STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
158

ମନେ ମୋର ଜାଗେ ଯଥା ନୀଳ ମେଘେ

ଖେଳେ ଚପଳା ଚମକେ

ଅକଳନ ଭାବ ଅନନ୍ତ ଆବେଗ

ଚିତ୍ତ ‐ ଆକାଶେ ଝଲସେ ॥୧


ଖେଳଇ ବୁଲଇ ମୁହୂର୍ତ୍ତକେ ଥୋଇ 

ଦିଏ କେତେ ଚିନ୍ତା ଧାରା

ପଲକେ ପଲକେ ଆନନ୍ଦ ପୁଲକେ  

ଆବେଗେ କରେ ଉତ୍ତଳା ॥୨


ଆଶା ଆଶ୍ୱାସନା ଆକାଂକ୍ଷା ଭାବନା

ନବ ସଂଭାବନା ମାନ

ଜାଗରିତ ହୋଇ ଉନ୍ମାଦିତ କରି

ଦେଉଥାନ୍ତି ସଦା ପ୍ରାଣ ॥୩


ସଂଗୀତ ସୁରଭି ଲଳିତ ପୂରବୀ

ତୋଳଇ ମରମେ ଚିର

ଚଞ୍ଚଳ ଚପଳ ଚାପଲ୍ୟେ ବିହ୍ୱଳ

କରି କରନ୍ତି ଅସ୍ଥିର ॥୪


ମରମେ ନିରତ ମୋର ଅବିରତ 

ଆଣେ କେତେ ଉତ୍ତେଜନା

କଳ୍ପନା ଜଳ୍ପନା ଚିନ୍ତା ଓ ଭାବନା

ଅସ୍ଥିର କରେ ଚେତନା ॥୫


ଚିତ୍ତେ କେତେ ଚିତ୍ର କଳ୍ପନା ବିଚିତ୍ର

ଆଙ୍କୁ ଥାଏ ଅବିରତ

ଶୟନେ ସପନେ ଅବା ଜାଗରଣେ

ସଂଚାରେ ମନେ ସତତ ॥୬


ସ୍ୱପ୍ନମୟୀ ଛବି ଜାଗ୍ରତ ବେଳେ ବି

ମନର ଗହନ ଦେଶେ

ଭାସି ବୁଲୁ ଥାଏ ଯଥା ଢେଉ ଧାଏଁ

ଅନନ୍ତ ସାଗର ବକ୍ଷେ ॥୭


ମାନସ ସାଗରେ ମୋର ସେ ପ୍ରକାରେ 

ଉଠଇ ଜୁଆର ଭଟ୍ଟା

ଉଦ୍ଭଟ୍ଟ ପ୍ରସଙ୍ଗ ପରିବେଶ ରଙ୍ଗ

ଘେନି ବଦଳୁ ଥାଏ ତା ॥୮


ଅଶେଷ ପ୍ରକାର ଭାବର ବିକାର

ଭାରେ ଅସ୍ଥିର ଭାବନା

ଅସ୍ଥିର ଜଗତେ ଜଞ୍ଜାଳ ଆଘାତେ

ଆହତ ମନେ ବିମନା ॥୯


ସାଜି ଆଜି ନର ନିତି ଅତ୍ୟାଚାର

ସହି ମାନସିକ ଶାନ୍ତି

ଲୁପ୍ତ ହୋଇ ଏବେ ନାନାଦି ଅଭାବେ

ଅସ୍ଥିର ଭାବନା ପଙ୍କ୍ତି ॥୧୦


ଘେନି ମୁର୍ହୁମୁର୍ହୁ ଦାହ ସହୁ ସହୁ

ଅଚାନକ ପ୍ରାଣହାନୀ

ହୋଇ ଭାବନାର ଅନ୍ତ ହୁଏ ଚିର

ଅସ୍ଥିର ଭାବନା ପାଇଁ ॥୧୧



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance