ଉଠିପଡ଼, ଆଗକୁ ଚାଲ
ଉଠିପଡ଼, ଆଗକୁ ଚାଲ
ରାତି ପାହୁ ପାହୁ ପୁଣି ଯେ କେତେବେଳେ
ରାତି ହୋଇଗଲା ମୁଁ ଜାଣି ପାରିଲି ନାହିଁ,
ସୂର୍ଯ୍ୟ ଉଦୟରୁ ଚାଲି ଚାଲି ଥକି ପଡି ନ ଥିଲି ।
ହେଲେ ସଫା କରି ଚାଲିଥିଲି ଘର ଆଉ ଦାଣ୍ଡ ଯାକର ଅଳିଆ ସବୁକୁ ।
କେତେବେଳେ ହେଲେ ଧ୍ୟାନ ଦେଇ ନ ଥିଲି ସୂର୍ଯ୍ୟ ଉଦୟ ଆଉ ଅସ୍ତର ସମୟକୁ।
କବାଟ ଫାଙ୍କରେ ନୂଆଁଣିଆ ଚାଳରୁ ସୁନେଲି କିରଣରେ ପ୍ରକୃତିସ୍ଥ ହେଲି ।
ହଠାତ ଅନୁଭବ କଲି ନିଜ ହାତ ଆଞ୍ଜୁଳାରେ ମହମହ ସୁବାସରେ ମହକୁ ଥିବା ଆଞ୍ଜୁଳାଏ ସଦ୍ୟ ପ୍ରସ୍ଫୁଟିତ ସୁନ୍ଦର ସୁମନ ତ ପୁଣି ଆଖି ଆଗରେ ଫୁଲ ଚାଙ୍ଗୁଡାରେ ମଧୁର ମହକରେ ଘର ମହକୁଥିବା ଆଉ କିଛି ରଙ୍ଗବେରଙ୍ଗର ଫୁଲ ।
ଆଃ ,କି ଆନନ୍ଦ
ଉଭୟଙ୍କ ଉପସ୍ଥିତି ଆଜି ମୋ ଘରକୁ ବାସ୍ନାୟିତ କରୁଛନ୍ତି ।
ଭୁଲି ଗଲି ,ଭୁଲି ଗଲି ବିଗତ ସମୟର କ୍ଲାନ୍ତ ଅବସନ୍ନତାକୁ ।
ପାଶୋରି ପକେଇଲି ସାରା ଦିବସର କ୍ଷତାକ୍ତ ମୂହୁର୍ତ୍ତକୁ ।
ଏ ଆଖିରେ ସୂର୍ଯ୍ୟୋଦୟ ଆଉ ସେ ଆଖିରେ ସୂର୍ଯ୍ୟାସ୍ତରେ ଓଦା ସରସର ମୋ ହୃଦୟ ବେଦନା ସବୁ ଆଖି ମିଟିକା ମାରୁଥିଲେ ।
ସାରା ଦିନ ଆଉ ରାତିର ଯନ୍ତ୍ରଣାକୁ ନିଶବ୍ଦରେ ହସି ହସି ପିଇଦେଇ ଟିକିଏ ଘୁମେଇ ପଡିଲା ବେଳକୁ -
ଫିକ୍ କିନା ହସିଦେଲେ ସଦ୍ୟ ପ୍ରସ୍ଫୁଟିତ ସୁମନ ମାନେ।
ସ୍ବପ୍ନକୁ ସାକାର କରିବାକୁ ବହୁତ ବାଟ ଯିବାକୁ ଅଛି ।
ଉଠିପଡ଼ ,ଉଠିପଡ଼
ମହମହ ବାସରେ ହସିହସି ନରମ ସ୍ପର୍ଶ ଦେଇ କହୁଥିଲେ ଚାଙ୍ଗୁଡାର ଫୁଲମାନେ -
ଉଠିପଡ଼ ,ଉଠିପଡ଼ ଆଗକୁ ବହୁତ ବାଟ ଚାଲିବାକୁ ଅଛି ।
ଥକି ପଡିଲେ ପରା ଅଟକି ଯିବ
ଥକ୍କା ପଣ କେବଳ ଅଳସୁଆ ପାଖରେ
ଘୋର ତିମିର ଭିତରେ ସୁନ୍ଦର ରାସ୍ତା ଅଛି।
ଉଠିପଡ଼ ,ଆଗକୁ ଚାଲ।