ଯେ ଯାଏ ନିଃଶ୍ୱାସ ସେ ଯାଏଁ
ଯେ ଯାଏ ନିଃଶ୍ୱାସ ସେ ଯାଏଁ
ଯେ ଯାଏ ନିଃଶ୍ୱାସ ସେ ଯାଏଁ ବିଶ୍ୱାସ
ଘେନି ଜୀବ ଲୀଳା ଚଳେ ଅର୍ହ ନିଶ ।
ନିଃଶ୍ୱାସ ର ସାହାଯ୍ୟରେ ଜୀବ ମାନେ
ଶକ୍ତି ଆହରଣ କରି ଅନୁ କ୍ଷଣ ।
କରନ୍ତି ସଭିଏଁ ଭବେ ଆୟୁ ଭୋଗ
ନସ୍ୱର ଧରା ରେ ସୁଖ ଓ ସୌଭାଗ୍ୟ ।
ସମୃଦ୍ଧି କୃତିତ୍ୱ ଲଭି ପ୍ରଶଂସିତ
ହୋଇ ଉଠେ ଜୀବ ଜୀବନ କାଳେ ତ ।
ଉନ୍ମତ୍ତ ଥାଆନ୍ତି ଜୀବନ ସଂଗ୍ରାମେ
ଜିଣିବାର ଆଶେ ଅଧିକ ଉଦ୍ଯମେ ।
ହୁଏ ଅଗ୍ରସର ଆପଣା କାର୍ଯ୍ୟ ରେ
ସର୍ବଦା ସୁବିଧା ପାଏ ନିଃଶ୍ୱାସ ରେ ।
କିନ୍ତୁ ପ୍ରତି ଦିନ ଉପୁଯାଏ ବାଧା
ବିଘ୍ନ ସୃଷ୍ଟି କରି ବିଶ୍ୱାସ ଆସ୍ପର୍ଦ୍ଧା ।
ଉପୁଜାଇବା ରେ ଲାଗି ରହି ଥାଏ
ନାନା ଭୟ ଭ୍ରାନ୍ତି ଜୀବନେ ଯୋଗାଏ ।
ଯେ ଯାଏ ନିଃଶ୍ୱାସ ସେ ଯାଏଁ ବିଶ୍ୱାସ
ତେଜି ଦେଲେ ଜୀବ ନିଜ ଶେଷ ଶ୍ୱାସ ।
ଉଭୟ ର ହୁଏ ଯେ ପରି ସମାପ୍ତ
ସପନ ର ଲୀଳା ପରା ଏ ପ୍ରତୀତ ।
ହୁଅଇ ଉଭୟ ନିତି ଯେ ଜୀବନେ
ପବିତ୍ର ଉତ୍ସାହ ଶକତି ଚିନ୍ତନେ ।
ପ୍ରେରଣା ସାହସ ବଢାନ୍ତି ବେନି ଏ
ଉଦ୍ୟମ , ଶକତି , ସାଧୁତା ଯହିଁ ରେ ।
ନିୟତି ନିୟମେ ନିୟତ ସରବେ
ନିଅନ୍ତି ଚଳାଇ ଜୀବଙ୍କୁ ଏ ଭବେ ।
ଉଭୟେ କରାନ୍ତି ନିତି ଆୟୁ ବୃଦ୍ଧି
ଆଣନ୍ତି ନିୟତ ଜୀବନେ ସମୃଦ୍ଧି ।
ଚଳ।ନ୍ତି ବେନିଏ ଜୀବର ଚେତନା
ଜାଗ୍ରତ ଓ ସ୍ଵପ୍ନ ତାଙ୍କ ହେତୁ ସିନା ।
ତୁଟିଲେ ଉଭୟ ତୁଟଇ ଜୀବନ
ଦେହ ପଚି ହୁଏ ମାଛି ଭଣ ଭଣ ।
ଵେନିଏ ଯୋଗାନ୍ତି ଶରୀରେ ଦିବ୍ୟତା
ଉତ୍ତାପ , ଚମକ , ରସ ସ୍ନିଗ୍ଧ ସର୍ତ୍ତା ।
ତେଜିଲେ ବେନିକୁ ରହେନା ଶରୀର
କ୍ରମଶଃ ଶୀତେଇ ହୋଇ ଯାଏ ଜଡ ।
ଜଡ ଚୈତନ୍ୟର ସଂଯୋଗ ବିଚ୍ଛିନ୍ନ
ବେନିଏ , କରନ୍ତି ଯେ ନୀରବ ଛିନ୍ନ ।
ବେନି ସହଯୋଗେ ଫୁର୍ତ୍ତି ଓ ସ।ହସେ
ସାଧନ୍ତି ବିପୁଳ କୃତୀ ଅବିରତେ ।
ପ୍ରକାଶନ୍ତି ନିଜ ପ୍ରଭାବ ପ୍ରତିଭା
ପାଣ୍ଡିତ୍ୟ, ବିଜ୍ଞାନ, ଦର୍ଶନ , କି ଅବା ।
ଯେ କୌଣସି ସ୍ଥାନେ ନାନା ପ୍ରକାର ରେ
ଅଭିନୟ କଳା କୌଶଳ ସମ୍ଭାରେ ।
ବିମୋହନ୍ତି ନିତି ଆନ ପ୍ରାଣୀ ମନ
ଯେ ଯାଏ ନିଃଶ୍ୱାସ ସେ ଯାଏଁ ଜୀବନ ।
ଆରମ୍ଭ କରିଣ ନବ ନବୋତ୍ସ।ହେ
ବିଶ୍ୱାସ ଘେନି ସେ ଫଳ ଲାଭ କରେ ।
ବିଶ୍ୱାସେ ଜୀବନ ଅବିଶ୍ୱାସେ ମୃତ୍ୟୁ
ଅଟେ ଚିରନ୍ତନ ସୁଖ ଦୁଃଖ ହେତୁ ।