ବତୀଘର
ବତୀଘର
ଆସନ୍ତନି ଥରେ
ସାଗର ବେଳାକୁ
ତୋଳିବାକୁ ବାଲିଘର
ସେଇ ବାଲିଘରେ
ମୁଁ ଯେ ହେବି ରାଣୀ
ତମେ ହେବ ରାଜା ମୋର
ଚୁପି ଚୁପି ଆସି
କହୁଥିବ କଥା
ଆମ ସ୍ମୃତି ପ୍ରଣୟର
ଲାଜୁଆ ଆଖିରେ
ମୁଁ ଯେ ଚାହିଁ ଥିବି
ଶୁଣି ତୁମ କଣ୍ଠ ସ୍ୱର
ଆଙ୍କି ଦେବ ତୁମେ
ପୀରତି ଚୁମ୍ବନ
ପିଆସୀ ଓଠର ଧାରେ
ଲାଜେ ଭିଜୁଥିବ
ନୀଳ ସାଗରଟା
ଶାମୁକାର ପରଶରେ
ବେଳାଭୂମି ସତେ
ପଡ଼ିବ ଉଛୁଳି
ହସିବ ସ୍ୱପ୍ନ ସହର
ବାହୁ ବନ୍ଧନରେ
ହଜିଯିବି ମୁଁ ଯେ
ଭୁଲି ନିଜ ଅନ୍ତଃସ୍ୱର
ଚିରଦିନ ପାଇଁ
ସମ୍ପର୍କର ସେତୁ
ହେବ ସିନା ବାଲିଘର
ଅମଡ଼ା ବାଟରେ
ଚାଲିଯିବା ଆମେ
ସାକ୍ଷୀ ଥିବ ବତୀଘର