ସପନ କୁଲେଇ
ସପନ କୁଲେଇ
କବିତା - ସପନ କୁଲେଇ
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୦୧-୨୦୨୬
++++++++++++++++++
ପ୍ରେମୀକା ପରି ଆସେ ବାସ ଉଡେଇ
କୁଆଁରୀ ସଞ୍ଜବେଳ ଗଲେ ଉଭେଇ
ମୁକୁଳା ଉଛୁଳା ମୁହୁର୍ତ୍ତ ସବୁ ସାଉଣ୍ଟେଇ
କୁହୁଡି ବିନ୍ଦୁ ବଳୟ ଡେଇଁ ଆଗରେ ଛାଇ
ସେ ହୁଏତ ନଈ ପରି ଉଦଣ୍ଡୀ ଗେହ୍ଲେଇ
ସେ ହୁଏତ ଝରଣା ପରି ପ୍ରଚଣ୍ଡ ଉଲେଇ
ହାଏ ହାଏ ତୋ ପ୍ରେମ ସୁରେଇ
ହାତ ଆଉଁସାରେ ରହିଯାଏ ସପନ କୁଲେଇ
ପ୍ରେୟସୀ ପରି ଆସେ ପସେଇ ଧସେଇ
ନିତି ଘଷି ହୁଏ ଯେମିତି ପୁଷି ବିଲେଇ
ଖରାବେଳେ ତୋଟାମୂଳରେ ବସେଇ
ୟାଡୁ ସାଡୁ ଗପୁ ଗପୁ ପଡ଼େ ସେ ଘୁମେଇ
ସେ ଗାମିନୀ ଯାମିନୀ ପରି ଭାରି ଲାଜେଇ
ହେଲେ ପାରୁନାହିଁ ତାକୁ ମୁଠେଇ ମନେଇ
ହାଏ ହାଏ ତୋ ସ୍ନେହ ଉହ୍ନେଇ
ଭାବନା କଲ୍ଲୋଳରେ ରହିଯାଏ ମୃଣ୍ମୟ ସଢ଼େଇ
ରୂପସୀ ପରି ଉଇଁଆସେ ଚାନ୍ଦ ପୁନେଇଁ
ଦେଖୁ ଦେଖୁ କହିବସେ ଦାନ୍ତ ମୁରୁକେଇ
ପାଠ ବୁଝିବା ବାହାନା ଦେଖାଇ ଦେଇ
ପାଖରେ ବସିପଡ଼େ ଖିଲି ଖିଲି ମଲେଇ
ସେ ଗଳ ଗଳ ଅନର୍ଗଳ ଗପୁଡି ରାଇ
ହେଲେ ପାରୁନାହିଁ ତାକୁ ପାଖରେ ଥାଇ
ହାଏ ହାଏ ତୋ ମୋହ ମିଠେଇ
ହସ ହିଲ୍ଲୋଳରେ ରହିଯାଏ ହିମ୍ମତ ବଙ୍କେଇ
କଳସୀ ପରି ଚହଲି ଆସେ ଭିଜେଇ
ମନ୍ଦ ମନ୍ଦ ହସନ୍ତ ବୀଣାଜୀଣା ବଜେଇ
ଭାଉଜ ଭାଉଜ ଡାକି ଡାକି ପଶେ ହାମୁଡେଇ
ଆଖିରେ ପଚାରିଦେଲେ ଯାଏ ଲାଜେଇ
ସେ ସୁମନ ପ୍ରସୁନ ପରି ଚହଟ ଚିକ୍କଣ ଘାଇ
ହେଲେ ପାରୁନାହିଁ ତାକୁ ଗଣ୍ଠେଇ କୋଳେଇ
ହାଏ ହାଏ ତୋ କାମ୍ୟ ବନ୍ଧେଇ
ଆତ୍ମା ଅଳିନ୍ଦରେ ରହିଯାଏ ମଳୟ କଳେଇ
କାମନା ବାସନା ମୋର ଯାଏ ବାମ୍ଫେଇ
ସୋରିଷ ମ୍ରିଦୁଳା ପରି ମୁଣ୍ଡ ଗୁଞ୍ଜେଇ
କଳ୍ପନା ନିଶାରେ ଏକାନ୍ତେ ବସେ କାନ୍ଥେଇ
ଅନା ବନା ଭାବୁ ଭାବୁ ପଡେ ମୁଁ କାଲେଇ
ସେ ଅଳକାପୁରୀର ଅପ୍ସରା ପରି ଆସେ ଉହ୍ଲେଇ
ପାଖରେ ବସେ ଆଉଁସେ ସ୍ବପ୍ନରେ ଘୁଡ଼େଇ
ହେଲେ ପାରୁନାହିଁ ତାକୁ ପାଇ ବିଜୟୀ ହୋଇ
ହାଏ ହାଏ ତୋ ଗଭା ଗଜରା ଛଇ
ବସେଇ ଶୁଏଇ ଦେଉନି ଜୀବନ ସାରା ସଖି କଣ୍ଢେଇ
