କଟନି ଛଟନି
କଟନି ଛଟନି
ହେ ପରାଙ୍ଗପୁଷ୍ଟ ପରଜୀବୀଗଣ!
ଦୁନିଆଟା ଯାକ ଲୁଟି ଖାଇ
ସାରିବା ପରେ ବି ପୁରିଲା ନାହିଁ
ତୁମ୍ଭର ସାତକୋଶିଆ ଗଣ୍ଡ ବିଶିଷ୍ଟ ବୃକୋଦର
କେତେ ଭୋକ କେତେ ଶୋଷ ତୁମ୍ଭର?
ମୁଣ୍ଡ ଝାଳର ସ୍ବାଦ ତୁଣ୍ଡରେ ଅନୁଭବୀ
ଫଳାଇଥିଲା ସେଇ ଅଭାବୀ ଚାଷୀ
ଖେତରେ ତାହାର ସୁନାର ଫସଲ
ଅଦିନିଆ ବର୍ଷାର ପ୍ରକୋପରୁ
ଯାହିତାହି ଆଣିଥିଲା ସାଉଁଟି
ତା'ର ଅମୂଲ୍ୟ ରତ୍ନ ମୋତି
ତହିଁରେ ବି ପଡିଲା ତୁମ ଶ୍ବେନ ଦୃଷ୍ଟି।
କେତେ ରାତି ଅନିଦ୍ରା ରହି ଶୀତ କାକରରେ
ଜଗିଛି ଫସଲକୁ ତା'ର ଗଜରାଜର ଦାଉରୁ
ଅମଳ ବେଳକୁ ଦି'ପଇସା ଲାଭ ତ ଦୂର
ମୂଳ ମୂଲ ବିହନ କୀଟନାଶକ ଖର୍ଚ୍ଚ ବି ଉଠୁନି
ସର୍ବନିମ୍ନ ଦର ତ ଏଠି ଧର୍ମକୁ ଆଖିଠାର
କଣ ଅବା ଆଉ କରିବ ବାପୁଡ଼ା ଚାଷୀ?
ଖୋଲା ଆକାଶ ତଳେ ବସଛି ତୁମକୁ ଭରସି।
ତୁମେ ହିଁ ତ ତା'ର ଗରାଖ ଇଶ୍ବର
ଉତ୍ପାଦର ଅସଲି ଖରିଦଦାର
ତା'ର ସରଳ ବିଶ୍ଵାସରେ ବିଷ ଭରି
କଟନି ଛଟନିର କଇଁଚି ଚଳାଇ
କାଟି ପକାଅ ତୁମ୍ଭେ ଚାଷୀଭାଇର କଲିଜା
ପୁଅର ମୁଣ୍ଡ ନୁଖୁରା ତା'ର
ଚିର ରୋଗିଣୀ ଭାରିଜା
ଥରେ ବି ହେଜିଲ ନାହିଁ
ବର୍ଷଯାକର ଆୟରୁ ତୁମ୍ଭେ
କାଟି ଲୁଟିନେଲେ
କିପରି ବଞ୍ଚିବ ତା' ସଂସାର??
ଚାଖଣ୍ଡକ ପେଟକୁ ତ
ଦି'ମୁଠା ଆହାର ଯଥେଷ୍ଟ
କଣ ପାଇଁ କାହା ପାଇଁ
ଏତେ ତୁମ୍ଭ ଲୋଭ?
ପୁଅ ନାତି ପରିବାର ବୋଲି
ଯାହା ପାଇଁ ଏତେ କୂଟ କପଟରେ
ଲୁଟୁଛ ସଞ୍ଚୁଛ ଅନ୍ତିମ ବେଳାରେ
ମହାର୍ଦ ଦେବେ ତ??