ତୁଣ୍ଡ ବାଇଦ ସହସ୍ର କୋଶ
ତୁଣ୍ଡ ବାଇଦ ସହସ୍ର କୋଶ
ସାତତାଳ ପଙ୍କ ତଳୁ ଗଜୁରଇ ସତ୍ୟ,
ଫୁଟେ ଫୁଲ ଦିଏ ଫଳ
ଶାଖା ମେଲି ସୁଶୀତଳ ଛାୟା ଦିଏ
ସତ୍ୟ କଳ୍ପବୃକ୍ଷ ।
ପଚେ ନାହିଁ ଖଚମିଛ ମଣିଷ ପେଟରେ
ଡଗମଗ ହୁଏ ପେଟ
ଛାତି ଧଡ଼ଧଡ଼
ପାଟି ହେଲେ ଖଲଖଲ
ଏକ ଦୁଇ ହୁଏ ଦଶକାନ
କଥାରେ ବି ଲାଗିଯାଏ ପର
ପରଷଇ ଗରମ ଖବର,
ଡିବି ଡିବି ବାଜଇ ବାଇଦ
ଉଡିବୁଲେ କଥା ଶୂନ୍ୟେ
ମେଲିଦିଏ ପକ୍ଷ
ତୁଣ୍ଡବାଦ୍ୟ ବ୍ୟାପେ କୋଶ କୋଶ ।
ବଡ଼ବଡ଼ ତୁଣ୍ଡସବୁ ହୁଏ ମାଠିମୁଠି
ଦିଶେ ଭାରି ଡଉଲଡାଉଲ
ଝଲସଇ ଜାମାଜୋଡ଼ ଯୋଜନା ପୋଷାକ
ଘୋଡା ଦେବୁ ହାତୀ ଦେବୁ
ଆଶ୍ୱାସନା ସହସ୍ର ଅଜସ୍ର
ଦିଶେ ମହାକାଳ ଫଳ ସିନା
ଆଖିକୁ ସୁନ୍ଦର
ବିଷ ପିତା ଋଣ ଭାର
ଭିତରଟା ହଳାହଳ ଖୋଳ ।
କୁହାମୁଣ୍ଡା କପିଳାଙ୍କ ଭାଷଣରେ
କମ୍ପମାନ ଗଗନ ପବନ
ଫୁଲିଉଠେ ଜମାପାଣ୍ଠି ତାଙ୍କରି କେବଳ
ଅଟ୍ଟାଳିକା ହୁଏ ମାଳମାଳ
ସାଧାରଣ ବିଚରା ନାଚାର
ହଜିଯାଏ ତା ଭିଟାମାଟି
ଅସାର ତା ଜୀବନର ସ୍ୱପ୍ନ
ଖଟିଖଟି ଦିଶିଯାଏ ତା ହାଡ କଙ୍କାଳ
ଛିଡେ ନାହିଁ ଲୈ।ହର ଶୃଙ୍ଖଳ ।
ନୁହଁ ମିଛ ମନେରଖ ନୀତିବାକ୍ୟ
ଯାଉ ପଛେ ପ୍ରାଣ ଚାଲି ବଚନଟି ରହୁ
ଯଶକୀର୍ତ୍ତି ସିଂହାସନ ଛାଏଁ ଛାଏଁ
ହୋଇଯିବ ବଜ୍ର ।
