ଯୌବନେ ମର୍କଟୀ ରମ୍ଭା
ଯୌବନେ ମର୍କଟୀ ରମ୍ଭା
ଯଉଘର ପରି ଅଟେ ଯଉବନ
ଜଳେ ହୃଦମନେ ମଧୁର ନିଆଁ,
ଭଙ୍ଗକରେ ତପ ଯୋଗୀ ଋଷିମୁନୀ
ଯୌବନେ ମର୍କଟୀ ରୂପସୀ ରମ୍ଭା ।
ଯଉବନେ କାମ ପ୍ରେମ ପ୍ରବଣତା
ମାନେ ନାହିଁ କିଛି ବାଧା ବନ୍ଧନ,
ଫୁଲରୁ ଫୁଲକୁ ଉଡି ବୁଲିବାକୁ
ଚାହେଁ ପ୍ରଜାପତି ଅବୁଝା ମନ ।
ଗାଏ ଗୁଣୁ ଗୁଣୁ ମନଫୁଲା ଗୀତ
ମଧୁଲୋଭୀ ମନ ମତ୍ତ ଭ୍ରମର ,
ଶୟନେ ସ୍ବପନେ ଅବା ଜାଗରଣେ
ଉଦବେଳଇ ପ୍ରେମ ପ୍ରାଣ ବିଭୋର ।
ଜୀବନ ବସନ୍ତ ଯୌବନ ଆଗମେ
ଉଚ୍ଚାଟେ ପଞ୍ଚମେ ମୂରଲୀ ସ୍ବନ ,
ରୋମାଞ୍ଚେ କଦମ୍ବ ପ୍ରୀତି ଅଭିସାରେ
ପୁକାରେ ଯମୁନା କୁଞ୍ଜ କାନନ ।
ଚାହେଁ ଉଡିବାକୁ ନୀଳ ଆକାଶରେ
ସ୍ବଚ୍ଛନ୍ଦେ ଯୌବନ ମନ ବିହଙ୍ଗ,
ଆଙ୍କି ମନତୂଳୀ ସବୁଜ ସୁନ୍ଦର
ତୋଳେ ଇନ୍ଦ୍ରଚାପ ସପତ ରଙ୍ଗ ।।

