STORYMIRROR

Bibhutibhusan Majhi

Classics Inspirational Others

4  

Bibhutibhusan Majhi

Classics Inspirational Others

ଇସାରାh

ଇସାରାh

1 min
339


ସେଦିନ ତେରେଛି ଚାହିଁ ମୃଦୁ ମୃଦୁ ହସିଦେଲ ସିନା ତୁମେ 

ବିଦାୟର ଦୁଃଖ ପାରିଲିନି ସହି

କାନ୍ଦି କାନ୍ଦି ପାଦ ରଖିଲି ଏ ମହି

ସେଦିନୁ ଖୋଜୁଛି ଇସାରା କି ଥିଲା ଦ୍ଵନ୍ଦରେ ଏଠି ଭରମେ ।୧।


ଅବଶ ଶରୀର ହୃଷ୍ଟପୃଷ୍ଟ ହେଉ କେତେ କଣ ଖୁଆଇଲେ 

କାଖେଇ କୋଳେଇ ମିଠାକଥା କହି

ଆପଣା ଢାଞ୍ଚାରେ ଦେଲେ ତ ପକାଇ 

ପଚାରିଲେ ନାହିଁ କଅଣ ଖୋଜୁଛି ନିଜ ଭାଷା ଶିଖାଇଲେ ।୨। 


ଜଣେ ପରେ ଜଣେ କେତେ ଜଣ ଆସି ଆପଣା ଅଦ୍ଭୁତ ଜ୍ଞାନ 

କଳା କଉଶଳ ଚାଲିବା ବୋଲିବା

କରମ କର୍ତ୍ତବ୍ୟ ନାମ ଯଶ ସେବା 

କେଉଁଥିରେ ଲାଭ କି କରମେ ଭାବ ଦେଲେ ଭରି ମୋର ମନ ।୩।


ଧୀରେ ଧୀରେ କିଛି ନିଜ ଅନୁଭବ ନିଜ ଜ୍ଞାନ କଉଶଳ

ପ୍ରୟୋଗେ ଖୋଜିଲି କି ଥିଲା ସଙ୍କେତ

ଅମୃତ ଯେଣୁ ସେ ସର୍ବଜନ ହିତ 

ଲଗାଇଲି ତନ ମନ ଚଇତନ କରେ ଆନନ୍ଦ ସକଳ ।୪।


କୁସୁମିତ ହେଲା ଚଲାପଥ ପ୍ରିୟା ସ୍ଵଜନ ବାନ୍ଧବ ମେଳେ

ଯେସନେ ସରଗ ଆସି ଧରାପର 

ବିଛାଇ ଦେଇଛି ଶରଧା ଚଦର

ନୈସର୍ଗିକ ଭାବ ଅମୂଲ୍ୟ ବିଭବ ପ୍ରାପ୍ତହୁଏ ଅବହେଳେ ।୫।


ସୁନେଲି ସପନ ପ୍ରିୟ ସହଜନ କର୍ମସ୍ଥଳ ମଧୁମୟ 

ଦୁଃଖେ ଦେଖେ ସୁଖ ଅନ୍ଧାରେ ଆଲୋକ

ରାଗ ଅଭିମାନେ ବନ୍ଧନ ଅଧିକ 

ପାସୋରିନି କ୍ଷଣେ ଖୋଜିବାକୁ ମନେ ଇସାରାର ଅଭିପ୍ରାୟ ।୬।


ପ୍ରେମମୟ ଧରା ଦେଖିଣ ଇସାରା ଭାବେ ଏହା ଥିଲା ତୁମ 

ଆଖି ଦିଏ ବୁଜି ସର୍ବ ଦିଗରାଜି

ଦିବ୍ୟ ସୁଧାମୟ ମନେ ହୁଏ ହେଜି

ଇସାରାର ଅର୍ଥ ଏ ପୁଣି ନୁହେଁତ ମନରେ ଜାଗେ ଭରମ ।୭।


ଆଶା ଅନ୍ତରରେ ଭାସୁ ନିରନ୍ତରେ ତୁମର ଠାଣି ନୟନେ

ତେରେଛି ନୟନ ମୁଖ ହସଭରା 

ନକୁହ ପଛକେ କି ଥିଲା ଇସାରା 

ସେମିତି ଚାହିଁବ ସେମିତି ହସିବ ଜୀବନ ମହାପ୍ରୟାଣେ ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics