ସମ୍ପର୍କ କହେ
ସମ୍ପର୍କ କହେ
ଏହି ଦୁନିଆରେ ଜନ୍ମି ଚାଲିବାକୁ ହୁଏ ବନ୍ଧୁ
ଅଙ୍କା ବଙ୍କା ପଥେ ସେହି ଆମ ଜୀବନଯାତ୍ରାରେ,
ବଢିବାକୁ ହୁଏ ସମ୍ପର୍କର ହାତ ଧରି ସଭିଙ୍କୁ
ଆଉ ସେହି ସମ୍ପର୍କ କହେ ଅତି ଆପଣାର ।
ଜନ୍ମି ପିତା ମାତା କୋଳେ ବଡ଼ ଆଦରରେ
ବିତି ଯାଏ ଆନନ୍ଦେ ଦିନ ସବୁ ଶୈଶବରେ,
ସେହି ବାତ୍ସଲ୍ୟ ସମ୍ପର୍କର ହାତ ଧରି ଉଠେ
ସମ୍ପର୍କ କହେ ପ୍ରଥମ ପାହାଚ ଏହା ଜୀବନର ।
ସ୍ନେହ ମମତାର ବନ୍ଧନରେ ବାନ୍ଧି ହୋଇ ଶିଖେ
ଭଲପାଇବାର ସେହି ଅତୁଟ ପ୍ରେମକୁ ତାଙ୍କ ଠାରୁ,
ସେହି ଅମୃତ ସମ୍ପର୍କର ହାତ ଧରି ବଢିଚାଲେ
ସେହି ସମ୍ପର୍କ କହେ ପିତାମାତା ପ୍ରଥମ ଗୁରୁ ।
ବୟସର ତାଳେ ବଢି ଯେବେ ପ୍ରବେଶ କରଇ
ଶିକ୍ଷା ଲାଭ ପାଇଁ ବିଦ୍ୟାଳୟ ଗୁରୁ କୂଳେ,
ଲଭଇ ଶିକ୍ଷା ପ୍ରଗତିର, ସମ୍ପର୍କର ହାତ ଧରି
ସେହି ସମ୍ପର୍କ କହେ, ଶିଷ୍ୟଙ୍କୁ ଗୁରୁ ମିଳେ ।
ଗୁରୁ ଶିଷ୍ୟର ଏହି ସମ୍ପର୍କ ଅଟଇ ଭିନ୍ନ
ଗୁରୁଙ୍କ ଆଶିସେ ସଫଳ ହୁଏ ସଭିଙ୍କ ଜୀବନ,
ସେହି ସମ୍ପର୍କର ହାତ ଧରି ଚାଲି ଲଭେ
ଚଞ୍ଚଳତା ଉନ୍ମାଦନା, ତାକୁ ସମାର୍ଜ କହେ ଯୌବନ ।
ସେହି ଯୌବନରେ ବନ୍ଧା ହୁଏ ବନ୍ଧୁତ୍ୱର ଡୋରରେ
ନେଇ ସଭି ବାଲ୍ୟ ବନ୍ଧୁଙ୍କୁ ନିଜ ସାଙ୍ଗରେ,
ଏହି ବନ୍ଧୁତ୍ୱ ସମ୍ପର୍କର ହାତ ଧରି ପାଏ
ମନର ମଣିଷ, ସମ୍ପର୍କ କହେ ପଡିଛି ପ୍ରେମରେ ।
ସେହି ପ୍ରେମ ରସ ପାନ କରି ଗଢେ
ଧୀରେ ଧୀରେ ନିଜର ଏକ ସୁନ୍ଦର ସଂସାର,
ପତିପତ୍ନୀ ସମ୍ପର୍କର ହାତ ଧରି ସ୍ବପ୍ନ ଦେଖନ୍ତି
ସମ୍ପର୍କ କହେ, ଧର୍ମ ଏହା ବୈବାହିକ ଜୀବନର ।
ପତିପତ୍ନୀ ମିଶି ଗଢନ୍ତି ସଂସାର ବଡ଼ ନିର୍ବିକାରେ
ପୁତ୍ର କନ୍ୟା ପୌତ୍ର ପୌତ୍ରୀ ମାନଙ୍କ ସାଥିରେ,
ଏହି ସମ୍ପର୍କର ହାତ ଧରି ବାର୍ଦ୍ଧକ୍ୟ ଲଭନ୍ତି
ସମ୍ପର୍କ କହେ, ଏହା ଅଟେ ଆମ ଜୀବନଚକ୍ରରେ ।
ଏହି ଜୀବନଚକ୍ର ସୁଖ ଦିଏ ଦୁଃଖ ଦିଏ
ସ୍ବପ୍ନ କିଛି ପୁର୍ଣ କରି, କିଛି ନକରି,
ସମ୍ପର୍କର ହାତ ଧରି ଦୁଃଖର ଲୁହ ପିଇଯାଏ
ସମ୍ପର୍କ କହେ, ବୟସ ଆସୁଛି ପୁରି ପୁରି ।
ପତି ଅବା ପତ୍ନୀ କେହି ଛାଡି ଚାଲିଯାଏ
ଏକା କରିଦେଇ ଅନ୍ୟକୁ ଏହି ଦୁନିଆର ଜୀବନ ଯାତ୍ରାରେ,
ଆଉ ସମ୍ପର୍କର ହାତ ଧରି ଚାଲି ହୁଏନାହିଁ
ସମ୍ପର୍କ କହେ, ରହିଛି ରହିବ ସିଏ ସ୍ମୃତିରେ ।