ଯୁଗ ସମ୍ଭବ ଶ୍ରୀହରି
ଯୁଗ ସମ୍ଭବ ଶ୍ରୀହରି
ଯୁଗେ ଯୁଗେ ପ୍ରଭୁ ଧର୍ମ ସଂସ୍ଥାପନେ
ଧରାବତରଣ କର
ସତ୍ୟର ମହକ ବାଣ୍ଟି ଦେବାପାଇଁ
ଏ ଧରାରେ ଅବତର ।
ଚାରି ଯୁଗେ ତୁମ ଦଶ ଅବତାର
ଜଗତ କଲ୍ୟାଣ ପାଇଁ
ଅବକ୍ଷୟୀ ସମାଜରେ ଅବତରୀ
ଉଦ୍ଧାର କର ମୁରାରୀ ।
ଧର୍ମ ସଂସ୍ଥାପନ ପାପୀ ବିନାଶନେ
ଧରାକୁ ଆସି ଶ୍ରୀହରି
ଜଗତ ପିତା ହେ ଜଗତ କଲ୍ୟାଣ
ତୁମକୁ ଯେ ଥାଏ ଘାରି ।
ସତ୍ୟରେ ନୃସିଂହ ଅବତାର ନେଇ
ହିରଣ୍ୟକଶିପୁ ହତ
ଭକ୍ତ ପ୍ରହ୍ଲାଦକୁ ଅଭୟ ଦେଇଛ
ମନୋରଥ ପୁରାଇଛ ।
ଭକ୍ତି ଭାବନାର ଉଜ୍ଜିବୀତ ପାଇଁ
ବୟସ ବାଧକ ନୁହେଁ
ଏହି ତତ୍ତ୍ଵକୁ ଯେ ପ୍ରତିଷ୍ଠା କରିଛ
କିଏ ବା ଏହା ନ ଜାଣେ ।
ତିନି ପାଦ ଭୂମି ମାଗି ହେ ଶ୍ରୀହରି
ଅଭିମାନ ଭାଙ୍ଗିଥାଅ
ପୃଥିବୀ ଉଦ୍ଧାର କରିଛ ପ୍ରଭୁ ହେ
ବେଦ ଉଦ୍ଧାର କରିଛ
ଯୁଗ ହିସାବରେ ଜଗତ ହିତରେ
ଜଗତେ ସମ୍ଭବି ଅଛ ।
ତ୍ରେତୟାର ତୁମେ ମର୍ଯ୍ୟାଦା ପୁରୁଷ
ଧର୍ମ ଡ଼ଙ୍ଗା ଧରିଥିଲ
ସତ୍ୟ ଧର୍ମ ନ୍ୟାୟ ଭ୍ରାତୃ ପ୍ରେମ କଥା
ସଭିଙ୍କୁ ବାର୍ତ୍ତା ଦେଇଛ ।
ଅସୁର ନାସିଛ ତପିଙ୍କୁ ତାରିଛ
ଭକ୍ତ ଭାବେ ମଜ୍ଜି ଅଛ
ଶବରୀ ଭାବକୁ ଜଗତେ ଜଣାଇ
ଅଇଁଠା ଯେ ଖାଇଅଛ ।
ଦ୍ୱାପରରେ ଧର୍ମ ସଂସ୍ଥାପନା ଅର୍ଥେ
ସମ୍ଭବି ଅଛ ଶ୍ରୀହରି
ଶାସନ ତନ୍ତ୍ରରେ ଧର୍ମ ଭରିବାକୁ
କଷ୍ଟ ସହିଛ ମୁରାରୀ ।
ସନ୍ଥ ପାଳନରେ ବ୍ରତୀ ହୋଇ ଅଛ
ଦୁଷ୍ଟକୁ ବିନାଶ କରି
ଧର୍ମ ସଂସ୍ଥାପନା କରିଛ ଜଗତେ
ଯୁଗ ସମ୍ଭବ ଶ୍ରୀହରି ।
ପ୍ରେମ ପରିଭାଷା ଧରମର କଥା
ସଭିଙ୍କୁ ବୁଝାଇ ଅଛ
ଧୈର୍ଯ୍ୟର ସହିତ ଅର୍ଜୁନଙ୍କ ମନୁ
ଦ୍ଵନ୍ଦ ହରଣ କରିଛ ।
ଗୀତା ବାଣୀ ମଧ୍ୟେ ଭରି ଦେଇଅଛ
ଜୀବନ ଜିଇଁବା କଳା
ମଣିଷ ଜୀବନେ ଲଗାଇ ପାରିଲେ
ଶାନ୍ତି ଭରିଯିବ ପରା ।
କଳିଯୁଗେ ପ୍ରଭୁ ସ୍ୱତନ୍ତ୍ର ରୂପରେ
ଦାରୁବ୍ରହ୍ମ ରୂପେ ଉଭା
ଅବତାରୀ ତୁମେ ଶ୍ରୀକ୍ଷେତ୍ରରେ ପ୍ରଭୁ
ଲୀଳାରେ ବଢାଅ ଶୋଭା ।
ବଡ଼ଦେଉଳରେ ତୁମ ଲୀଳାଖେଳା
ସବୁ ଯୁଗ କଥା କୁହେ
ଅବତାରୀ ତୁମେ ହେ କଳା ମୋହନ
ଭକତ ତୁମକୁ ମୋହେ ।
କଳିଯୁଗେ ପ୍ରଭୁ ନାମର ମହତ୍ତ୍ୱ
କହିଯାଅ ହେ ଶ୍ରୀହରି
ଜଗତ ଉଦ୍ଧାର କରିବା ପାଇଁ ଯେ
ଲୀଳା ଖେଳା ହେ ମୁରାରୀ ।
ଯୁଗେ ଯୁଗେ ପ୍ରଭୁ ସମ୍ଭବି ଅଛ ହେ
ଜଗତ କଲ୍ୟାଣ ପାଇଁ
ନମନ କରୁଛି ହେ ପରମ ପିତା
ଯୁଗ ସମ୍ଭବ ଶ୍ରୀହରି ।
