STORYMIRROR

Pratima Satpathy

Classics

4  

Pratima Satpathy

Classics

ନରେନ୍ଦ୍ରରେ ଚାପ ଖେଳ

ନରେନ୍ଦ୍ରରେ ଚାପ ଖେଳ

1 min
291


ଚାପ ଖେଳୁଛନ୍ତି କଳା ଠାକୁରେ

ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରରେ

    ମୋ ପ୍ରଭୁ କଳାଠାକୁର

ଚାପ ଖେଳୁଛନ୍ତି ଭୂଦେବୀ, ଶ୍ରୀଦେବୀ

   ସହିତେ ନାବ ଉପର।

ଦୁଇଟି ନୌକାକୁ ଯୋଡ଼ା ଯାଇଥାଏ 

    ପକ୍ଷ ଯୁକ୍ତ ହଂସ ମୁଖ

ହୋଇ ରହିଥାଏ ସେଥିରେ ବିଜୟ

    କରନ୍ତି କଳା ଶ୍ରୀମୁଖ।

ବଡ଼ ଚାପରେ ଆଗପଛ ହୋଇଣ

   ଦୁଇ ସିଂହାସନ ଥାଏ

ଆଗରେ ରାମକୃଷ୍ଣ, ପରେ ପଞ୍ଚ 

      ମହାଦେବଙ୍କ ଯାତ୍ରା ହୁଏ।

ବଡ଼ ଚାପ ନାମ ଭଦ୍ରା ହୋଇଥାଏ

    ଲାଲ କନାରେ ମଣ୍ଡିତ

ସାନ ଚାପ ନନ୍ଦା ଧଳାର କନାରେ

    ହୋଇଣ ଥାଏ ଆବୃତ୍ତ।

ସାନ ଚାପରେ କାଷ୍ଠ ସିଂହାସନରେ

    ମଦନ ମୋହନ ବିଜେ

ପାଶେ ଶ୍ରୀଦେବୀ ଓ ଭୂଦେବୀ ରହିଣ

    ନୌବିହାର ହୁଏ ଚାପେ।

ପ୍ରତ୍ୟେକ ଦିନ ସନ୍ଧ୍ୟା ଧୂପ ପରେ ଯେ

    ମଇଲମ ଲାଗି ହୁଏ

ତାପରେ ସୁଗନ୍ଧ ଚନ୍ଦନ ଲାଗି ଯେ

    ପ୍ରଭୁଙ୍କର ହୋଇଥାଏ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଯେ

    ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ

ବୟାଳିଶି ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ

   ଏହି ଲୀଳା ଚାଲିଥାଏ।

ଏକୋଇଶି ଦିନ ବାହାର ଚନ୍ଦନ

    ଭିତର ଏକୋଇଶି ଦିନ

ଚନ୍ଦନେ ଚର୍ଚ୍ଚିତ ନୀଳ କଳେବର

   ଆହା କେଡେ ଶୋଭାବନ।

କଟି ତଟେ ପୀତ ବସନ ସୁନ୍ଦର

   ଦେଖି ଆଖି ଲାଖି ଯାଏ 

ସୁଗନ୍ଧ ପୁଷ୍ପର ଚଉସରି ମାଳା

    ରାହୁ ରେଖା ପାଦ ଯାଏ।

ମଦନ ମୋହନ ଗଳେ ବନମାଳ

   କାନେ ମକର କୁଣ୍ଡଳ

ଭକ୍ତଙ୍କର ମନ ହରଣ କରନ୍ତି

   ମହାପ୍ରଭୁ ଆଦିମୂଳ।

ସର୍ବ ପାପ ଦୂର ହୋଇଯାଏ ଚାପେ

   ଦେଖିଲେ ମଧୁସୂଦନ

ଦୁଃଖ, କଷ୍ଟ, ପାପ ତାପ ରୋଗ ଶୋକ

   କରନ୍ତି ପ୍ରଭୁ ଦହନ।

ଚନ୍ଦନ ଚାପରେ ଦେଇଣ ଦର୍ଶନ

   ହରନ୍ତି ଭକ୍ତଙ୍କ ମନ

ଏପରି ଠାକୁର ଜଗତେ ବିରଳ

   ଅଟନ୍ତି ଭକ୍ତ ଅଧୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics