ଶହିଦ ଭଗତ ସିଂ ଅମର ରହେ
ଶହିଦ ଭଗତ ସିଂ ଅମର ରହେ
ମନେ ଆଶା ଧରି, ମୃତ୍ୟୁର ଦ୍ୱାରରେ, ହେ
ଶହିଦ, ଥିଲ ସେଦିନ ଠିଆ ହୋଇ
ଥିଲା ନବ ଆଶା ନବ ଚିନ୍ତନ, ତେଣ ତୁମ ମନ
ମଧ୍ୟେ ଟିକେ ଡର ପଶିଲା ନାହିଁ ।
ଜୀବନର ପ୍ରତି ବିନ୍ଦୁ ରକ୍ତ, ଦେଶର ମେହନତୀ
ମଣିଷ ପାଇଁ ସଦା ଥିଲା ସମର୍ପିତ
ଆଜି ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଅରାଜକତା
ବ୍ୟାପ୍ତ, ହୁଏ ଅନୁତପ୍ତ, ତୁମ ବଳିଦାନ
ନହେଉ ବ୍ୟର୍ଥ ।
ଦେଶର ସ୍ୱାଧୀନତାର କଳ୍ପନା ସପନ ଉଠାଇଲ
ତୁମ ନିଜର ହୃଦୟ ଭିତରେ
ଆଗେଇ ଚାଲିଲ, ହେ ବୀର ଶିରୋମଣି ସୁଖଦେବ
ରାଜଗୁରୁଂକୁ ଧରି ସାଥିରେ ।
ହସି ହସି ବିନା ଦୁଃଖେ ତୁମେ ଶୂଳୀ ଉପରେ,
ବୀର ଦର୍ପେ ଠିଆ ହୋଇଗଲ
ମୃତ୍ୟୁ ଆସନ୍ନ ସମୟ, ଇନ୍ କିଲାବ ଜିନ୍ଦାବାଦ
ଧ୍ୱନିରେ ଜୀବନ ଦେଇ ଦେଲ ।
ହେ ମହାନ୍, ତୁମ ହୃଦୟଭରା ସବୁ କୋହକୁ
ଦେଶପ୍ରେମ ଧୋଇ ଦେଲା,
ଶର ଫରୋସି କି ତମନ୍ନାର ହାକ ପିନ୍ଧିଛି ଯିଏ,
ଫାଶୀ ତାକୁ କି ଡରେଇବ ଭଲା ।
ସଲାମ କରୁଛି ହେ ବୀର ଭଗତ ସିଂ, ତୁମର
ଦେଶପ୍ରେମର ମହୁଲି ନିଶାକୁ,
ମନେ ଆସେ, ସେହି ସମର୍ପଣ ଭାବ ନିର୍ଝରିତ
ହେବ କେବେ ସବୁ ଦେଶବାସୀଂକୁ ।
ମନେ ରହିଛି, ମାଆକୁ ପତ୍ର-ଭୟ, ଭୟ କରନି
ମାଆ ତୁମେ ମୃତ୍ଯୁର ଧମକରେ,
ସେତିକି ଦିଅ ସାହାସ, କଠୋର ହେବି; ଯେମିତି
ମୃତ୍ଯୁ ବି ଡରାଇବାକୁ ମୋତେ
ଭୟ କରେ ।
ଶପଥ ନେଇଥିଲ ମାଟି ଛୁଇଁ ନିଜ ମାତୃଭୂମିର,
ସପନରେ ତୁମର ଥିଲା ଆଜାଦ
ହିନ୍ଦୁସ୍ଥାନର
ହଜାର ଅତ୍ୟାଚାର ଜଖମ ଫିରିଂଗି ଶୋଷକର,
ଭାଂଗି ପାରିଲାକି ଦେଶପ୍ରେମ
ଗାରିମା ତୁମର ।
ହସି ହସି ଶୂଳୀ ଉପରେ ବସି ମଧ୍ୟ ଇନ୍ କିଲାବ
ଜିନ୍ଦାବାଦ ର ଧ୍ୱନୀର ପ୍ରକମ୍ପରେ
ବୀରତ୍ୱର ରଂଗ କମ୍ପିଗଲା, ଫିରିଂଗି ସାମ୍ରାଜ୍ୟର
ବୁନିଆଦ ହଲି ଦୋହଲି ଗୋଲାରେ ।
ସ୍ୱାଧୀନତା ପାଇଁ ତୁମେ, କରି ଟାଣ ପଣ,
ପ୍ରାଣକୁ ଦେଲ ଯେ ଝାସି
ମାଟି ମାଆ ପାଇଁ ଆନନ୍ଦ ମନରେ ତୁମେ
ଜୀବନ ଦେଲତ ହସି ହସି ।
ଦେଶକୁ ସ୍ୱାଧୀନ କରିବା ପାଇଁ ହେ ବୀର
ପୁତ୍ର ନିଜ ଜୀବନ ଦେଇଛ ବାଜି
ସଲାମ କରୁଛି ହେ ବୀର ତୁମକୁ ଦେଶର
କୋଟି ପ୍ରଣାମରେ ଆଜି ।
ଇତିହାସରେ ପାଇବା ଆମେ ଏମିତି କେତେ
ବୀର ସହିଦଙ୍କ ପ୍ରାଣ ବଳି
ତାଙ୍କ ପାଇଁ ହେଲୁ ସ୍ୱାଧୀନ, ମନ ହୃଦୟରୁ
ଦେଉଛି ମୁଁ ଆଜି ଶ୍ରଦ୍ଧାଞ୍ଜଳି ।
କି ଦେବି ତୁମକୁ ମୁଁ ସମ୍ମାନ, ତୁମ ବଳିଦାନ ତ
ଚିର ଅଜର ଅମର ଭାସ୍ୱର
ଶତକୋଟି ପ୍ରଣିପାତ ହେ ବୀର ତୁମ ପାଦେ
କୋଟି କୋଟି ଶ୍ରଦ୍ଧାଞ୍ଜଳି ମୋର ।