ବାପା
ବାପା
ଅତି ଯତନରେ ଗେଲ ବସରରେ
ପାଳିଥିଲ ବାପା ମୋତେ,
ଆଦର୍ଶ ଜୀବନ ଦେଇଥିଲ ଦାନ
ଦୁଃଖକଷ୍ଟ ସହି କେତେ |
ତୁମ ଆଦର୍ଶକୁ ପାଥେୟ କରି ମୁଁ
ଚାଲୁଅଛି ବାଟ ସିନା,
କେତେ ବାଧାବିଘ୍ନ କଣ୍ଟା ପରିପୂର୍ଣ୍ଣ
ପାଦ ମୋହର ଥକେନା |
ସହୁଛି କେତେମୁଁ ଜୀବନରେ ଦୁଃଖ
ସବୁତ ତୁମକୁ ଜଣା,
ବାହାଘର ପରେ ନାରୀ ଜୀବନରେ
ବଦଳି ଯାଏ ଠିକଣା |
ନାହିଁ ଆଉ ସେଇ ସେନେହ ସରାଗ
ଅଳି ଅଝଟର ଭାବ,
ମଣିଷ ଏଠିତ ବଦଳି ଯାଇଛି
ସବୁଥିରେ ଖୋଜେ ଲାଭ |
ପିତାଘରେ ବଢ଼ିଥିଲି ଯତନରେ
ପତିଘରେ ମିଳେ ଦୁଃଖ,
ସବୁ ସୁଖଶାନ୍ତି ଜଳାଞ୍ଜଳି ଦେଇ
ବଦଳାଏ ରୂପରେଖ |
ଜନ୍ମରୁ ବିବାହ ଯେତେ ବ୍ୟବଧାନ
ସେତିକି ପାଇଲି ଖୁସି,
ଜଞ୍ଜାଳ ଭିତରେ ପେଷି ହେଇଗଲି
ଦୁଃଖସହେ ହସିହସି |
ଫେରିବନି ଆଉ ସେଇ ପିଲାଦିନ
ବାତ୍ସଲ୍ୟ ମମତାଭରା,
ଜୀବନଟା ଲାଗେ ଦୁର୍ବିସହ ଏଠି
କେଵେ ଛାଇ କେଵେ ଖରା |
ପିତାମାତା ସ୍ନେହ ସ୍ୱର୍ଗଠାରୁ ବଡ଼
ନାହିଁକିଛି ତାର ସମ,
ଖୋଜିଗଲେ କାହିଁ ଶାନ୍ତି ନମିଳଇ
ଜୀବନ ଲାଗେ ଦୁର୍ଗମ |
ତୁମସାଥେ ବାପା ଖୁସିର ମୁହୂର୍ତ୍ତ
ପାଇବି ଅବା ମୁଁ କାହିଁ,
ସମୟ ହାତରେ ବନ୍ଧା ମୋର ଭାଗ୍ୟ
ଝୁରେ ତୁମ ସ୍ନେହ ପାଇଁ |