ଉପକାରୀ ବୃକ୍ଷ.
ଉପକାରୀ ବୃକ୍ଷ.
ପରମେଶ୍ବର ଯେ ସୃଷ୍ଟି କରିଛନ୍ତି
ନର, ପଶୁ ଗଛ ଲତା
କୀଟ,ପତଙ୍ଗ ଛପନ କୋଟି ଜୀବ
ଧରିଛି ଧରଣୀ ମାତା ।
ସୁନ୍ଦର ସବୁଜବନାନୀ, ପାହାଡ
ଜଙ୍ଗଲ କେଡ଼େ ସୁନ୍ଦର
ଗଛ ଲତା ଫୁଲ ଫଳରେ ଶୋଭିତ
ଆହା କେତେ ମନୋହର ।
ଗଛ ମଣିଷର ପରମ ବାନ୍ଧବ
କରୁଥାଏ ଉପକାର
ପତ୍ର ଫୁଲ ଫଳ, ଦିଅଇ ଆମକୁ
ଶେଷରେ ଦିଏ ଶରୀର ।
ଖାଦ୍ୟ, ବସ୍ତ୍ର, ବାସଗୃହ ଗଛ ପାଇଁ
ମଣିଷଟି ପାଇଥାଏ
ବଞ୍ଚିବା ପାଇଁକି ଜୀବନ ତମାମ
ଅମ୍ଳଜାନ ଟି ଯୋଗାଏ
ଗଛ ପାଇଁ ବର୍ଷା ହୁଅଇଟି ଜାଣ
ଜଗତ ହିତ ସାଧନେ
ଜନମ ତାହାର ପର ହିତ ପାଇଁ
ରଖ ତାହାକୁ ଯତନେ ।
ଲଗାଇବା ଗଛ ନେବା ତାର ଯତ୍ନ
ପରିବେଶ ସ୍ୱଚ୍ଛ ହେବ
ତାହାର ବିନାଶେ ସୃଷ୍ଟି ହେବ ଧ୍ଵଂସ
ପ୍ରଦୂଷଣ ବଢି ଯିବ ।
ଉପକାରୀ ବୃକ୍ଷ କାଟୁଛି ମଣିଷ
ଆପଣାର ସ୍ବାର୍ଥ ପାଇଁ
ଜଙ୍ଗଲକୁ ନଷ୍ଟ କରି ନିଜ ଗୋଡେ
ନିଜେ କୁରାଢ଼ି ମାରଇ ।
କୃତଜ୍ଞ ନ ହୋଇ କୃତଘ୍ନ ମନୁଷ୍ୟ
କରୁଛି ତାର ବିନାଶ
ଜାଣି ପାରୁନାହିଁ ଗଛ ନ ରହିଲେ
ବନ୍ଦ ହେବ ତା ନିଶ୍ବାସ ।
ପୂର୍ବକାଳେ ମୁନି ଋଷି, ଜଙ୍ଗଲରେ
ଆଶ୍ରମ କରିଣ ଥିଲେ
ଫଳ ମୂଳ ଖାଇ, ହୋମ ଯଜ୍ଞ କରି
ସୁଖେ ଦିନ କାଟୁ ଥିଲେ ।
ସେହି ମାନେ ଜଙ୍ଗଲରେ ବୃକ୍ଷକୁ ଯେ
ଦେବତା ରୂପେ ପୂଜିଲେ
ନ ଥିଲା ତାଙ୍କର ରୋଗ ବ୍ୟାଧି କିଛି
ଆନନ୍ଦରେ ରହୁଥିଲେ ।
ନିମ୍ବ, ବେଲ, ବର ,ଅଶ୍ୱତ୍ଥ, ଅଅଁଳା
ସହିତ ଅନେକ ବୃକ୍ଷ
ଗାଁ, ଗଣ୍ଡାରେ ଯେ ପାଉଛନ୍ତି ପୂଜା
ମନ ପ୍ରାଣ ଦେଇ ଦେଖ ।
ଗଛ ହସିଲେ ଯେ ପୃଥିବୀ
ହସିବ ଜନ ସମାଜ
ସ୍ୱଚ୍ଛ ପରିବେଶ ରହି ଏହି ମହୀ
ହୋଇବ ଚୀର ସବୁଜ ।