ପ୍ରଥମ ମରାଠା ରାଜା ଭାବେ ତାଙ୍କର ରାଜ୍ଯାଭିଷେକ ହୁଏ। ତାଙ୍କୁ "ଛତ୍ରପତି ଶିବାଜୀ " ନାମରେ ସମ୍ମାନିତ କରାଯାଏ ।
କିଛି ବର୍ଷ ମାତୃଭୂମି ର ସେବା କରିବା ପରେ ଶିବାଜୀ ହଠାତ୍ ଅସୁସ୍ଥ ହେବାକୁ ଆରମ୍ଭ କରନ୍ତି ।୧୬୮୦ ଖ୍ରୀଷ୍ଟାବ୍ଦ ରେ ମାତ୍ର ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଏ । ଏତେ ଅଳ୍ପ ବୟସରେ ଦେଶ ପାଇଁ ସେ ଯାହା କରି ଯାଇଛନ୍ତି, ସେଥିଲାଗି ସେ ଭାରତୀୟ ମାନଙ୍କ ର ଗର୍ବ ଏବଂ ଗୌରବ । ଦେଶ ପାଇଁ ତାଙ୍କ ର ଅବଦାନ ଅତୁଳନୀୟ । ହୁଏତ ସେ ଆଉ କିଛି ବର୍ଷ ଜୀବିତ ରହିଥିଲେ ଦେଶର ପରିଦୃଶ୍ୟ କିଛି ଅଲଗା ହୋଇଥାନ୍ତା । ହୋଇ ପାରେ ବ୍ରିଟିଶ ମାନେ ବହୁ ପୂର୍ବରୁ ଏ ଦେଶରୁ ଚାଲି ଯିବାକୁ ବାଧ୍ୟ ହୋଇଥାନ୍ତେ । ଦେଶରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇ ଥାନ୍ତା ।
ଶିବାଜୀ ଙ୍କ ପରି ଶାସକ ପ୍ରଶାସକ ଯୋଦ୍ଧା ନିପୁଣ ସେନାପତି ଇତିହାସ ରେ ବିରଳ । ତାଙ୍କ ଦେଶ ପ୍ରେମର ଗୈାରବ ଗାଥା ଚିର ସ୍ମରଣୀୟ ହୋଇ ଭାରତୀୟ ମାନଙ୍କ ହୃଦୟରେ ରହିଥିବ । ଇତିହାସ ରେ ସେଥିପାଇଁ ତାଙ୍କ ନାଁ ଯୁଗେ ଯୁଗେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ଆସିଛି, ଆଗକୁ ମଧ୍ୟ ରହିଥିବ।
