ଉତ୍ତରଣ ଅଭିପ୍ସା
ଉତ୍ତରଣ ଅଭିପ୍ସା
କବିତା - ଉତ୍ତରଣ ଅଭିପ୍ସା
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୧-୨୦୨୬
+++++++++++++++++
ଦୁଃଖ କଷ୍ଟରେ ବାଟ କାଟି ଜୀବନ ଚାଲିଛି
ଅଙ୍କା ବଙ୍କା ସର୍ପିଳ
ଝଡ଼ ଝଞ୍ଜାରେ ଛାତିରେ ପଥର ଲଦି ଜୀବନ ଧାଇଁଛି
ଭୋକ ଉପାସିଆ ଧୂମାଳ
ଅଭାବ ଅନାଟନେ ମାନ ଅପମାନେ ଜୀବନ ଆଗେଇଛି
ଶୀତ କାକରେ ହେମାଳ
ମାତ୍ର
ଜୀବନ ବିମୁଖ ହୋଇନି
ଭାଗ୍ୟକୁ ଦୋଷ ଦେଇନି
ଆତ୍ମହତ୍ୟା ରାସ୍ତା କହିନି
ବରଂ
ଭିତରେ ଭିତରେ ଟାଣୁଆ ପଣ
ଜୀବନ ଅନୁରକ୍ତିର ନଛୋଡ଼ବନ୍ଧା ତୁଣ
ଶେଖେଇଛି
ଦୁଃଖ ସହିବାକୁ
ସ୍ନେହ ବାଣ୍ଟିବାକୁ
ସୁଖ କାଟିବାକୁ
ପିନକଣ୍ଟା ମାରି ବେଲୁନ ଫଟେଇବାକୁ
ଅନ୍ୟର ଦାୟ ବିପଦରେ ଭାଗନେବାକୁ
ପାଖ ପଡ଼ୋଶୀର ସୁଖଦୁଃଖରେ ହାତ ବଢ଼େଇବାକୁ
ବିପଦ ଆପଦରେ ସାହାଯ୍ୟ ସହାନଭୂତି ଦେଖେଇବାକୁ
ସଂଘର୍ଷ କରୁ କରୁ ତିଆରି କରିଛି
ସ୍ୱାଭାବିକ ପ୍ରବୃତ୍ତି
ସାହାଯ୍ୟ କରୁ କରୁ ବନେଇ ସାରିଛି
କର୍ମବୀର ଆବୃତ୍ତି
ସାମାନ୍ୟରୁ ଆସାମାନ୍ୟ
ଇନ୍ଦ୍ରୀୟରୁ ଇନ୍ଦ୍ରୀୟାତୀତ
ମାନସିକରୁ ଉର୍ଦ୍ଧ୍ଵ ମାନସିକ
ଅନ୍ଧାରରୁ ଆଲୋକମାର୍ଗ
ଅଜ୍ଞାନରୁ ଜ୍ଞାନ ବିଜ୍ଞାନ
ବର୍ତ୍ତମାନରୁ ଭବିଷ୍ୟତ
ମରାମରାରୁ ରାମରାମ
ଅତଏବ ଅଜାଣତରେ ବନେଇ ସାରିଲାଣି
ଉତ୍ତରଣର ଅଭିପ୍ସାରେ ଲିପ୍ତ ପ୍ରବୃତ୍ତି ।
