ଯେମିତି ଆସିଛି ଫଗୁଣ
ଯେମିତି ଆସିଛି ଫଗୁଣ
ଯେମିତି ଆସିଛି ଫଗୁଣ
ସେମିତି ଚାଲିଯିବ,
କିନ୍ତୁ ତମେ ଥିବ , ତମେ ଥିବ, ତମେଥିବ ।
ଫୁଲ ବନେ ମହକ ନ ଥିବ,
କୋକିଳ ରାଗିଣୀ
ବେସୁରା ହୋଇଯିବ, ମଳୟ ପାଲଟିବ ଝଞ୍ଜା,
ତମେ କିନ୍ତୁ ନିଶବ୍ଦରେ ହସୁଥିବ ।
ଗଣୁଥିବ ଗୋଟି ଗୋଟି କେତେ ଥର
ଫଗୁଣ ଆସିଲା ଗଲା ,
ପାଚି ଆସୁଥିବା ନୁଖୁରା ବାଳରେ ,
ନିଦଉ ଥିବା ଆଖିର ପ୍ରାଚୀ ନଈ କୂଳେ ।
ସପନ ର ଜହ୍ନ ରାତି କାଇଁ ଗଲା ଖୋଜୁଥାଅ କବରୀ ଫିଟେଇ,କର ଲେଉଟାଇ ।
ସେ ଆଉ ଫେରେନା, ଲୁଚିଯାଏ
ବୟସର ନିଦାଘ ରେ,
ଭାଗ୍ୟର ନିର୍ଦ୍ଦୟ ବକ୍ଷରେ।
ମୃଦୁ ମୃଦୁ ମଧୁ ବରଷୁ ଥିଲା ସେଦିନ,
ଫଗୁଣ ର ପହିଲି ପରଶେ, ତମ ଦୁଇ ଆଖି ଭ୍ରମର ର ଭ୍ରମ,ନାଚି ନାଚି ନାଚି ଯାଉଥିଲ ପ୍ରେମ ର ନୀଳ ନଈ ନୀଳ ଧାର ପରି , କେଉଁ ଏକ ସିନ୍ଦୂରିତ ସକାଳେ , ପ୍ରେମ ଫଲଗୁ ବହୁଥିଲା ତମ ମହ ମହ ଉଦ୍ୟାନରେ ।
ଭାଳନା ସଖୀ , ଆମେ ପୁଣି ଭେଟ ହେବା ସରଗର ପାରିଜାତ ଉପବନେ, ଯେଉଁଠି ସଦା ଫଗୁଣ,ସଦା ମଳୟ ,
ସଦା ମିଳନର ଋତୁ ।