ଯୁଗ
ଯୁଗ
ଚାରି ଗୋଟି ଯୁଗ ରହିଛି ଜଗତେ
ସତ୍ୟ ,ତ୍ରେତୟା ,ଦ୍ୱାପର
କଳି ଯୁଗ କଥା କି କହିବି ମୁହିଁ
ସତରେ ମାଡୁଛି ଡର ।
ସତ୍ୟ ଯୁଗେ ସତ୍ୟ ଚାରି ପାଦ ଥିଲା
ସତ୍ୟରେ ଯେ କାରବାର
ମିଥ୍ୟା ସେଠି କେବେ ପଶି ପାରେ ନାହିଁ
ପବିତ୍ର ସବୁ ଅନ୍ତର ।
ସେଇ ସତ୍ୟ ଯୁଗେ ପ୍ରଭୁ ନାରାୟଣ
ମୀନ ଅବତାର ନେଲେ
ଶଙ୍ଖାସୁର ମାରି ବେଦକୁ ଉଦ୍ଧାରି
ଶଙ୍ଖକୁ ଧାରଣ କଲେ ।
ନୃସିଂହ ରୂପେ ହିରାଣାକ୍ଷ ବିଦାରି
ପ୍ରହ୍ଲାଦ ରକ୍ଷା କଲେ
ବରାହ ରୂପରେ ପୃଥିବୀ ଧାରଣ
କଛପ ରୂପ ବି ହେଲେ ।
ତ୍ରେତୟା ଯୁଗରେ ସତ୍ୟ ତିନି ପାଦ
ମିଛ ଏକ ପାଦ ଥିଲା
ସେଇ ଗୋଟେ ପାଦ ଅସହ୍ୟ ଯନ୍ତ୍ରଣା
ନ ଧରା ସହି ପାରିଲା ।
ରାମ ଅବତାରେ କୋଦଣ୍ତ ଧାରଣ
କରି ଥିଲେ ନାରାୟଣ
କୁମ୍ଭକର୍ଣ୍ଣ, ରାବଣ ବଧ କରି ପ୍ରଭୁ
ଭକ୍ତ କଲେ ଉଦ୍ଧାରଣ ।
ଦ୍ୱାପର ଯୁଗରେ ଦୁଇ ପାଦ ସତ
ଦୁଇ ପାଦ ମିଥ୍ୟା ହେଲା
ଧରିତ୍ରୀ ଯନ୍ତ୍ରଣା କହି ହୁଏ ନାହିଁ
ଆଖି ଲୁହ ଝରୁ ଥିଲା ।
କୃଷ୍ଣ ଅବତାର ନେଇ ଥିଲେ ପ୍ରଭୁ
ଧର୍ମକୁ କଲେ ସ୍ଥାପନ
କୁରୁ କ୍ଷେତ୍ର ଧର୍ମ ଯୁଦ୍ଧର ବିଜୟ
ଅଧର୍ମର ଅବସାନ ।
କଳି ଯୁଗେ ଧର୍ମ ଏକ ପାଦ ହେଲା
ତିନି ପାଦ ପାପ ଭରା
ଅନ୍ୟାୟ ଅଧର୍ମ ଅସତ୍ୟରେ ଆଜି
ଅସହ୍ୟ ହେଉଛି ଧରା ।
ମଣିଷ ପଣିଆ ବିବେକ ହରାନ୍ତି
ଅସତ୍ୟରେ କାରବାର
ଧର୍ମ ଏଠି ଲୋପ ପାଇ ଯାଉଅଛି
ଅଧର୍ମ ହେଉଛି ଘୋର ।
ଗୁରୁଜନ ପ୍ରତି ବେଖାତିର ସବୁ
ମାନନ୍ତିନି ବଡ ସାନ
ସତ୍ୟ ଏଠି ଡରି ଲୁଚି ଯାଉଅଛି
ଅସତ୍ୟ କରେ ଶାସନ ।
ଦେଉଅଛି ଧନ ମାଗି ପାରୁ ନାହିଁ
ମାଗିଲେ ଖାଉଛି ମାଡ
ଦେଇଥାଏ ସିଏ କାନ୍ଦୁ ଥାଏ ସିଏ
ନେଲା ଦେଖାଉଛି ଦାଢ ।
ସତେକି ଯେମିତି ସିଏ ତ ମାଲିକ
ମାଲିକ ଚାକର ହୁଏ
ଏବେ ଦେଇ ଥାଅ ସହି ସିଏ ପୁଣି
ଯୁଗଟେ ଦେଖେଇ ଦିଏ ।
ଖାଇ ଜାଣି ଥାଏ ନେଇ ଜାଣି ଥାଏ
ଦେଇ ଜାଣେ ନାହିଁ ସିଏ
ବନେଇ ଚୂନେଇ କଥା ଭୁସୁଲେଇ
ଠକି ଭଣ୍ଡି ସିଏ ଖାଏ ।
ଅନ୍ୟ ଘର ସିଏ ଭାଙ୍ଗି ଦେଇ ଥାଏ
ନିଜେ ଭଲେଇ ହୁଅଇ
ଇଆଠୁ ଖାଅଇ ତାହାଠୁ ଆଣଇ
କାଇଦାଟି ଜାଣି ଥାଇ ।
ଆଜିକାଲି ଯୁଗ ଲୋକ ମାରାତ୍ମକ
ଚିହ୍ନିବାଟା କଷ୍ଟ ଭାରି
ପରିବାର ଭିତରେ ଫାଟ ସୃଷ୍ଟି କରି
ଉଠେଇ ଥାନ୍ତି ଉପରି ।
ଧର୍ମ ଭୁଲି ଯାନ୍ତି କର୍ମ ଭୁଲି ଯାନ୍ତି
ଠକେ ଭଣ୍ଡି ଚଳୁ ଥାନ୍ତି
ସେଥିପାଇଁ ବେଳୁ ବେଳ ଦୁଃଖ ପଡେ
ଏ କଥା ସେ ଭୁଲି ଯାନ୍ତି ।
ଅନ୍ୟାୟ, ଅସତ୍ୟ, ଅଧର୍ମର ମାର୍ଗ
ପତନଟା ସୁନିଶ୍ଚିତ
ଯୁଗ ଯୁଗ ପାଇଁ ଧର୍ମର ସ୍ଥାପନ
ହୋଇଛି ଏଇ ଜଗତ ।
କର୍ମ ଅନୁସାରେ ଫଳ ରହି ଅଛି
ତାକୁ ବା କାଟିବ କିଏ
ଯୁଗ ଯୁଗ ପାଇଁ ସେହି କର୍ମଫଳ
ଭୋଗିବାକୁ ପଡି ଥାଏ ।
