ଯଉବନ ଥରେ ଗଲେ ଆଉ ଆସେନା
ଯଉବନ ଥରେ ଗଲେ ଆଉ ଆସେନା
ଯଉବନ ଥରେ ଚାଲିଗଲାପରେ
ଆଉ ତ ଆସେନା ଫେରି
ସ୍ମୃତି ହୋଇ ଖାଲି ରହିଯାଏ ସିନା
ଦିବା ସପନଟେ ପରି
ସଞ୍ଜର ସଳିତା ପରି ଜଳେ ମନ
ଚାନ୍ଦର ଜୋଛନା ହଜେ
ପ୍ରୀତି ଫୁଲ ମୂଲ ଘନ ଅରଣ୍ୟରେ
ଅପେକ୍ଷା ଜୀବନ ସଂଜେ
ଯୌବନ ଅଗଣା ଡେଇଁଗଲେ ଥରେ
ସପନ ଅବୁଝା ହୁଏ
ମହୁଲି ବାସ୍ନାର ମତୁଆଲା ନିଶା
ଶେଫାଳୀଟେ ପରି ଶୁଏ
ବହୁରଙ୍ଗୀ ପକ୍ଷୀ ଅବୁଝା ହୁଅଇ
ବେସୁରା ସଙ୍ଗୀତ ଗାଏ
ବହି ଯାଉଥିବା ପାହାଡି ଝରଣା
ପରି ସୁର ତୋଳୁଥାଏ
ବାସି ବୟସର ବାସନା ଭିତରେ
ଭାରି ତୁମେ ମନେ ପଡ଼
ହଜାରେ ହେନାର ସୁଗନ୍ଧ ଭିତରେ
ଉଠଇ ମନରେ ଝଡ଼
ବାଟ ଭାଙ୍ଗିଦେଇ ଯାଆନ୍ତି ଦୂରେଇ
ପ୍ରୀତିର ସପନ ଯେତେ
ଚାନ୍ଦ ଜୋଛନାକୁ ପଣତେ ଘୋଡାଇ
ଖେଳଇ ବୟସ ସାଥେ
ଅନାବନା ଫୁଲ ମହକ ପରିକା
ଦୀର୍ଘଶ୍ୱାସଟିଏ ଛାଡେ
ଶିଥିଳ ହୃଦୟ ଶ୍ରାବଣୀ ଛନ୍ଦରେ
ଝରଣା ପାଣିରେ ବୁଡ଼େ
ମୁକୁଳା ନଈର ସୁରଟିଏ ପରି
ଛାତିରେ ଛାତିଏ କୋହ
ମିଠା ସପନକୁ ଦେଖିବାକୁ ମନା
ନିଜେ ପିଏ ନିଜ ଲୁହ
ଶିମୁଳି ପଳାଶ ବଣ ଫୁଲ ପରି
ଅଲୋଡ଼ା ହୁଅଇ ସିନା
ମଲ୍ଲୀର ମହକ ଯୁଇର ମାଦକ
କରେନାହିଁ ଆନମନା
ବରଷାର ଛିଟା ଏ ଦେହେ ଵାଜିଲେ
ପହିଲି ଯୌବନ ଛୁଆଁ
ଚାହିଁଲେ ବି ଆଉ ଛୁଇଁ ପାରିବନି
ହଜାଇଛି ତାର ନାଁ
କଣ୍ଟା ବଣ ଡେଇଁ ଯାଏ ଧାଇଁ ଧାଇଁ
ପାହାଡି କିଶୋରୀ ପରି
ଫଗୁଣ ଆସିଲେ ଫୁଲ ସବାରୀରେ
ବେଦନା ଛାତିରେ ଭାରି
ଆସେ ଯେବେ ରାତି ଚାନ୍ଦ ମାଗେ ପ୍ରୀତି
ନିଦ ସିନା ହଜିଯାଏ
ମିଛ ସୁଖେ ହଜି ମନ କୁଞ୍ଜେ ମଜ୍ଜି
କାହିଁ କେତେ ଦୂରେ ଧାଏଁ
ଗଭାର ଗଜରା ଅସଜଡ଼ା ହୁଏ
ବସନ୍ତ ଉଜୁଡି ଗଲେ
ମଳୟ ବହିବ ବରଷକ ପରେ
ଯୌବନଟା ବାଟ ଭୁଲେ
ଫଗୁଣ ଆସିଲେ ପିଚକାରୀ ଧରି
ରଙ୍ଗ ମଉଛବ ପାଇଁ
ଫିକା ମୁହଁ ଦେଖି ପିଚକାରୀ ଦେହେ
ରଙ୍ଗ ଆଉ ଭରେ ନାହିଁ
କାଳ ବଇଶାଖୀ ହାତ ଠାରି କହେ
ହଜାଇଛୁ ଯଉବନ
ମନର ଝରକା ଖୋଲିବାକୁ ମନା
ଆଉ ହାତ ଠାରିବନି ଜହ୍ନ