STORYMIRROR

Sita Nayak

Abstract Children Stories Inspirational

4  

Sita Nayak

Abstract Children Stories Inspirational

ଯାଇଥିଲି ଦିନେ ଗାଁ କୁ..

ଯାଇଥିଲି ଦିନେ ଗାଁ କୁ..

2 mins
2

ବହୁତ୍ ଦିନ ପରେ ସମୟ ମିଳିଲା 

ଯାଇଥିଲି ଟିକେ ଗାଁକୁ

ସହର ନା ଗାଁ ଜାଣି ପାରିଲିନି 

ବଦଳିବା ଦେଖି ଗାଁକୁ

ମାଟି ଥିବା ରାସ୍ତା କଂକ୍ରିଟି ହେଲାଣି

ଖାଲ ଢିପ ହଜିଗଲାଣି 

ଶଗଡ଼ ଗାଡ଼ିକୁ ଦେଖି ପାରିଲିନି

ବସ୍ କାର୍ ସବୁ ହେଲାଣି ।

ବରଗଛ ମୂଳେ ତାସ୍ ଖେଳରେ

ଗପ ସବୁ ଥିଲା ସାକ୍ଷୀ

ଦୋକାନୀ ମଉସା ପେଟ ପୋଷୁଥିଲା 

ପାନ ପୁଡ଼ିଆକୁ ବିକି।

ଦୋକାନ ତ ଅଛି ଆଜି ବି ସେମିତି 

ବୁଢ଼ା ନୁହଁ ପୁଅ ବସିଛି

ଆଖପାଖ ତାର ବଜାର ହେଲାଣି

ଅହରହ ଭିଡ଼ ଜମୁଛି।

ଦୁଇ ପାଦ ଆଗେ ସ୍କୁଲ ବାରଣ୍ଡା 

ଛାତୁ ଗଳୁ ଥିଲା ପାଣି

ସେହି ସ୍କୁଲ ପୁଣି ଗଢିଛି ମଣିଷ

କେତେ ବଡ଼ ଜ୍ଞାନୀ ଗୁଣୀ।

ବୋହୂ ଚୋରୀ ସହ କେତେ କାହୁଁ ଖେଳ 

ସାକ୍ଷୀ ସେହି ସ୍କୁଲ ପଡିଆ

ପିଲାଙ୍କୁ ଦେଖୁନି ଗୋଟେ ହେଲେ କାଇଁ

ଫୋନ୍ ଖେଳେ ସବୁ ବାଇଆ ।

ତୋଟା ମାଳ ଖୋଜି ଆଗକୁ ବଢିଲି

ତେନ୍ତୁଳି, ଆମ୍ବର ଆଶାରେ

ସେହି ଜାଗାରେ ଆଜି କାରଖାନା ଠିଆ

ପ୍ରଦୂଷିତ ହୁଏ ଧୁଆଁରେ ।

ବିଲ ବାଡ଼ି ଥିଲା ସବୁଜ ସୁନ୍ଦର 

ଧାନ କ୍ଷେତ ଥିଲା ସୁନା

ମାଙ୍କଡ କୁକୁଡ଼ା କେହି ଦିଶୁନାହିଁ

ଭୁକୁନି ବିଲୁଆ ନନା ।

ପେଙ୍କାଳି ମାରି ଆସୁନି ମଲେଇ 

ବିକୁ ନାହିଁ ଆଉ ପେପ୍ସି

ଆଇସି କ୍ରିମ୍ ଷ୍ଟଲ୍ ଯୋଉଠି ସେଇଠି 

ସଭିଏଁ ଦିଅନ୍ତି ଶୋଷି।

ଜଳଖିଆ ଦୋକାନ ଫାଷ୍ଟଫୁଡ୍ ହେଇଛି

କେତେ ଭଳି ଭଳି ଖାଦ୍ୟ

ପିଲାଠାରୁ ବୁଢ଼ା ମଜା ନଉଛନ୍ତି

ଖାଇବାର ସେହି ସ୍ଵାଦ ।

ଜଳୁ ନାହିଁ ଆଉ କାହାରି ଦୁଆରେ

ଲଣ୍ଠନ, ମହମବତୀ

ଦାଉ ଦାଉ ହୋଇ ଗାଁ ଝଲସୁଛି 

ଜଳୁଛି ବିଜୁଳି ବତୀ।

ଗାଁ ବଇଦର କାମ ନାହିଁ କିଛି 

ନାହିଁ ଆଉ ଝଡ଼ା ଫୁଙ୍କା

ମେଡ଼ିକାଲ ଆଗେ ରୋଗୀ ଠିଆ ହୋଇ

ଗଣନ୍ତି ଯେ କେତେ ଟଙ୍କା ।

ଗୋଟେ ସ୍କୁଲ ଥିଲା ପାଞ୍ଚଟା ହେଲାଣି 

ତା ସହ ପୁଣି କଲେଜ

ଜନ୍ମ ହେବା ପିଲା ସ୍କୁଲ ଗଲେଣି

ବଢେଇବା ପାଇଁ ନଲେଜ ।

ଚାଳ ଘର ସବୁ ପକ୍କା ଖଣ୍ଡେ ଖଣ୍ଡେ

ନାହିଁ ଆଉ ଗୋରୁ ଗାଈ

କୁକୁର ଏଣିକି ରାଜା ସବୁ ଘରେ 

ମାଲିକର ସେବା ପାଇ।

ଗାଁ ପୋଖୋରିରେ ପହଁରିକି ଦିନେ

ଆଖି କରୁଥିଲୁ ନାଲି

ଡର ଥାଏ ପୁଣି ବୋଉର ବେତରେ

ସାବାଡ଼ ହୋଇବୁ ବୋଲି ।

ମାଛ ଧରି ଯାଉ ସେହି ପୋଖରୀରେ

ମାଛର ଚାହିଦା ବୋଲି 

ପାଣି ଶୁଖି ଯାଇ ଦୂରରୁ ଦେଖିଲେ 

ଦିଶେ କାହିଁ ଆଜି ବାଲି।

କୁକୁଡ଼ାର ଡାକ ନିଦ ଭାଙ୍ଗୁ ଥିଲା

ଦାଣ୍ଡେ ପଡେ ଗୋବର ପାଣି

ନୂଆ ବୋହୂ ଆସେ ପାହାନ୍ତି ଗାଧୋଇ

ଝୋଟି ଚିତା ମୂର୍ଜ ଟାଣି ।

ଶେଷରେ ଆସିଲା ଗାଁ ର ମଶାଣୀ 

ପୋଡ଼ି ଅଛି କେତେ ଶବ 

ଗର୍ବ ଅହଂକାର ବିନାଶ କରି ସେ

ପାଉଁଶ ମୁଠାଏ ଦେବ।

ଏମିତି ବଦଳି ଯାଇଛି ମୋ ଗାଁ 

ଚିହ୍ନି ହେଉ ନାହିଁ ଜମା

ପରିବର୍ତ୍ତନର ଶାଢ଼ୀକୁ ପିନ୍ଧି ସେ

ବଢ଼ାଇଛି ନିଜ ଉପମା ।

ସହର ସହର ବାସୁଛି ମୋ ଗାଁ 

ସହରୀଆ ସେହି ଠାଣି 

ପାଉନି ଆଜି ସେ ହଜିଲା ଦିନ ମୁଁ 

ଗାଁ ର ପବନ ପାଣି।



Rate this content
Log in

Similar oriya poem from Abstract