ଯଦି ଦିଶିଯାଏ ଶୂନ୍ୟପଥ
ଯଦି ଦିଶିଯାଏ ଶୂନ୍ୟପଥ
ହସିଲି ଯେବେ ଯେବେ
ମନଖୋଲି ଖିଲିଖିଲି
ଲୋକେ କହିଲେ
ପେଟ ପୂରିଛି ବୋଧେ
ପେଟରେ ଦାନା ପଡିଛି ବୋଧେ
ତୃପ୍ତିର ଭୋଜନ କରିଛି ବୋଧେ
ଲୁହ ଝରେଇଲି ଯେବେ ଯେବେ
କାନ୍ଦିଲି ଛାତି ଫଟେଇଲି
ଲୋକେ କହିଲେ
ସବୁ ନାଟକ ଚାଲାକି ଅଭିନୟ
କୁମ୍ଭୀର କାନ୍ଦଣା
କିଛି ପାଇବାକୁ ହାସଲିବାକୁ ବୋଧେ
ସୁଚିନ୍ତିତ ଯୋଜନା
ଚୁପ୍ ଚାପ୍ ରହି ଗଲି ଯେବେ ଯେବେ
ଗୁମ୍ ସୁମ୍ ରହିଗଲି ଯେବେ ତେବେ
ରାଗିଗଲି ପାଟି ନ ଫିଟେଇଲି ଯେବେ ଯେବେ
ଲୋକେ ପୁଣି ଅନୁମାନ ଲଗେଇଲେ
ଦେଖ ଏହାର ଗର୍ବ ଅହଙ୍କାର
ବକଟେ ମାତ୍ର ଅଭିମାନ ଦରିଆ ପାର
ଗର୍ବ ଗଞ୍ଜନ ନରହରି
ଗର୍ବ ନ ରଖନ୍ତି କାହାରି
କେହି ବୁଝିବାକୁ ଚାହିଁଲେନି
କେହି ପାଖରେ ବସେଇ ପଚାରିବାକୁ ବି ବୁଝିଲେନି
ଦୁଃଖ ରହିଲା କେଉଁଠି
ସମସ୍ୟାର କାରଣ ଲୁଚିଛି କେଉଁଠି
ଶୁଣ ଭାଇମାନେ !
ବହୁତ କଷ୍ଟ ଲାଗେ ଛାତି ତଳେ
ନିଜର ପିଡ଼ା ଅନ୍ୟକୁ କହିବା ବୁଝେଇବା
ଭିତରେ ଭିତରେ କୁହୁଳୁଥିବା ଆଗ୍ନେୟଗିରି କୁ ଦେଖେଇବା
ଦୁଃଖ ଆସିବ ଅବଶ୍ୟ
ମୁଣ୍ଡରେ ପଶିବ ଅବଶ୍ୟ
ସମସ୍ୟା ଜଞ୍ଜାଳ ରହିବ ଅବଶ୍ୟ
କାନ୍ଧରେ ବସିବ ଅବଶ୍ୟ
ବେତାଳ ପରି ପିଠିରେ ଲାଉ ହେବ ଅବଶ୍ୟ
କାହାକୁ କହିବା ଆଗରୁ
କାହା ଆଗରେ ପ୍ରକାଶ କରିବା ପୂର୍ବରୁ
ଯଦି ଦିଶିଯାଏ ଶୂନ୍ୟପଥ
ଯଦି ପଡିଥାଏ ଫାଙ୍କା ଜନପଥ
ଖାଲି ପାଦକୁ ଆଗକୁ ବଢ଼େଇଦେବା
ହିଁ ହେବ ବୁଦ୍ଧିମତାର ସ୍ଵାକ୍ଷର
ଏକା ଏକା ପାହୁଣ୍ଡ ପକେଇ ମାଡିଯିବା
ହିଁ ହେବ ସର୍ବାଦୌ ଶ୍ରେୟସ୍କର
