STORYMIRROR

Sarojini Mishra

Classics

4  

Sarojini Mishra

Classics

ଯୁଗ ସମ୍ଭବ ଶ୍ରୀହରି

ଯୁଗ ସମ୍ଭବ ଶ୍ରୀହରି

1 min
337


ଯୁଗେ ଯୁଗେ ପ୍ରଭୁ ଧର୍ମ ସଂସ୍ଥାପନେ

ଧରାବତରଣ କର

ସତ୍ୟର ମହକ ବାଣ୍ଟି ଦେବାପାଇଁ

ଏ ଧରାରେ ଅବତର ।


ଚାରି ଯୁଗେ ତୁମ ଦଶ ଅବତାର

ଜଗତ କଲ୍ୟାଣ ପାଇଁ

ଅବକ୍ଷୟୀ ସମାଜରେ ଅବତରୀ

ଉଦ୍ଧାର କର ମୁରାରୀ ।


ଧର୍ମ ସଂସ୍ଥାପନ ପାପୀ ବିନାଶନେ

ଧରାକୁ ଆସି ଶ୍ରୀହରି

ଜଗତ ପିତା ହେ ଜଗତ କଲ୍ୟାଣ

ତୁମକୁ ଯେ ଥାଏ ଘାରି ।


ସତ୍ୟରେ ନୃସିଂହ ଅବତାର ନେଇ

ହିରଣ୍ୟକଶିପୁ ହତ

ଭକ୍ତ ପ୍ରହ୍ଲାଦକୁ ଅଭୟ ଦେଇଛ

ମନୋରଥ ପୁରାଇଛ ।

ଭକ୍ତି ଭାବନାର ଉଜ୍ଜିବୀତ ପାଇଁ

ବୟସ ବାଧକ ନୁହେଁ

ଏହି ତତ୍ତ୍ଵକୁ ଯେ ପ୍ରତିଷ୍ଠା କରିଛ

କିଏ ବା ଏହା ନ ଜାଣେ ।


ତିନି ପାଦ ଭୂମି ମାଗି ହେ ଶ୍ରୀହରି

ଅଭିମାନ ଭାଙ୍ଗିଥାଅ

ପୃଥିବୀ ଉଦ୍ଧାର କରିଛ ପ୍ରଭୁ ହେ

ବେଦ ଉଦ୍ଧାର କରିଛ

ଯୁଗ ହିସାବରେ ଜଗତ ହିତରେ

ଜଗତେ ସମ୍ଭବି ଅଛ ।


ତ୍ରେତୟାର ତୁମେ ମର୍ଯ୍ୟାଦା ପୁରୁଷ

ଧର୍ମ ଡ଼ଙ୍ଗା ଧରିଥିଲ

ସତ୍ୟ ଧର୍ମ ନ୍ୟାୟ ଭ୍ରାତୃ ପ୍ରେମ କଥା

ସଭିଙ୍କୁ ବାର୍ତ୍ତା ଦେଇଛ ।

ଅସୁର ନାସିଛ ତପିଙ୍କୁ ତାରିଛ

ଭକ୍ତ ଭାବେ ମଜ୍ଜି ଅଛ

ଶବରୀ ଭାବକୁ ଜଗତେ ଜଣାଇ

ଅଇଁଠା ଯେ ଖାଇଅଛ ।


ଦ୍ୱାପରରେ ଧର୍ମ ସଂସ୍ଥାପନା ଅର୍ଥେ  

ସମ୍ଭବି ଅଛ ଶ୍ରୀହରି

ଶାସନ ତନ୍ତ୍ରରେ ଧର୍ମ ଭରିବାକୁ

କଷ୍ଟ ସହିଛ ମୁରାରୀ ।

ସନ୍ଥ ପାଳନରେ ବ୍ରତୀ ହୋଇ ଅଛ

ଦୁଷ୍ଟକୁ ବିନାଶ କରି

ଧର୍ମ ସଂସ୍ଥାପନା କରିଛ ଜଗତେ

ଯୁଗ ସମ୍ଭବ ଶ୍ରୀହରି । 


ପ୍ରେମ ପରିଭାଷା ଧରମର କଥା

ସଭିଙ୍କୁ ବୁଝାଇ ଅଛ

ଧୈର୍ଯ୍ୟର ସହିତ ଅର୍ଜୁନଙ୍କ ମନୁ

ଦ୍ଵନ୍ଦ ହରଣ କରିଛ ।

ଗୀତା ବାଣୀ ମଧ୍ୟେ ଭରି ଦେଇଅଛ

ଜୀବନ ଜିଇଁବା କଳା

ମଣିଷ ଜୀବନେ ଲଗାଇ ପାରିଲେ

ଶାନ୍ତି ଭରିଯିବ ପରା ।


କଳିଯୁଗେ ପ୍ରଭୁ ସ୍ୱତନ୍ତ୍ର ରୂପରେ

ଦାରୁବ୍ରହ୍ମ ରୂପେ ଉଭା

ଅବତାରୀ ତୁମେ ଶ୍ରୀକ୍ଷେତ୍ରରେ ପ୍ରଭୁ

ଲୀଳାରେ ବଢାଅ ଶୋଭା ।

ବଡ଼ଦେଉଳରେ ତୁମ ଲୀଳାଖେଳା

ସବୁ ଯୁଗ କଥା କୁହେ

ଅବତାରୀ ତୁମେ ହେ କଳା ମୋହନ

ଭକତ ତୁମକୁ ମୋହେ ।

କଳିଯୁଗେ ପ୍ରଭୁ ନାମର ମହତ୍ତ୍ୱ

କହିଯାଅ ହେ ଶ୍ରୀହରି

ଜଗତ ଉଦ୍ଧାର କରିବା ପାଇଁ ଯେ

ଲୀଳା ଖେଳା ହେ ମୁରାରୀ ।


ଯୁଗେ ଯୁଗେ ପ୍ରଭୁ ସମ୍ଭବି ଅଛ ହେ

ଜଗତ କଲ୍ୟାଣ ପାଇଁ

ନମନ କରୁଛି ହେ ପରମ ପିତା

ଯୁଗ ସମ୍ଭବ ଶ୍ରୀହରି ।

  


Rate this content
Log in

Similar oriya poem from Classics