ଯୌଥ ପରିବାର
ଯୌଥ ପରିବାର
ଆଗ କାଳେ ଥିଲା ବହୁ ଯୌଥ ପରିବାର
ସହଜେ ସମ୍ଭାଳି ଥିଲା ଅନେକଙ୍କ ଭାର ।
ମାତ୍ର ଜନ ବିସ୍ଫୋରଣେ କମି ଦିନୁ ଦିନ
ଅଳ୍ପ ବର୍ଷ ମଧ୍ୟେ ସବୁ ହୋଇଛି ନଶ୍ଚିହ୍ନ ।
ସଯତ୍ନେ ଲାଳିତ ତହିଁ ହୁଅନ୍ତି ସଭିଏଁ
ସହାୟକ ହୁଏ ପୁଣି ଶିକ୍ଷା ବିସ୍ତାରରେ ।
ପରସ୍ପର ଅନୁଭୁତି ଅନୁଭବ ରାଶି
କଥୋପ ‐କଥନେ ତହିଁ ଥାନ୍ତି ସର୍ବେ ଭାଷି ।
ସଭିଙ୍କର ସମସ୍ୟାର ସମାଧାନ ପାଇଁ
ସଯତନେ ସହାୟତା ଥାଆନ୍ତି ଯୋଗାଇ ।
ନାନା ଆଲୋଚନା ଆଉ ସମାଲୋଚନାରେ
ପରସ୍ପର ଦୋଷ ଗୁଣ ବଖାଣି ଯହିଁରେ ।
ନିରା କରଣ ର ମାର୍ଗ ବ୍ୟଙ୍ଗ ବିଦ୍ରୁପର
ସାଥେ କେତେ ମଜା ଖୁସି ହସ କୌତୁକର ।
ଆଶ୍ରୟେ ଉତ୍ଫୁ ଲ୍ଲ ମନେ ଥାଆନ୍ତି ଦୂରାଇ
ଆନ ଆନ ପ୍ରତି ‐ପ୍ରୀତି ‐ସୌହାର୍ଦ୍ଦ୍ୟ ବିତରି ।
ଉଲ୍ଲାସ ଆହ୍ୱାନ ସେବା ଓ ସହାନୁଭୁତି
ସହନଶୀଳତା ଗୁଣ ସଦ୍ଭାବ ଜାଗୃତି ।
ମିଥ୍ୟା ଅନାଚାର ସ୍ଥାନ ନଥାଏ ଯହିଁରେ
ବିତାଅନ୍ତି ସର୍ବେ ସଦା କାଳ ମଉଜରେ ।
ଉଭାବନ ଆବିଷ୍କାର ସାଥେ ପରିଷ୍କାର
ପରିବେଶେ ନିତି ତୋଷେ ଆନନ୍ଦେ ବିହାର ।
କରି ହୁଏ ଯେଉଁ ଠାରେ ଯୌଥ ପରିବାର
ଉଶ୍ୱାସ ହୁଅଇ ଯହିଁ ସଭ୍ୟଙ୍କର ଭାର ।
ବିଶ୍ୱାସ ଓ ସହଯୋଗ ଅରପି ଅପରେ
ଆବଦ୍ଧ ସଭିଏଁ ଥାନ୍ତି ସ୍ନେହ ମମତାରେ ।
ଅବହେଳା ଅନାଦର ନ ଲଭନ୍ତି କେହି
ପରସ୍ପର ଶାନ୍ତି ପ୍ରୀତି ମୈତ୍ରୀ ଥାନ୍ତି ଚାହିଁ ।
ରୋଗୀ ବିକଳାଙ୍ଗ ଅବା ବୂଦ୍ଧ ବୂଦ୍ଧା ଜନେ
ସବୁକାଳେ ସହାୟତା ସହିତ ଯତନେ ।
ଥାଆନ୍ତି ଯେଉଁଠି ସଦା ଆନନ୍ଦିତ ମନେ
ବଡ ସାନ ସ୍ନେହ ମାନ୍ୟ ଥାନ୍ତି ବିତରଣେ ।
ଛୋଟ ଶିଶୁ ଅନାଦର ଅବା ଅବହେଳା
ନଲଭେ ହରଷେ ରଚି ଥାଏ ନିଜ ଖେଳା ।
ପରସ୍ପରେ ସଭିଙ୍କର ପ୍ରତି ତୀକ୍ଷ୍ଣ ଦୃଷ୍ଟି
ଦେଇପାରିଥାନ୍ତି ରହେ ପରିବାରେ ଶାନ୍ତି ।
ଯୌଥ ପରିବାର ତାହା ଅଟେ ହିତ କର
ଈର୍ଷା ଘୃଣା ଅସୂୟାରେ ଏବେ ନାରଖାର ।
ଚରିତ୍ର ଗଠନ ଆଉ ଶିକ୍ଷା ଦାନେ ଯହିଁ
ବିସ୍ତୃତ ଭଣ୍ତାର ନିତି ରହି ଥାଏ ଭରି ।
ସ୍ନେହ ପ୍ରେମ ଅନୁରାଗ ଓ ସହାନୁଭୁତି
ଘେନି ପ୍ରତି ସଭ୍ୟ ଥାନ୍ତି ପରସ୍ପର ପ୍ରତି ।
ଭାତୃତ୍ୱର ଜାଗରଣ ହୁଏ ଯେଉଁଠାରୁ
ଉଦ୍ଧାର ଲଭନ୍ତି ବେଗେ ଦୁଃଖ ଦୁର୍ଦ୍ଦଶାରୁ ।
ବିପଦେ ଆପଦେ ଦେଖା ଶୁଣା ସହାୟତା
ମିଳି ପାରେ ଯେଉଁ ଠାରେ ମହାନୁଭବତା ।
ସହାନୁଭୁତି ଲୋତକେ ବଡ ସାନ ଲୋକେ
ଆଦର ସନ୍ତାନ ପ୍ରୀତି ନେତ୍ରେ ଆନେ ଦେଖେ ।
ପବିତ୍ର ମନ ହୃଦୟ ଦୟାର ଭଣ୍ତାରେ
ପରି ପୂର୍ଣ୍ଣ ଥାଏ ସଦା ଯୌଥ ପରିବାରେ ।
ନିର୍ଲୋଭ ଆର୍ଜବ ଭାବ ମଧୁର ପ୍ଲାବନେ
ମଧୁମୟୀ ସୁ‐ମାଧୁରୀ ହୃଦେ ହୃଦେ ବୁଣେ ।
ଏହାର ଲୋପରେ ଆଜି ଅସାମାଜିକତା
ବୃଦ୍ଧି ପାଇ ଘଟି ଚାଲେ ନିତି ବର୍ବରତା ।

