ଆସିଛି ଏକା, ଯିବି ବି ଏକା
ଆସିଛି ଏକା, ଯିବି ବି ଏକା
ମୁଁ ର ପରିଚୟ ଖୋଜୁଛି ମଣିଷ,
କେତେ ଯେ ତର୍ଜମା କରିଛି
ଦୁନିଆଟା ଲାଗେ ବିଚିତ୍ର, ମୁଁ କିଛି
ନୁହଁ, ତାକୁ କି ଛାଡି ପାରୁଛି ?
କହୁଛେ ମିଛ ମାୟା ଏଇ ସଂସାର,
ସୃଷ୍ଟିର ମୂଳମନ୍ତ୍ର କହିବେକି କିଏ ?
ଭୂପୃଷ୍ଠରେ ଶ୍ରେଷ୍ଠ ପ୍ରାଣୀ ବୋଲାଇ
ନର ସତ୍ୟପଥକୁ ଭୁଲିଯାଏ ?
ଆସିଛେ ଏକା ଯିବା ବି ଏକା, ସଙ୍ଗେ
ତ ଯିବେନି କେହି
ରହି ନାହିଁ କେହି ଏହି ଜଗତରେ ତ
ହେ ଭଉଣୀ ଭାଇ ।
କରୁ ଆମେ ଗର୍ବ ଅହଂକାର, ଦିନେ
ତାହା ତ ହେବ ଚୂନା
ନଥିବୁ ତ ଦିନେ ଏ ସଂସାରେ, ମିଛରେ
ଫୁଟାଣି ମାରୁ ସିନା ।
ନିଜେ ନଥିବୁ ଭୋଗ କରିବାକୁ, କହ
ଲୋଭ କାହିଁ ପାଇଁ କରୁ
ଦିନେ ଖେଳ ସରିବ, ପ୍ରାଣ ଛାଡିଯିବ
ଯେବେ ଏ ଶରୀର ପିଣ୍ତରୁ ।
ଅନ୍ତରେ ହଳାହଳ ବିଷ ଥାଇ କାହିଁକି
ଦିଏ ଭାଷଣ ଟେକି ସ୍ୱଧର୍ମର
ପାପ କରମେ ବୁଡି ପୂଜିଲେ ଦେବାଦେବୀ
କରିବେକି ତାକୁ ଉଦ୍ଧାର ?
ପୂଜା ପାର୍ବଣ ବଢ଼ୁଛି, ବଢ଼େ କିଆଁ କୁତ୍ସିତ
ମାନସିକତା ଅତି
ସ୍ୱଛତା ନଥାଇ, ସତରେ ପୂଜାର୍ଚ୍ଚନାରେ
କମିବକୁ ଦୁଷ୍କର୍ମ ପ୍ରବୃତ୍ତି ?
ଦୁର୍ନୀତି ବିରୁଦ୍ଧେ ସଭିଏଁ କହୁଛେ, କଡ଼ା
ନିୟମ ଏଠି ଦରକାର
ଯାହା ବଢ଼ାଉଛି ସେ ପ୍ରବୃତ୍ତି, ଜାଣି ଶୁଣି
ବିରୋଧ ନକରିବା ନୀତି ଆମର ।
ଅକର୍ମ ସବୁ ଛାଡିବାକୁ ମନ୍ଦିର ଅବା ଗୀର୍ଜା
ଅବା ମସଜିଦ ଯାଉଛେ ସରବେ
କିପାଇଁ ରହି ପାରୁନେ ଆମେ, ପବିତ୍ର ଶୁଭ
ବୁଦ୍ଧି ଦୟା ପ୍ରେମ ଭାଵେ ।
ଗଢି ଅଟାଳିକା, କିଣି ଗାଡି ବାଡ଼ି ଅନ୍ୟର
ଶିରିକୁ କାହିଁକି ତ ଦେଖି ପାରୁନା ?
ମୋହ ମାୟା ଲୋଭ ଜାଲେ ହୋଇ ଛନ୍ଦି
ମଣିଷତ୍ୱକୁ ହଜାଉଛେ ସିନା ।
ଆମେ ନୁହେଁ ପଶୁ ! ଆମେ ତ ଭୂପୃଷ୍ଠରେ
ସର୍ବଶ୍ରେଷ୍ଠ ପ୍ରାଣୀ ନର
ସମୟ ରତ ହେବା ପୂ୍ର୍ବରୁ ଏବେଠୁ ଅନ୍ୟାୟ
ବିରୁଦ୍ଧେ ପ୍ରତିବାଦ କର ।
ପଢ଼ି ହୃଦୟଂଗମ ନକଲେ ବେଦ କୋରାନ
ଅବା ଯୀଶୁଂକ ବାଣୀକୁ
ଚେଇଁ ଶୋଇ ଖାଲି ସପନ ଦେଖିଲେ ସତରେ
ପାଇବାକି ସେ ସପନ ସୁଖକୁ ।
ମିଛେ ହୋ ହାଲ୍ଲା କରୁଛେ କିନ୍ତୁ ଭାବୁଛେ
କି କିଛି ଅଛି ଦାୟିତ୍ଵ ଆମର?
ଦୁଷ୍କର୍ମ ହେଉଛି, ସଚେତନ ହୋଇ ବିରୋଧ
କରିବା ଦରକାର ତାର ।
ନବ ଉନ୍ମେଷ ନେଇ ଆମ ମଣିଷ ଜାତିକୁ
ଜାଗି ଉଠିବାକୁ ହେବ
ତନ୍ଦ୍ରା ଅଳସ ତେଜି ସୁପ୍ତ ହୃଦୟକୁ ଚେତନା
ରେ ଭରିବାକୁ ପଡିବ ।
ସାହିତ୍ୟର କର୍ତ୍ତବ୍ୟକୁ ମନ ମଧ୍ୟେ ରଖି ସୃଷ୍ଟି
କରିବାକୁ ହେବ ଶବ୍ଦର ଯାଦୁକରୀ
ବିପ୍ଳବର ଲାଭା ଟେକିଉଠୁ, ହେ କବି ଗଣ,
ବୈପ୍ଳବିକ ଚେତନାର ଲେଖା ଯାଉ ଭରି ।
ହୃଦୟେ ଧର ଆସିଛୁ ଏକା ଯିବୁ ତୁ ଏକା
ସଙ୍ଗେ ନଯିବେ କେହି
ରହିବ କୀରତି ଖାଲି, ରହି ନାହିଁ କେହି ଏ
ଜଗତରେ ତ ହେ ଭଉଣୀ ଭାଇ ।
