ଯୋଗନିଦ୍ରା ତେଜ ହେ ଈଶ୍ୱର
ଯୋଗନିଦ୍ରା ତେଜ ହେ ଈଶ୍ୱର
ଦୁଲୁକି ଉଠୁଛି ଛାତି ସ୍ବର୍ଗ ଇନ୍ଦ୍ରପୁରୀ
ନିୟନ୍ତ୍ରଣରେ ରହୁ ନାହାନ୍ତି ଆଉ
ମତ୍ତ ମାତଙ୍ଗ ସବୁ ଇନ୍ଦ୍ରିୟ
ଅନ୍ଧକାରମୟ ଦିଶେ ଦଶଦିଶ ଶୂନ୍ଯ ।
କୋଳାହଳ ମଧ୍ୟେ ଶୁଣି ସ୍ପଷ୍ଟ ବୁଝିହୁଏ ନାହିଁ
କିଏ କଣ କହୁଛନ୍ତି କଥା
କଣ ଅଟେ ପ୍ରକୃତ ସମସ୍ଯା
ଠଉରାଇବା ବଡ ମୁସ୍କିଲ ଏଠି
କଣ ସତ୍ଯ କଣ ଅବା ମିଥ୍ୟା ,
ଅରାଜକତା ଦୌରାତ୍ମ୍ଯ ପ୍ରାବଲ୍ୟ
ମିଳେନାହିଁ ସମାଧାନ ପନ୍ଥା ।
ସ୍ବର୍ଗପୁରରେ ଏବେ ସଭିଏଁ ଜଣେ ଜଣେ ଇନ୍ଦ୍ର
କିନ୍ତୁ ବିନ୍ଦୁଟିଏ ବି ବରଷିବାକୁ
କାହାର ନାହିଁ ଉତ୍ତରଦାୟିତ୍ଵ ,
ନୀରସ ସବୁ ନଦନଦୀ
ଗଡିଆ ପୋଖରୀ ଶୁଷ୍କ ,
ଅଳପ ଗୋଳିଆ ପାଣିରେ
ଛଟପଟ ହେଉଛନ୍ତି ଛୋଟବଡ ମତ୍ସ୍ଯ
ତ୍ରାହି ତ୍ରାହି ରଡି ଛାଡେ ମର୍ତ୍ତ୍ୟ ।
ଅସୁର ମାନଙ୍କ କବଳରେ ଛାରଖାର
ଏବେ ସୁନ୍ଦର ସ୍ବର୍ଗପୁର
ହଜି ଯାଉଛି ସଂସ୍କାର,
ଯୋଗନିଦ୍ରା ତେଜ କବି
ଅବତର ରାମ କୃଷ୍ଣ ଜଗତ ଈଶ୍ୱର ।