ଆଖି
ଆଖି
ବୟସର ସାୟାହ୍ନରେ
ଦେଖିଥିଲି ହଳେ ନିରୀହ କାଚକେନ୍ଦୁ ଆଖି
ପାରିଜାତ ଫୁଲବନ ନୀଳହ୍ରଦ
କେ' ହେଲେ ନଥିଲେ ତା' ସରି..!!
ଜହ୍ନ-ତାରା,ପ୍ରଜାପତି,ମହୁମାଛି,ପାଗଳ କୁକୁର
ପିସ୍ ପିସ୍ ହେଉଥିଲେ କଥା
ଆହାଃ
କିଏ ସେ ଏ ମୂର୍ତ୍ତିମୟୀ ଏତେ ନିରିମାଖି..!!?
ଥିଲା
ଭ୍ରୂଲତା ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ଲାଲିମା
ପଲକ ଉହାଡ ମେଲି
ତାଜା ରକ୍ତ ଦେଉଥିଲା ଚୁମା
ସାଧବ ପୁଅ (ବୋଧହୁଏ ନା, ରାକ୍ଷସ କେ) ସଯତ୍ନେ
ଆଙ୍କିଥିଲା ଗଣ୍ଡଦେଶେ କଳଙ୍କର ଚିତା
ଚାହାଣି ଭିତରେ ବନ୍ଦୀ
କେତେ ଯେ ଶ୍ରାବଣ ରାତ୍ରୀ ବିଦଗ୍ଧ ବାରତା..!!
ଭରିଥିଲା
ସାରା ଦେହେ ପୂର୍ଣ୍ଣିମାର ଦୁଗ୍ଧ ଶୀତଳତା
ପ୍ରାଣହାନୀ ସତ୍ତା
ବରଫ ପାହାଡ଼ ତଳେ ଚାପିହୋଇ ମରିଗଲି ଆହାଃ
ସବୁ ଜାଣି କିଛି ହେଲେ ପାରିଲିନି ବୁଝି
କୋଣାର୍କ କାନ୍ଥରେ ଖୋଦିତ
ବେଦନାକ୍ତ ଲୁହ ଲହୁ ରକ୍ତସ୍ନାତ ଗପ ଯାହା ଯାହା..!!
ସେ ଆଖିର ଲୁହ ନଈ
ନିଆଁ ଛୁଇଁ ସାଜିଥିଲା ମୃତ ଲହୁ ହ୍ରଦ
ପାରିଲିନି ରୋକି
ପାରିଲିନି ରୋକି
ତା' ନିଃଶ୍ବାସ ରୁନ୍ଧିଦେଲା ମୋ ସାରା ଧୈର୍ଯ୍ୟ ବନ୍ଧ
କେତେ କଥା ହଜିଗଲା,ଲୁଚିଗଲା ଆଖି ଦରିଆ ବୁକୁରେ
ଅସମ୍ପୂର୍ଣ୍ଣ ରହିଲା ମୋ ଚକ୍ରବ୍ୟୁହ ଭେଦ
ଦରଜା ବାହାରେ..!!
ପାରିଲିନି ପାରିଲିନି ଦେଖି
ଅନ୍ଧ ହେଲା ଆଖି ଆପଣା ଇଚ୍ଛାରେ
ବୁଝିଗଲି
ଲୁହ ଲହୁ ଝରେ ଆଖି ପରଦା ବାହାରେ
ଆଖି ଆଉ ଆଖି ନାହିଁ,ଆଖି ଆଉ ସାକ୍ଷୀ ନାହିଁ
ଅନ୍ଧତ୍ୱ ଶୀକାର ସର୍ବେ,ଅନ୍ଧମୟ ଏଇ ପୃଥିବୀରେ..!?