ଥକୁନଥିବା ପାଦ
ଥକୁନଥିବା ପାଦ
ନିନ୍ଦୁକ ନିନ୍ଦିବେ କେତେ କଥା କହିବେ
ସଜ ମାଛରେ ବି ପୋକ ପକାଇବେ
ରାସ୍ତାରେ ଘାଟରେ ଚଲେଇ ଦେବେନି
ତା' ବୋଲି କଣ ଆଉ
ଆମେ ସମାଜରେ ଜୀଇଁବା ନାହିଁ?
ଦୁନିଆର ଲୋକଙ୍କ ତୁଣ୍ଡରେ କଣ
କିଏ କେବେ ବାଡ଼ ବତା ଦେଇ ପାରିବ?
କାହାରି କଥା ନଶୁଣି ଅଣଦେଖା କରି
ଆଗକୁ ବଢି ଚାଲିବାକୁ ହିଁ ହେବ।
ଦେହ ଅଛି ମାନେ ରୋଗ ରହିବ,
ଜୀବନ ଅଛି ମାନେ ସମସ୍ୟା ରହିବ,
ମନ ଅଛି ବୋଲି ତ କଷ୍ଟ ତ ହେବ
ଆଉ ତା' ବୋଲି କଣ ଜୀଇଁବା ଛାଡ଼ି ଦେବ?
କିଏ କହୁଛି ଜୀବନଟା ନିରାଶାର ମରୁବାଲି
ଆଶାର ବୀଜଟିଏ ତ ବପନ କର
ଦେଖିବ ତହିଁରୁ ମହାଦ୍ରୁମଟିଏ ଅଙ୍କୁରିତ ହେବ
ଫୁଲ ଫଳ ନଦେଲେ ନାହିଁ ପଛକେ
ଅନ୍ତତଃ ଛାଇ ଟିକିଏ ତ ଦେବ।
କେବେ ବି ଥକୁନଥିବା ପାଦ ଦୁଇଟିକୁ
ପାଥେୟ କରି ବାଟ ଚାଲିବାକୁ ହେବ
ଐଶୀ ଚେତନାର ସାହାରାରେ
ଅନ୍ତର୍ନିହିତ ସୌନ୍ଦର୍ଯ୍ୟବୋଧକୁ
ମୁହୁର୍ମୁହୁ ଅନୁଭବ କରିବାକୁ ହେବ।
ଜୀବନର ଲକ୍ଷ୍ୟ ଅତିକ୍ରମ କର କି ନକର
କିଛି ବାଟ ତ ଚାଲିବାକୁ ହେବ
ସାଫଲ୍ୟ ମଣ୍ଡିତ ନହେଲେ ନାହିଁ
ଚେଷ୍ଟା କରିଥିବାର ଆତ୍ମ ସନ୍ତୋଷ
ଅନ୍ତିମ କାଳରେ ନିଶ୍ଚୟ ମିଳିବ।