STORYMIRROR

Sambit Srikumar

Abstract Tragedy

4  

Sambit Srikumar

Abstract Tragedy

ହ୍ବାଟସପ୍ ୟୁନିଭର୍ସିଟି

ହ୍ବାଟସପ୍ ୟୁନିଭର୍ସିଟି

2 mins
391

ଏ ଦୁନିଆଁ ବଡ଼ ସ୍ବାର୍ଥପର

ସ୍ବାର୍ଥ ଏଠି ସମ୍ପର୍କର ମାପକାଠି

ଜୀବନ ଜୀଇଁବାର ମାନକ

ସକଳ ବିଶ୍ଵାସର ଭିତ୍ତି

ଯେବେ ଯାଏଁ ଏକଇ ଆନେକର

କରୁଥାଏ ସ୍ବାର୍ଥ ପୂର୍ତ୍ତି

ସେବେ ଯାଏଁ ସାଜିଥାଏ ଭଲ ଲୋକ

ମିଷ୍ଟଭାଷୀ ମେଳାପୀ ଅମାୟିକ

ପୂଣ୍ୟ-ଶ୍ଲୋକ ସଚ୍ଚା ଦେଶଭକ୍ତ।

ଯେବେ ସ୍ବାର୍ଥ ପୂର୍ତ୍ତିର ପଥରେ

କଦବା କ୍ବଚିତ୍ କେବେ କେବେ

ସେହି ଲୋକଟି ହୁଅଇ ବାଧକ

ରାତାରାତି ବଦଳିଯାଏ ଆସ୍ଥା ବିଶ୍ବାସ ପରିସ୍ଥିତି

ପାଲଟିଯାଏ ସିଏ ପ୍ରବଞ୍ଚକ ଠକ ପ୍ରତାରକ

ଭ୍ରଷ୍ଟାଚାରୀ ଦୁର୍ନୀତିଗ୍ରସ୍ତ ବିଶ୍ବାସଘାତକ

ଦେଶଦ୍ରୋହୀ ଧର୍ମଛଡା ସମାଜେ କଳଙ୍କ।

ଆରୋପ ଆକ୍ଷେପ ସତ ହେଉ କି ମିଛ

ବରବାଦ୍ କିମ୍ବା ବଦନାମ ହେବାକୁ

ଲାଗେନି ଗୋଟିଏ ନିମିଷ

ତାସଘର ପରି ଧରାଶାୟୀ ଧୂଳିସାତ୍

ହୋଇଯାଏ ନଭଶ୍ଚୁମ୍ବୀ ଅଟ୍ଟାଳିକା

ଭୂଲୁଣ୍ଠିତ ହୋଇଯାଏ ସୁଗଠିତ ସମୃଦ୍ଧ ସାମ୍ରାଜ୍ୟ

ଜନ୍ମ ଜନ୍ମର ସଞ୍ଚିତ ପୁଣ୍ଯ ଯଶ ଖ୍ଯାତି ପ୍ରତିଷ୍ଠା।

କୁତ୍ସାରଟନା କଳୁଷ ଅପବାଦର ବିଷ

ଅହିରାଜର ଗରଳ ଠୁଁ ବି ମାରାତ୍ମକ ଭୟଙ୍କର

ମିଛକୁ ବାରମ୍ବାର ଶତ ସହସ୍ର ବାର

ଦୃଢ ଦୃପ୍ତ କଣ୍ଠରେ ବହୁମୁଖରେ

ଦୋହରାଇଲେ ଅତ୍ର ତତ୍ର ସର୍ବତ୍ର

ପାଲଟିଯାଏ ଅଚିରେ ଅକାଟ୍ଯ ସତ୍ଯ।

ଅନ୍ଧାଧୁନିଆ ଧାଁଦୌଡ଼ର ଯୁଗରେ

ହ୍ବାଟସପ୍ ୟୁନିଭର୍ସିଟି ହିଁ ସତ୍ଯର ଉତ୍ସ

ଇତିହାସ ପୋଥି ପୁରାଣ କିମ୍ବଦନ୍ତୀ ମିଥ୍ଯା

ଏଠିକାର ପାଠ୍ୟକ୍ରମ ପ୍ରଚାର ତନ୍ତ୍ର

ହିଁ ଜଗତର ଏକମାତ୍ର ସତ୍ଯ

ସଭିଏଁ ଏଠି ଏକଇ ଏକଇ ଭୂଷ୍ ପଣ୍ଡିତ

ଆପଣା ଆପଣା ବିତଣ୍ଡା ଯୁକ୍ତିରେ

ଆନକୁ କରନ୍ତି ରକ୍ତାକ୍ତ କ୍ଷତାକ୍ତ ନିନ୍ଦିତ।

ଏଇଠି ନିର୍ଦ୍ଦାରିତ ହୁଏ କିଏ ରାଷ୍ଟ୍ରବାଦୀ ଦେଶଭକ୍ତ

ତ ଆଉ କିଏ ବିଶ୍ବାସଘାତୀ ଦେଶଦ୍ରୋହୀ ଜୟଚନ୍ଦ୍ର

ଏଇଠୁ ପ୍ରସାରିତ ହୁଏ ନାନାଦି ସମ୍ବାଦ ବିସମ୍ବାଦ

ସ୍ବତଃସ୍ଫୁତ ଭାବେ ଅହର୍ନିଶି ଅନବରତ ଅବିରତ

ଘୁରିବୁଲୁଥାଏ ହାତରୁ ହାତ ପକେଟ୍.ରୁ ପକେଟ୍

ନା ଥାଏ କାଣ୍ଟଛାଣ୍ଟ ନା ସମ୍ପାଦନା ନା କୌଣସି ପ୍ରତିବନ୍ଧ

କେବେ ବିଭ୍ରାନ୍ତ ଇତିହାସ ତ ଆଉ କେବେ ଗୁଜବ

ପୁଣି କେବେ ବିକାଶର ରମ୍ୟ ଗୋଲାପି ଚିତ୍ର

ପୁଣି କେବେ ଭୀଡ଼ ତନ୍ତ୍ରର ଅଖଣ୍ଡ ରାଜତ୍ବ।

ଅଗଣିତ ଭକ୍ତଗଣଙ୍କ ଅନ୍ଧଶ୍ରଦ୍ଧା ଅନ୍ଧ ବିଶ୍ବାସରେ

ଦୃଢ଼ୀଭୂତ ହ୍ବାଟସପ୍ ୟୁନିଭର୍ସିଟିର ମୂଳସ୍ତମ୍ଭ

ତଥ୍ୟ-ତତ୍ତ୍ବ-ଜ୍ଞାନ-ବିଜ୍ଞାନ-ପ୍ରଜ୍ଞାନ ସମାଧିସ୍ଥ

ଦୁଷ୍ପ୍ରଚାର ସର୍ବସ୍ୱ ସିଦ୍ଧାନ୍ତରେ ଅଭିପ୍ରେତ

ମିଥ୍ଯାଚାରର ଦୀକ୍ଷାରେ ଦୀକ୍ଷିତ

ହେଉ ପଛକେ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ

ବିରୋଧୀଙ୍କୁ କରିବା ପାଇଁକି ଅପମାନିତ

ତାହାଙ୍କ ମାନସମ୍ମାନ କରିବାକୁ ଭୂଲୁଣ୍ଠିତ

ଭକ୍ତବୃନ୍ଦ ସଦାସର୍ବଦା ଶତତ ଚେଷ୍ଟିତ।

ତଥାପି ଏଠି ବିଶ୍ବାସ ହିଁ ମୂଳମନ୍ତ୍ର

ବିଶ୍ବାସର ବୁନିଆଦୀ ଢାଞ୍ଚାରେ କୁଠାରଘାତ

କିଏ ଅବା କାହିଁକି ସହିବ?

ମଣିଷର ବିଶ୍ବାସ ଠୁଁ ବଳି

ଅଛି କି ଆଉ କେଉଁ ସତ୍ଯ?

ପ୍ରଗତିବାଦୀ ଚିନ୍ତାଧାରା ବିକାଶର ନାରା

ବେକାରୀ ସମସ୍ୟା ଆର୍ଥିକ ଅଭିବୃଦ୍ଧି

ବର୍ଦ୍ଧିତ ମୁଦ୍ରାସ୍ଫୀତି ମହଙ୍ଗା ମାଡ଼

ଭାଙ୍ଗୁଥାଉ ପଛେ ପିଞ୍ଜରା ହାଡ଼

ସେଥିପାଇଁ ଦୃଷ୍ଟି ନପଡୁ କାହାର

ତୁଣ୍ଡ ନଖୋଲୁ କାହାର

ହିଂସ୍ର ଭୀଡ଼ତନ୍ତ୍ରର କୋଳାହଳରେ

ନୀରବି ଯାଉଛି ପ୍ରତିବାଦର ସ୍ବର

ପଡ଼ିଥାଉ ରାଷ୍ଟ୍ରରେ ହାହାକାର

କରୁଥାଅ ସର୍ବେ ସମ୍ରାଟଙ୍କ ଜୟ ଜୟକାର।


Rate this content
Log in

Similar oriya poem from Abstract