ଉଫଃ
ଉଫଃ
କିଏ ଥାଏ ତୁମ ପାଖରେ
ଛତାଟିଏ ଟେକି ଧରିବାକୁ
ଝାଳ ଝାଳ ଗାଲରେ ଚୁମ୍ବନଟିଏ ଦେବାକୁ
ଯନ୍ତ୍ରଣାର ସୂକ୍ଷ୍ମରେଖା ଯେତେ
ଲିଭେଇ ଦେବାକୁ ମୁହଁରୁ
ଯେବେ ତୃଷାର୍ତ୍ତ ବିହଙ୍ଗିନୀ ପରି
ଓଠ ତୁମ ଖୋଲି ଯାଏ
ଆଉ ମୁହଁରେ ଫୁଟି ଉଠେ କାତର ଭାବ
ଗୋଲାପୀ ଛତା ତଳେ
ଆଶ୍ୱିନ ଆକାଶକୁ ଚାହିଁ
ଯେବେ ତୁମ ମୁହଁରୁ ବାହାରି ଯାଏ,
"ଉଫଃ, କି ଖରା !"
"ଉଫଃ !" କହିବାଟା
ତୁମ ଫୁଲେଇପଣର
ପରିପ୍ରକାଶ ବି
ମୁହଁର ସବୁ କସମେଟିକ୍ସ ଧୋଇ
ଗୋଟିଏ ପଟକୁ ଗୋଟେଇ ଆଣିଥିବା
ଗମ ଗମ ଝାଳକୁ
ରଙ୍ଗୀନ ଛୋଟ ରୁମାଲ
କେମିତି କାବୁ କରିଥାନ୍ତ ଯେ !
"ଉଫଃ"ଟିଏ ବଞ୍ଚେଇ ନିଏ
ଏପରି ଦୟନୀୟ ସ୍ଥିତିରୁ
ଏଇ ତୁମ ଉଫଃ ଶବ୍ଦ
ରାସ୍ତାରେ ସ୍ପୀଡ଼ବ୍ରେକର ପାଖରେ
କ୍ଷଣିକ ପାଇଁ ରୋକି ଯାଇଥିବା
ଓଜନିଆ ଟ୍ରକର
ଏୟରବ୍ରେକ୍ ର ଏୟର ରିଲିଜ ଶବ୍ଦ ପରି
ଯାହା ଅଙ୍କିତ କରିଦିଏ,
ତୁମ ଚିଡି ଯିବାର ସୀମା,
ବରଦାସ୍ତ କରିବାର ସୀମା
ଆଉ ଯେଉଁଠି ସମସ୍ତ ଉର୍ଜା
ସାମୟିକ ରୂପରେ ନିଃଶେଷ
ହେବାର ସଂକେତ
ଦେଇଦେଇ ଥାଆନ୍ତି
ଏଇତ ସେ ମୋତି ପରି
ସ୍ୱଗତୋକ୍ତି ସବୁ ଯାହା ଆକାଶକୁ
ଫୋପାଡ଼ି ଦେଇ ପୁଣି କାନି ଦେଖାଅ
ତୋଳି ନେବାକୁ
ଏଇତ ସେ ସମୟ ଯେଉଁଠି
ଅଣ୍ଟାର ମାଂସ ପେଶୀକୁ
କୌଣସି ଦରଦୀ ହାତର ଅପେକ୍ଷା ଥାଏ
ତାକୁ ଜୋର କରି ଗୁଡେଇ ଧରିବାକୁ
ଏତିକି ବେଳେ ତ
ନଇଁ
ନଇଁ କଷ୍ଟ ପାଉଥିବା
ବେକତଳ ମେରୁହାଡର ବିଦ୍ରୋହ ସହ
ମିଶି ଯାଆନ୍ତି ଆଶ୍ଵିନର ଗୁଳୁଗୁଳି
ଆଉ ତେଣେ ଛୁଆର କାନ୍ଦ ।
"ଉଫଃ" ସେପରି ଚଢେଇ ନୁହେଁ
ଯିଏ ନିରାଶାର ଆକାଶରେ ଉଡେ
ଲେନ୍ଥା ଲେନ୍ଥା "ଉଫଃ"ର
ଏ ହରଗୌରା ଫୁଲ
ତୁମ ସର୍ବସଂହାପଣର
ପୋଖରୀ ହୁଡାରେ
କେତେ ସୁନ୍ଦରତା ସହ ଫୁଟେ ।
ହୋଇଥାନ୍ତି କି ସେ ଆବିଷ୍କାରକ
ଯିଏ ଘଟଣାସ୍ଥଳରେ ରହି
ଖୋଜି ନିଅନ୍ତା
ତୁମ ପ୍ରତ୍ୟେକ "ଉଫଃ" ପଛରେ
ହସଟିଏର ସମ୍ଭାବନାକୁ ।
ଉଫଃ ଟିଏ ବାହାରୁ ବାହାରୁ
ବିକୃତ ହୋଇ ଆସିଥିବା ମୁହଁଟିକୁ
ହସ ମୁନ୍ଦାଏରେ ସଜାଡି ଦେଇ
ସହଜ କରିଦିଅନ୍ତା ତୁମକୁ ―
ସ୍ପୀଡ଼ ବ୍ରେକର ପାଖରେ
କ୍ଷଣିକ ପାଇଁ ରୋକି ଯାଇଥିବା ଟ୍ରକକୁ
ପୁଣି ଅନାୟାସରେ
ଆଗକୁ ଟାଣି ନେଇ ଚାଲି ଯାଉଥିବା
ଲୁଙ୍ଗୀ ପିନ୍ଧା ଡ୍ରାଇବର ପରି ।
ପାଣିପାଗ, ଘରପାଇଟି
ଆଉ ଛୁଆଙ୍କ ଜଞ୍ଜାଳ
ୟା ଭିତରୁ କାହାର ଅତିଶୟତା
ତୁମକୁ ପ୍ରିୟତମା ଏତେ ବିବ୍ରତ କରେ?
ସବୁ "ଉଫଃ" ପଛରେ
ଚେନାଏଁ ମୁଁ ବି ଅଛି ନା ?
ହଁ, ସବୁଠୁଁ ନିଷ୍ଠୁର ଏହି "ମୁଁ"
ଯାକୁ ନିଜର ମଣିଷ କୁହ ।
ବିଶି ଆଙ୍ଗୁଳିରେ ଝାଳ ସହ
ପୋଛି ଫିଙ୍ଗି ଦିଅନା କାହିଁକି
ମୋ ବିଷାକ୍ତ ସ୍ମୃତି ସବୁକୁ ?
ଶରତର ମେଘମୁକ୍ତ ଆକାଶକୁ
ଉଡେଇ ଦେଉନ କାହିଁକି
ମୋ ନିଷ୍ଠୁରପଣିଆକୁ
ଗୋଟିଏ ଅଫେରନ୍ତା ଦୀର୍ଘଶ୍ଵାସରେ ?
ଜାଣିଛି, ଏ ଆଶ୍ଵିନର ଖରା
ବହୁତ ବାଧେ ତୁମକୁ ।