ତୁମରି ସ୍ମୃତିରେ
ତୁମରି ସ୍ମୃତିରେ


ତୁମେ ଥିଲ
ଆଦ୍ୟ ଆଷାଢ଼ର ବର୍ଷଣ
ପୂର୍ଣିମାର ଜହ୍ନ କିରଣ
ବସନ୍ତର ମଳୟ ପବନ
ଆଉ ପହିଲି ଶୀତର
ଶୀତଳ ଚୁମ୍ବନ !
ତୁମେ ଗଲା ପରେ;
ସବୁ ଲାଗେ ଖାଁ ଖାଁ
ଘର ଅଗଣା ଖେଳ ପଡିଆ
ସବୁକିଛି ଲାଗେ ହଜିଲା ହଜିଲା
ସତେ ବସନ୍ତର ଚିର ସବୁଜିମାରେ
ଲାଗିଯାଇଛି ଅଲିଭା ନିଆଁ !
ତୁମ ସ୍ମୃତି ସବୁ;
ଆଜି ବି ଗତକାଲି ପରି
ସତେଜ ସବୁଜ ଆଉ ରହିଥିବ
ଚିରଦିନ ଅମ୍ଲାନ ଅମଳିନ
ତୁମ ହସ ହସ କୁତୁ କୁତୁ ମୁହଁଟି
ବିଜୁଳିର ଗାରେ ଗାରେ
ଶ୍ରାବଣୀ ବର୍ଷାର ଧାରେ ଧାରେ
ଦୂୂୂର ଦିଗବଳୟରେ ଦିଶିଯ
ାଉଛି
ମନକୁ ଜଳାଉଛି ଆଉ ଜଳାଉଛି
ଜୀବନ ଥିବା ଯାଏଁ ଜଳାଉଥିବ!
ତୁମେ ବା କାହୁଁ ଜାଣିବ?
ବିରହୀ ପ୍ରାଣର ବେଦନା
ଶଙ୍କିତ ଆତଙ୍କିତ ମନର ଯନ୍ତ୍ରଣା
କାହାକୁ ହରାଇଦେବାର ଅନୁଶୋଚନା!
ତୁମ କଥା ମନେ ପଡ଼ିଗଲେ ହାଏ!
ମନ ତଳେ ନିଆଁ ଜଳେ ହୁତୁ ହୁତୁ
ହୃଦୟଟା ବିଦୀର୍ଣ୍ଣ ହୋଇଯାଏ
ଆଉ ସମସ୍ତଙ୍କ ଅଜାଣତରେ
ଅଲକ୍ଷ୍ୟରେ କେଇ ଟୋପା
ଅମାନିଆ ଲୁହ ବୋହିଯାଏ !
ସତ କହିବାକୁ ଗଲେ
ତୁମେ ଗଲା ପରେ
ତୁମ ସହ ଚାଲିଯାଇଛି
ମୋର ସବୁ ଆଶା ଆକାଂକ୍ଷା
ସୃଷ୍ଟି ଆଉ ସମ୍ଭାବନା !