STORYMIRROR

NIBEDITA MOHAPATRA

Tragedy

4  

NIBEDITA MOHAPATRA

Tragedy

ନ୍ୟାୟର ପ୍ରତୀକ୍ଷାରେ

ନ୍ୟାୟର ପ୍ରତୀକ୍ଷାରେ

1 min
342


ଶୁଭ୍ର ତୁଷାରାଚ୍ଛନ୍ନ ସେଇ ଶୀତର ରାତିରେ

ନିସ୍ତବ୍ଧ ହୋଇଥିବା ରାଜପଥର ଛାତିରେ

ଯନ୍ତ୍ର ଚାଳିତ ଯାନର ଘର୍ଘର ନାଦରେ

ବହି ଯାଉଥିଲା ସମୟ ଗତି ଧିରେଧିରେ॥୧

ନିର୍ଜନତାର ବକ୍ଷକୁ କରିଦେଇ ବିଦୀର୍ଣ୍ଣ

ଦାନବର ଅଟ୍ଟହାସ୍ଯରେ ଥରୁଥିଲା କର୍ଣ୍ଣ

ମୁହୂର୍ତ୍ତକେ ବଦଳିଗଲା ସବୁ ଚିହ୍ନ ବର୍ଣ୍ଣ

ନିରିମାଖୀର ସ୍ବପ୍ନ ସବୁ ହେଲା ଜୀର୍ଣ୍ଣଶୀର୍ଣ୍ଣ॥୨

ସରଳତାକୁ କରି ଯିଏ ନିଜ ଅଳଙ୍କାର

ବନ୍ଧୁଙ୍କ ସହ ଗଢିଥିଲା ସୁନ୍ଦର ସଂସାର

ନିମିଷକେ ତା' ଭାଗ୍ୟାକାଶେ ଘୋଟିଲା ଅନ୍ଧାର

ଆକାଂକ୍ଷିତ ପ୍ରତିଟି ଆଶା ହେଲା ଛାରଖାର॥୩

ବିବେକ ପଣିଆକୁ ଜାଳି କାମନା ବହ୍ନିରେ

ବାସନା ସଜେଇ ହୃଦୟ ରଙ୍ଗ ମହଲରେ

ବର୍ବରତାର ସୀମା ଡେଇଁ ଗଲେ କ୍ଷଣିକରେ

ଚରିତାର୍ଥ କରିଲେ ଲାଲସାକୁ ପଲକରେ॥୪

ନର ଦୈତ୍ୟ ତା' ତନୁକୁ କରି କ୍ଷତବିକ୍ଷତ

ଜୀବନକୁ କରିଦେଲା ଯନ୍ତ୍ରଣା ଜର୍ଜରିତ

ହୃଦୟ କଳ୍ପନା ସବୁ ହେଲା ଅର୍ନ୍ତହିତ

ସମାଜ ସମ୍ମୁଖେ ହୋଇଗଲା ସେ କଳଙ୍କିତ॥୫

ନାରକୀୟ ପ୍ରତିହିଂସାର ପ୍ରତିରୋଧ କରି

ବାହାରିଲେ ଛାତ୍ର ହାତେ ମହମବତୀ ଧରି

ପହଞ୍ଚିଲେ ନ୍ୟାୟ ମନ୍ଦିରେ ମନେ ଆଶା ଭରି

ନ୍ୟାୟ ଦେବେ ନିର୍ଭୟା ଦୋଷୀଙ୍କୁ ଦଣ୍ତିତ କରି॥୬

ଧର୍ମ ଦେବୀ ସାଜିଛନ୍ତି ସତେ କି ଦୃଷ୍ଟିହୀନ

ପ୍ରତିକ୍ଷାରେ ବିତିଯାଉଛି ବର୍ଷ,ମାସ,ଦିନ

ସ୍ବାର୍ଥମେଧ ଯଜ୍ଞେ ସତ୍ୟ ଦିଅଇ ବଳିଦାନ

ନ୍ୟାୟପାଳିକା ଠାରୁ ଭରସା ହେଲାଣି ଛିନ୍ନ॥୭

ବଦଳି ଯାଉଛି ତାରିଖ ସମୟ ଧାରାରେ

ଦୁଷ୍କର୍ମ କରି ଦୋଷୀ ଏଠି ର୍ନିଦ୍ବନ୍ଦ୍ବରେ ଘୁରେ

ଛଳନା ରଙ୍ଗେ ରାଜକ୍ଷମା ଆବେଦନ କରେ

ଅତୃପ୍ତ ପୀଡିତାର ଆତ୍ମା ନ୍ୟାୟ ପାଇଁ ଝୁରେ॥୮

ଅସତ୍ଯର ଚକ୍ରବ୍ୟୁହେ ସତ୍ୟ ଯାଇଛି ଫସି

ଆଇନର ଶକ୍ତ ପଞ୍ଜାରୁ ମିଛ ଯାଏ ଖସି

ଅଧର୍ମ କରେ ରାଜୁତି ଧର୍ମ ଆସନେ ବସି

ଅନ୍ୟାୟ ବିଚାର ପାଖେ ବିଶ୍ବାସ ପାଏ ଫାଶି॥୯

ଅଦିନରେ ଝରିଯାଏ କେତେ କୋମଳ ଲତା

ନିର୍ଦ୍ଦୋଷ ଯାତନା ପୁଣି ସହୁଛି ଦୁହିତା

ନିରାଶ କରେ ଦେଶର ନ୍ୟାୟିକ ଦୁର୍ବଳତା

ଲୌହ ଶୃଙ୍ଖଳେ ବନ୍ଧା ଆଜି ନାରୀ ସ୍ବାଧିନତା॥୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy