କୋକେଇ
କୋକେଇ
ଛଅ ଛଣ୍ତି କାଠି ‐ବାଉଁଶକୁ ନେଇ
ହୁଏ ତାହାର ନିର୍ମାଣ
କୋକେଇ ବୋଲିକି କୁହା ଯାଏ ତାକୁ
ଯାଇ ଥାଏ ତା' ମଶାଣ ॥
ନଡା ବାଉଁଶରେ ତାହା ଗଢାଯାଏ
ମଡାକୁ ବହିବା ପାଇଁ
ମାଟି ପାଉଁଶରେ ପରିଣତ ହୁଏ
ମଡା ସହ ତାହା ଯାଇ ॥
ଚାରି ମାଲ ଭାଇ କାନ୍ଧରେ କାନ୍ଧେଇ
ରାମ ନାମ ସତ୍ୟ ଗାଇ
ଖଇ ଓ କଉଡି ପଇସା ଫୋପାଡି
ଚାଲୁଥାନ୍ତି ତାକୁ ବୋହି ॥
ରଜା ରଙ୍କ ଅବା ଫକୀର ବା ବାବା
ପଣ୍ତିତ ଗଣ୍ତ ମୁରୁଖ
କୋକେଇ କୋଳରେ ଗଞ୍ଜେଇ ନିଶାରେ
ଶୋଇଯାନ୍ତି ସବୁ ଲୋକ ॥
ବହୁବିଧ ଶିକ୍ଷା ଜୀବନର ଦୀକ୍ଷା
ଦିଏ ଆମକୁ କୋକେଇ
ମରା ଶବ ମାନ ନିଏ ଯେ ମଶାଣ
ଆପଣା ଅଙ୍କେ ଶୁଆଇ ॥
ଅସାର ସଂସାର ମାୟାର ଆଗାର
ସକଳ ଏଥେ ଅନିତ୍ଯ
ମରା ନୂହେଁ କେହି ମରଣ କୁ ଚାହିଁ
ରାମ ନାମ ଅଟେ ସତ୍ୟ ॥
ସକଳ ଘଟରେ ବିଜେ ଏ ଖଟରେ
ଯେଣୁ କରି ନାରାୟଣ
କୋକେଇ କୋଳରେ ଦେଖେ ସେ ପ୍ରକାରେ
ଅନାଦି ଆଦି କାରଣ ॥
ସୂକ୍ଷ୍ମୁ ସ୍ଥୂଳ ଦେହ ସ୍ଥୂଳୁ ସୂକ୍ଷ୍ମ ପୁଣି
ଅନାଦି ନିୟମ ମାନି
ଅନୁକ୍ରମେ ନିତି ସଂସାରର ଗତି
ଚକ୍ରପରି ତା ' ସରଣୀ ॥
ଚକ୍ରର ପରିଧି ଜୀବନ ପରିଧି
ପରି ଅଟେ ତା' ଅବଧି
ସଂସାର ର ବିଧି ଜରା ଆଧି ବ୍ଯାଧି
ଜନ୍ମ ମୃତ୍ୟୁ ନିରବଧି ॥