ଉଷା
ଉଷା
ରାତି ପାହିଗଲେ ଉଷା ଆଗମନ
ଉଷାରେ ପ୍ରଭାତ ହୁଏ
ନୀଳ ଆକାଶର ନୀଳିମା ଦେହରେ
କୁଆଁତାରା ହସୁ ଥାଏ ।
ତିମିର ହଟଇ ସୁନ୍ଦୁରା ଫାଟଇ
ଶୁଭ୍ର ପ୍ରକାଶିତ ହୁଏ
ନୀରବ ନିଶ୍ଚଳ ଏଇତ ଧରିତ୍ରୀ
ଜାଗ୍ରତ ଯେ ହୋଇଥାଏ ।
ତରୁର ଶାଖାରେ ପତ୍ର ଗହଳିରେ
ପକ୍ଷୀ କୋଳାହଳ ହୁଏ
ଚଳ ଚଞ୍ଚଳ ତ ଏଇତ ଧରିତ୍ରୀ
ପ୍ରଭାତ ସଙ୍ଗୀତ ଗାଏ ।
ଜାଗ୍ରତ ପ୍ରହରୀ ଡାମରା କାଉଟି
ନିଦରୁ ଉଠାଇ ଦିଏ
ତା ପାଇଁ ମାନବ କର୍ମରେ ତତ୍ପର
କର୍ମବୀର ସାଜି ଥାଏ ।
ଏ ସାରା ଜଗତ କରଇ ସ୍ୱାଗତ
ପହିଲି ଉଷାକୁ ଦେଖି
କର ଦର୍ଶନକୁ ଭକ୍ତିରେ କରନ୍ତି
ମାଟିରେ ପାଦକୁ ରଖି ।
କୁଳ ଭୁଆଶୁଣୀ ବିଛଣାକୁ ଛାଡି
ମୁଖକୁ ପାଖାଳି ଥାନ୍ତି
ଗୁହାଳକୁ ଯାଇ ଗୋବରକୁ ଆଣି
ଦୁଆରେ ଛେରା ପକାନ୍ତି ।
ବାସି ପାଇଟିକୁ ସାରି ସେ ଦିଅନ୍ତି
ଉଷା ଆଗମନ ଦେଖି
ପୋଖରୀ ଗାଧୁଆ ଚିତ୍ତମନୋହର
ଆଖି ଯାଇଥାଏ ଲାଖି ।
ବିହଙ୍ଗମ ଦଳ ହେଇ ଦଳ ଦଳ
ଯାନ୍ତି ଖାଦ୍ୟ ଅନ୍ବେଷଣେ
ଦେବ ମନ୍ଦିରରେ ମଙ୍ଗଳ ଆରତୀ
ସଦା ଶୁଭୁଥାଏ କର୍ଣ୍ଣେ ।
ପହିଲି ସୁରୁଯ ଭାସ୍କର ଆଦିତ୍ଯ
କରନ୍ତି ସର୍ବେ ଦର୍ଶନ
ତୁଳସୀ ମୂଳରେ ଅର୍ଘ୍ଯ ସେ ଦିଅନ୍ତି
କରନ୍ତି ଜଳ ଅର୍ପଣ ।
ଜ୍ୟୋତି ପ୍ରଭାକର ଆଦିତ୍ଯ ଭାସ୍କରେ
ଜବା କୁସୁମକୁ ଦେଇ
ଭକତି ଭାବରେ ଜଳ ଅର୍ଘ୍ଯ ଦେଇ
ପ୍ରଣାମି ସମର୍ପି ଥାଇ ।
ଏଇ ତ ସକାଳ ଆଣଇ ଚଞ୍ଚଳ
ଆଳସ୍ୟ ପଣକୁ ହରେ
ତା ପାଇଁ ତ ଏଇ ବିଶ୍ବ ଜଗତରେ
ଜୀବଜନ୍ତୁ ତିଷ୍ଠି ପାରେ ।