ଯାମିନୀ ଶେଷ ଉଷା ପ୍ରବେଶ
ଯାମିନୀ ଶେଷ ଉଷା ପ୍ରବେଶ
ଯାମିନୀ ଆସୁଛି ପାହି
ଶୀତଳ ସମୀର ବହି
ଦେହ ମନ ଛୁଇଁ ଯାଏ
ଉଷାର ପହିଲି ସ୍ପର୍ଶ
ଧରିତ୍ରୀ କୁ କରେ ବଶ
କାନେ କାନେ କହି ଦିଏ।
ଫସରା ଫାଟିବା ବେଳ
କୁକ୍କୁଟ ରାବିବା କାଳ
କାକ କାଆ କାଆ ସ୍ୱରେ
ତିମିର ଯିବତ ଲୁଚି
ପାରାବାର ନୀଳ ବିଚି
ମଥା ପିଟେ ତା କୂଳରେ।
ବିହଙ୍ଗମ କଳରବ
ହଦ୍ରରେ କୈବର୍ତ୍ତ ନାବ
ଦୋଳାୟିତ କି ଆନନ୍ଦେ
ପାଠାଶାଳା କୋଳାହଳ
ଚାଟଙ୍କର ଯେ ଗହଳ
ବେଦ ଶୁଭି ଯାଏ ମନ୍ଦେ।
କୁଆଁତାରା ହୁଏ ସଜ
ବୁଣିବେ ରବି ମୁରୁଜ
ଉଷା ଦେବୀ କେଡ଼େ ଛନ୍ଦେ
ରାଇଜ ହେବ ଜାଗ୍ରତ
ଆଳସ୍ୟର ପରାହତ
ପ୍ରକୃତିର ମହାନନ୍ଦେ।
ଉଷାର ପହିଲି ସ୍ପର୍ଶ
ସଭିଙ୍କୁ ଦେବ ହିଁ ହର୍ଷ
ସକଳେ ରଖିବା ମନେ
ଯାମିନୀ ଯାଉଛି କହି
କେହି ବି ଭୁଲିବା ନାହିଁ
ଯତ୍ନେ ଚଳିବା ଜୀବନେ।
