ତୁଠ ପଥର
ତୁଠ ପଥର
ସେଦିନର ଅପରାହ୍ନ ଯୋଉ ଚିହ୍ନ ଦେଲା
ସେ ତୁଠ ପଥର ଛଡ଼ା ଆଉ କ'ଣ କିଏ ସାକ୍ଷୀ ଥିଲା
ସେ ତୁଠ ପଥର ଏବେ ତ ପାଣିର ଅଗଭୀରରେ
ସେ ବା କି ଉତ୍ତର ଦେବ
ସେ ତ ସେମିତିରେ ନିର୍ଜିବ
ଯେବେ ଜୀଅନ୍ତା ମଣିଷ ନିଜକୁ ପଥର କରୁଛି
ସେ ପଥର କାଇଁ ଆଉ କୁହ ସାକ୍ଷୀ ରହିବ
ନୀର୍ଜନତା ର ବେଳାଭୂମିରେ
ଜୀବନ ଯେବେ ହାହାକାର କରି ଚିତ୍କାର କରୁଛି
ଆପଣାର ଭାବି ଯେବେ
ଅମ୍ଳଜାନ ପରିବର୍ତ୍ତେ ଅଙ୍ଗାରକାମ୍ଳରେ ଶ୍ୱାସରୁଦ୍ଧ ହେଉଛି
ସେ ଆଉ କ'ଣ କାହାକୁ ଦୋଷାରୋପ କରୁଛି
ସେ ଦୂର ଦିଗବଳୟ କୁ ଚାହିଁ ରହି ଉଡିବାକୁ
ନିଜକୁ ପ୍ରସ୍ତୁତ କରୁଛି
ଅଣନିଶ୍ବାସୀ ହେବା ତାର ଅଭ୍ୟାସ ଯେହେତୁ
ସେ କ'ଣ ଆଉ ଅମ୍ଳଜାନ ଖୋଜୁଛି
ହେଇ ଦେଖ ସେ ନିଜକୁ ଦେଖି ହସୁଛି
ନିଜକୁ ପରଖୁଅଛି
ନିଜକୁ ପ୍ରଶ୍ନର ଚକ୍ରବିହ୍ୱ ରେ ଛନ୍ଦି ଚାଲିଛି
ହେଲେ ନିଜକୁ ମୁକ୍ତ କରିବା ପରିବର୍ତ୍ତେ
ନିଜକୁ ନିଜେ ସେ କାରାଗାର କୋଠରୀରେ
ଆବଦ୍ଧ କରୁଛି
ଯାହାର ଚାବି ସେ ନିଜେ ହିଁ ହଜେଇ ଦେଇଛି
ସେ ତ ମୁକ୍ତି ନିଜେ ହିଁ ଚାହେଁନି
ସେଥିପାଇଁ ନିଜକୁ ସେ ଶାସ୍ତି ଦେଉଛି
କିଛି ଅଭିଯୋଗ ନକରି ସେ ନୀରବତା
ସହ ନିଜକୁ ନିଜେ
ହଜେଇ ଦେଉଛି
କେହି ଆଉ ତାକୁ ନଖୋଜୁ
ସେଥିପାଇଁ ସେ ନିଜକୁ ଅଲୋଡ଼ା ସଜେଇବାରେ
ରତ ହୋଇଛି
କିନ୍ତୁ ଏହା କଣ ଠିକ୍
ନିଜକୁ ତୁଠ ପଥର କରିବା
ଯେତିକି କଷଣ ଦାୟକ
ସେତିକିରେ ତା ଶାସ୍ତି କଣ ସରିଯାଉଛି
ସେ ନିଜ ଗଳା ନିଜେ ଘୋଟି ବାରେ ବ୍ୟସ୍ତ ହେଉଛି
ନା ସେ ନିଜକୁ ମାରି ପାରୁଛି
ନା ସେ ମନ ଖୋଲି ଖୋଲା ହସ ଟିଏ ହସି ପାରୁଛି
ଏତିକି ସେ କରିପାରିଛି
ନିଜକୁ ତୁଠ ପଥର କରି ସଭିଙ୍କ ପାଇଁ ଯାହା ସାକ୍ଷୀ ରହିଛି।