ତୁମକୁ ପାରେନା ଭୁଲି
ତୁମକୁ ପାରେନା ଭୁଲି
କେତେ ସ୍ନେହ ପ୍ରେମ ଭଲପାଇବାକୁ
ଦେଇଥିଲ ତୁମେ ଢାଳି
ସେଇଥିପାଇଁ କି ତୁମ କଥା ସାଥୀ
ପାରେ ନାହିଁ କେବେ ଭୁଲି ।
ସ୍ନେହ ଶ୍ରଦ୍ଧା ଆଉ ଆଦର ଆଦର୍ଶ
ଆଶ୍ୱାସନା ଭାବଧାରା
ଚମତ୍କାର ଭାଷା ମଧୁର ଭରସା
ଚାହାଣୀ ରସ ପସରା ।
ମେଲାଇକି ତୁମେ ମୋହର ଜୀବନେ
ପବିତ୍ର ଉତ୍ସାହ ଶକ୍ତି
ସ୍ରୋତ ପ୍ରବାହିତ କରି ଅବିରତ
ଚେଷ୍ଟିତ ଥିଲ ହେ , ନିତି ।
ଚେତନା ପୁଲକେ ପ୍ଲାବନ ଲହରୀ
ଖେଳାଇ ଜୀବନେ ଦିନେ
ଉନ୍ନତି ଦିଗରେ ଅଗ୍ରସର କରି
ପରବର୍ତ୍ତୀ କାଳେ ତୁମେ ।
ଚଳିଗଲ ପ୍ରିୟ ସାଥୀ ମେଳ ଖୁସି
ଦେଉଥିଲ ନିତି ସ୍ନେହ
ଅବୁଝା କଥାକୁ କୁହ ତ ବୁଝାଇ
ଦେଇ ଆଦର ଆଗ୍ରହ ।
ତୁମ ପାଇଁ ସିନା ବୁଝିଲୁ ଜୀବନ
କାହାଣୀ ରୋମାଞ୍ଚକର
ଜୀବନ ଯାତ୍ରାରେ ଅଭିନୟ ଲୀଳା
ଦେଖାନ୍ତି ଜୀବ ସକଳ ।
ଦୁଃଖ କ୍ଳେଶ କ୍ଳାନ୍ତି ଅଶେଷ ବିଭ୍ରାନ୍ତି
ଲାଗେ କେତେ ମନୋହର
ଶାନ୍ତ ସୁନ୍ଦର ଯେ ସ୍ନେହ ଶ୍ରଦ୍ଧା ଝରା
ଅମାୟିକ ବ୍ୟବହାର ।
ଭୁଲି ମୁଁ ପାରେନା ତୁମ କଥା ବନ୍ଧୁ
ଭେଦିଛି ଯାହା ଜୀବନେ
ଅଭୁଲା ସ୍ପନ୍ଦନ ଆଣି ତୁମେ ଆସ
ଅବିରତେ ମୋ ମରମେ ।
ତୁମକୁ ପାରେନା ଭୁଲି ଆହେ ପ୍ରିୟ
ସାଥୀ ସମାବେଶ ମେଳେ
ତୁମ ସାଥେ ଯେତେ ଅନୁଭୂତି ନିତି
ପଡଇ ମୋର ମନରେ ।
