ତୁମେ ଓ ମୁଁ
ତୁମେ ଓ ମୁଁ
ତୁମେ ପ୍ରଣୟ ବେଦନା ମେଳି
ମୁଁ ବୈଶାଖର ରଜ ଦୋଳି,
ତୁମେ ଚିବୁକ ଚାପର ଗୀତ
ମୁଁ ମିଠା ମୌସୁମୀ ଛନ୍ଦ ।
ତୁମେ ନୀଳ ନିର୍ବାଣର ସ୍ତୁତି
ମୁଁ କୋହଭରା ଏକ ଛାତି,
ତୁମେ ସିନ୍ଦୁର ଶୋଭିତା ବେଶ
ମୁଁ ମଶାଣୀର ମୁଠେ ପାଉଁଶ ।
ତୁମେ ଅୟଂ ଆରମ୍ଭର ଇତି
ମୁଁ ଚଉତା ଚିଠିର ସ୍ମୃତି,
ତୁମେ ଉଦ୍ଭାସିତ ଉପବନ
ମୁଁ ଅସମ୍ଭବ ଶୂନ୍ୟସ୍ଥାନ ।
ତୁମେ ଗୋଧୂଳି ଲଗ୍ନର ଛବି
ମୁଁ ବିଦଗ୍ଧ ବିରହ କବି,
ତୁମେ ଅସମ୍ପୂର୍ଣ୍ଣ ଇତିହାସ
ମୁଁ ବଶୀଭୂତ ଅଵଶୋଷ ।
ତୁମେ ବିଛେଦ ଗଳ୍ପର କାରଣ
ମୁଁ ଶୂନ୍ୟ ପୃଷ୍ଠା ସଂକଳନ,
ତୁମେ ପ୍ରକାଶିତ ମହାଗ୍ରନ୍ଥ
ମୁଁ ଅଦୃଶ୍ୟର ମୁଖବନ୍ଧ ।
ତୁମେ ମାର୍ଗଶୀର ମାଣବସା
ମୁଁ ଭାଗେ ଭୋଗ ଶନିଦଶା,
ତୁମେ ମନ୍ଦିରର ମୁଖଶାଳା
ମୁଁ ଅଭିଶପ୍ତ ପାନ୍ଥଶାଳା ।
ତୁମେ ଉପହାସର ନାମ
ମୁଁ ବିଦ୍ରୋହୀର ଏକ ମନ,
ତୁମେ ହୃଦୟର ଏକ ଯୁଦ୍ଧ
ମୁଁ ସହିଥିବା ପରାଜୟ ।
