ତୁଠ ପଥର
ତୁଠ ପଥର
ତୁଠ ପଥର ମୁଁ ତୁଠେ ପଡିଥାଏ
ଅକୁହା ବେଦନା ନେଇ
ନିରବତା ମୋର ଶ୍ରେଷ୍ଠ ପୂଜା ସିନା
ସଭିଙ୍କୁ ଯେ ଦେଖୁଥାଇ ।
ମୋ ଦେହ ଶିଉଳି ଛଡାଇ ସଭିଏଁ
ମୋତେ କାମରେ ଲଗାନ୍ତି
ଧନ୍ୟବାଦ ଟିକେ ଦେଇ ପାରେ ନାହିଁ
ଶିଳା ହୋଇ ପଡ଼ିଅଛି ।
ନବବଧୂର ସେ ଶଙ୍ଖା ଚୁଡ଼ି ଶବ୍ଦ
ମୋତେ ବିମୋହିତ କରେ
ସେ ଆନନ୍ଦ ମୁଁ ଯେ ପ୍ରକଶି ପାରେନା
ତୁଠର ଯେ ଶିଳାଟିଏ ।
ତୁଠ ପଥରଟେ ଶୁଣିଛି କେତେ ମୁଁ
ସଦ୍ୟ ବିଧବା କାନ୍ଦଣା
ସହାନୁଭୂତିର ଭାଷା କହିବାକୁ
ଅସମର୍ଥ ହୁଏ ସିନା ।
ତୁଠ ପଥର ମୁଁ ତୁଠେ ପଡିଥାଏ
ପାଦ ଘଷି ସଫା କର
ବସନ ବାସନ ମଇଳା ସଫାରେ
ସାହାଯ୍ୟ ନିଅ ମୋହର ।
ସେବା ଦେଇ ଆତ୍ମତୃପ୍ତି ମୁଁ ସାଉଁଟେ
କହି ପାରେ ନି କାହାରେ
କହିବାକୁ ଚାହିଁ କହି ପାରେନି ଯେ
ମୁଁ ତୁଠ ପଥର ଟିଏ ।
ଖରା, ବର୍ଷ।, ଶୀତ ସହି ଯାଏ ସିନା
ତୁଠ ମୋ ଛାଡଇ ନାହିଁ
ସମ୍ପର୍କର ସୂତ୍ର ମୋର ଦୀର୍ଘ ସିନା
ବୁଝି କେ ପାରନ୍ତି ନାହିଁ ।
ମୋ ତୁଠରେ କେତେ ଘରର ଗୁମର
ଲୋକ ବଖାଣନ୍ତି ବସି
ଘର କଥା କାହିଁ କହୁଅଛ ବୋଲି
ଭାବେ ମୁଁ କହିବି ଯାଇ ।
ତୁଠ ପଥର ମୁଁ କହି ତ ପାରେନା
କେତେ ଯେ ଅକୁହା କଥା
ଦେହ ଘଷି ମାଜି ହୁଅନ୍ତି ସଭିଏଁ
ମନେ ଭରି ଆବିଳତା ।
ବନ୍ୟା, ବାତ୍ୟା ପୁଣି କେତେ ଝଡ଼ଝଞ୍ଜା
ମୋ ଦେହକୁ ଛୁଇଁ ଯାଏ
ତଥାପି ମୋ ଧୈର୍ଯ୍ୟ ବନ୍ଧ ଭାଙ୍ଗି ନାହିଁ
ମୁଁ ତୁଠ ପଥର ଟିଏ ।
ମୋ ଉପରେ ବସି ମନର ବେଦନା
ବନ୍ଧୁ ପାଶେ କିଏ ବାଣ୍ଟେ
ମୋ ମନ ବେଦନା ଦେଖାଇ ପାରେନି
ମୁଁ ତୁଠ ପଥର ଟିଏ ।
ଆପଦ ବିପଦ କେତେ ଯେ ଆସଇ
ନିଶ୍ଚଳ ଥାଏ ମୋ ମନ
ମୋ କରମ ଫଳ ଭୋଗୁ ଅଛି ବୋଲି
ଭାବୁଥାଏ ପ୍ରତିକ୍ଷଣ ।
ଭାବେ ମୋ ପ୍ରାରବ୍ଧ ଭୋଗୁ ଅଛି ବୋଲି
ନିରବେ ସ୍ଵୀକାର କରେ
ଆସନ୍ତା ପ୍ରାରବ୍ଧ ସଜାଡିବା ପାଇଁ
ତୁଠ ପଥର ମୁଁ କହେ ।
ତୁଠ ପଥର ମୁଁ ଦେଖିଛି ଉତ୍ସବ
ଦେଖିଛି ମୁଁ ଶେଷ ଯାତ୍ରା
ଜନ୍ମରୁ ମରଣ ସବୁ ଇତିହାସ
ମୋ ବୁକୁରେ ପରା ଲେଖା ।
ତୁଠ ପଥର ମୁଁ ସହି ଯାଏ ବୋଲି
ଭାବନି ମୁଁ ଶକ୍ତି ଶୂନ୍ୟ
ମହାଶକ୍ତି ଠାରୁ ମୋହର ଉତ୍ପତ୍ତି
ଏ କଥାକୁ ଦିଅ ଧ୍ୟାନ ।
