ଯୁଗେ ଯୁଗେ ଗୁରୁ
ଯୁଗେ ଯୁଗେ ଗୁରୁ
ଗୁରୁ ଗରୀୟାନ ଗୁରୁ ଯେ ମହାନ
ଯୁଗେ ଯୁଗେ ଅଛି ରହି
ଗୁରୁ ପରଂବ୍ରହ୍ମ ସତ୍ୟ ସନାତନ
ପ୍ରମାଣ ରଖିଛି ମହୀ ll1||
ଅଜ୍ଞାନ ଅନ୍ଧାରୁ ଆଲୋକେ ନିଅନ୍ତି
ଜୀବନ ନାଉରି ସେହି
ଗୁରୁ ବିନା କିଏ ପାଇଛି କି ଯଶ
ଏ ସଂସାରେ କହ କେହି ||2||
ଥିଲେ ଗୁରୁଦେବ ବୃହସ୍ପତି ଯୋଗୁଁ
ଦେବେ ହୋଇଲେ ଉଦ୍ଧାର
ଅସୁରଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ବୋଲି
ବହପ କେତେ ତାଙ୍କର ll3||
କଚ୍ଚଦେବଯାନୀ କଥା କେ ନଜାଣେ
ଶୁକ୍ରାଚାର୍ଯ୍ୟ ଯାହା କଲେ
ସଂଜୀବନୀ ପାଇ ପେଟକୁ ବିଦାରି
ଗୁରୁଙ୍କୁ ଜୀବନ ଦେଲେ ll4||
ନାରଦଙ୍କ ଠାରୁ ଧ୍ରୁବ ପ୍ରହଲ୍ଲାଦ
ଜ୍ଞାନର ପଥକୁ ପାଇ
ସିଦ୍ଧି ପ୍ରାପ୍ତ ହେଲେ ମୁକତି ଲଭିଲେ
ସରଗେ ରହିଲେ ଯାଇ ll5||
ବିଶ୍ଵାମିତ୍ର ଗୁରୁ ରାମଚନ୍ଦ୍ର ପାଇଁ
କେତେ ଅସୁର ନାଶିଲେ
ରଘୁକୁଳ ଯଶ ଯୁଗ ଯୁଗ ପାଇଁ
ଏ ଧରାରେ ସେ ରଖିଲେ ll6||
ସନ୍ଦୀପନି ଗୁରୁ ପାଇ କଳା କାହ୍ନୁ
ଦ୍ୱାପରେ ଧନ୍ୟ ହୋଇଲେ
ଅଧର୍ମୀ ବିନାଶି ଧରମ ପ୍ରତିଷ୍ଠି
ନାମ ଯଶ ସେ ଥୋଇଲେ ll7||
ଏକଲବ୍ୟ ଗୁରୁ ଥିଲେ ଦ୍ରୋଣାଚାର୍ଯ୍ୟ
ଆଙ୍ଗୁଠି ଦାନ ସେ ଦେଲେ
ସେହି ଗୁରୁ ପୁଣି ଗାଣ୍ଡିବଧାରିଙ୍କୁ
ଶ୍ରେଷ୍ଠ ଧନୁର୍ଦ୍ଧାରୀ କଲେ ll8||
ଶଙ୍କରାଚାର୍ଯ୍ୟଠୁ ଜଗଦଗୁରୁ ପଦ
ଚାରିଧାମେ ରହି ଗଲା
ସନାତନ ଧର୍ମେ ଗୁରୁପରମ୍ପରା
ଅତୀବ ମହାନ ହେଲା ll9||
ସିକନ୍ଦର ହେଲେ ବିଶ୍ୱର ବିଜୟୀ
ଆରିଷ୍ଟେଟଲଙ୍କ ପାଇଁ
ଶିବାଜୀ ବହିଲେ ଛତ୍ରପତି ନାମ
ରାମଦାସ ଗୁରୁ ଥାଇ ||10||
ରାମକୃଷ୍ଣ ଗୁରୁ ବିବେକାନନ୍ଦଙ୍କୁ
ବିଶ୍ୱେ ପରିଚିତ କଲେ
ଗୁରୁଙ୍କ ପ୍ରେରଣା ପାଇ ସେ କାଲାମ
ମହାମାନବ ଯେ ହେଲେ ||11||
ଗୁରୁଙ୍କ ସେବାରେ ଗୁରୁଙ୍କ ଆଦେଶେ
ଉପମନ୍ୟୁ ଚକ୍ଷୁ ଗଲା
ଆରୁଣୀ ଶୋଇଲା ହିଡ଼ ହୋଇ ବିଲେ
ଗୁରୁ ଆଜ୍ଞା ପାଳି ଥିଲା ||12||
ଗୁରୁ ବିନା ଶିଷ୍ୟ ଅଜ୍ଞାନେ ବୁଲଇ
ଏ ସଂସାରେ ହୁଏ ବଣା
ଶ୍ରଦ୍ଧାରେ ଗୁରୁଙ୍କୁ ପୂଜିଲେ ବିନୀତେ
ହୁଏସେ ଜ୍ଞାନୀରେ ଗଣା ||13||
ରଜ ତମ ମାୟା ଜାଲରେ ପଡ଼ି ସେ
ମୁଗ୍ଧ ହୋଇଥାଏ ଜୀବ
ଗୁରୁଭକ୍ତି ସେବା କରିଲେ ଜୀବନେ
ଲଭଇ ସାତ୍ତ୍ଵିକ ଭାଵ ||14||
ଶ୍ରୀଗୁରୁ ଚରଣେ ରହିଥାଏ ଯାର
ଅଟଳ ଭକତି ମତି
ସାଂସାରିକ କର୍ମ ବନ୍ଧନ ଛୁଏଁନା
ପ୍ରଭୁ ପଦେ ହୁଏ ବ୍ରତୀ ||15