ଉତ୍ତର କାହିଁ ପ୍ରଶ୍ନର
ଉତ୍ତର କାହିଁ ପ୍ରଶ୍ନର
ଚିନ୍ତା ଅହରହ ଜ୍ୱାଳାର ସାଗର
ପ୍ରଶ୍ନର ଉତ୍ତର କାହିଁ
ଏ ଜୀବନ କିମ୍ପା କାହିଁ କି ବା ଏହୁ?
ନ ପାରେ ଟି ବୁଝି ମୁହିଁ ।
ନାହିଁ ଚିରଦିନ ମରିବ ଏ ଦିନେ
ତା ପରେ ଯିବ ଟି କାହିଁ
କେତେ ଯେ ରୂପରେ ଶୋଭିତ ହେଉଛି
ଶିଶୁ ଯୁବା ବୃଦ୍ଧ ତହିଁ ।
ସଂସାର କହୁଛି ଶାସ୍ତ୍ର ଭି କହୁଛି
ଦୁର୍ଲ୍ଲଭ ମାନବ ଦେହ
ପୁଣ୍ୟ ବଳୁ ପରା ମାନବ ଜୀବନ
ଉଠେ ମନେ କିମ୍ପା କୋହ ।
ଜ୍ଞାନ ସବୁ କିମ୍ପା ନାହଁ ଟି ମନୁଷ୍ୟେ
ଜନ୍ମ ମୃତ୍ୟୁ ହୁଏ ସତ୍ୟ
ମୃତ୍ୟୁ ପରେ ତାର କି ହେବଟି ପୁଣି
ମନ ହୁଏ ବିଚଳିତ ।
ଜୀବନରେ ଥାଇ କିପରି ଜାଣିବି
ଉତ୍ତର ଖୋଜେ ତାହାର
ପ୍ରଶ୍ନ ଯହୁଁ ଉଠେ ଉତ୍ତର ଖୋଜୁଛି
କିଏ ସେ ଦେବ ଉତ୍ତର ।
ଭଲ କର୍ମ କଲେ ବୈକୁଣ୍ଠରେ ସ୍ଥାନ
ଶାସ୍ତ୍ର ଓ ଜ୍ଞାନୀ କହୁଛି
ସେ ବୈକୁଣ୍ଠ ଅଟେ କିପରି ଟି ସ୍ଥାନ
କିଏ ବା ତାକୁ ଦେଖିଛି ।
ଜ୍ଞାନ ଦେଇ ଅଛୁ ଅନାଦି ଅନନ୍ତ
ଜୀବ ମଧ୍ୟେ ସର୍ବଶ୍ରେଷ୍ଠ
କିପରି ବୈକୁଣ୍ଠ କି ପରି ଟି ସ୍ଥାନ
କରିଲୁ କାହିଁ ନିର୍ଦିଷ୍ଟ ।
ମୃତ୍ୟୁ ଲୋକେ ଅବା କେ ଦେଖିଛି କହ
ଖୋଜି ଖୋଜି ପାଉ ନାହିଁ
ପ୍ରାଣ ଛାଡ଼ି ଗଲେ କି ହେବ ଆତ୍ମାର
ଜ୍ଞାନ ମୋର ତାହା କାହିଁ ।
ହାସ୍ୟାସ୍ପଦ ସବୁ ଦୁର୍ଲ୍ଲଭ ଓ ଶ୍ରେଷ୍ଠ
ଜୀବ ସାଧାରଣ ମୁହିଁ
ଶାସ୍ତ୍ରରେ ବର୍ଣ୍ଣିତ କର୍ମ ମୁଁ କରୁଛି
ସତ୍ୟ ପଥେ ଅଛି ମୁହିଁ ।
ମନୁଷ୍ୟ କର୍ତ୍ତବ୍ୟ କରୁଅଛି ମୁହିଁ
କରେ ଜନ ରାଷ୍ଟ୍ର ସେବା
ରଖି ସମଭାବ ଗୃହ ପାଳୁ ଅଛି
ଭକ୍ତି ପଦେ ରାତ୍ର ଦିବା ।
ମୃତ୍ୟୁ ପରେ ଆତ୍ମା କାହିଁ ସେ ମିଶିବ
ପ୍ରଶ୍ନ ଉଠେ ବାରମ୍ବାର
ଉତ୍ତର ତାହାର ଦିଅ ତୁ କାଳିଆ
ଜାଣିବି ସତ୍ୟତା ତାର ।
ଉତ୍ତର ଏହାର ଦିଅ ଜଗନ୍ନାଥ
ଜାଣିବାକୁ ମୋର ଇଚ୍ଛା
ସୃଷ୍ଟିକର୍ତ୍ତା ତୁହି ଦେଇଛୁ ଜନମ
ମାତ୍ର ଏହୁ ମନବାଞ୍ଛା ।