STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ଛନ୍ଦା ଚରଣରେ ମନ

ଛନ୍ଦା ଚରଣରେ ମନ

1 min
251


ଛନ୍ଦି ଥିଲି କିଛି ବୁଝିବା ଆଗରୁ

ତୋ ଛନ୍ଦା ପୟରେ ଛନ୍ଦ

ଛନ୍ଦେ ଛନ୍ଦାୟିତ ହେଲି ଆପେ ଆପେ

ଦୋଳାୟିତ ହେଲା ଛନ୍ଦ

କୁଳ-ବଧୂ ଭାବେ ଛନ୍ଦି ହୋଇଥିଲି

ସାଂସାରିକ ବନ୍ଧନରେ

ତୁଛ ମଣି ଥିଲି ସବୁ ବନ୍ଧନକୁ 

ସେ ଛନ୍ଦା ଚରଣ ଧାରେ

ଶାଶୁର ଗଞ୍ଜଣା ନଣନ୍ଦ ଭର୍ତ୍ସନା

ବାନ୍ଧି ପାରିଲାନି ମୋତେ

ସବୁ ବନ୍ଧନକୁ ଛିଣ୍ଡେଇ ସହଜେ

ଛନ୍ଦି ହୋଇଲି ତୋ ସାଥେ

ଛାତି ସହ ଛାତି ଛନ୍ଦି ହେଲା ଆପେ

ଛନ୍ଦିଲୁ ବାହୁ ବନ୍ଧନେ

ଲୁଚା ଛପା ଛନ୍ଦ ପାଇଁ ସହମତ

ଛଳ ନ ଥିଲା ମୋ ମନେ

ଛନ ଛନ ହୋଇ ଉଠି ଥିଲା ମନ 

ତୋ ଛନ୍ଦା ଚରଣ ଦେଖି

ଗୋପାଙ୍ଗନା ଠାରୁ କେତେ ଛି ଛି କଥା

ଆମ ଛନ୍ଦା ଛନ୍ଦି ଦେଖି


ଗୋପ ପୁର ଛାଡ଼ି ଚାଲି ଗଲୁ ଯେବେ

ଜାଣିଲି ଛଳିଆ ତୁହି

ଜୀବନ ରହିଛି ଛନ୍ଦା ଚରଣରେ

ପିଣ୍ଡ ଅଛି ପ୍ରାଣ ନାହିଁ

ତୁ ମୋ ଜୀବନ ଆଉ ମୁଁ ତୋ ଜୀବନ

ଛନ୍ଦା ଛନ୍ଦି ବେଳ କଥା

ଛାତିରେ ଛନକା ସୃଷ୍ଟି ହୋଇଅଛି

ଭାବୁ ଅଛି ଛନ୍ଦ କଥା

ଜୀବନ ଟା ମୋର ଅଛି ତୋ ପାଖରେ

ଶରୀର ରହିଛି ସ୍ଥିର

ତନ ମନ ଆଉ ଛନ୍ଦ ତୋଳୁ ନାହିଁ

ନିଜେ ନୁହେଁ ମୁ ନିଜର

ତୋ ଇଚ୍ଛା ହିଁ ମୋର ସଦିଚ୍ଛା ଭାବରେ

କରି ନେଇଛି ଗ୍ରହଣ

ଯାହା ଇଚ୍ଛା ଅଛି ପୂର୍ଣ୍ଣ ହେଉ ତାହା

ସେହି ଛନ୍ଦେ ଅଛି ପ୍ରାଣ

ରାଧା ବୋଲି ଜଣେ ଛନ୍ଦି ଥିଲା ଛନ୍ଦ

ସେହି ଛନ୍ଦା ପୟର ରେ

ତୋ ମୁଖରୁ ଥରେ ଶୁଣିବାକୁ ଚାହେଁ

ପାଖେ ଥାଇ ଅବା ଦୂରେ

ଏ ରାଧା ନିଜକୁ ଧନ୍ୟ ମଣୁ ଅଛି

ଜାଣିଛି ଛନ୍ଦା ଚରଣ

ସେ ଛନ୍ଦା ଚରଣ ଅଟେ ମୋ ଜୀବନ

ଭାବ ଥାଉ ସବୁ ଦିନ

ରାଧାକୃଷ୍ଣ ଛନ୍ଦା ଚରଣରେ ମନ

ରହି ଥାଉ ନିରନ୍ତରେ

ଛନ୍ଦା ଚରଣ ହିଁ ସବୁରି କାରଣ

ଛଳନା ନାହିଁ ସେଥିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract