ଶୀତ ପାଇଁ
ଶୀତ ପାଇଁ
କୁହୁଡ଼ି କୁହୁଡ଼ି ସକାଳ
ଦିଗ ହରା ଦିଗନ୍ତ
ଦୃଶ୍ୟ ଅଦୃଶ୍ୟ ଭିତରେ
ପଶ୍ଚିମ ଆକାଶ ।
ପାଦରେ ଶୀତଳ ଶୃଙ୍ଖଳ
ଗତିଶୀଳ ସମୟ ଦେହରେ
ଟ୍ରାଫିକର ନାଲିବତୀ
ଜଳେ ଅବିରତ ।
ରାସ୍ତାକଡ ବତୀଖୁଣ୍ଟ ପାଇଁ
ଶୀତ ଗୋଟେ କ'ଣ ।
ଆକାଶକୁ କମ୍ଵଳ
ମାଟିକୁ ଶେଯ କରି
ଦିନ କାଟୁଥିବା
ପାଗଳୀ ବୁଢ଼ୀଟା ପାଇଁ
ଶୀତ
ଦେହର ମଳି ଟିକେ
ଲାଗି ଥିଲେ ଲାଗିଥାଉ
ନାହିଁଟି ଭୃକ୍ଷେପ ।
ଶୀତ କେବେ
ଫ୍ରକ୍ ପିନ୍ଧା ଝିଅଟିଏ
ଡେଉଁ ଥିବ ଘର ସାରା
ତ ପୁଣି କେବେ
ମୁଣ୍ଡରେ ଓଢ଼ଣା ଦେଇ
ଅଗଣା ସାରା
ଝୋଟି ଚିତା ଆଙ୍କୁଥିବ ।
ଅଝଟ ପୁଅଟି ପରି ଶୀତ
ପାହାନ୍ତା ପ୍ରହରୁ
ରାହା ତୋଳି କାନ୍ଦୁଥିବ
ସବୁ ନିଅଣ୍ଟ
ତା' ଅଝଟ ପଣକୁ
ନିଅଣ୍ଟ
ଆକାଶ ଭର୍ତ୍ତି ତାରା
ରାତି ଭର୍ତ୍ତି ସ୍ଵପ୍ନ ।
ଅଳିଅଳ ରଜାଝିଅ ଶୀତ
ଟଙ୍କାଟିଏ ପାଇଁ
ପୋଷାକ ଝିଙ୍କି ଆକର୍ଷୁଥିବା
ବାରବୁଲା ଝିଅ ଶୀତ
ତୁମେ ତାକୁ କୋଳେଇ ପାର
ଦୟା ଦେଖେଇ ପାର ।।
